Unknown

 

 

 

 

 

 

 

 

 

 

 

ଲାଲସିଂହର ଅଜ୍ଞାତବାସ

ଶ୍ରୀ କଣ୍ଡୁରି ଚରଣ ଦାସ

 

 

 

 

 

 

 

 

 

 

 

ପରବର୍ତ୍ତୀ ଆକର୍ଷଣ-

ଦାନବୀର ଲାଲସିଂହ

 

ଲାଲସିଂହ ସିରିଜ

 

୧.

ଦସ୍ୟୁ ଲାଲସିଂହ

୨.

ଲାଲସିଂହ ଓ ଲାଲ ବାଈ

୩.

ବନ୍ଦୀ ଲାଲସିଂହ

୪.

ଲାଲସିଂହର ଅଜ୍ଞାତବାସ

୫.

ଦାନବୀର ଲାଲସିଂହ

୬.

ଲାଲସିଂହର ମାୟାଚକ୍ର

୭.

ଅଶରୀରୀ ଲାଲସିଂହ

Image

 

ସେଦିନର ପ୍ରଭାତୀ ସମ୍ବାଦପତ୍ରଟା ଆଡ଼େ ସତ୍ୟବ୍ରତ ମହାପାତ୍ର ସ୍ତବ୍‍ଧ ହୋଇ ଅନାଇ ରହିଥିଲେ ।

 

ବନ୍ଦୀ ଲାଲସିଂହ ପୋଲିସ୍‍ ଭ୍ୟାନ୍‍ରୁ ଅନ୍ତର୍ଦ୍ଧାନ

 

ଦିନ ଦି’ପହରେ ପୋଲିସ୍ ଆଖିରେ ଧୂଳି ନିକ୍ଷେପର

 

ପ୍ରଥମ ଦୃଷ୍ଟାନ୍ତ

 

ସହରରେ ନାହିଁ ନଥିବା ଚାଞ୍ଚଲ୍ୟ ।

ପୋଲିସ୍ ବିଭାଗରୁ ଦଶହଜାର ଟଙ୍କା ପୁରସ୍କାର ଘୋଷଣା ।

(ଆମ ଭ୍ରାମ୍ୟମାଣ ପ୍ରତିନିଧିଙ୍କ ଠାରୁ ।

 

କଟକ-୧୭-୮ ଗତକାଲି ଦିନ ବାରଟା ବେଳେ କଟକ ସହରରେ ଯେଉଁ ନାହିଁ ନ ଥିବା ଚାଞ୍ଚଲ୍ୟ ସୃଷ୍ଟି ହୋଇଛି, ଏହାକୁ ପୃଥିବୀର ଏକ ଅତୁଳନୀୟ ବିସ୍ମୟ ଆଖ୍ୟା ଦିଆଯାଇପାରେ-

 

ଦସ୍ୟୁ ଲାଲସିଂହର ବନ୍ଦୀ ହେବା ଇତିହାସ ପ୍ରାୟ ସମସ୍ତେ ଅଳ୍ପ ବହୁତେ ଅବଗତ ଥିବେ-। ସେହି ବନ୍ଦୀ ଲାଲସିଂହକୁ ଗୋଟିଏ ସୁଦୃଢ଼ ପୋଲିସ୍ ଭ୍ୟାନ୍‍ରେ ଭର୍ତ୍ତିକରି କୋର୍ଟକୁ ନିଆଯାଇଥିଲା ।

 

କୋର୍ଟରେ ପହଞ୍ଚି ଲାଲସିଂହ କୌଣସି କଥା କହି ନ ଥିଲା । ଅଗଣିତ ଜନତାରେ କୋର୍ଟର ଘର ବାହାର ପୂରି ଯାଇଥିଲା । ଲାଲସିଂହ ବିଚାରପତିଙ୍କ ସାମନାରେ କାଠଗଡ଼ାରେ ଠିଆ ହୋଇ କେବଳ ଜନତା ଆଡ଼େ ସତୃଷ୍ଣ ନୟନରେ ଅନାଇ ରହିଥିଲା । କିନ୍ତୁ ବିଚାରପତିଙ୍କର କୌଣସି ପ୍ରଶ୍ନର ସେ ଉତ୍ତର ଦେଇ ନ ଥିଲା । ଶେଷରେ କେବଳ କହିଥିଲା, ଏଠାରେ ମୋର ବିଚାର ହୋଇପାରିବ ନାହିଁ । ବାସ୍ ସେତିକି । ଲାଲସିଂହର ସେହି ଗୁରୁ ଗମ୍ଭୀର ଧ୍ଵନି ସମଗ୍ର ଜନତା ପ୍ରାଣରେ ପ୍ରତିଧ୍ଵନିତ ହୋଇଥିଲା ।

ଲାଲସିଂହକୁ ପୁଣି କୋର୍ଟରୁ ଜେଲ ହାଜତ ଭିତରକୁ ନିଆ ହେଉଥିଲା । ପୋଲିସ୍‍ର ସେହି ସୁଦୃଢ଼ ଭ୍ୟାନ୍‍ରେ ଚାରିଜଣ ସଶସ୍ତ୍ର ସିପାହୀ ଘେରି ରହିଥିଲେ । ଲାଲସିଂହ ସେମାନଙ୍କ ମଝିରେ ବସି ନିବିଷ୍ଟ ମନରେ କଣ ଚିନ୍ତା କରୁଥିଲା ।

ହଠାତ୍ ମଧ୍ୟପଥରେ ପୋଲିସ୍‍ ଭ୍ୟାନ୍‍ଟି ଅଟକି ଗଲା । କଲେଜ ଛାତ୍ରମାନଙ୍କର ଏକ ବିରାଟ ଶୋଭାଯାତ୍ରା ସେହି ପଥଦେଇ ଆଗେଇ ଯାଉଥିଲା । ବିଭିନ୍ନ ପ୍ରକାର ସ୍ଲୋଗାନ୍‍ ରେ ଗଗନ ପବନ ମୁଖରିତ ହୋଇ ଉଠୁଥିଲା । ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ପୋଲିସ୍‍ ଭ୍ୟାନ୍‍ଟି ପ୍ରାୟ ପନ୍ଦର ମିନିଟରୁ ଅଧିକ ସମୟ ଠିଆ ହୋଇଥିଲା । କାରଣ ଅନ୍ୟ କୌଣସି ପଥ ଦେଇ ଫେରିଯିବାକୁ ସୁବିଧା ନ ଥିଲା, ଆଉ ପ୍ରୋସେସନ୍‍ଟା ଏତେ ବଡ଼ ହୋଇଥିଲା ଯେ, ଶେଷ ହେଉ ହେଉ ଦୀର୍ଘ ସମୟ ଲାଗିଥିଲା ।

ପୋଲିସ୍ ଭ୍ୟାନ୍ ପନ୍ଦର ମିନିଟ୍ ପରେ ଯେତେବେଳେ ଯାଇ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲା, ସେହିପରି ନିଶ୍ଚଳ ଭାବରେ ଠିଆହୋଇ ରହିଲା । ଭିତରୁ କୌଣସି ସିପାହୀ ଦରଜା ଖୋଲି ବାହାରକୁ ବାହାରିବାର ଲକ୍ଷଣ ଦେଖାଗଲା ନାହିଁ ।

କ’ଣ ହେଲା ? ଜେଲର ଜଣେ ପଦସ୍ଥ କର୍ମଚାରୀ ଉତ୍କଣ୍ଠିତ ହୋଇ ଭ୍ୟାନ୍‍ର ଦରଜା ଟାଣି ଖୋଲିଦେଲେ । ଚାରିଜଣ ଯାକ ସଶସ୍ତ୍ର ସିପାହୀ ଅସ୍ତ୍ର ଶସ୍ତ୍ର ଧରି ନିଜ ନିଜ ଜାଗାରେ ବସିଛନ୍ତି । ବୋଧହୁଏ କାହାରି ଚେତନା ନାହିଁ । ଆଉ ଦସ୍ୟୁ ଲାଲସିଂହ ?

 

ସଙ୍ଗେ ସଙ୍ଗେ ଚହଳ ପଡ଼ିଗଲା । ଦସ୍ୟୁ ଲାଲସିଂହ ପୋଲିସ୍‍ର ଏହି ଇସ୍‍ପାତୀ ଭ୍ୟାନ୍‍ରୁ ଅନ୍ତର୍ଦ୍ଧାନ ହୋଇଛି । କିନ୍ତୁ କିପରି ? ଇସ୍‍ପାତ ଘେରା ଏହି ନିବୁଜ ଭ୍ୟାନ୍‍ଟି ଭିତରୁ ବାହାରି ଯିବା ତ ଦୂରର କଥା, ସୂର୍ଯ୍ୟାଲୋକ ଟିକିଏ ମଧ୍ୟ ଭ୍ୟାନ୍‍ ଭିତରକୁ ପ୍ରବେଶ କରିବାର ଉପାୟ ନାହିଁ । ଏହା ଭିତରୁ ଲାଲସିଂହର ଅନ୍ତର୍ଦ୍ଧାନ ! !

 

ତା’ଛଡ଼ା ସିପାହୀମାନଙ୍କର ହେଲା କ'ଣ ! ସେମାନଙ୍କୁ ବେହୋସ କଲା କିଏ ?

 

ବହୁ ଅନୁସନ୍ଧାନ ଓ ଗବେଷଣା ପରେ ପୋଲିସ୍‍ ବିଭାଗ ଏହିପରି ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି, ଯେଉଁ ଚାରିଜଣ ସଶସ୍ତ୍ର ସିପାହୀ ଭ୍ୟାନ୍‍ରେ ମହଜୁଦ୍‍ ଥିଲେ, ସେହି ଚାରିଜଣଙ୍କ ଭିତରୁ କେହି ଜଣେ ଲାଲସିଂହର ନିଜ ଲୋକ ଥିଲା, ଯାହା ଫଳରେ ସେ ଅନ୍ୟ ତିନିଜଣ ସିପାହୀଙ୍କୁ କ୍ଲୋରୋଫର୍ମ ଦେଇ ନିଜେ ମଧ୍ୟ କ୍ଲୋରୋଫର୍ମ ଶୁଙ୍ଘିଥିଲା । ଯେତେବେଳେ ପ୍ରୋସେସନ ନିକଟରେ ଭ୍ୟାନ୍‍ଟି ଅଟକି ଥିଲା, ସେତିକିବେଳେ ଏହି ସମସ୍ତ କାର୍ଯ୍ୟ ହୋଇଥିଲା । ସିପାହୀମାନେ ବେହୋସ ହେବା ପରେ ବନ୍ଦୀ ଲାଲସିଂହ ଇସ୍‍ପାତୀ ଭ୍ୟାନ୍‍ର ଦରଜା ଖୋଲି ଧୀରେ ଧୀରେ ତଳକୁ ଓହ୍ଲେଇ ପଡ଼ି ସେହି ଜନସମୁଦ୍ର ମଧ୍ୟରେ ଲୀନ ହୋଇଯାଇଥିଲା । ଗାଡ଼ି ଭିତରେ ଏ ସବୁ ଘଟଣା ଘଟୁଥିବା ବେଳେ ଡ୍ରାଇଭରର ହୁଏତ କିଛି ଜାଣିବାର ଉପାୟ ନ ଥିଲା । କାରଣ ପଛରେ କ’ଣ ହେଉଛି ଚାହିଁ ଦେଖିବାର ତା’ର କୌଣସି ସୁବିଧା ନ ଥିଲା ।

 

ସିପାହୀ ଚାରିଜଣଙ୍କୁ ସନ୍ଦେହ କରାହୋଇଛି । ସେମାନଙ୍କର ହୋସ୍ ହେଲେ, ଜମାନବନ୍ଦୀ ନିଆଯିବ ଏବଂ କାର୍ଯ୍ୟାନୁଷ୍ଠାନ କରାଯିବ । ଏହି ବିସ୍ମୟକର ଅନ୍ତର୍ଦ୍ଧାନ ମୂଳରେ ନିଶ୍ଚୟ ଯେ କୌଣସି ରହସ୍ୟ ଲୁଚି ରହିଛି ଏହା ଅନସ୍ୱୀକାର୍ଯ୍ୟ ।

 

ପୋଲିସ୍‍ ବିଭାଗ ମୃତ ବା ଜୀବିତ ଲାଲସିଂହକୁ ଧରି ଦେବା ପାଇଁ ଦଶ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ।

 

ଇତି ପୂର୍ବରୁ ଦସ୍ୟୁ ଲାଲସିଂହକୁ ବିଭିନ୍ନ କାର୍ଯ୍ୟକଳାପ ଦେଶସାରା ଆତଙ୍କ ସୃଷ୍ଟି କରିଥିଲା । ଲାଲସିଂହ ବନ୍ଦୀ ହେବା ପରେ ଅନେକ ଶ୍ଵସ୍ତିର ନିଶ୍ୱାସ ପକାଇଥିଲେ । କିନ୍ତୁ ପୁଣି ଲାଲସିଂହର ଏପରି ବିସ୍ମୟକର ଅନ୍ତର୍ଦ୍ଧାନରେ ଜନସାଧାରଣରେ ଭୟାବହ ଆତଙ୍କର ସୃଷ୍ଟି ହୋଇଯାଇଛି । ପୋଲସ ବିଭାଗ ଜନସାଧାରଣଙ୍କର ଆସ୍ଥା ହରାଉଛନ୍ତି । ଦିନ ଦି’ ପହରେ, ବିଚ୍ ବଜାରରେ, ସୂର୍ଯ୍ୟାଲୋକରେ ଗୋଟାଏ ସାମାନ୍ୟ ଦସ୍ୟୁ ପୋଲିସ୍‍କୁ ଏପରି ଚିତା କାଟିବା ହୁଏତ ପୃଥିବୀ ଇତିହାସରେ ଏହା ଏକ ସର୍ବପ୍ରଥମ ଦୃଷ୍ଟାନ୍ତ ।

 

ସମଗ୍ର ସହରରେ ଧମାଧମ୍ ତଦନ୍ତ ଚାଲିଛି । ପୋଲିସ୍‍ ସି:ଆଇ:ଡ଼ି: ଦଳ ଦଳ ହୋଇ କାର୍ଯ୍ୟୋଦ୍ଧାରରେ ଲାଗି ପଡ଼ିଛନ୍ତି । ମାତ୍ର ଏଯାଏ କାହାରିକୁ ଧରା ହୋଇନାହିଁ ।

 

ସତ୍ୟବ୍ରତ ମହାପାତ୍ର ଖବରକାଗଜ ଉପରୁ ଦୃଷ୍ଟି ଫେରାଇ ଚାହିଁଲେ, ଅଭିମନ୍ୟୁ ଠିଆ ହୋଇଛି । କ'ଣ ସମ୍ବାଦ ଅଭି ? ମୋର ସାତ ଆଠ ଦିନ ଅନୁପସ୍ଥିତିରେ ବୋଧହୁଏ ଏହି ଖବରକାଗଜର ଚାଞ୍ଚଲ୍ୟକର ଘଟଣା ଛଡ଼ା ଆଉ କୌଣସି ନୂତନ ଘଟଣା ଘଟିନାହିଁ ?

 

ଅଭିମନ୍ୟୁ କହିଲା, ବାହାରେ କେଉଁଠି କ’ଣ ଘଟିଛି ମୋତେ ଜଣାନାହିଁ, କିନ୍ତୁ ଆପଣଙ୍କ ଯିବା ଦିନଠାରୁ ଆମ ସାମନା ଖାଲି କୋଠାକୁ ଜଣେ ବୃଦ୍ଧ ଭଡ଼ା ନେଇଛନ୍ତି । ସେ ସେହି କୋଠାରେ ବସବାସ କରୁଛନ୍ତି । କେତେଦିନ ହେବ ତାଙ୍କ ଘରେ ଏକ ଅଦ୍ଭୁତ ଘଟଣା ଘଟୁଛି । ସେ ରୋଜ ଦୁଇ ତିନିଥର ଆସି ଆପଣଙ୍କୁ ଖୋଜୁଛନ୍ତି । ଆଜି ମଧ୍ୟ ଆସିଛନ୍ତି । କହିବେ ଯଦି ଡାକିଦେବି ।

ଅଦ୍ଭୁତ ଘଟଣା ଘଟୁଛି, କ’ଣ ହେଉଛି ଅଭି ! କୌଣସି ଭୌତିକ ବା ସେହିପରି.....

ନା ନା ନା ମି. ମହାପାତ୍ର, ଘଟଣାଟା ଠିକ୍ ଭୌତିକ ନୁହେଁ, ଅତିଭୌତିକ ପରି ମୋର ମନେ ହେଉଛି । ଦେଖୁଛନ୍ତି ମୋର ଚେହେରା । ମୁଣ୍ଡର ବାଳ ସବୁ ଝୋଟ ହୋଇଗଲାଣି, ମୋ ବୟସ ହୁଏତ ଆପଣ ଅନ୍ଦାଜ କରିପାରିବେ ନାହିଁ, ସତସ୍ତରି ଏଇ ଗତମାସରେ ପୂର୍ଣ୍ଣ ହୋଇଗଲା, କିନ୍ତୁ ମୁଁ ଏପରି ଘଟଣାର ସମ୍ମୁଖୀନ କେବେ ହୋଇ ନ ଥିଲି ।

ସତ୍ୟବ୍ରତ ଦେଖିଲେ ଜଣେ ବୟସ୍କ ଲୋକ ହାତରେ ଖଣ୍ଡିଏ ବାଡ଼ି ଢିରା ଦେଇ ଠିଆ ହୋଇଛନ୍ତି । ଚେହେରାଟିରେ ଆଭିଜାତ୍ୟର ଚିହ୍ନ ଫୁଟି ଉଠୁଛି । ଦେଖିଲେ ଯେ କୌଣସି ଲୋକର ଭକ୍ତି ଜନ୍ମିବ । ସତ୍ୟବ୍ରତ ଭଦ୍ରଲୋକଙ୍କୁ ଦେଖିବାକ୍ଷଣି ଚେଆରରୁ ଉଠି ଠିଆ ହୋଇଗଲେ, ସମ୍ଭ୍ରମ ସହକାରେ ଅଭିବାଦନ ଜଣାଇ ବସିବାକୁ କହିଲେ ।

ଆଗନ୍ତୁକ ଚେଆର ଅଧିକାର କରି ବସୁ ବସୁ ପକେଟରୁ ଖଣ୍ଡିଏ ନାମାଙ୍କିତ କାର୍ଡ଼ ବାହାର କରି ସତ୍ୟବ୍ରତଙ୍କୁ ହାତକୁ ବଢ଼ାଇ ଦେଲେ । କହିଲେ, ମୋର ପରିଚିତି ।

ଡକ୍ଟର ସୁନୀତି କୁମାର ନନ୍ଦଶର୍ମା ।

କଟକ ।

ବୁଝିଲେ ମି: ମହାପାତ୍ର, ବର୍ତ୍ତମାନ ମୁଁ ମୋର ପରିଚିତ ଯଥାସମ୍ଭବ ସଂକ୍ଷିପ୍ତ କରିବାକୁ ଚେଷ୍ଟା କରୁଛି । ଆଉ ବା କେତେଟା ଦିନ । ଶେଷ ବୟସରେ ଦରିଦ୍ର ନାରାୟଣର ସେବା କିଛିଦିନ କରିବାକୁ ସ୍ଥିର କରି ଏହି ଘରଟି ନେଲି । କିନ୍ତୁ କି ଅଲୌକିକ କାଣ୍ଡ !!

ଡକ୍ଟର ଶର୍ମା ଟିକିଏ ଅଟକି ଯାଇ କହିଲେ, ମି: ମହାପାତ୍ର କ୍ଷମା କରିବେ । ଆପଣଙ୍କ ନିକଟରେ ସିଗାରେଟ୍ ଅଛି ?

ନିଶ୍ଚୟ । ସତ୍ୟବ୍ରତ ପକେଟରୁ ସିଗାରେଟ୍ କେସ୍‍ଟି ବାହାର କରି ଡକ୍ଟର ଶର୍ମାଙ୍କ ହାତକୁ ବଢ଼ାଇ ଦେଲେ । ଶର୍ମା ଗୋଟିକରେ ଅଗ୍ନିସଂଯୋଗ କରି କହିଲେ, ଆପଣ ବିଶ୍ୱାସ କରିବେ କି ନାହିଁ ମୁଁ ଜାଣେନା ମି. ମହାପାତ୍ର ! ମୁଁ ପ୍ରଚୁର ସିଗାରେଟ୍ ଟାଣେ । କେଉଁଦିନ କେତେ ପ୍ୟାକେଟ୍ ତାର ହୁଏତ ହିସାବ ଦେଇପାରିବି ନାହିଁ । କିନ୍ତୁ ଜାଣନ୍ତି ମି:ମହାପାତ୍ର ! କୌଣିସି ଦିନ ସିଗାରେଟ୍ କିଣା ବାବଦରେ ମୁଁ ଗୋଟିଏ ପଇସା ଖର୍ଚ୍ଚ କରିନାହିଁ । ଆପଣ ବିଶ୍ୱାସ କରି ପାରୁନାହାନ୍ତି ? ସିଗାରେଟ୍ ମାଗି ଖାଇବାରେ ମୋର ପ୍ରଚୁର ଆନନ୍ଦ । ଡକ୍ଟର ଶର୍ମା ହୋ ହୋ ହୋଇ ହସି ଉଠିଲେ ।

କଟକକୁ ଆସିବା ପୂର୍ବରୁ ଆପଣ କେଉଁଠି ପ୍ରାକ୍‍ଟିସ୍ କରୁଥିଲେ ? ସତ୍ୟବ୍ରତ ପଚାରିଲେ ।

ମୁଁ, ମୋ କଥା ଛାଡ଼ନ୍ତୁ । ମୁଁ ମିଲିଟାରୀରେ ଥିଲି । ତା’ ପରେ ବର୍ମା, ରେଙ୍ଗୁନ୍ । ରେଙ୍ଗୁନ୍‍ରେ ବେଶୀ ସମୟ କଟିଛି କହିବାକୁ ହେବ । ଆପଣ ଜାଣିନାହାନ୍ତି ବୋଧେ ମୁଁ ବେଚ୍‍ଲର-। ତେଣୁ ବୁଝୁଥିବେ ତ ମୁଁ ଏକ ପ୍ରକାର ନିର୍ଝଞ୍ଜଟ ମଣିଷ । କିନ୍ତୁ ମୋ କର୍ମମୟ ଜୀବନ କାଳ ଭିତରେ ମୁଁ ବହୁ ଅର୍ଥ ଉପାର୍ଜ୍ଜନ କରିଛି । ସେଗୁଡ଼ା ହେବ କ’ଣ ! ଖାଇବ କିଏ !! ତେଣୁ ମୋର ଏହି ସେବାସଦନର ପରିକଳ୍ପନା । କିନ୍ତୁ.....

ଡକ୍ଟର ଶର୍ମାଙ୍କ ଆଖିରେ ଯେପରି ଆତଙ୍କ ଫୁଟି ଉଠିଲା । ସତ୍ୟବ୍ରତ ମହାପାତ୍ର ତୀକ୍ଷ୍‍ଣ ଚାହାଣୀରେ ଚାହିଁଥିଲେ । କହିଲେ, ତା’ ହେଲେ ଆପଣ ଆତଙ୍କିତ ହେବାର କାରଣ କ’ଣ ?

ସେଇକଥା ତ କହିବା ପାଇଁ ମୁଁ ଆପଣଙ୍କ ନିକଟକୁ ଆସିଛି ମିଃ ମହାପାତ୍ର । ତିନି ଚାରିଦିନ ହେବ ଆପଣଙ୍କ ପଥକୁ ଅନୁସରଣ କରି ବସିଛି । ଏଥର ଆପଣଙ୍କ ଆଗରେ ମୋ ଆସିବାର କାହାଣୀ ବ୍ୟକ୍ତ କରୁଛି ।

ଡକ୍ଟର ଶର୍ମା କ୍ଷଣକ ପାଇଁ ଉଠି ଠିଆ ହେଲେ ଏବଂ କୋଟ୍‍ ପକେଟରେ ହାତ ଭରି କ’ଣ ବାହାର କରି ପୁଣି ଚେୟାର ଉପରେ ବସିଲେ । ସତ୍ୟବ୍ରତଙ୍କ ଆଗରେ ତିନୋଟି ମମ୍‍ର କଣ୍ଢେଇ ରଖି ଦେଇ କହିଲେ, ଦେଖନ୍ତୁ, ଏଇ ତିନୋଟି ମୋ ଜୀବନର ଆତଙ୍କ ।

ସତ୍ୟବ୍ରତ ମହାପାତ୍ର କଣ୍ଢେଇ ତିନୋଟି ଆଡ଼େ ନିର୍ନିମେଷ ନୟନରେ ଅନାଇ ରହିଲେ-। ତିନୋଟି ଯାକର ଗଠନ ପ୍ରଣାଳୀ ସମାନ । ମାତ୍ର ଉଚ୍ଚତା ଯେପରି କ୍ରମଶଃ ବଢ଼ି ବଢ଼ି ଯାଇଛି । ସବୁଠାରୁ ସାନଟିର ଉଚ୍ଚତା ହେବ ତିନି ଇଞ୍ଚି, ତା’ପରଟି ଚାରିଇଞ୍ଚି ଏବଂ ସର୍ବୋଚ୍ଚ କଣ୍ଢେଇଟି ପାଞ୍ଚଇଞ୍ଚି ହେବ । ସବୁ ଗୁଡ଼ିକର ଗଠନ ପ୍ରଣାଳୀ ସମାନ ।

ସତ୍ୟବ୍ରତ ସେଗୁଡ଼ିକ ଆଡ଼ୁ ଆଖି ଫେରାଇ ନେଇ ଡକ୍ଟର ଶର୍ମାଙ୍କ ମୁହଁକୁ ଚାହିଁଲେ । ଚାହାଣୀରେ ଅନୁସନ୍ଧିତ୍ସା ଭରି ରହିଥିଲା ।

ଡକ୍ଟର ଶର୍ମା କହିଲେ, ମୁଁ ପ୍ରତିଦିନ ସକାଳୁ ଉଠିଲା ବେଳକୁ ମୋ ମୁଣ୍ଡ ପାଖରୁ ଏହିପରି ଗୋଟିଏ କଣ୍ଢେଇ ଆବିଷ୍କାର କରୁଛି । ପ୍ରଥମ ଯେଉଁଦିନ ଏଇଟିକୁ ଦେଖିଲି, ସେଦିନ ମୋ ମନରେ ବିଶେଷ କୌଣସି ଭାବାନ୍ତର ସୃଷ୍ଟି ହୋଇ ନ ଥିଲା, ମାତ୍ର ଦ୍ୱିତୀୟ ଦିନ ଅପେକ୍ଷାକୃତ ବଡ଼ କଣ୍ଢେଇଟିଏ ଦେଖି ମୋର ମନେହେଲା, ଘଟଣାଟା ଯେପରି ଅଲୌକିକ । ଅବଶ୍ୟ ଏ ସମ୍ବନ୍ଧରେ ମୁଁ ବହୁ ଅନୁସନ୍ଧାନ କରିଛି, ମାତ୍ର କୌଣସି ସୂତ୍ର ପାଇଁ ନାହିଁ । ଦୁଇଟି କଣ୍ଢେଇ ପାଇବା ପରେ ତିନୋଟି ସକାଳ କଟିଗଲା । ତା’ ପରେ ମନଟା ହାଲକା ହୋଇ ଯାଇଥିଲା, ଭାବିଥିଲି ଘଟଣାଟା କିଛି ଗୋଟାଏ ହେଲେ ବି ସେହିପରି ଗୁରୁତ୍ୱପୂର୍ଣ୍ଣ ନୁହେଁ, ମାତ୍ର ଆଜି ସକାଳୁ ପୁଣି ଏଇ ବଡ଼ କୁଣ୍ଢେଇଟି ପାଇଲି ।

 

ସତ୍ୟବ୍ରତ ନୀରବରେ ବସି ଡକ୍ଟର ଶର୍ମାଙ୍କ କଥା ଶୁଣୁଥିଲେ ଏବଂ ମମ୍‍ ନିର୍ମିତ କୁଣ୍ଢେଇଗୁଡ଼ିକୁ ରହି ରହି ଚାହୁଁଥିଲେ । ସେଗୁଡ଼ିକର ଗଠନ ପ୍ରଣାଳୀ କିପରି ଭିନ୍ନ ମନେ ହେଉଥିଲା-। ମୂର୍ତ୍ତିଗୁଡ଼ିକ ଯେ କ’ଣ ସତ୍ୟବ୍ରତ ବହୁ ଚିନ୍ତା କରି କିଛି ସ୍ଥିର ପାରୁ ନଥିଲେ । କୌଣସି ପଶୁ, ପକ୍ଷୀ ବା କୀଟପତଙ୍ଗ ଅଥବା ଦେବଦେବୀ, କିଛି ସେ ସ୍ଥିର କରିପାରୁ ନ ଥିଲେ । ତଥାପି ଆଖିକୁ ଆକର୍ଷଣ କଲା ପରି ଏକ ଭଙ୍ଗୀ ଥିଲା । ସତ୍ୟବ୍ରତ ପଚାରିଲେ, ଆଚ୍ଛା ଡକ୍ଟର ଶର୍ମା ! ଏଇ ଯେଉଁ କୁଣ୍ଢେଇ ଗୁଡ଼ିକ ଆପଣ ଏଠାରେ ଥୋଇଛନ୍ତି, ଏଥିରେ କାହାର ପ୍ରତିବିମ୍ବ ପ୍ରତିଫଳିତ ହୋଇଛି ? ଏଗୁଡ଼ିକ ଯେ କେବଳ ତରଳ ମମ୍‍ର ଜମାଟବନ୍ଧା ଆକୃତି, ନିଶ୍ଚୟ ତା’ ନୁହେଁ । କିନ୍ତୁ...

 

ସତ୍ୟବ୍ରତ କଥା ଅସମାପ୍ତ ରଖି ଗୋଟିଏ କୁଣ୍ଢେଇ ହାତରେ ଉଠାଇ ନେଲେ । କିପରି ଏକ ବୀଭତ୍ସ ଶୈଳୀର ଫଳକ ଫୁଟିଛି ସେଇ ଜମାଟବନ୍ଧା ମମ୍‍ ଉପରେ ।

 

କ୍ଷମା କରିବେ ମିଃ ମହାପାତ୍ର ! ଆଉ ଗୋଟିଏ ସିଗାରେଟ୍ ଦିଅନ୍ତୁ । ଏହି ଗଳିତ ମମ୍‍ର ସ୍ତୂପ ଉପରେ ଯେଉଁ ଆକୃତିର ପ୍ରତିଫଳନ ହୋଇଛି, ଆପଣ ତାହା ବୁଝିପାରିବେ ନାହିଁ, ମୁଁ ମଧ୍ୟ ଗତକାଲି ରାତି ନଅଟା ଯାଏ କିଛି ବୁଝି ପାରି ନ ଥିଲି । କିନ୍ତୁ ଯେତେବେଳେ ଏହି ମମ୍‍ କୁଣ୍ଢେଇର ଅସଲ ରୂପ ସମ୍ବନ୍ଧରେ ମୋର ସାମାନ୍ୟ ଧାରଣା ଜନ୍ମିଲା...ଡକ୍ଟର ଶର୍ମା ନୀରବ ହେଲେ । ସତ୍ୟବ୍ରତଙ୍କ ସିଗାରେଟ୍ କେସରୁ ଗୋଟିଏ ସିଗାରେଟ୍ ନେଇ ଅଗ୍ନିସଂଯୋଗ କରି ପୁଣି ଆରମ୍ଭ କଲେ, ସେତେବେଳେ ମୋ ପ୍ରାଣଟା ଶୀତଳ ହୋଇ ଆସିଲା । ମମ୍‍ର ପ୍ରତିମୂର୍ତ୍ତିଗୁଡ଼ିକ ଏକ ଭୟଙ୍କର ପଦାର୍ଥ ।

 

ଡକ୍ଟର ଶର୍ମା ମୁହୂର୍ତ୍ତେ ନୀରବ ରହି କହିଲେ, ବର୍ମାରେ ଏକ ପ୍ରକାର ଅନୁନ୍ନତ ଶ୍ରେଣୀର ଜାତି ଅଛନ୍ତି । ସେମାନେ ଜଙ୍ଗଲରେ ବାସ କରନ୍ତି କହିଲେ ଚଳେ । ସେମାନେ କଞ୍ଚା ମାଂସ ଭକ୍ଷଣ କରନ୍ତି । ସେମାନଙ୍କର ଯେଉଁ ଦେବତା ଅଛି, ତା’ ପାଖରେ ବର୍ଷରେ ଥରେ ନରବଳୀ ଦିଆହୁଏ । ଏ ମମ୍‍ର ପ୍ରତିମୂର୍ତ୍ତିଗୁଡ଼ିକ ସେଇ ଦେବତାର ।

 

ହଠାତ୍ ସତ୍ୟବ୍ରତ ହାତରୁ ସେହି ମମ୍‍ର ପ୍ରତିମୂର୍ତ୍ତିଟା ଖସି ପଡ଼ିଲା । ତଳ ପାଖଟା ଚେପା ହୋଇଗଲା । ସେ ତାକୁ ତଳୁ ଉଠାଇ ଆଣି ଟେବୁଲ ଉପରେ ଅନ୍ୟ ଦୁଇଟି ମୂର୍ତ୍ତି ପାଖରେ ଥୋଇ କହିଲେ, ଏ ତଥ୍ୟ ଆପଣ ଆବିଷ୍କାର କଲେ କିପରି ?

 

ଡକ୍ଟର ଶର୍ମା କହିଲେ, ମୁଁ ବର୍ମାରେ ଥିଲାବେଳେ ମୋ ପାଖରେ ଗୋଟିଏ ବର୍ମିଜ୍ ସ୍ତ୍ରୀଲୋକ ଚାକିରି କରୁଥିଲା । ଆସିଲାବେଳେ ମୁଁ ତାକୁ ସଙ୍ଗରେ ଘେନି ଆସିଥିଲି । କାଲି ରାତି ୧୦ଟା ବେଳେ ହଠାତ୍ ସେ ଏଇ ମୂର୍ତ୍ତିରୁ ଗୋଟାଏ ଦେଖି ଚିତ୍କାର କରି ଉଠିଲା । ସଙ୍ଗେ ସଙ୍ଗେ ଅଚେତ ହୋଇ ତଳେ ପଡ଼ିଗଲା । ମୁଁ ବହୁ କଷ୍ଟରେ ତା’ର ଚେତା ଫେରାଇ ଏହି ମୂର୍ତ୍ତି ସମ୍ବନ୍ଧରେ ସବୁ କଥା ତା’ ମୁହଁରୁ ଶୁଣିଲି । ସେ ସ୍ତ୍ରୀଲୋକଟି ମଧ୍ୟ ଆହୁରି କହିଲା, ବର୍ଷରେ ଥରେ ଏହି ଠାକୁରାଣୀଙ୍କ ପାଖରେ ନରବଳୀ ଦିଆହୁଏ ଏବଂ ସେ ନରବଳୀ ଠାକୁରାଣୀ ନିଜେ ଯୋଗାଡ଼ କରନ୍ତି । ତା’ର ଅର୍ଥ ପୂଜା ଆଗଦିନ ଏହିପରି ଗୋଟିଏ ମୂର୍ତ୍ତି ଯେ କୌଣସି ଜଣକ ଘରୁ ବାହାରେ-। ସେମାନଙ୍କର ଧାରଣା ଯେ ଠାକୁରାଣୀ ନିଜେ ଇଚ୍ଛାକରି ଯାହାଘରୁ ବଳୀ ଖାଇବାର କଥା ତାରି ଘରେ ବିରାଜମାନ କରନ୍ତି । ଏ ମୂର୍ତ୍ତି ଯାହା ଘରୁ ବାହାରେ ତାଙ୍କରି ଘରୁ ଜଣକୁ ବଳୀ ଦିଆଯାଏ-

 

ହୁଁ, ସତ୍ୟବ୍ରତ ମହାପାତ୍ର ସବୁ କଥା ଶୁଣି ଗୋଟିଏ ଦୀର୍ଘଶ୍ୱାସ ପକାଇ କହିଲେ–ତା’ହେଲେ ସେହି ବର୍ମିଜ୍ ସ୍ତ୍ରୀ ଲୋକଟି କାଲିରାତିରେ ନିଶ୍ଚୟ ଆପଣଙ୍କ ଘର ଛାଡ଼ି ପଳାଇ ଯାଇଛି-

 

ଆପଣ ଠିକ୍ ଅନୁମାନ କରିଛନ୍ତି ମି. ମହାପାତ୍ର ! ସେ ସ୍ତ୍ରୀଲୋକଟି ସଙ୍ଗେ ସଙ୍ଗେ ଘରଛାଡ଼ି ପଳେଇବାକୁ ବସିଥିଲା, ମାତ୍ର ମୁଁ ବହୁତ ବୁଝେଇ ସୁଝେଇ କହିବାରୁ ଯଦିଓ ସେ ରହିବାକୁ ରାଜି ହେଲା, ମାତ୍ର ମୋ ଘରେ ନ ରହି ଅନ୍ୟ କାହାରି ଘରେ ରାତିଟା କଟେଇବାକୁ କହିଲା । ମୁଁ ତାକୁ ଗୋଟିଏ ଚାକର ସହିତ ଜଣେ ବନ୍ଧୁଙ୍କ ଘରକୁ ପଠାଇଲି । ମାତ୍ର ସକାଳ ହେବା ପୂର୍ବରୁ ସେ କୁଆଡ଼େ ଚାଲିଯାଇଚି ।

 

ଆପଣ ତା’ର ଆଉ କୌଣସି ଖବର ନେଇଥିଲେ ? –ସତ୍ୟବ୍ରତ ପଚାରିଲେ ।

 

କିଛି ଲାଭ ନାହିଁ । ମୁଁ ଜାଣିଥିଲି, ଏହାପରେ ସେ ଦିନଟାଏ ବି ରହିବ ନାହିଁ । ତେଣୁ ବୃଥା ଚେଷ୍ଟା କଲି ନାହିଁ ।

 

ହୁଁ, ଏ ମୂର୍ତ୍ତି ସମ୍ବନ୍ଧରେ ଆପଣଙ୍କର ଧାରଣା କ'ଣ ? ସେହି ବର୍ମିଜ ସ୍ତ୍ରୀଲୋକଠାରୁ ଏହିପରି ଏକ ରୂପକଥା ଶୁଣିବା ପରଠାରୁ ଆପଣଙ୍କ ମନ ମଧ୍ୟ ଆତଙ୍କଗ୍ରସ୍ତ ହୋଇ ପଡ଼ିଛି ?

 

ନା, ନା, ମି: ମହାପାତ୍ର ! ସମସ୍ୟାଟା ଠିକ୍ ତା’ ନୁହେଁ । ଅବଶ୍ୟ ସେ ସବୁ କୁସଂସ୍କାର ମୂଳରେ କୌଣସି ଭିତ୍ତି ନାହିଁ ଅଥବା ମୁଁ ବର୍ମାର ବଣ ଜଙ୍ଗଲରେ ଘର କରିନାହିଁ । କିନ୍ତୁ ସମସ୍ୟା ହେଉଛି, ଏଗୁଡ଼ିକ ଆସୁଛି କେଉଁଠୁ ଏବଂ ଯିଏ ଏଗୁଡ଼ିକ ରଖିଯାଉଛି ତା’ର ଉଦ୍ଦେଶ୍ୟ କ’ଣ ହୋଇପାରେ । ତା’ ଛଡ଼ା ଆଉ ଗୋଟିଏ ବିଷୟ ପ୍ରତି ମୁଁ ଆପଣଙ୍କୁ ସଚେତନ କରେଇବାକୁ ଚାହେଁ-। ଯିଏ ଏହି ମମ୍‍ର ମୂର୍ତ୍ତିଗୁଡ଼ିକ ମୋ ନିକଟକୁ ପଠାଉଛି ସେ’ ବା କିପରି ବର୍ମାର ସେହି ଠାକୁରାଣୀ ସମ୍ବନ୍ଧରେ ଏତେ ତଥ୍ୟ ଜାଣିଲା । ଏଇ ସବୁ ଭାବି ମୁଁ ଖୁବ୍‍ ଚିନ୍ତିତ ହୋଇ ପଡ଼ିଥିଲି । ଆଜି ଆପଣଙ୍କ ଦେଖା ପାଇଁ ନ ଥିଲେ, ପୋଲିସ୍‍ରେ ଖବର ଦେଇଥାନ୍ତି ।

 

ଅବଶ୍ୟ ଏହା ଏକ ଗଭୀର ଚିନ୍ତାର ବିଷୟ । ସତ୍ୟବ୍ରତ ମହାପାତ୍ର କହିଲେ । ଏହି ମମ୍‍ର ମୂର୍ତ୍ତି, ସେ ପୁଣି ବର୍ମାର କୌଣସି ଅନୁନ୍ନତ ଜାତିମାନଙ୍କର ଦେବତା । ସେଗୁଡ଼ିକର ଆବିର୍ଭାବ ଆପଣଙ୍କ ଘରେ । ଆପଣ ମୋତେ ସମସ୍ୟାରେ ପକାଇଲେ ଡକ୍ଟର ଶର୍ମା । କିନ୍ତୁ ମୋ ମତରେ ଆପଣ ଏଇ ସାମ୍‍ନା ଘରଟା ନ ନେଇଥିଲେ ଭଲ କରି ଥାଆନ୍ତେ !!

 

ଡକ୍ଟର ଶର୍ମାଙ୍କ ମୁଖରେ ଯେପରି ଆତଙ୍କ ଫୁଟି ଉଠିଲା । ସେ ମୁହୂର୍ତ୍ତେ ନୀରବ ରହି, ବାଡ଼ି ଖଣ୍ଡିକ ତଳେ ଠିକଉ ଠିକଉ କହିଲେ, ମୁଁ ବି ବର୍ତ୍ତମାନ ସେଇ କଥା ଭାବୁଛି । ଏ ଘରଟା ନେବା ପୂର୍ବରୁ ଜଣେ ମୋତେ ମନା କରୁଥିଲେ । କହୁଥିଲେ, ଏହି ଘରଟା ଅନେକ ବର୍ଷ ହେବ ଖାଲି ପଡ଼ି ରହିଛି । କେବଳ ସେତିକି ନୁହେଁ, ସେ ମଧ୍ୟ କହୁଥିଲେ ଏ ଘରଟାରେ ଗୋଟିଏ ପରିବାରକୁ କୌଣସି ଅଜ୍ଞାତ ଶକ୍ତି ଗଳାଚିପି ମାରି ଦେଇଥିଲା । ସେଇଦିନଠାରୁ ଏ କୋଠାଟା ନାଁରେ ଭୀଷଣ ଦୁର୍ନାମ ଅଛି । ମୁଁ କିନ୍ତୁ ଭଦ୍ରଲୋକଙ୍କ କଥାକୁ ଥଟ୍ଟାରେ ଉଡ଼ାଇ ଦେଇଥିଲି । କିନ୍ତୁ ବର୍ତ୍ତମାନ ଦେଖୁଚି....

 

ଆପଣଙ୍କର ଆଉ ସିଗାରେଟ୍ ଲାଗିବ ? ସତ୍ୟବ୍ରତ ମହାପାତ୍ର ଗୋଟିଏ ସିଗାରେଟ୍‍ରେ ଅଗ୍ନିସଂଯୋଗ କରି କେସ୍‍ଟି ଡକ୍ଟର ଶର୍ମାଙ୍କ ଆଡ଼କୁ ବଢ଼େଇ ଦେଲେ ଏବଂ କହିଲେ, ଆପଣ ତା’ ହେଲେ କୋଠାଟି କିଣିବା ଆଗରୁ ବାଧା ପାଇଥିଲେ ।

 

ହଁ ।

 

କିଏ ଆପଣଙ୍କୁ ବାଧା ଦେଇଥିଲା ?

 

ସେ ଭଦ୍ରଲୋକ ବେଳେ ବେଳେ ଆସନ୍ତି । ଏବେ ବି ଆସୁଛନ୍ତି । ମୋଠାରୁ ବୟସରେ ଟିକେ ସାନ ହେବେ । ନାଁଟା କ’ଣ ଠିକ୍ ମନେ ପଡ଼ୁନାହିଁ । ଏଇଥର ଆସିଲେ ନାମ ଠିକଣା ସବୁ ପଚାରି ବୁଝିବି । ସେ ଭଦ୍ରଲୋକଙ୍କୁ କ’ଣ ସନ୍ଦେହ କରାଯାଇପାରେ ? ଡକ୍ଟର ଶର୍ମାଙ୍କ ଆଖି ଦୁଇଟି ବିସ୍ଫାରିତ ହୋଇଉଠିଲା ।

 

ସତ୍ୟବ୍ରତ ମହାପାତ୍ର ହୋ ହୋ ହୋଇ ହସି ଉଠିଲେ । ଆପଣ ବିଜ୍ଞ ହୋଇ ମଧ୍ୟ ସଂସାର କ୍ଷେତ୍ରରେ ନବୀନ ପରି ମନେ ହେଉଛନ୍ତି ଡକ୍ଟର ଶର୍ମା । କିଏ ସନ୍ଦେହର ଭିତରେ ଆଉ କିଏ ବାହାରେ ସେ ତତ୍ତ୍ୱ ଆଲୋଚନା କରିବାକୁ ମୁଁ ଯାଉନାହିଁ । ଛାଡ଼ନ୍ତୁ । ବର୍ତ୍ତମାନ ମୋର ପ୍ରଶ୍ନ ହେଉଛି, ଆପଣ ଏ ଯେଉଁ କୋଠାଟି କିଣିଛନ୍ତି, ଏହି ସବୁ ଘଟଣା ପରେ ଏ କୋଠାକୁ ଛାଡ଼ି ଦେବେ କି ରଖିବେ କିଛି ସିଦ୍ଧାନ୍ତ କଲେଣି ?

 

ଡକ୍ଟର ଶର୍ମା ହଠାତ୍ ଯେପରି ଏକ ନୂତନ ପଥର ବାର୍ତ୍ତା ଶୁଣିଲେ । ହୁଏତ ଏ ସମ୍ବନ୍ଧରେ ସେ ପୂର୍ବରୁ କୌଣସି ଚିନ୍ତା କରି ନ ଥିଲେ । କହିଲେ, ଛାଡ଼ିଦେବା କ'ଣ ପ୍ରୟୋଜନ ମନେ କରୁଛନ୍ତି ? ଛାଡ଼ିଦେଲେ କିନ୍ତୁ ଏଭଳି ଏକ ପ୍ରସ୍ତର କୋଠା କଟକ ସହରରେ ମିଳିବା ସମ୍ଭବ ହେବ ନାହିଁ । ଫଳରେ ମୋ କାର୍ଯ୍ୟ ବାଧାପ୍ରାପ୍ତ ହେବ ।

 

ମୁଁ ଆପଣକୁ ଘର ଛାଡ଼ି ଦେବା ପାଇଁ ପରାମର୍ଶ ଦେଉନାହିଁ ଡକ୍ଟର ଶର୍ମା ! ତା’ଛଡ଼ା ଆପଣଙ୍କ ମହତ୍‍ ଉଦ୍ଦେଶ୍ୟ ବାଧାପ୍ରାପ୍ତ ହେଲେ, ଦେଶର ଜନସାଧାରଣଙ୍କର ସମୂହ କ୍ଷତି ହେବ । ଆମ ଦେଶରେ ରୋଗ ବର୍ତ୍ତମାନ ଯେପରି ଭାବରେ ବ୍ୟାପକ ହୋଇଉଠିଚି, ତାର ପ୍ରତିରୋଧ କରିବା ପାଇଁ ଆପଣଙ୍କ ପରିକଳ୍ପିତ ସେବାସଦନପରି ହଜାର ହଜାର ବେସରକାରୀ ପ୍ରତିଷ୍ଠାନ ଆବଶ୍ୟକ । ତା’ ନହେଲେ ଦେଶକୁ ଉନ୍ନତ ମାର୍ଗରେ ପରିଚାଳିତ କରିହେବ ନାହିଁ । ମୁଁ ଖାଲି ଜାଣିବାକୁ ଚାହୁଁଥିଲି ଆପଣଙ୍କ ମନ କ’ଣ ଖୁବ୍ ଦୁର୍ବଳ ହୋଇ ପଡ଼ିଛି ?

 

ନା ନା, ତେବେ ଏ ସବୁ ସମ୍ବନ୍ଧରେ ବିଜ୍ଞ ଲୋକମାନଙ୍କର ପରାମର୍ଶ ପ୍ରୟୋଜନ ଭାବି ପୂର୍ବରୁ ମୁଁ ସଜାଗ ହୋଇ ଉଠିଛି । ଯେଉଁ ବିଦ୍ୟାରେ ଯାହାର ଦଖଲ ନାହିଁ, ସେ ସମ୍ବନ୍ଧରେ କୌଣସି ସିଦ୍ଧାନ୍ତ ଗ୍ରହଣ କରିବା ଉଚିତ ନୁହେଁ । ଡାକ୍ତରୀ ଶାସ୍ତ୍ରରେ ମୋର ଯଥେଷ୍ଟ ଅଭିଜ୍ଞତା ଅଛି, ତା’ ବୋଲି ଏହି ମମ୍‍ର କୁଣ୍ଢେଇ ଗୁଡ଼ିକ ଅଳୀକ ଭାବି ହସି ଉଡ଼େଇ ଦେବା ମୋ ପକ୍ଷରେ ଉଚିତ ନୁହେଁ । ତେଣୁ ଆପଣଙ୍କ ସହିତ ପରାମର୍ଶ କରିବା କଥା । ଏ ସମ୍ବନ୍ଧରେ ଆପଣ ଚିନ୍ତା କରନ୍ତୁ । ମୋର ଯଥେଷ୍ଟ ଅନ୍ୟ କଥା ଏବେ ଚିନ୍ତା କରିବାକୁ ଅଛି । ‘ସେବାସଦନର’ ଉଦ୍‍ଘାଟନ ଦିବସ ଆଉ ଦୁଇଦିନ ବାକି ଅଛି । ବହୁ ଆସବାସପତ୍ର ଏ ଯାଏ ଆସି ପହଞ୍ଚି ପାରି ନାହିଁ । ଯେଉଁ ଚାରି ପାଞ୍ଚଜଣ ରୋଗୀ ମୁଁ ବାଛି ବାଛି ବିଭିନ୍ନ ହସ୍‍ପିଟାଲରୁ ଆଣି ମୋ ତତ୍ତ୍ୱାବଧାନରେ ରଖିଛି ସେମାନଙ୍କର ସମସ୍ତ ଦେଖା ଚାହାଁ ମୋତେ କରିବାକୁ ହେଉଛି । ମୋର କୌଣସି ସହକାରୀ ଏ ପର୍ଯ୍ୟନ୍ତ ନିଯୁକ୍ତି ପାଇ ନାହାନ୍ତି । ତେଣୁ ଏଇ ମମ୍‍ର କୁଣ୍ଢେଇ ଅପେକ୍ଷା ରକ୍ତମାଂସର କୁଣ୍ଢେଇମାନଙ୍କ କଥା ମୋତେ ଭାବିବାକୁ ସୁଯୋଗ ଦିଅନ୍ତୁ ମି:ମହାପାତ୍ର !!

 

ଆପଣଙ୍କ ସେବାସଦନରେ ତା’ହେଲେ କ’ଣ ଚିକିତ୍ସା ଆରମ୍ଭ କରି ଦେଲେଣି ଡକ୍ଟର ଶର୍ମା ?

 

ବେଶୀ ନୁହେଁ, ମାତ୍ର ପାଞ୍ଚଜଣ ରୋଗୀ ବର୍ତ୍ତମାନ ମୋର ଚିକିତ୍ସାଧୀନ ଏବଂ ସବୁଗୁଡ଼ିକ ଉନ୍ମାଦ ରୋଗୀ । ମୁଁ ସେମାନଙ୍କୁ ବାଛି ବାଛି କଲିକତା ଓ ରାଞ୍ଚିରୁ ଆଣିଛି ।

 

ମାନେ ?

 

ମୁଁ ଉନ୍ମାଦ ରୋଗ ଉପରେ କିଛିଦିନ ହେବ ଏକ ନୂତନ ଧରଣର ଗବେଷଣା ଆରମ୍ଭ କରିଛି । ସେ କଥା ପରେ କେତେବେଳେ ସମୟ ହେଲେ କହିବି । ଆପଣ ସେବାସଦନ ଆଡ଼େ କେବେ ଯାଇ ସବୁ ବିଭାଗଗୁଡ଼ିକ ବୁଲି ଚାଲି ଦେଖିବେ । ମୋତେ ତା’ ହେଲେ ବର୍ତ୍ତମାନ ଛୁଟି ଦିଅନ୍ତୁ ।

 

ଡକ୍ଟର ଶର୍ମା ଉଠି ଠିଆ ହୋଇଗଲେ ।

 

ସତ୍ୟବ୍ରତ ମହାପାତ୍ର ମଧ୍ୟ ସଙ୍ଗେ ସଙ୍ଗେ ଉଠି ଠିଆ ହୋଇପଡ଼ିଲେ । କହିଲେ, ଆଉ ଗୋଟିଏ ସିଗାରେଟ୍ ନିଅନ୍ତୁ ।

 

ଡକ୍ଟର ଶର୍ମା ‘ଥାଙ୍କ ସ’ କହି ସିଗାରେଟ୍‍ଟି ଗ୍ରହଣ କଲେ ଏବଂ ବାରଣ୍ଡା ପାଖକୁ ଆଗେଇ ଯାଇ ନିଜ ହାତରେ ଧରିଥିବା ବାଡ଼ିଟି ବାହାରକୁ ଦେଖାଇ କହିଲେ, ଆପଣଙ୍କ ଏଠାରୁ ତ ଆମ ସେବାସଦନର ଛାତ ଉପରଟା ସ୍ପଷ୍ଟ ଦିଶୁଚି !! ଛାତ ଉପରେ ଏଇ ଯେଉଁ ଛୋଟ ଘରଟି ଦେଖୁଛନ୍ତି, ଅବଶ୍ୟ ମୁଁ ଆସିଲା ପରେ ସେଇଟିକୁ କରାଇଛି । ସେଇଟି ହେବ ମୋର ବିଶ୍ରାମ ସ୍ଥଳ-। ଖଣ୍ଡିଏ ଆରାମ ଚଉକି ପକାଇ ସେଇଠି ଶୋଇ ଶୋଇ ମୁଁ ବିଶ୍ରାମ କରିବି । ସ୍ଥାନଟି କିପରି ମନେ ହେଉଛି ?

 

ଖୁବ ସୁନ୍ଦର ହେବ ଡକ୍ଟର ଶର୍ମା । କ୍ଳାନ୍ତ ମନକୁ ସଜାଗ କରିବା ପାଇଁ ମୁକ୍ତ ଆକାଶ ଓ ଖୋଲା ପବନ ଯଥେଷ୍ଟ ଖାଦ୍ୟ ଯୋଗାଇଥାଏ । ସେଇଟା ଅବଶ୍ୟ ଆପଣଙ୍କ ଡାକ୍ତରୀ ଶାସ୍ତ୍ରର କଥା । କିନ୍ତୁ ଆପଣଙ୍କ ପରିକଳ୍ପନାଟି ଚମତ୍କାର ହୋଇଛି ।

 

ଡକ୍ଟର ଶର୍ମା ଧୀରେ ସୋପାନ ଶ୍ରେଣୀ ଅତିକ୍ରମ କରି ଓହ୍ଲାଉଥିଲେ । ସତ୍ୟବ୍ରତ ମହାପାତ୍ର ଅତ୍ୟନ୍ତ ଚିନ୍ତିତ ଦେଖାଯାଉଥିଲେ । ଡକ୍ଟର ଶର୍ମା ବିଦାୟ ନେବା ପୂର୍ବମୁହୂର୍ତ୍ତରେ କହିଲେ, ମୁଁ ତା’ହେଲେ ଆପଣଙ୍କ ଉପରେ ଦାୟିତ୍ୱ ଦେଇ ନିଶ୍ଚନ୍ତ ହେଲି ମି:ମହାପାତ୍ର । ଏ କେତୋଟି ଦିନ ମୁଁ ଯେ କିପରି ଉତ୍କଣ୍ଠିତ ହୋଇ କଟାଇଛି, ଆପଣ ଧାରଣା କରିପାରିବେ ନାହିଁ ।

 

ଆପଣଙ୍କର ସେ କୁଣ୍ଢେଇ ତିନୋଟି ? ସତ୍ୟବ୍ରତ ପଚାରିଲେ ।

 

ଆପଣଙ୍କ ଟେବୁଲ ଉପରେ ରଖି ଆସିଛି । ଡକ୍ଟର ଶର୍ମା କହିଲେ ।

 

ଆଉ କିଛି ନୂତନ ଘଟଣା ଘଟିଲେ ସମ୍ବାଦ ଦେବେ । ନିଶ୍ଚୟ । ତା’ଛଡା ଦୂରତ୍ୱ ତ ବେଶି ନୁହେଁ ।

 

ନମସ୍କାର ।

 

ପ୍ରତିନମସ୍କାର ଜଣାଇ ଡକ୍ଟର ଶର୍ମା ରାସ୍ତାର ଆର ପାଖକୁ ଧୀରେ ଧୀରେ ଆଗେଇ ଗଲେ । ସତ୍ୟବ୍ରତ ସାମ୍‍ନା କୋଠାଟା ଆଡ଼େ ଚାହିଁଲେ । ସଂସ୍କାର କାର୍ଯ୍ୟ ଜୋର୍‍ସୋର୍‍ରେ ଚାଲିଛି । ଏ କେତେଦିନ ଭିତରେ କୋଠାଟାର ଯେପରି ରୂପ ବଦଳି ଯାଇ ସାରିଲାଣି ।

 

ଡକ୍ଟର ଶର୍ମା ଆଉ ପଛକୁ ନ ଚାହିଁ ଆଗେଇ ଯାଉଥିଲେ ।

 

ମହା ସମାରୋହ ସହକାରେ ‘ସେବାସଦନ’ ର ଉଦ୍‍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଗଲା । ସ୍ୱାସ୍ଥ୍ୟମନ୍ତ୍ରୀ ଉଦ୍‍ଘାଟନ କଲେ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବକୁ ନିମନ୍ତ୍ରିତ ହୋଇଥିଲେ । ‘ସେବାସଦନ’ ପରି ପ୍ରତିଷ୍ଠାନ ବର୍ତ୍ତମାନ ପରିସ୍ଥିତିରେ ଦେଶ ପାଇଁ ଯେ କେତେ ପ୍ରୟୋଜନ ସେହି କଥା ନିଜ ନିଜ ଭାଷଣରେ ସମସ୍ତେ ବ୍ୟକ୍ତ କଲେ । ଡକ୍ଟର ସୁନୀତି କୁମାର ନନ୍ଦ ଶର୍ମାଙ୍କ ଦୂରଦୃଷ୍ଟି ସମ୍ବନ୍ଧରେ କହିବାକୁ ଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ବର୍ତ୍ତମାନର ଘଡ଼ିସନ୍ଧି ବେଳେ ଜାତୀୟ ସ୍ୱାସ୍ଥ୍ୟରକ୍ଷା ପ୍ରତି ଦୃଷ୍ଟିଦେବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ବୋଲି କହି ଡକ୍ଟର ଶର୍ମାଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିଥିଲେ ।

 

ସତ୍ୟବ୍ରତ ମହାପାତ୍ର ‘ସେବାସଦନ’ ର ଉଦ୍‍ଘାଟନ ଉତ୍ସବକୁ ନିମନ୍ତ୍ରିତ ହୋଇଯାଇଥିଲେ ସତ, କେବଳ ନୀରବ ଦର୍ଶକ ହୋଇ ଶେଷଯାଏ ବସି ରହିବାକୁ ପଡ଼ିଥିଲା । ସେ କିଛି କହିବେ କି ନାହିଁ ସଭାପତି ତାଙ୍କ ମତ ଲୋଡ଼ିଥିବା ବେଳେ ସେ ମନାକରି ଦେଇଥିଲେ । ଆକଣ୍ଠ ଭୋଜନ ଶେଷକରି ସତ୍ୟବ୍ରତ ମହାପାତ୍ର ଫେରିବା ବେଳେ ଡକ୍ଟର ଶର୍ମାଙ୍କ ସହିତ ଦେଖା କରିଥିଲେ ।

 

ଡକ୍ଟର ଶର୍ମା କହିଲେ, ଗୋଟିଏ ସିଗାରେଟ୍ ଦିଅନ୍ତୁ ମି:ମହାପାତ୍ର । ଏହି ସେବାସଦନ ସମ୍ବନ୍ଧରେ ଆପଣଙ୍କଠାରୁ କୌଣସି ମୂଲ୍ୟବାନ ଉପଦେଶ ଶୁଣିବାକୁ ମୁଁ ଅପେକ୍ଷାକରି ବସିଛି ।

 

ସତ୍ୟବ୍ରତ ଡକ୍ଟର ଶର୍ମାଙ୍କ ଆଡ଼କୁ ସିଗାରେଟ୍ କେସ୍‍ଟି ବଢ଼ାଇ ଦେଇ କହିଲେ, ମୋତେ ଆଉ ଲଜ୍ଜା ଦିଅନ୍ତୁ ନାହିଁ ଡକ୍ଟର ଶର୍ମା ! ସେବାସଦନର ପ୍ରତ୍ୟେକ ବିଭାଗ ବୁଲି ଦେଖିବା ପରେ, ଜାତି ସମ୍ବନ୍ଧରେ ମୁଁ ଆଶାନ୍ଵିତ ହୋଇ ଉଠିଛି । ଏ ଜାତି ଯେ ବଞ୍ଚିବ ଆଉ ଏ ଜାତିକୁ ଉଠାଇବା ପାଇଁ ଯେ ପ୍ରତିଭାବାନ ଦରଦୀ ଏଇ ମାଟିରେ ଜନ୍ମିଛନ୍ତି, ମୁଁ କେବଳ ସେଇକଥା ଏତେବେଳ ଯାଏ ଭାବୁଥିଲି ଡକ୍ଟର ଶର୍ମା ! ଆପଣ ଜାତିର ନମସ୍ୟ, ଦେଶର ଆଦର୍ଶ !!

 

ନା ନା ମି: ମହାପାତ୍ର ! ଆପଣଙ୍କ ମୁହଁରେ ଏପରି ପ୍ରଶଂସା ମୁଁ ଆଶା କରି ପାରି ନ ଥିଲି । ମୋର ମନେ ହେଉଚି ଆପଣ ଯଥେଷ୍ଟ ଅତିରଞ୍ଜିତ କରି ପକାଉଛନ୍ତି । ଡକ୍ଟର ଶର୍ମା ସ୍ମିତ ହସିଲେ ।

 

ମୁଁ ଯାହା କହୁଛି ମୋର ଅନ୍ତରର କଥା କହୁଛି ଡକ୍ଟର ଶର୍ମା ! କାରଣ ଆଜି ପର୍ଯ୍ୟନ୍ତ ଯେଉଁ କେତୋଟି ସ୍ୱାସ୍ଥ୍ୟକେନ୍ଦ୍ର ଦେଖିବାର ସୁଯୋଗ ମୁଁ ପାଇଛି, କୌଣସିଟିରେ ଚିକିତ୍ସା ପାଇଁ ଏତେ ଉନ୍ନତମୂଳକ ଶୃଙ୍ଖଳିତ ପରିକଳ୍ପନା ଦେଖିବାକୁ ପାଇନାହିଁ । ବାସ୍ତବିକ ଆପଣଙ୍କ ପରିକଳ୍ପନାକୁ ମୁଁ କେବଳ ଅବାକ୍ ହୋଇ ଦେଖିବା ଛଡ଼ା ଭାଷାରେ ପ୍ରକାଶ କଲାଭଳି କୌଣସି ଶବ୍ଦ ଖୋଜି ପାଉନାହିଁ । ଆମ ସରକାର ତାଙ୍କ ପରିଚାଳିତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ଏହି ପ୍ରଣାଳୀରେ ପରିଚାଳନା କଲେ, ଜାତୀୟ ସ୍ୱାସ୍ଥ୍ୟର ଯେ ପଚାଶ ଗୁଣ ଉନ୍ନତି ହୁଅନ୍ତା, ଏହା ନିଃସନ୍ଦେହରେ କୁହାଯାଇପାରେ ।

 

ଡକ୍ଟର ଶର୍ମା ନୀରବରେ ବସି ସିଗାରେଟ୍ ଟାଣୁଥିଲେ । ହୁଏତ ତାଙ୍କ ମନରେ ଅନ୍ୟ କୌଣସି ଭାବନା କାର୍ଯ୍ୟ କରୁଥିଲା । ହଠାତ୍ ସେ କହି ଉଠିଲେ, ଆଉ ଗୋଟାଏ କଥା ମି:ମହାପାତ୍ର ! ଏହି ସେବାସଦନଟିର ପରିକଳ୍ପନା ମୋର ପ୍ରାୟ ଦଶ ପନ୍ଦର ବର୍ଷ ତଳର । ଆଜି ମୁଁ ତା’ର ରୂପ ଦେଲି ସିନା ! କିନ୍ତୁ ଏହାର ପରିଚାଳନା ପାଇଁ ଲୋକ ଖୋଜି ବାହାର କରିବା ସହଜ ହେବ ନାହିଁ । ଆଜିକାଲି ଜଣେ ବିଶ୍ୱାସୀ ଲୋକ ମିଳିବା କ’ଣ ସହଜ କଥା !!

 

ସେଇଟା ନିରାଟ ସତକଥା । ତେବେ ଆପଣ ଯେଉଁଠି ଏତେ ବାଟ ଆଗେଇ ପାରିଛନ୍ତି, କେଇଜଣ ବିଶ୍ୱାସୀ ଲୋକ ଖୋଜି ବାହାର କରିବା ଆପଣଙ୍କ ପକ୍ଷରେ କଷ୍ଟ ହେବ ନାହିଁ-। କିନ୍ତୁ ଗୋଟାଏ କଥା ଡକ୍ଟର ଶର୍ମା ! ଅବଶ୍ୟ ଏଭଳି ପ୍ରଶ୍ନ ପାଇଁ ମୋତେ କ୍ଷମା କରିବେ । ଏହି ଉଦ୍‍ଘାଟନ ଉତ୍ସବରେ ମୁଁ ଗୋଟାଏ କଥା ଲକ୍ଷ୍ୟ କଲି, ଆପଣ ଏହି ‘ସେବାସଦନ’ ପାଇଁ କୌଣସି ସରକାରୀ ସାହାଯ୍ୟ ଲୋଡ଼ିଲେ ନାହିଁତ ? ଏତେବଡ଼ ଗୋଟାଏ ପ୍ରତିଷ୍ଠାନକୁ ଆପଣ କ’ଣ ନିଜ ଟଙ୍କାରେ ଦୀର୍ଘଦିନ ଚଳାଇ ପାରିବେ ?

 

ଡକ୍ଟର ଶର୍ମା କେବଳ ସ୍ମିତ ହସି କିଛି ସମୟ ନୀରବରେ ବସି ରହି କହିଲେ, ଦେଖନ୍ତୁ ମି: ମହାପାତ୍ର ! ମୋ ସାରାଜୀବନର ଯାହା ସଞ୍ଚିତ ଅର୍ଥ ଥିଲା, ସତ କହିବାକୁ ଗଲେ ସେବାସଦନର ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ତାହା ଶେଷ ହୋଇ ଆସିଲାଣି । ଆଉ ଯାହା ଅଛି ସମୁଦ୍ରକୁ ଶଙ୍ଖେ ପାଣି ପରି । କିନ୍ତୁ ଗୋଟାଏ କଥା ଉପରେ ମୋର ଆତ୍ମବିଶ୍ୱାସ ଅଛି, କୌଣସି ସତ୍‍ କିମ୍ବା ମହତ୍‍ କାର୍ଯ୍ୟ କରିବାକୁ ଗଲେ ଭଗବାନଙ୍କର ଆଶିଷ ପଛେ ପଛେ ଥାଏ । ଦେଖିବେ, ଆପଣା ଛାଏଁ ସେବାସଦନ ଚଳିବ । ଆଜି ଏହି ପର୍ଯ୍ୟନ୍ତ ଥାଉ ମି: ମହାପାତ୍ର ! ମୁଁ ଟିକିଏ ବିଶ୍ରାମ କରିବାକୁ ଯାଉଛି । ଆଉ ଗୋଟିଏ ସିଗାରେଟ୍ ଦେଇ ଯାଆନ୍ତୁ ।

 

ସତ୍ୟବ୍ରତ ମହାପାତ୍ର ସିଗାରେଟ୍ ଦେଲେ ଏବଂ ପଚାରିଲେ, ତା’ ହେଲେ ଏ ଦୁଇ ତିନି ଦିନ ହେବ ଆଉ କୌଣସି ଭୌତିକ ଉତ୍ପାତ ଘଟିନାହିଁ ?

 

ନା, ଆପାତତଃ ମୁଁ ସେକଥା ଏକ ପ୍ରକାର ଭୁଲିଯାଇଛି ।

 

ଭଲ ହୋଇଛି, ତା’ ନ ହେଇଥିଲେ ଆପଣ ନିଶ୍ଚିନ୍ତ ମନରେ କାର୍ଯ୍ୟ କରି ପାରି ନ ଥାନ୍ତେ । ମୁଁ ଆଜି ତେବେ ଆସୁଛି । ବୋଧହୁଏ ଆଜିର ଏହି ଉଦ୍‍ଘାଟନ ଉତ୍ସବରେ ମୁଇଁ ହେଉଛି ଶେଷ ଅତିଥି । ଆଚ୍ଛା ! ଗୁଡ଼୍‍ନାଇଟ୍ ଡକ୍ଟର ଶର୍ମା ।

 

ଗୁଡ଼୍‍ନାଇଟ୍ । ଡକ୍ଟର ଶର୍ମାଙ୍କ ଦେହ ଓ ପ୍ରାଣରେ କ୍ଳାନ୍ତି ଭରି ଯାଇଥିଲା । ସେ ସତ୍ୟବ୍ରତ ମହାପାତ୍ରଙ୍କୁ ବିଦାୟ ଦେଇ ସେଇଠି ସେଇ ଚେଆର ଉପରେ ସେହିପରି ଶୋଇ ପଡ଼ିଲେ ।

 

ସତ୍ୟବ୍ରତ ମହାପାତ୍ର ଦେଖିଲେ, ପ୍ରକୃତରେ ତାଙ୍କ ଛଡ଼ା ଆଉ କୌଣସି ନିମନ୍ତ୍ରିତ ଭଦ୍ରବ୍ୟକ୍ତି ସେବାସଦନରେ ନାହାନ୍ତି । ରାତି ଆସି ଦଶଟା ବାଜିବାକୁ ଯାଉଛି । ସେ ଧୀର ପଦ ଚାଲି ବାହାରକୁ ବାହାରି ଆସୁଥିଲେ ।

 

ରାସ୍ତା ପାର ହୋଇ ଆର ପାଖକୁ ଯିବେ, ଠିକ୍ ସେତିକିବେଳେ ଖଣ୍ଡିଏ ଦ୍ରୁତଗାମୀ ମଟରର ହେଡ଼ଲାଇଟ୍ ଦେଖି, ଗାଡ଼ିଟା ପାଶକରି ଯିବାଯାଏ ଅପେକ୍ଷା କଲେ । ଆଖି ପିଞ୍ଛଡ଼ାକେ ଦେଖିଲେ, ସେହି ଦ୍ରୁତଗାମୀ ଗାଡ଼ିଟା ପଛରେ ଦୁଇଟା ପୋଲିସ୍‍ ଭ୍ୟାନ୍ ଛୁଟି ଚାଲିଛି । ମୁହୂର୍ତ୍ତକ ମଧ୍ୟରେ ଆଖି ଆଗରୁ ସବୁ ଅଦୃଶ୍ୟ ହୋଇଗଲା । କିଛି ସେ ଭାବି ପାରିଲେ ନାହିଁ । ପୋଲିସ୍‍ ଭ୍ୟାନ୍‍ର କୌଣସି ଆରୋହୀଙ୍କୁ ଚିହ୍ନିବାର ମଧ୍ୟ ଅବକାଶ ମିଳିଲା ନାହିଁ । ଗାଡ଼ିଗୁଡ଼ାକ କଟକ ଷ୍ଟେସନ ଆଡ଼େ ଛୁଟି ଚାଲିଯାଇଥିଲା । ସତ୍ୟବ୍ରତ ମହାପାତ୍ର କିଛି ସମୟ ସେଇଆଡ଼େ ଅନେଇ ରହି, ରାସ୍ତାର ଅପର ପାର୍ଶ୍ଵକୁ ଚାଲିଗଲେ । ମନରେ ଏକ ଅହେତୁକ କୌତୁହଳ ଜାତ ହେଉଥିଲେ ମଧ୍ୟ ସେ ତାହା ଦମନ କରିବାକୁ ଚେଷ୍ଟା କରି ଶିଡ଼ିର ସୋପାନ ଶ୍ରେଣୀ ଅତିକ୍ରମ କରି ଦ୍ଵିତଳ ଉପରକୁ ଉଠିଗଲେ ।

 

ଅଭିମନ୍ୟୁ ନିଦ ମଳ ମଳ ଆଖିରେ କବାଟ ଖୋଲିଦେଲା ।

 

ସତ୍ୟବ୍ରତ ଲୁଗାପଟା ବଦଳେଇ ଶୋଇ ପଡ଼ିବାର ସିଦ୍ଧାନ୍ତ ଗ୍ରହଣ କଲେ । ଅବଶ୍ୟ ସେହି ଦ୍ରୁତଗାମୀ ଗାଡ଼ି କଥା ତାଙ୍କ ମନରେ ଏକ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ହୁଏତ ଥାନାକୁ ଫୋନ କଲେ ସେ ସମ୍ବନ୍ଧରେ କୌଣସି ସମ୍ବାଦ ମିଳି ପାରନ୍ତା, କିନ୍ତୁ କିଏ ଜାଣେ, ଫୋନ କରିବା ପରେ ହୁଏତ କୌଣସି ଘଟଣା ସହିତ ଜଡ଼ିତ ହୋଇ ଯିବାକୁ ପଡ଼ିବ । ତା’ଠାରୁ ବରଂ..

 

ହଠାତ୍ ଟେଲିଫୋନଟା ବାଜି ଉଠିଲା ।

 

ଧେତ୍ ! ସତ୍ୟବ୍ରତ ମହାପାତ୍ରଙ୍କ ମୁହଁରେ କେଜାଣି କାହିଁକି ବିରକ୍ତିର ଭାବ ଫୁଟି ଉଠିଲା-। ସେ ଛୁଟିଯାଇ ରିସିଭରଟା କାନରେ ଦେଲେ । ହ୍ୟାଲୋ ?....

 

ହ୍ୟାଲୋ ! ହ୍ୟାଲୋ !!

 

ଅପର ପ୍ରାନ୍ତରୁ କୌଣସି ଉତ୍ତର ମିଳିଲା ନାହିଁ ।

 

ହ୍ୟାଲୋ ! ହ୍ୟାଲୋ !! ହ୍ୟାଲୋ !!! ସତ୍ୟବ୍ରତ ମହାପାତ୍ର ବିରକ୍ତି ମିଶା ସ୍ଵରରେ ସତେ ଯେପରି ଚିତ୍କାର କରି ଉଠିଲେ ।

 

ତଥାପି କୌଣସି ଉତ୍ତର ମିଳିଲା ନାହିଁ । ସେ ରିସିଭରଟା କାନରୁ ବାହାର କରି ରଖି ଦେବାକୁ ଯାଉଛନ୍ତି, ଶୁଣି ପାରିଲେ କିଏ ଯେପରି ଖୁବ୍‍ କ୍ଷୀଣ କଣ୍ଠରେ କହି ଉଠିଲା, ଖୁଣ୍‍ ଖୁଣ୍‍...

 

ହ୍ୟାଲୋ ? ସତ୍ୟବ୍ରତ ମହାପାତ୍ର ପୁଣି ଚିତ୍କାର କରି ଉଠିଲେ । କିନ୍ତୁ ତାଙ୍କର ମନେ ହେଲା ଅପର ପ୍ରାନ୍ତରୁ ରିସିଭରଟା କିଏ ଯେପରି ଧଡ଼ାସ୍‍ କରି ଟେଲିଫୋନ ଯନ୍ତ୍ର ଉପରେ କଚାଡ଼ି ଦେଲା । ସତ୍ୟବ୍ରତ ସ୍ତବ୍‍ଧ ହୋଇ ଠିଆ ହୋଇଥିଲେ । ଅଭିମନ୍ୟୁ ନିଦରୁ ଉଠିପଡ଼ି ଛୁଟି ଆସିଲା ।

 

କ’ଣ ହେଲା ?

 

ସତ୍ୟବ୍ରତ ଅଭିମନ୍ୟୁ ଉପରେ କ୍ଷିପ୍ର ଚାହାଣୀ ବୁଲାଇ ନେଇ, ରିସିଭରଟା ମୁହୂର୍ତ୍ତକ ପାଇଁ ରଖିଦେଇ ପୁଣି ସଙ୍ଗେ ସଙ୍ଗେ ଉଠାଇଲେ । ଟେଲିଫୋନ୍ ଏକ୍‍ସଚେଞ୍ଜ ସହିତ ସଂଯୋଗ କରି ମୁହୂର୍ତ୍ତକ ପୂର୍ବରୁ ହୋଇଥିବା ଫୋନଟିର ନମ୍ବର ଏବଂ ଫୋନର ମାଲିକର ନାଁ ଜାଣିବାକୁ ଚାହିଁଲେ ।

 

ଜବାବ ମିଳିଲା, ପ୍ରଭାତ ସିନେମାରୁ କେହି ଫୋନ କରିଥିଲା ।

 

ପ୍ରଭାତ ସିନେମାରୁ ?

 

ଆଜ୍ଞା !

 

ଆଚ୍ଛା, ପ୍ରଭାତ ସିନେମା ନମ୍ବର ସହିତ ଟିକେ ସଂଯୋଗ କରିଦିଅନ୍ତୁ ତ !

 

ପ୍ରାୟ ଦୁଇ ତିନି ମିନିଟ ରିଙ୍ଗ ହେବାପରେ ଅପର ପ୍ରାନ୍ତରୁ କିପରି ଚଢ଼ା ଗଳାରେ ଉତ୍ତର ଆସିଲା, କାଲିର କୌଣସି ସୋ’ର ଟିକେଟ ନାହିଁ ।

 

ହ୍ୟାଲୋ, ଶୁଣନ୍ତୁ, ମୁଁ ମ୍ୟାନେଜରଙ୍କ ସହିତ କଥା କହିବାକୁ ଚାହେଁ ।

 

ସେ ଚାଲି ଗଲେଣି । ଅପର ପ୍ରାନ୍ତରୁ ଶୁଣାଗଲା ।

 

ଶୁଣନ୍ତୁ, ସତ୍ୟବ୍ରତ ଶାନ୍ତ ସ୍ଵରରେ କହିଲେ । ଏଇ କ୍ଷଣିକ ଆଗରୁ ମୋ ପାଖକୁ ଆପଣଙ୍କୁ ଫୋନରୁ କେହି ଫୋନ କରିଥିଲା । କାହିଁକି କହି ପାରିବେ ?

 

ନା, ଏଠୁ କେହି ଫୋନ କରି ନାହାନ୍ତି । ରଂ ନମ୍ବର । ସତ୍ୟବ୍ରତ ମହାପାତ୍ର ଶୁଣିଲେ ଅପର ପ୍ରାନ୍ତରୁ ରିସିଭରଟା ରଖି ଦେବାର ଶବ୍ଦ ହେଲା ।

 

ତା’ ହେଲେ ? ଫୋନ କିଏ କରିଥିଲା ? ଏକ୍‍ସଚେଞ୍ଜ ତେବେ ତାଙ୍କୁ କ’ଣ ରଂ ନମ୍ବର ଦେଲା ! କିନ୍ତୁ ଏକ ବିଚଳିତ କଣ୍ଠର ସ୍ପଷ୍ଟ ସ୍ଵର ସେ ଶୁଣିଛନ୍ତି, କିଏ ଯେପରି ଖୁଣ୍‍ ଖୁଣ୍‍ ଦୁଇଥର ରହିଛି । ଘଟଣାଟା ଖୁବ ରହସ୍ୟାବୃତ୍ତ ମନେ ହେଉଛି ତ !! ଧୀରେ ଧୀରେ ରିସିଭର । ଯଥା ସ୍ଥାନରେ ଥୋଇ ଦେଇ ଅଭିମନ୍ୟୁକୁ କହିଲେ ମୁଁ ସ୍ପଷ୍ଟ ଶୁଣି ପାରିଛି ସ୍ଵରଟା । କିନ୍ତୁ ମନେ ହେଲା ଖୁବ ଦୂରରୁ ଯେପରି କିଏ କହିଛି । ଅଥଚ...

 

କ’ଣ ଆପଣ ଶୁଣିଲେ ? ଅଭିମନ୍ୟୁ ପଚାରିଲା ।

 

ଟେଲିଫୋନର ଅପର ପ୍ରାନ୍ତରୁ କିଏ ଯେପରି ‘ଖୁଣ୍‍ ଖୁଣ୍‍’ କହି ଉଠିଲା । ଶବ୍ଦଟା ଟେଲିଫୋନଠାରୁ ଅନେକ ଦୂରରୁ ଭାସି ଆସିଲା ପରି ମନେ ହେଲା । ଅଥଚ ଯେଉଁ ନମ୍ବରରୁ ଫୋନ ଆସିଥିବା କଥା ଏକସ୍‍ଚେଞ୍ଜ କହୁଚି, ସେ ନମ୍ବରଟା ପ୍ରଭାତ ସିନେମାର । ସେମାନେ କୁହନ୍ତି ଏଠାରୁ କେହି ଫୋନ କରିନାହିଁ ।

 

ପୁଣି ଟେଲିଫୋନଟା ବାଜି ଉଠିଲା !

 

ସତ୍ୟବ୍ରତ ମହାପାତ୍ର କ୍ଷିପ୍ର ହସ୍ତରେ ରିସିଭରଟା ଉଠାଇ କାମରେ ଦେଲେ । ହ୍ୟାଲୋ-? କେଉଁଠୁ ? ଟେଲିଫୋନ୍ ଏକସ୍‍ଚେଞ୍ଜ ! ଛି ଛି, ଆପଣମାନେ ଏପରି ଭୁଲ୍‍ କଲେ ଚଳିବ ! କିଏ-? ଡକ୍ଟର ପ୍ରାଣନାଥ ଛୋଟରାୟ !! ଆଚ୍ଛା, ଆଚ୍ଛା । ଧଡ଼ାସ୍‍ କରି ରିସିଭରଟା କଚାଡ଼ି ଦେଇ ସତ୍ୟବ୍ରତ ମହାପାତ୍ର କହିଲେ, ଡକ୍ଟର ପ୍ରାଣନାଥ ଛୋଟରାୟଙ୍କ ଘରୁ ଟେଲିଫୋନ ହୋଇଥିଲା-। ଏକ୍‍ସଚେଞ୍ଜ ଭୁଲରେ କହିଥିଲେ ପ୍ରଭାତ ସିନେମା କଥା । ତୁମେ ମୋ ସଙ୍ଗରେ ଟିକେ ଯାଇ ପାରିବ ଅଭି ! ଏଇ ମୁହୂର୍ତ୍ତରେ । ନିଶ୍ଚୟ କୌଣସି ଦୁର୍ଘଟଣା ଘଟିଛି ତାଙ୍କ ଘରେ ।

 

ସତ୍ୟବ୍ରତ କେବଳ ପ୍ୟାଣ୍ଟଟି ଖୋଲିଥିଲା । ପୁଣି ସେଇଟିକୁ ଆଉଥରେ ପିନ୍ଧି ଦ୍ରୁତ ପ୍ରସ୍ତୁତ ହୋଇ ପଡ଼ିଲେ । ଅଭିମନ୍ୟୁ ଯାଇ ମଟର ବାଇକ୍‍ଟି ବାହାର କରି ଆଣିଲା । ସତ୍ୟବ୍ରତ ବାଇକ୍‍ରେ ଷ୍ଟାର୍ଟ ଦେଇ ସିଟ୍‍ ଉପରେ ବସୁ ବସୁ କହିଲେ, ଘଟଣାଟି ବୋଧହୁଏ ଏହିପରି ଘଟିଛି । କୌଣସି ଆତତାୟୀ ହାତରେ ପ୍ରାଣନାଥ ଛୋଟରାୟ ଆକ୍ରାନ୍ତ ହୋଇ ସଙ୍ଗେ ସଙ୍ଗେ ଟେଲିଫୋନ ଉଠାଇଛନ୍ତି ଏବଂ ଏକସ୍‍ଚେଞ୍ଜରେ ନମ୍ବରଟି କହିଛନ୍ତି । ବାସ ସେତିକି । ତା’ ପରେ ଆତତାୟୀ ତାଙ୍କୁ କାବୁ କରି ନେଇଛି, ତାଙ୍କର ଆଉ ଆମ ସହିତ କଥା କହିବାର ସୁଯୋଗ ମିଳିନାହିଁ । ଏହି ସମୟରେ ହୁଏତ ଘରର କୌଣସି ଲୋକ ଉଠି ପଡ଼ିଛନ୍ତି ଏବଂ ଏହିଭଳି ଏକ ଦୁର୍ଘଟଣା ଦେଖି ‘‘ଖୁଣ୍ ଖୁଣ୍’’ ଚିତ୍କାର କରି ଉଠିଛନ୍ତି, ଯାହାର ପ୍ରତିଧ୍ଵନି ଧ୍ଵନିତ ହୋଇଚି ଟେଲିଫୋନ ରିସିଭରରେ । ସଙ୍ଗେ ସଙ୍ଗେ ଆତତାୟୀ ସଜାଗ ହୋଇ ରିସିଭରଟା ଟେଲିଫୋନ ଉପରେ ଥୋଇ ଦେଇଛି ।

 

ହଁ, ସେହିପରି କିଛି ଘଟିଚି । ଅଭିମନ୍ୟୁ ସମର୍ଥନ ଜଣାଇଲା । କିନ୍ତୁ ଡକ୍ଟର ପ୍ରାଣନାଥ ଛୋଟରାୟଙ୍କ ବିରୁଦ୍ଧରେ ଗତ ପନ୍ଦର ଦିନ ହେବ ଖବରକାଗଜ ମାଧ୍ୟମରେ ନାନା ପ୍ରକାର ଅଭିଯୋଗମାନ ପ୍ରକାଶ ପାଉଥିଲା । ସେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଜଣେ ବିଶେଷ ପରାମର୍ଶଦାତା । ତାଙ୍କ ହାତରେ ରାଜ୍ୟର ଛୋଟ ବଡ଼ ବହୁ ସ୍ୱାସ୍ଥ୍ୟକେନ୍ଦ୍ରର ଭାଗ୍ୟ ଡୋରି ବନ୍ଧା ଥିଲା । ତାଙ୍କ ବିରୁଦ୍ଧରେ ଦୀର୍ଘ ଦିନ ହେବ ବହୁ ଦୁର୍ନୀତି ଅଭିଯୋଗ ହେଉଥିଲେ ମଧ୍ୟ, ସରକାର କୌଣସି କାର୍ଯ୍ୟାନୁଷ୍ଠାନ କରୁ ନ ଥିଲେ । ବହୁ ଘଣ୍ଟା ଚକଟା ପରେ ଏକ ତିନିଜଣିଆ ଅନୁସନ୍ଧାନ କମିଟି ଗଠନକରାଯାଇଥିଲା । ସେମାନେ ଅନୁସନ୍ଧାନ କରି ରିପୋର୍ଟ ଦେଲେ ଯେ ଡକ୍ଟର ଛୋଟରାୟଙ୍କ ବିରୁଦ୍ଧରେ ସବୁ ଅଭିଯୋଗ ମିଥ୍ୟ । ଏହି ରିପୋର୍ଟ ପ୍ରକାଶ ପାଇବା ପରଠାରୁ କାଗଜପତ୍ରରେ ବହୁ ବାଦାନୁବାଦ ଚାଲିଥିଲା ।

 

ଆଚ୍ଛା ! ସତ୍ୟବ୍ରତ ମହାପାତ୍ର ଯେପରି ଏକ ଗୁଢ଼ ସତ୍ୟର ସନ୍ଧାନ ପାଇଲେ । ତା’ହେଲେ ଡକ୍ଟର ଛୋଟରାୟଙ୍କର ସାମାଜିକ ଖ୍ୟାତିର କଳିଙ୍କି ଧରି ଆସିଥିଲା । ତଥାପି ଘଟଣାଟା ସମ୍ବନ୍ଧରେ ବିଶେଷ ରୂପେ ଆମର ଅନୁସନ୍ଧାନ କରିବାର କଥା ।

 

ଏକ ସମୟରେ ସତ୍ୟବ୍ରତଙ୍କ ମଟର ବାଇକଟା ଯାଇ ଡଗରପଡ଼ାର ଏକ ବିରାଟ ପ୍ରାସାଦ ସମ୍ମୁଖରେ ଠିଆ ହୋଇଗଲା । ସେତେବେଳକୁ ସେଠାରେ ଲୋକ ଗହଳି ଆରମ୍ଭ ହୋଇଯାଇଥିଲା । ଥାନାରୁ ପୋଲିସ୍‍ ଫୋର୍ସ ମାଡ଼ି ଆସିଥିଲେ । ସତ୍ୟବ୍ରତ ମହାପାତ୍ରଙ୍କୁ ଭିଡ଼ ଠେଲି ଭିତରକୁ ପ୍ରବେଶ କରିବାକୁ ବେଶ୍‍ କିଛି ସମୟ ଲାଗି ଯାଇଥିଲା ।

 

ପୋଲିସ୍‍ ଇନସ୍‍ପେକ୍ଟର ସତ୍ୟବ୍ରତଙ୍କୁ ଦେଖିଲା କ୍ଷଣି ଅଭିବାଦନ ଜଣାଇ କହିଲେ, ଏତେ ଶୀଘ୍ର ଏ ପ୍ରାନ୍ତର ସଂବାଦ ଅପର ପ୍ରାନ୍ତରେ ଯାଇ ପ୍ରତିଧ୍ଵନିତ ହୋଇ ସାରିଲାଣି ?

 

ସତ୍ୟବ୍ରତ କହିଲେ, ମଢ଼ ଯେଉଁଠି ପଡ଼ିଲେ ବି ଶାଗୁଣାକୁ ବାସନା ହୁଏ । ଘଟଣା କ’ଣ କହିଲେ ।

 

ଡକ୍ଟର ଛୋଟରାୟଙ୍କୁ କୌଣସି ଆତତାୟୀ ହରଣଚାଳ କରି ନେଇଛି ।

 

ଖୁଣ୍ ନୁହେଁ ତ ! ଯା’ହେଉ ରକ୍ଷା । ସତ୍ୟବ୍ରତ ଯେପରି ଏକ ଶ୍ଵସ୍ତିର ନିଶ୍ୱାସ ପକାଇ ଘଟଣାସ୍ଥଳକୁ ଆଗେଇ ଗଲେ ।

 

ଏଇ ଘରେ ଡକ୍ଟର ଛୋଟରାୟ ଶୋଇଥିଲେ । ପୋଲିସ୍‍ ଇନିସପେକ୍ଟର କହିଲେ ।

 

ଆପଣ କ’ଣ ଭାବୁଛନ୍ତି ଡକ୍ଟର ଛୋଟରାୟଙ୍କୁ ଏହି ଘରୁ ଅପହରଣ କରାହୋଇଛି ? ସତ୍ୟବ୍ରତ ପଚାରିଲେ ।

 

ନିଶ୍ଚୟ, ତା’ ଛଡ଼ା ଆଉ କ’ଣ ହୋଇପାରେ !

 

ନା, ଆପଣ ମୋ ସହିତ ଆସନ୍ତୁ । ସତ୍ୟବ୍ରତ ପୋଲିସ୍‍ ଇନିସ୍‍ପେକ୍ଟରଙ୍କ ସହିତ ଡକ୍ଟର ଛୋଟରାୟଙ୍କ ବୈଠକଖାନା ଆଡ଼କୁ ଆଗେଇ ଗଲେ ।

 

ବୈଠକଖାନାର ଟେବୁଲକୁ ଘେରି ଚାରି ପାଞ୍ଚଟି ଚେଆର ଘେରା ହୋଇ ରହିଛି । କିନ୍ତୁ ମୁଖ୍ୟ ଚେଆରଟି, ଯେଉଁଥିରେ ଡକ୍ଟର ଛୋଟରାୟ ବସନ୍ତି, ସେହି ଚେଆରଟିର ମୁଖ ଟେବୁଲର ବିପରୀତ ଦିଗକୁ ହୋଇ ରହିଛି । ଟେବୁଲ ଉପରେ ଦୁଇଟି ଆସଟେ ରଖା ହୋଇଛି, ସେଗୁଡ଼ିକ ଖଣ୍ଡିଆ ସିଗାରେଟ୍ ରେ ଭର୍ତ୍ତି ହୋଇଛି । ଟେବୁଲ ଉପରର ପଦାର୍ଥଗୁଡ଼ିକ ଏଣେତେଣେ ବିକ୍ଷିପ୍ତ ହୋଇ ପଡ଼ିରହିଛି । ସେଠାକାର ଅବସ୍ଥା ଦେଖିଲେ ମନେ ହେଉଛି, କିଛି ସମୟ ପୂର୍ବରୁ ସେଠାରେ ଯେପରି ଚାରି ପାଞ୍ଚ ଜଣ ଲୋକ ବସି କୌଣସି ବିଷୟରେ ଆଲୋଚନା କରୁଥିଲେ ଏବଂ ଆଲୋଚନାଟା ଶେଷ ପର୍ଯ୍ୟନ୍ତ ସରଗରମ ହୋଇ ଉଠିଥିଲା । ସତ୍ୟବ୍ରତ ଗୋଟି ଗୋଟି କରି ବୈଠକଖାନାର ପ୍ରତିଟି ଆସବାସ ଲକ୍ଷ୍ୟ କରୁଥିଲେ । ଟେଲିଫୋନଟା ଟେବୁଲ ଉପରେ ରଖା ହୋଇଥିଲା । ଚଟାଣ ଉପରେ ବିଛା ହୋଇଥିବା ଭାରି ଓ ମୋଟା କାର୍ପେଟଟା ଲୋଚାକୋଚା ହୋଇ ଯାଇଥିଲା । କାର୍ପେଟ ଉପରେ ମଧ୍ୟ କେତୋଟି ସିଗାରେଟ୍‍ର ଶେଷ ଖଣ୍ଡମାନ ଗୋଡ଼ରେ ଦଳାହୋଇ ପଡ଼ିଥିଲା । ସତ୍ୟବ୍ରତ କାର୍ପେଟ ଉପରୁ ଗୋଟିଏ ବୋତାମ ଉଠେଇ ଆଣି କିହଲେ, ହୁଁ ଆପଣଙ୍କ ତଦନ୍ତ କାର୍ଯ୍ୟ ଶେଷ ହୋଇଛି ?

 

ପୋଲିସ୍‍ ଇନିସ୍‍ପେକ୍ଟର ବୈଠକଖାନାର ଅବସ୍ଥା ପ୍ରତି ମଧ୍ୟ ସଚେତନ ହୋଇ ଉଠିଥିଲେ । କହିଲେ, ନା, ମୁଁ ଆପଣଙ୍କ ଆଗରୁ ମାତ୍ର ପାଞ୍ଚ ଦଶ ମିନିଟ ହେବ ଆସିଛି । ଡକ୍ଟର ଛୋଟରାୟଙ୍କର ପିଲାପିଲି ଏଠାରେ କେହି ନାହାନ୍ତି । ଜଣେ ମାତ୍ର ଭୃତ୍ୟ ସହ ଡକ୍ଟର ଛୋଟରାୟ ଦୀର୍ଘ ଦିନ ହେବ ବାସ କରୁଛନ୍ତି । ସେହି ଭୃତ୍ୟଟି ମୋତେ ଛୋଟରାୟଙ୍କର ଶୟନ କକ୍ଷ ଦେଖାଇଦେଲା ଏବଂ କହିଲା, ଡକ୍ଟର ଛୋଟରାୟ ନଅଟା ଭିତରେ ତାଙ୍କର ଖାଇବା କାର୍ଯ୍ୟ ଶେଷ କରନ୍ତି । ତା’ପରେ ଚାକରଟି ଛୁଟି ପାଏ । ସେ ମଧ୍ୟ ଅଧଘଣ୍ଟା ଭିତରେ ଖାଇପିଇ ଶୋଇପଡ଼େ । ତେଣୁ ଆଜିର ଏହି ଘଟଣା ସମ୍ବନ୍ଧରେ ତାକୁ କିଛି ଜଣା ନାହିଁ । ପାଟିଗୋଳ ଶୁଣି ଦେଖିଲା ଯେ, ବହୁଲୋକ ତାଙ୍କ ଘର ଭିତରେ ଜମା ହୋଇଛନ୍ତି ।

 

ଛାଡ଼ନ୍ତୁ ! ବର୍ତ୍ତମାନ ଏହି ବୈଠକଖାନାଟିର ଅବସ୍ଥା ଦେଖି ଆପଣଙ୍କର କ’ଣ ମନେ ହେଉଛି । ସତ୍ୟବ୍ରତ ପଚାରିଲେ ।

 

ବର୍ତ୍ତମାନ ମୋର ଧାରଣା ବଦଳିଛି ମି: ମହାପାତ୍ର ! ମନେ ହେଉଛି ଡକ୍ଟର ଛୋଟରାୟ ଏହିଠାରୁ ଅନ୍ତର୍ହିତ ହୋଇଛନ୍ତି ।

 

ଆଉ କ’ଣ ମନେ ହେଉଚି ?

 

ହୁଏତ ଏହି ଦୁର୍ଘଟଣା ଘଟିବା ପୂର୍ବରୁ କୌଣସି ଏକ ସମସ୍ୟା ଉପରେ ଡକ୍ଟର ଛୋଟରାୟଙ୍କ ସହ ଅନ୍ୟମାନେ ଆଲୋଚନା କରୁଥିଲେ । ଆଲୋଚନା ତର୍କରେ ପରିଣତ ହୋଇଥିଲା ଏବଂ ଶେଷରେ ଡକ୍ଟର ଛୋଟରାୟ ବିରୋଧୀଦଳର ଶିକାର ହୋଇଛନ୍ତି ।

 

ଆପଣ କ’ଣ ଭାବୁଛନ୍ତି ଗୋଟାଏ ବିରୋଧୀ ଦଳ ବିପକ୍ଷରେ ଡକ୍ଟର ଛୋଟରାୟ ଏକା ଯୁଦ୍ଧ କରୁଥିଲେ ? ସତ୍ୟବ୍ରତ ପଚାରିଲେ ।

 

ହୁଏତ ତା’ ହୋଇ ନ ପାରେ, ମାତ୍ର ବିରୋଧୀ ଦଳର ସଂଖ୍ୟା ବେଶୀ ଥିଲା ପରି ମନେ ହେଉଚି ।

 

ସତ୍ୟବ୍ରତ ପୁଣି ନୀରବରେ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କରିଦେଲେ । ଟେବୁଲ ଉପରର ପ୍ରତିଟି ପଦାର୍ଥ ସେ ପରୀକ୍ଷା କରିବାକୁ ଲାଗିଲେ । ‘ବୁକସେଲ୍‍ଫ’ ଓ ଟେବୁଲ ଡ୍ରାୟାର ଟାଣି ଟାଣି ଫାଇଲ ପତ୍ର ବାହାର କରିବାରେ ଲାଗିଲେ । ପୋଲିସ୍‍ ଇନସପେକ୍ଟର କେବଳ ସତ୍ୟବ୍ରତ ମହାପାତ୍ରଙ୍କ କାର୍ଯ୍ୟଧାରାକୁ ଏକ ଦୃଷ୍ଟିରେ ଅନାଇଁ ରହିଲେ ।

 

ଅଭିମନ୍ୟୁ ଘର ଭିତରକୁ ପଶି ଆସୁ ଆସୁ କହିଲା, ଏ ସବୁ ଦସ୍ୟୁ ଲାଲସିଂହର କାରସାଦି ।

 

ସତ୍ୟବ୍ରତଙ୍କ ହାତ ଅଚଳ ହୋଇଗଲା । ସେ ସ୍ଥିର ଦୃଷ୍ଟିରେ ଅଭିମନ୍ୟୁ ଆଡ଼େ ଚାହିଁ ରହି ପଚାରିଲେ, ମାନେ ?

 

ହେଇ ଦେଖନ୍ତୁ । ଅଭିମନ୍ୟୁ ଖଣ୍ଡିଏ କାଗଜ ସତ୍ୟବ୍ରତଙ୍କ ହାତକୁ ବଢ଼ାଇ ଦେଇ କହିଲା, ଏ ଖଣ୍ଡିକ ଡକ୍ଟର ଛୋଟରାୟଙ୍କ ଶୋଇବା ଘରୁ ମୁଁ ଉଦ୍ଧାର କରିଛି । ଏଇ ଚିଠିଟି ତାଙ୍କ ତକିଆ ତଳେ ଥିଲା ।

 

ସତ୍ୟବ୍ରତ କ୍ଷିପ୍ର ହସ୍ତରେ ଚିଠିଟି ଟାଣିନେଇ ପଢ଼ିଲେ ।

 

ମାନ୍ୟବର ଡକ୍ଟର ଛୋଟରାୟ !

 

ଆପଣଙ୍କର ଅନୁସନ୍ଧାନ କମିଟିର ରିପୋର୍ଟ ପ୍ରକାଶ ପାଇଛି । ସେଥିରେ ଆପଣ ନିର୍ଦ୍ଦୋଷରେ ଖଲାସ ପାଇଛନ୍ତି । କିନ୍ତୁ ସେହି ଦୁର୍ନୀତି ଅଭିଯୋଗରେ କମିଟି ଯେଉଁମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି, ପ୍ରକୃତରେ ସେମାନେ ନିରୀହ । ଆପଣ ଜାଣନ୍ତି ସେମାନେ ଅଳ୍ପବେତନ ଭୋଗୀ ନିରୀହ କର୍ମଚାରୀ । ଏହି ତଦନ୍ତ ରିପୋର୍ଟ ଫଳରେ ସେମାନଙ୍କର ଚାକିରି ଯିବ, ସେମାନେ ଦଣ୍ଡଭୋଗ କରିବେ । ଫଳରେ ସେମାନଙ୍କର ପିଲା କାବିଲାମାନେ ସର୍ବସ୍ୱାନ୍ତ ହେବେ । ଏକଥା ଅନ୍ୟ କେହି ନ ବୁଝିଲେ ବି ଆପଣ ବେଶ୍‍ ବୁଝି ପାରୁଥିବେ ।

 

କିନ୍ତୁ ଡକ୍ଟର ସାହେବ ! ଗୋଟାଏ କଥା ଆପଣ ଧୀର ମନ ସ୍ଥିର ଚିତ୍ତରେ ବିଚାର କରନ୍ତୁ । ଏହାଦ୍ୱାରା ଯେଉଁ କେତେଜଣଙ୍କର ସର୍ବନାଶ ହେବ, ସେମାନଙ୍କୁ ଆପଣଙ୍କ ଅପକର୍ମର ଫଳ ଭୋଗ କରିବାକୁ ହେବ । ଆମ ଦେଶରେ ନିଜେ ପଣସ ଖାଇ ଅନ୍ୟମୁଣ୍ଡରେ ଅଠାବୋଳିବାର ପ୍ରଥା ବହୁ ଦିନରୁ ଚଳି ଆସୁଛି, ଆପଣ ମଧ୍ୟ ସେହି ପଥ ଅନୁସରଣ କରିଛନ୍ତି । ମୁଁ ଆପଣଙ୍କୁ ଏ ସମ୍ବନ୍ଧରେ ବାରମ୍ବାର ସଚେତନ କରାଇ ଦେଇଥିଲେ ମଧ୍ୟ ଆପଣ ନିର୍ବିକାର ଚିତ୍ତରେ ବସି ରହିଛନ୍ତି । କିନ୍ତୁ ଏପରି ଅରାଜକତା ଦେଶରେ ଆଉ କେତେଦିନ ଚଳାଇ ପାରିବେ ?

 

ମୋ ବିଚାରରେ ଆପଣ ଜଣେ ଖୁଣୀ, ନରହନ୍ତା । ଶହ ଶହ ନିରୀହ ଜନସାଧାରଣଙ୍କୁ ଆପଣ ଖୁଣ୍‍ କରିଛନ୍ତି । ଆପଣଙ୍କ ଅଧୀନରେ ଥିବା ଶହ ଶହ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ ଆପଣ ନକଲି ଔଷଧ ପଠାଇ, ନିରୀହ ଜନସାଧାରଣଙ୍କର ଜୀବନ ନେଇଛନ୍ତି । ତା’ଛଡ଼ା ଯେଉଁ ହୀନ ଉପାୟରେ ଆପଣ ଅର୍ଥ ସଂଗ୍ରହ କରିଛନ୍ତି, ଆପଣଙ୍କୁ ବିଚ୍‍ ବଜାରରେ ବତୀଖୁଣ୍ଟ ତଳେ ଠିଆ କରାଇ ପ୍ରକାଶ୍ୟ ଦିବାଲୋକରେ କୁକୁର ପରି ହତ୍ୟା କରିବା କଥା । କିନ୍ତୁ ଗଣତାନ୍ତ୍ରିକ ରାଜ୍ୟରେ ତାହା ସମ୍ଭବ ନୁହେଁ-। ତା’ଛଡ଼ା ଆପଣତ ସରକାରଙ୍କର ସୁନାପୁଅ । ଦେଶର ମାନ୍ୟଗଣ୍ୟ ବ୍ୟକ୍ତି ।

 

କିନ୍ତୁ ଆପଣ ହୁଏତ ଜାଣି ନାହାନ୍ତି, ମୋର ଗୋଟିଏ ଅଗଣତାନ୍ତ୍ରିକ ଶାସନ କଳ ଅଛି । ତାର କର୍ଣ୍ଣଧାର ସ୍ଵୟଂ ମୁଁ । କିନ୍ତୁ ସେ ରାଜ୍ୟରେ କାହାରି ପ୍ରତି ଅବିଚାର ହୁଏ ନାହିଁ । ସେଠି ଧନୀ ଦରିଦ୍ରର କୌଣସି ଭେଦା ଭେଦ ନାହିଁ । ନ୍ୟାୟର ମାନଦଣ୍ଡ ଧରି ମୁଁ ବସି ରହିଛି । ଦୋଷୀକୁ ଦଣ୍ଡ ଦେବା ହେଉଛି ମୋ ରାଜ୍ୟର ନୀତି ।

 

ତେଣୁ ଆପଣ ମୋ ବିଚାରରେ ଦୋଷୀ ହୋଇଛନ୍ତି । ଆପଣଙ୍କ ପ୍ରତି ମୋ ଅଦାଲତରୁ ଯେଉଁ ଦଣ୍ଡବିଧିର ନିର୍ଦ୍ଦେଶ ହୋଇଛି, ତାହା ପରେ ଜଣାଇ ଦିଆଯିବ । ଆପଣଙ୍କୁ ଦଣ୍ଡ ଦେବା ପୂର୍ବରୁ ମୁଁ ଥରେ ସୁଯୋଗ ଦେବି । ଦେଖିବି ଆପଣ ଯଦି ନିଜର ଭୁଲ୍‍ ବୁଝିପାରି ନିଜକୁ ସତ୍‍ ଓ ମହତ ପଥରେ ପରିଚାଳିତ କରିବାକୁ ପ୍ରସ୍ତୁତ କରିପାରନ୍ତି, ତା’ ହେଲେ ଆପଣଙ୍କର ସମସ୍ତ ଅପରାଧ କ୍ଷମା କରିଦେବି । ତା’ ନ ହେଲେ ..

 

ହଁ ଶୁଣନ୍ତୁ । ଆଜିଠାରୁ ଦୁଇଦିନ ପରେ ମୋର ଗୋଟିଏ ପ୍ରତିନିଧି ଦଳ ଆପଣଙ୍କ ସହିତ ରାତି ୧୦ ଟା ପରେ ଭେଟ କରିବେ । ସେମାନଙ୍କ ସହିତ ଆପଣ ଆଲୋଚନା ଚକ୍ରରେ ଯୋଗ ଦେବା ପାଇଁ ପ୍ରସ୍ତୁତ ରୁହନ୍ତୁ । ସେ ଆପଣଙ୍କୁ ଆପଣଙ୍କ କୃତକର୍ମର ସମସ୍ତ କୈଫିୟତ ତଲବ କରିବେ ! ଗୋଟି ଗୋଟି କରି ସମସ୍ତ ପ୍ରଶ୍ନର ଉତ୍ତର ଆପଣ ସେମାନଙ୍କୁ ଦେବେ । ସେମାନଙ୍କ ନିକଟରେ ଆପଣ ଗାଡ଼ି ଗାଡ଼ି ଅର୍ଥର ଲୋଭ ଦେଖାଇଲେ ମଧ୍ୟ କୌଣସି ଫଳ ହେବ ନାହିଁ । ସେମାନେ ଆପଣଙ୍କୁ ଯେପରି ନିର୍ଦ୍ଦେଶ ଦେବେ, ଆପଣ ଯଦି ସେମାନଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବାକୁ ସମ୍ମତ ହୁଅନ୍ତି, ତେବେ ଆପଣଙ୍କ କଥା ଆନ୍ତରିକତା ସହକାରେ ବିଚାର କରାଯିବ ।

 

ଆପଣ କିନ୍ତୁ ସେଦିନ ରାତି ୧୦ଟା ବେଳକୁ ପ୍ରସ୍ତୁତ ହୋଇ ରହିଥିବେ । ଏ ସଂବାଦ ପୋଲିସ୍‍ରେ କିମ୍ବା ଅନ୍ୟ କାହାରି କାନରେ ପହୁଞ୍ଚାଇବା ଚଳିବ ନାହିଁ । ସେଦିନ ରାତିରେ ଆପଣ ଏକା ରହିବେ । ଆପଣଙ୍କ ନିକଟରେ କୌଣସି ଅସ୍ତ୍ର ଶସ୍ତ୍ର ରଖିବା ମଧ୍ୟ ଚଳିବ ନାହିଁ । ମୋର ଏହି ପ୍ରତିନିଧି ଦଳ ସହିତ ଆପଣଙ୍କୁ ସାକ୍ଷାତ ଦେବାପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ ।

 

ଏ ଚିଠି ଦେବା ପରଠାରୁ ମୁଁ ଆପଣଙ୍କ ପ୍ରତିଟି କାର୍ଯ୍ୟକଳାପକୁ ଖୁବ୍ ସତର୍କତା ସହକାରେ ନିରୀକ୍ଷଣ କରୁଛି । ଆପଣ ଯଦି ମୋର ଏହି ନିର୍ଦ୍ଦେଶ ଭଙ୍ଗ କରନ୍ତି, ତେବେ କଠିନ ଶାସ୍ତି ଭୋଗ କରିବେ ।

 

ଆପଣ ମୋର ଏଇ ଚିଠିଟି ପାଇଲା ବେଳକୁ ହୁଏତ ମୁଁ ଜେଲରେ ଅଛି ଭାବି ଚିଠିଟାକୁ ହାଲୁକା ଭାବରେ ଗ୍ରହଣ କରିପାରନ୍ତି । କିନ୍ତୁ ଯେଉଁଠାରେ ଥିଲେ ମଧ୍ୟ ମୋ କାର୍ଯ୍ୟଧାରା ସବୁ ସମୟରେ ଅବ୍ୟାହତ ରହିଥିବ, ଏବଂ ଶୃଙ୍ଖଳିତ ଭାବରେ ପରିଚାଳିତ ହେଉଥିବ ।

 

ଆଉ ଗୋଟିଏ କଥା ମୁଁ ଆପଣଙ୍କୁ ସ୍ମରଣ କରାଇ ଦେଉଛି । ହୁଏତ ସେହି ପ୍ରତିନିଧି ଦଳ ସହିତ ମୁଁ ସେଦିନ ଆପଣଙ୍କ ସହିତ ସାକ୍ଷାତ କରିବାକୁ ଯାଇପାରେ । ଖୁବ୍‍ ସାବଧାନ, ଏ ଚିଠି ସମ୍ବନ୍ଧୀୟ କୌଣସି କଥା ଯେପରି ଦୁଇ କାନରୁ ଚାରି କାନ ନ ହୁଏ ।

 

ଆଶା କରୁଛି ଆପଣ କୃତକର୍ମର ପ୍ରାୟଶ୍ଚିତ ପାଇଁ ଏ କେଇଦିନ ଭିତରେ ପ୍ରସ୍ତୁତ ହୋଇ ରହିବେ ।

 

ଆପଣଙ୍କର ଶୁଭାକାଂକ୍ଷୀ

ଦସ୍ୟୁ ଲାଲସିଂହ

 

ସତ୍ୟବ୍ରତ ଚିଠିଟି ପଢ଼ି ସାରି ପୋଲିସ୍‍ ଇନିସପେକ୍ଟରଙ୍କ ହାତକୁ ବଢ଼ାଇ ଦେଲେ ଏବଂ ଅଭିମନ୍ୟୁ ଆଡ଼େ ଚାହିଁ କହିଲେ, ମୁଁ ଏହିପରି ଏକ ଘଟଣା ପ୍ରତ୍ୟାଶା କରୁଥିଲି ।

 

କିନ୍ତୁ ଏହା କିପରି ସମ୍ଭବ ? ଏ ଚିଠି ଯେଉଁଦିନ ଲେଖା ହୋଇଛି, ସେଦିନ ଲାଲସିଂହ ଜେଲରେ । ଅଥଚ....

 

ତୁମେ ଆଶ୍ଵର୍ଯ୍ୟ ହୁଅ ନାହିଁ ଅଭି । ଏହି ଜଗତରେ ସବୁ ସମ୍ଭବ । ତା’ଛଡ଼ା ଲାଲସିଂହର ଆକସ୍ମିକ ଅନ୍ତର୍ଦ୍ଧାନ ଏହି ଘଟଣାଟିର ସତ୍ୟତା ସମ୍ବନ୍ଧରେ ଆହୁରି ସ୍ପଷ୍ଟ ସୂଚନା ଦେଉଛି ।

 

ତା’ହେଲେ ଆପଣ କ’ଣ କହିବାକୁ ଚାହାନ୍ତି, ଡକ୍ଟର ଛୋଟରାୟ ଏହି ଚିଠି ପାଇଲା ପରେ ମଧ୍ୟ ନୀରବ ରହିଥିଲେ ?

 

ହୁଏତ ଘଟଣାଚକ୍ରରେ ପଡ଼ି ସେ ଏହି ଚିଠି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିବାକୁ ସାହସୀ ହୋଇ ପାରି ନ ଥିଲେ । ଅଥବା ଚିଠି ଦେବା ପରଠାରୁ ତାଙ୍କୁ ନଜରବନ୍ଦୀରେ ରଖା ଯାଇଥିଲା ।

 

ପୋଲିସ୍ ଇନିସପେକ୍ଟର ଚିଠିଟିକୁ ଏକାଗ୍ର ଚିତ୍ତରେ ପାଠ କରୁଥିଲେ । ଦିଆଲ ଘଡ଼ିରେ ବାରଟା ବାଜୁଥିଲା ।

 

ସତ୍ୟବ୍ରତ ମହାପାତ୍ର ବିଛଣାରୁ ଉଠି ଚା’କପେ ଖାଇ ବସିଛନ୍ତି । ଆଜି ଯଦିଓ ନିଦ ଟିକିଏ ଡେରିରେ ଭାଙ୍ଗିଚି, କିନ୍ତୁ ସମୟ ସାଟାରୁ ବେଶୀ ହେବ ନାହିଁ । ଅଭିମନ୍ୟୁର ନିଦତ ସେ ଯାଏ ଭାଙ୍ଗିନାହିଁ । ଦୁଇ ଢୋକ ଚା' ପିଇ ସମ୍ବାଦପତ୍ରଟାର ହେଡ଼ିଂ କେତେଟା ଉପରେ ଆଖି ବୁଲେଇ ଆଣୁଛନ୍ତି, ଗୋଟାଏ ଆଲସେସିଆନ୍‍ କୁକୁର ଆସି ତାଙ୍କ ହାତଟାକୁ ଚାଟି ପକାଇଲା । ସତ୍ୟବ୍ରତ ଚିହିଙ୍କି ପଡ଼ିଲା ପରି ଖବରକାଗଜଟାକୁ ଆଖି ଆଗରୁ କାଢ଼ି ନେଇ ଦେଖିଲେ, ସ୍ଵୟଂ ଏସ୍. ପି. ସାହେବ ତାଙ୍କର ପ୍ରିୟ ଅନୁଚର ‘ଟାଇଗର’ ସହ ସ୍ମିତ ହସି ଠିଆ ହୋଇଛନ୍ତି ।

 

ସତ୍ୟବ୍ରତ ଟିକିଏ ଚଞ୍ଚଳ ହୋଇ ଉଠିଲେ । ଏସ.ପି. ସାହେବ ବିନା ଅନୁରୋଧରେ ଖଣ୍ଡିଏ ଆସନ ଅଳଙ୍କୃତ କରି କହିଲେ, ପ୍ରାତଃ ଭ୍ରମଣରେ ଆସିଥିଲି । ଭାବଲି ଚା’ ପର୍ବଟା ଶେଷ କରି ଯିବି । କାରଣ ବସାରେ ବର୍ତ୍ତମାନ ପିଲାପିଲି କେହି ନାହାନ୍ତି ତ !

 

ସେଇଟା ମୋର ସୌଭାଗ୍ୟ ମି: ବହିଦାର । ତା’ଛଡ଼ା ଆପଣଙ୍କ ପାଖକୁ ମୁଁ ମଧ୍ୟ ଆଜି ଯାଇ ଥାଆନ୍ତି ।

 

ଆପଣଙ୍କ ଅପେକ୍ଷା ମୋର ପ୍ରୟୋଜନଟା ଯେ ବେଶୀ ! ଏସ୍. ପି. ସାହେବଙ୍କ ମୁହଁରେ କିପରି ରହସ୍ୟମୟ ହସ ଫୁଟି ଉଠିଲା ।

 

‘ଟାଇଗର’ ମଝିରେ ବସି କେବଳ ଦୁଇଜଣଙ୍କ ମୁହଁକୁ ଅନାଉଥିଲା ।

 

କାଲି ରାତିର ଘଟଣା ତ ଆପଣ ଜାଣିଛନ୍ତି । ନିଜେ ସେଠାରେ ଉପସ୍ଥିତ ଥିଲେ ବୋଲି ଶୁଣିଲି, ଏସ୍. ପି. ସାହେବ କଥା ଆରମ୍ଭ କରି ପାଇପ୍‍ ରେ ଟୋବାକୋ ଭରିଲେ ।

 

ଡକ୍ଟର ଛୋଟରାୟଙ୍କ ଘଟଣା ଯତ୍‍ସାମାନ୍ୟ ଜାଣିଛି, କିନ୍ତୁ ଦ୍ୱିତୀୟ ଘଟଣାଟି ସମ୍ବନ୍ଧରେ ଏ ପର୍ଯ୍ୟନ୍ତ କୌଣସି ଅନୁସନ୍ଧାନ କରିନାହିଁ ।

 

ଦ୍ୱିତୀୟ ଘଟଣା ? ଏସ୍. ପି. ସାହେବ ଉତ୍‍କଣ୍ଠିତ ହୋଇ ଉଠିଲେ ।

 

କାଲି ରାତିରେ ଗୋଟିଏ ପ୍ରାଇଭେଟ କାର ପଛରେ ଦୁଇଟି ପୁଲିସ ଭ୍ୟାନ୍‍ ଷ୍ଟେସନ ଆଡ଼େ ଛୁଟିଥିଲା । ମନେ ହେଉଥିଲା ଖୁବ୍‍ ଗୋଟାଏ ବିରାଟ ଗ୍ୟାଙ୍ଗର ସନ୍ଧାନ ଆପଣମାନେ ପାଇଛନ୍ତି । କିନ୍ତୁ ଘଟଣାଟା ମୁଁ ଠିକ୍ ବୁଝିପାରିଲି ନାହିଁ ।

 

ଏସ୍. ପି. ସାହେବ ହୋ ହୋ ହୋଇ ହସି ଉଠିଲେ । କହିଲେ, ସେ କିଛି ନୁହେଁ, ଗୋଟାଏ ଗାଡ଼ିକୁ ସନ୍ଦେହ କରି ଅନୁସରଣ କରାହେଉଥିଲା । ଆରୋହୀ ସ୍ଵୟଂ ଲାଲସିଂହ ବୋଲି ଅନୁମାନ କରି ପୋଲିସ୍‍ ଭ୍ୟାନ୍‍ ସେ ଗାଡ଼ିର ପିଛା କରିଥିଲା । କିନ୍ତୁ ଜଣାଗଲା ଲୋକଟା ଗୋଟାଏ ସ୍ମଗଲର । ଗାଡ଼ିରୁ ତିନି ଚାରିଟା ଟ୍ରାଂଜିଷ୍ଟର ସେଟ୍ ଓ କେତେଗୁଡ଼ାଏ ରିଷ୍ଟଓ୍ୟାଚ ଉଦ୍ଧାର କରାଗଲା-। ଲୋକଟା ଜଣେ ମାଡ଼୍ରାସୀ । ଛାଡ଼ନ୍ତୁ । ଡକ୍ଟର ଛୋଟରାୟଙ୍କ କେସ୍‍ ସମ୍ବନ୍ଧରେ କ’ଣ କୁହନ୍ତୁ ।

 

ସତ୍ୟବ୍ରତ ଯେପରି ଧ୍ୟାନମଗ୍ନ ହୋଇଥିଲେ । ହଠାତ୍ କହି ଉଠିଲେ; ସେଇଟା ତ ଦସ୍ୟୁ ଲାଲସିଂହର କାରସାଦି ।

 

ସେଇକଥା ତ ମୁଁ ଆପଣଙ୍କୁ କହୁଛି । ତାକୁ ଧରି ଦେବାପାଇଁ ଦଶହଜାର ଟଙ୍କା ପୁରସ୍କାର ଘୋଷଣା କରାହୋଇଛି, ତଥାପି ଲୋକଟାର ସାହସ ତ କମ୍‍ ନୁହେଁ । ଜେଲ ଭ୍ୟାନ୍‍ରୁ ଏପରି ଭାବରେ ପଳାଇ ଯାଇ, ଆମ ବିରୁଦ୍ଧରେ ଦେଶ ସାରା ଗୋଟାଏ ଅବିଶ୍ୱାସ ସୃଷ୍ଟି କରାଇ ଯାଇଛି । କେହି କେହି କ’ଣ କହୁଛନ୍ତି ଶୁଣିଲେଣି ମି. ମହାପାତ୍ର । କାଲି ରହମାନ କହୁଥିଲା; ସେ କୁଆଡ଼େ ଲୋକେ କଥାବାର୍ତ୍ତା ହେବାର ଶୁଣି ଆସିଲା, ଏସ୍. ପି. ସାହେବ ନିଜେ ଦସ୍ୟୁ ଲାଲସିଂହ । ତା’ ନ ହେଲେ ଅନ୍ୟ ଲୋକ ପକ୍ଷରେ ଏପରି ଭାବରେ ଦୁଃସାହସିକ କାର୍ଯ୍ୟ କରିବା ସମ୍ଭବ ହୁଅନ୍ତା ନାହିଁ । ଏହାପରେ ଡକ୍ଟର ଛୋଟରାୟଙ୍କ ଅନ୍ତର୍ଦ୍ଧାନ କାହାଣୀ ଜନସାଧାରଣରେ ପ୍ରଚାରିତ ହେଲେ ହୁଏତ ଲୋକେ ଆସି ମୋତେ ଦେଖିବା ପାଇଁ ମୋ ଅଫିସ ଚାରି ପାଖରେ ଭିଡ଼ ଜମେଇବେ ।

 

କିଛି ଅସମ୍ଭବ ନୁହେଁ ।

 

ସେତେବେଳେ ଲୋକଙ୍କୁ ମଧ୍ୟ ଦୋଷ ଦେଇ ହେବ ନାହିଁ । କାରଣ ଲୋକଙ୍କର ଆମ ବିଭାଗ ପ୍ରତି ଯଥେଷ୍ଟ ଅବିଶ୍ୱାସ ବଢ଼ିଗଲାଣି । କିନ୍ତୁ ଆପଣ ସତ କୁହନ୍ତୁତ ମି: ମହାପାତ୍ର, ଏହି ସବୁ ଅନୁସନ୍ଧାନ କାର୍ଯ୍ୟରେ ଆମର କ’ଣ କୌଣସି ଅବହେଳା ଅଛି ? ଆପଣ ବିଶ୍ୱାସ କରିବେ କି ନାହିଁ ଜାଣେନି, ମୁଁ ଏବେ ଅତ୍ୟନ୍ତ ଆନ୍ତରିକତା ସହକାରେ ସମସ୍ତ କାର୍ଯ୍ୟ ପର୍ଯ୍ୟବେକ୍ଷଣ କରୁଛି । ଦୁର୍ନୀତି ନିବାରଣ ପାଇଁ କଠୋର ବ୍ୟବସ୍ଥା କରାହେଉଛି । ତଥାପି...

 

ଲୋକେ କିନ୍ତୁ ବୁଝିବେ ନାହିଁ ମି: ବହିଦାର । ଶହେ ଜଣ ଅପରାଧୀକୁ ଧରି ଆପଣ ଯଦି କଠୋର ଶାସ୍ତି ଦିଅନ୍ତି, କେହି ଆପଣଙ୍କର ପ୍ରଶଂସା କରିବେ ନାହିଁ, କିନ୍ତୁ ଜଣେ ଅପରାଧୀ ଯଦି ଧାରା ନ ପଡ଼ି ଖସି ଚାଲିଯାଏ, ତେବେ ଲୋକେ ଆପଣଙ୍କ ପ୍ରଶ୍ନ ବାଣରେ ବିବ୍ରତ କରି ପକାଇବେ ।

 

ସେଇଟା ସତକଥା ଯେ, କିନ୍ତୁ ବର୍ତ୍ତମାନ ଆମର ଏକମାତ୍ର ସମସ୍ୟା ହେଉଛି ଦସ୍ୟୁ ଲାଲସିଂହକୁ ନେଇ । ଲୋକଟା କେଉଁଠି ଯେ ଲୁଚି ରହିଛି....ତା’ଛଡ଼ା କାଲି କଣ ସେ ଡକ୍ଟର ଛୋଟରାୟଙ୍କ ନିକଟକୁ ଯାଇଥିଲା ବୋଲି ଆପଣ ଅନୁମାନ କରୁଛନ୍ତି ?

 

ହୁଏତ ଯାଇ ପାରିଥାଏ, କିନ୍ତୁ ମୁଁ ଗୋଟାଏ କଥା ଭାବି ଏ ପପର୍ଯ୍ୟନ୍ତ ସ୍ଥିର କରି ପାରୁନାହିଁ । ଡକ୍ଟର ଛୋଟରାୟ ଦସ୍ୟୁ ଲାଲସିଂହଠାରୁ ଚିଠି ପାଇଥିଲେ ସୁଦ୍ଧା ସେ କାହିଁକି ଅନ୍ୟ କାହାକୁ ଜଣାଇ ନ ଥିଲେ । ଅଥବା ନିଜର ନିରାପତ୍ତା ପାଇଁ କୌଣସି ବ୍ୟବସ୍ଥା କରି ନ ଥିଲେ । ସତ୍ୟବ୍ରତ ଗମ୍ଭୀର ଗଳାରେ କହିଲେ ।

 

ମୁଁ ବି ସେଇକଥା ଭାବୁଚି । ଲାଲସିଂହର ଚିଠିଟା ପଢ଼ି ଯାହା ମନେ ହେଲା, ସେ ତା’ର ପ୍ରତିନିଧି ଦଳ ସହିତ ଡକ୍ଟର ଛୋଟରାୟଙ୍କ ନିକଟକୁ ଆସିଥିଲା । ଆପଣ କ’ଣ ଭାବୁଛନ୍ତି ଛୋଟରାୟ ଏକା ସେହି ପ୍ରତିନିଧି ଦଳ ସହିତ ମିଳିତ ହୋଇଥିଲେ ?

 

ମୋର ଧାରଣା ସେଇଆ । କିନ୍ତୁ....

 

ଅଟକିଲେ କାହିଁକି ?

 

ଏହା ଭିତରେ ଜଣେ ମହିଳାଙ୍କର ଆବିର୍ଭାବ ମୁଁ ଲକ୍ଷ୍ୟ କରୁଛି । ଯେତେଦୂର ସମ୍ଭବ ସେ ମହିଳା ଜଣକ ଡକ୍ଟର ଛୋଟରାୟଙ୍କ ତରଫର । କିନ୍ତୁ ସେ ମହିଳାଟି ଯେ କିଏ ହୋଇପାରେ, ଭାବି କିଛି ଠିକଣା କରି ପାରୁନାହିଁ ।

 

ମହିଳା ? ସେ କ'ଣ ସେହି ପ୍ରତିନିଧି ଦଳରେ ଯୋଗ ଦେଇଥିଲା ।

 

ନା ।

 

ତେବେ ?

 

ମୁଁ ଡକ୍ଟର ଛୋଟରାୟଙ୍କ ଚାକରକୁ ନାନା ଭାବରେ ପ୍ରଶ୍ନ କରିଛି, ମୁଁ ସେ ସ୍ୱୀକାର କରିନାହିଁ । ଚାକରଟା ଉପରେ ମୋର ଯଥେଷ୍ଟ ସନ୍ଦେହ ରହିଛି । କିନ୍ତୁ ଡକ୍ଟର ଛୋଟରାୟଙ୍କ ତରଫ ହୋଇ ସେ ବହୁତ ମିଛ କଥା କହିଛି ।

 

ମାନେ ?

 

ମୋର ଧାରଣା କ’ଣ ଜାଣନ୍ତି ମି: ବହିଦାର । ଡକ୍ଟର ଛୋଟରାୟଙ୍କର କୌଣସି ମହିଳା ସହିତ ବା ମହିଳା ମାନଙ୍କ ସହିତ ଅବୈଧ ପ୍ରଣୟ ଥିଲା ।

 

ହଠାତ୍ ଆପଣଙ୍କ ମନରେ ଏପରି ଧାରଣା ଉଦୟ ହେବାର ଅର୍ଥ ?

 

କାରଣ ଡକ୍ଟର ଛୋଟରାୟଙ୍କ ଘରେ ବର୍ତ୍ତମାନ କୌଣସି ଫିମେଲ ମେମ୍ବର ନାହାନ୍ତି ।

 

ତା’ବୋଲି ଡକ୍ଟର ଛୋଟରାୟ ଯେ...

 

ନା, ନା ମୋ କଥାଟା ପ୍ରଥମେ ଶୁଣନ୍ତୁ ମି: ବହିଦାର । ଆପଣ ହୁଏତ ଜାଣି ନାହାନ୍ତି, ଗତ କାଲି ରାତି ପ୍ରାୟ ସାଢ଼େଦଶଟା ବେଳେ ମୁଁ ବାହାରୁ ଫେରିଥାଏଁ । ହଠାତ୍ ଟେଲିଫୋନ ବାଜି ଉଠିଲା । ରିସିଭରଟା ଉଠାଇ କାନରେ ଦେଲି ସତ, ମାତ୍ର ଅପର ପ୍ରାନ୍ତରୁ କୌଣସି ସମ୍ବାଦ ପାଇଲି ନାହିଁ । କିଛି ସମୟ ଅପେକ୍ଷା କରିବା ପରେ, ବହୁ ଦୂରରୁ କିଏ ଯେପରି ଖୁଣ୍‍, ଖୁଣ୍‍ ଦୁଇଥର ଚିତ୍କାର କରି ଉଠିଲା ପରି ଶୁଣିଲି । ତା’ ପରେ ସେ ପାଖରୁ କିଏ ଟେଲିଫୋନ ରିସିଭରଟା କଚାଡ଼ି ଦେଲା । ‘ଖୁଣ୍‍ ଖୁଣ୍‍’ ଚିତ୍କାରଟା ଜଣେ ମହିଳାଙ୍କର କଣ୍ଠସ୍ଵର । ମୁଁ ସ୍ପଷ୍ଟ ଶୁଣିଛି-। ମୋ କାନକୁ ମୁଁ ଅବିଶ୍ୱାସ କରି ପାରିବି ନାହିଁ ।

 

ତା’ହେଲେ ଏଠାରେ ଅବୈଧ ପ୍ରଣୟର ପ୍ରଶ୍ନ ଆସିଲା । କେଉଁଠୁ ? ଏସ୍. ପି. ସାହେବ ପାଇପ୍‍ରୁ ଧୂଆଁ ଛାଡ଼ି ଘରଟାକୁ ଧୂମାୟିତ କରି ପକାଇଲେ ।

 

ସତ୍ୟବ୍ରତ ସ୍ମିତ ହସି କହିଲେ, ମୋର କ’ଣ ମନେ ହେଉଛି ଜାଣନ୍ତି ? ସେହି ମହିଳାଟି ଯଦି ଡକ୍ଟର ଛୋଟରାୟଙ୍କର କୌଣସି ଆତ୍ମୀୟା ହୋଇଥାଆନ୍ତା ତେବେ ସେ ରାତି ଏଗାରଟା ବେଳେ ଏପରି ଏକ ବିପଜ୍ଜନକ ଆଲୋଚନାରେ ଭାଗନେଇ ନ ଥାନ୍ତା । ତଥାପି ଏ ସବୁ ସତ୍ତ୍ୱେ ଯଦି ସେହି ମହିଳା ସତ୍‍ ହୋଇଥାଆନ୍ତା ଛୋଟରାୟଙ୍କ ସଙ୍ଗରେ ତାଙ୍କର କୌଣସି ଅବୈଧ ସମ୍ବନ୍ଧ ନଥାନ୍ତା, ତେବେ ସେ ନିଶ୍ଚୟ ପୋଲିସ୍‍ରେ ଯାଇ ଘଟଣାଟା ଜଣାଇଥାଆନ୍ତା । କିନ୍ତୁ ମୋର ମନେ ହେଉଛି ସେ ମହିଳାଟି କେବଳ ଦୁଇଥର ଆର୍ତ୍ତ ଚିତ୍କାର କରି, ନିଜର ଜୀବନ ନେଇ ପଳାଇଯାଇଛି-

 

ଆପଣ କ’ଣ ଭାବୁଛନ୍ତି, ଲାଲସିଂହର ପ୍ରତିନିଧି ଦଳ ସହିତ ଡକ୍ଟର ଛୋଟରାୟ ଆଲୋଚନା କଲାବେଳେ ମହିଳାଟି ସେଠାରେ ଉପସ୍ଥିତ ଥିଲା ?

 

ନା, ତେବେ ମହିଳାଟି ସେଠାକୁ ଏପରି ଏକ ସମୟରେ ଆସି ଯାଇଥିଲା, ଯେତେବେଳେ ଲାଲସିଂହର ଲୋକେ ଡକ୍ଟର ଛୋଟରାୟଙ୍କୁ କାବୁ କରି ପକାଇଥିଲେ । ମହିଳାଟି ଏପରି ଏକ ବିପଜ୍ଜନକ ପରିସ୍ଥିତି ଦେଖି ଚିତ୍କାର କରିଉଠିଥିଲା ।

 

ଆପଣଙ୍କର ଏପରି ଅନୁମାନ କରିବା ମୂଳରେ କୌଣସି ଭିତ୍ତି ଅଛି ?

 

ଅଛି ମି: ବହିଦାର । ସେ କଥା ପରେ ମୁଁ ଆପଣଙ୍କ ଜଣାଇବି । ଏଠାରେ କେବଳ ଗୋଟିଏ କଥା କହି ରଖୁଛି, ହୁଏତ ସେହି ମହିଳାଟି ଡକ୍ଟର ଛୋଟରାୟଙ୍କର ଏହି ପ୍ରତିନିଧିଦଳଙ୍କ ସହିତ ଆଲୋଚନା କଥା ଜାଣିଥିଲା ଏବଂ ବିପଦ ପଡ଼ିଲେ ତାଙ୍କୁ ରକ୍ଷା କରିବାର ଦାୟିତ୍ୱ ନେଇଥିଲା । ତେଣୁ ସେହି ମହିଳାଟିକୁ ଆମେ ବାହାର କରିପାରିଲେ ଅନେକ ସୂତ୍ର ଆବିଷ୍କାର କରିହୁଅନ୍ତା ।

 

ହୁଁ, ଏସ୍. ପି. ସାହେବ ପାଇପ୍‍ଟା ଜୋତାରେ ଠିକଉ ଠିକଉ କହିଲେ, ଦେଖୁଛି ଆପଣ ପୁଣି ଗୋଟାଏ ନୂଆ ସମସ୍ୟାର ସୃଷ୍ଟି କଲେ । କିନ୍ତୁ ମୋର କହିବା କଥା ହେଉଛି, ଆମେ ଗୋଟାଏ ପଏଣ୍ଟରୁ ଏକମତ ଯେ, ଡକ୍ଟର ଛୋଟରାୟ ଲାଲସିଂହ ଦ୍ୱାରା ଅପହୃତ ହୋଇଛନ୍ତି, ଆମର ବର୍ତ୍ତମାନ ତାଙ୍କୁ ଉଦ୍ଧାର କରିବାର କଥା ଏବଂ ଲାଲସିଂହକୁ ବନ୍ଦୀ କରିବା କଥା । ଅଯଥାରେ ଆମେ ଡକ୍ଟର ଛୋଟରାୟଙ୍କ ସହିତ ଅବୈଧ ପ୍ରଣୟରତ କୌଣସି ମହିଳାକୁ ଏ କ୍ଷେତ୍ରକୁ ଟାଣି ଆମର ଲାଭ କ’ଣ ହେବ ?

 

ସେଇଥି ପାଇଁ ଆପଣଙ୍କ ଓ ମୋ ଭିତରେ ତଫାତ୍‍ ବହୁତ । ସତ୍ୟବ୍ରତ ହସି ହସି କହିଲେ । ଅବଶ୍ୟ କିଛି ମନେ କରିବେ ନାହିଁ ମି: ବହିଦାର । ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି, ଏ କେସ୍‍ ରେ ନିଶ୍ଚୟ ସାହାଯ୍ୟ କରିବି ।

 

ଏସ୍. ପି. ସାହେବ କିଛି ସମୟ ନୀରବରେ ବସିରହି ପୁଣି ପାଇପ୍‍ରେ ଅଗ୍ନିସଂଯୋଗ କଲେ ।

 

ଟାଇଗର ଏତେବେଳଯାଏ ନୀରବରେ ବସି ଯେପରି ଏମାନଙ୍କର ବାକ୍ୟାଳାପ ଶୁଣୁଥିଲା । ହଠାତ୍ ସେ ଚଞ୍ଚଳ ହୋଇ ଦୁଆର ଆଡ଼କୁ ଛୁଟିଯାଇ ପୁଣି ଫେରି ଆସିଲା ।

 

ସତ୍ୟବ୍ରତ ଦେଖିଲେ ଡକ୍ଟର ଶର୍ମା ଧୀରେ ଧୀରେ ଭିତରକୁ ପ୍ରବେଶ କରୁଛନ୍ତି । ଟାଇଗରକୁ ଦେଖି ସେ ହଠାତ୍ ଅଟକି ଗଲେ । ମାତ୍ର ସତ୍ୟବ୍ରତ ଡାକିଲେ, ଆସନ୍ତୁ ଆସନ୍ତୁ ଡକ୍ଟର ଶର୍ମା ।

 

ଡକ୍ଟର ଶର୍ମା ଜଣେ ଅପରିଚିତ ଲୋକଙ୍କୁ ଦେଖି ପ୍ରଥମେ ଟିକିଏ ଇତସ୍ତତଃ କଲେ ! ତା’ପରେ ସତ୍ୟବ୍ରତଙ୍କ ଆହ୍ୱାନ କ୍ରମେ ଭିତରକୁ ପ୍ରବେଶ କରି ଗୋଟିଏ ଆସନ ଅଧିକାର କଲେ ।

 

ଏ ହେଉଛନ୍ତି ଡକ୍ଟର ସୁନୀତି କୁମାର ନନ୍ଦ ଶର୍ମା । ସେବାସଦନର ପ୍ରତିଷ୍ଠାତା । ଆଉ ଏ ହେଉଛନ୍ତି ମି: ବହିଦାର, ଏସ୍. ପି. ସାହେବ । ସତ୍ୟବ୍ରତ ମହାପାତ୍ର ପରିଚୟ କରାଇଦେଲେ । ଉଭୟଙ୍କ ମଧ୍ୟରେ ନମସ୍କାର ବିନିମୟ ହେଲା । ଏସ୍. ପି. ସାହେବ ଡକ୍ଟର ଶର୍ମାଙ୍କ କାର୍ଯ୍ୟକଳାପ ସମ୍ବନ୍ଧରେ ପୂର୍ବରୁ କିଛି କିଛି ଶୁଣିଥିଲେ । ସେ ମଧ୍ୟ ସେବାସଦନର ପ୍ରତିଷ୍ଠା ଦିବସରେ ନିମନ୍ତ୍ରିତ ହୋଇଥିଲେ । ମାତ୍ର ସମୟ ଅଭାବରୁ ଯୋଗ ଦେଇ ପାରି ନ ଥିଲେ । ବର୍ତ୍ତମାନ ଡକ୍ଟର ଶର୍ମାଙ୍କୁ ଦେଖି ଭଦ୍ରତା ରକ୍ଷା କରିବା ପାଇଁ ଯେତିକି ସୌଜନ୍ୟତାର ଆବଶ୍ୟକ ହୋଇଥାଏ, ସେତିକି ରକ୍ଷା କରି ଉଠି ପଡ଼ିଲେ । ସତ୍ୟବ୍ରତ ମହାପାତ୍ରଙ୍କୁ କହିଲେ, ସମୟ ହେଲେ ମୋ ସହିତ ଟିକିଏ ଦେଖା କରିବେ । ଏ ସମ୍ବନ୍ଧରେ ଏକ ସୁଚିନ୍ତିତ ଯୋଜନା କରି କାର୍ଯ୍ୟରେ ଅଗ୍ରସର ହେବାକୁ ହେବ ।

 

ସତ୍ୟବ୍ରତ ଉଠିଯାଇ ଏସ୍. ପି. ସାହେବଙ୍କୁ ଗାଡ଼ିରେ ବସାଇ ଦେଇ ଆସିଲେ ।

 

ଫେରି ଆସି ଦେଖିଲେ, ଡକ୍ଟର ଶର୍ମା ଗୋଟିଏ ମମ୍‍ର କୁଣ୍ଢେଇ ଟେବୁଲ ଉପରେ ଥୋଇ, ସେଇଆଡ଼େ, କିପରି ଆକୁଳ ନୟନରେ ଅନାଇ ବସିଛନ୍ତି ।

 

ପୁଣି ଆପଣ....

 

ହଁ ମି: ମହାପାତ୍ର । ଆଜି ସକାଳୁ ପୁଣି ମୁଁ ଏଇଟିକୁ ପାଇଚି । ମୋର ମନେ ହେଉଚି ଏ କୁଣ୍ଢେଇଟି ସେ ତିନୋଟି ଠାରୁ ଅପେକ୍ଷାକୃତ ବଡ଼ ।

 

ହଁ, ପ୍ରାୟ ଏକଇଞ୍ଚ ବଡ଼ ହେବ । ସତ୍ୟବ୍ରତ କୁଣ୍ଢେଇଟି ହାତରେ ଉଠାଇ, ବୁଲେଇ ଚଲେଇ ଦେଖୁ ଦେଖୁ କହିଲେ,

 

ସିଗାରେଟ୍ ଦିଅନ୍ତୁ ।

 

ସତ୍ୟବ୍ରତ କେସ୍‍ଟି ବଢ଼େଇ ଦେଇ ଆଖି ବୁଜି ନୀରବରେ ଯେପରି କ’ଣ ଚିନ୍ତାକରି ବସିଲେ ।

 

ଡକ୍ଟର ଶର୍ମା ମଧ୍ୟ ନିଶ୍ଚିନ୍ତ ମନରେ ବସି ସିଗାରେଟ୍ ଟାଣିଲେ ।

 

ହୁଁ, ଆଚ୍ଛା ଡକ୍ଟର ଶର୍ମା ! ଆପଣ ଏହି ଚତୁର୍ଥ କୁଣ୍ଢେଇଟି ପାଇବା ପରେ ଆପଣଙ୍କର କ’ଣ ମନେ ହେଉଛି ?

 

ମୋ ବିରୁଦ୍ଧରେ ଗୋଟାଏ ଭୀଷଣ ଚକ୍ରାନ୍ତ ହେଉଛି ।

 

ଏପରି ମନେ ହେବାର କାରଣ ?

 

କିଛି ନୁହେଁ ଯେ, ମନର ଗୋଟାଏ କୁସଂସ୍କାର । ମନ ଉପରେ ଏହି ମୂର୍ତ୍ତି ସମ୍ବନ୍ଧରେ କିପରି ଏକ ବିରୂପ ପ୍ରଭାବ ପଡ଼ିଯାଇଛି ତ ! ତେଣୁ ମୋ ଅଜାଣତରେ ବେଳେ ବେଳେ ମନଟା ଶିହରୀ ଉଠୁଚି ।

 

ସେଇଟା ସ୍ୱାଭାବିକ ଯେ, କିନ୍ତୁ ଆପଣଙ୍କ ପରି ପୋଖତ ବୟସରେ....

 

ନ ହେବାର କଥା, ଡକ୍ଟର ଶର୍ମା କହିଲେ । କିନ୍ତୁ ବେଳେ ବେଳେ ମୋ ମନଟା ଦୁର୍ବଳ ହୋଇପଡ଼ୁଛି । କାହିଁକି ଜାଣନ୍ତି ? ବର୍ମାର ସେଇ ଯେଉଁ ନୃଶଂସ ଜାତିଟା କଥା ମୋତେ ଚାକରାଣୀଟା କହିଗଲା, ମୁଁ ସେମାନଙ୍କର କାର୍ଯ୍ୟକଳାପ ଦେଖିଛି କିନା ! ସେଇଥିପାଇଁ.....

 

ଆହା, ବର୍ମାରୁ ତ ସେମାନେ ଆସି ଆପଣଙ୍କ ଏଠାରୁ ଝିଙ୍କି ନେବେ ନାହିଁ । ତଥାପି ମନର ଦୁର୍ବଳତା ମଣିଷ ଜୀବନର ସବୁଠାରୁ ଏକ ବଡ଼ ଦୁର୍ବଳତା । ଏଇ ମମ୍‍ର କଣ୍ଢେଇ ସମ୍ବନ୍ଧରେ ଆପଣଙ୍କର କାହାରି ପ୍ରତି କୌଣସି ସନ୍ଦେହ ହେଉ ନାହିଁ ?

 

କାହାକୁ ଆଉ ସନ୍ଦେହ କରିବି କୁହନ୍ତୁ !!

 

ଗୋଟାଏ ପ୍ରଶ୍ନ ଡକ୍ଟର ଶର୍ମା ! କେତେଦିନ ହେବ ମୋ ମନରେ କାହିଁକି ହଠାତ୍ ଉଦୟ ହୋଇଛି ।

 

କ’ଣ ?

 

ଆପଣଙ୍କ ଚିକିତ୍ସାଧୀନରେ ଯେଉଁ ଉନ୍ମାଦ ରୋଗୀ କେତେଜଣ ଅଛନ୍ତି ସେମାନଙ୍କ ମଧ୍ୟରୁ କେହି ଏହା କରୁ ନାହିଁତ !!

 

ମୁହୂର୍ତ୍ତେ ଡକ୍ଟର ଶର୍ମା ଚିନ୍ତା କଲେ । ତା’ପରେ କହିଲେ ଆପଣଙ୍କ ଅନୁମାନ ଅନର୍ଥକ ନୁହେଁ । କିନ୍ତୁ ଏହା କିପରି ସମ୍ଭବ ? ତରଳ ମମ୍‍ ସେମାନେ ପାଇବେ କେଉଁଠୁ ? ତା’ ଛଡ଼ା ସେସବୁ ରୋଗୀଙ୍କ ଖିଆଲ ଭିନ୍ନ ଧରଣର ।

 

ଆପଣ ଟିକିଏ ଅନୁସନ୍ଧାନ କରନ୍ତୁ । ମୁଁ ମଧ୍ୟ ଆଜି ଆପଣଙ୍କ ସେଠାକୁ ଯିବି । ସେହି ରୋଗୀମାନଙ୍କ ସହିତ ମୁଁ ସାକ୍ଷାତ କରି ପାରିବି ତ ?

 

ନିଶ୍ଚୟ, ନିଶ୍ଚୟ !! ଆପଣ ସେମାନଙ୍କୁ ଦେଖିଲେ ବରଂ ଆନନ୍ଦ ପାଇବେ । ସେମାନଙ୍କୁ ଦେଖିଲେ ପୃଥିବୀର ଏକ ଶ୍ରେଣୀର ଲୋକଙ୍କ ସହିତ ଆପଣଙ୍କର ପରିଚୟ ହେବ, ଯେଉଁମାନଙ୍କର ସଂଖ୍ୟା ଆମ ଦେଶରେ ଯଥେଷ୍ଟ ବେଶୀ କିନ୍ତୁ ସେମାନେ ଚିକିତ୍ସା ଅଭାବରୁ ଅବହେଳିତ । ଲୋକେ ସେମାନଙ୍କୁ ପାଗଳ କହି ସମାଜରୁ ବାଛନ୍ଦ କରି ରଖିଛନ୍ତି । କିନ୍ତୁ ସେମାନଙ୍କର ଚିକିତ୍ସା ହୋଇପାରିଲେ, ଆମପରି ସୁସ୍ଥ ଜୀବନ ସେମାନେ ମଧ୍ୟ ଯାପନ କରିପାରନ୍ତେ ।

 

ଆପଣ କ’ଣ ସେବାସଦନରେ କେବଳ ଉନ୍ମାଦମାନଙ୍କର ଚିକିତ୍ସା କରିବେ ?

 

ଇଚ୍ଛା ସେହିପରି । କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ସବୁ ପ୍ରକାର ରୋଗୀଙ୍କୁ ଚିକିତ୍ସା କରିବାକୁ ହେବ । ଯେ କୌଣସି ଧରଣର ରୋଗୀ ଦେଖିଲେ ମୁଁ ସେମାନଙ୍କ ଯନ୍ତ୍ରଣାକୁ ନିଜର ଯନ୍ତ୍ରଣା ପରି ମନେ କରେ । ତେଣୁ କାହାରି ପ୍ରତି ଅବହେଳା କରି ପାରେନାହିଁ ।

 

ଆପଣ ଚା’ ଖାଇବେ ? ସତ୍ୟବ୍ରତ ପ୍ରସଙ୍ଗ ବଦଳାଇଲେ । ନା, ବରଂ ଆଉ ଗୋଟାଏ ସିଗାରେଟ୍ ଦିଅନ୍ତୁ । ମୁଁ ବର୍ତ୍ତମାନ ଯାଉଛି । ଖାଲି ଆପଣଙ୍କୁ ସଂବାଦଟା ଦେବାକୁ ଆସିଥିଲି ।

 

ଆପଣ ଟେଲିଫୋନ ପାଇଲେଣି ? ସତ୍ୟବ୍ରତ ପଚାରିଲେ ।

 

ନା, ତେବେ ଦିନେ ଦୁଇଦିନ ଭିତରେ ପାଇବାର ଆଶା ଅଛି । କିନ୍ତୁ ଟେଲିଫୋନ ସହିତ ଏ କେସ୍‍ର ସଂପର୍କ କ'ଣ ?

କିଛି ନୁହେଁ ଯେ, ଟେଲିଫୋନ ଆସିଗଲେ ଆପଣ ମୋ ସହିତ ଫୋନରେ କଥାବାର୍ତ୍ତା କରିବେ । ହଁ ଡକ୍ଟର ଶର୍ମା ! ଆପଣଙ୍କର ସେ ଲୋକ ସହିତ ଆଉ ଦେଖା ହୋଇଥିଲା ?

କେଉଁ ଲୋକ ?

ଯିଏ ଆପଣଙ୍କ ଏଇ କୋଠା କିଣିବା ପାଇଁ ମନା କରୁଥିଲା !

ଏଇ ଯା ! ଦେଖିଲେ, ମୁଁ ଏବେ ସବୁ କଥା ଭୁଲି ଯାଉଛି । ତାଙ୍କ ସହିତ କାଲି ମୋର ଦେଖା ହୋଇଥିଲା । ସେ ଗୋଟିଏ ରୋଗୀ ଆଣିବେ ବୋଲି କହିଗଲେ । ଅଥଚ ତାଙ୍କ ନାଁ ଟା ମୁଁ ପଚାରିପାରିଲି ନାହିଁ ।

ହେଉ, ଏଥର ମନେ କରି ପଚାରି ବୁଝିବେ ।

ଏତେ ସକାଳୁ ଏସ୍. ପି. ସାହେବଙ୍କର ଏଠାରେ ଆବିର୍ଭାବ କାହିଁକି ହୋଇଥିଲା ? ଡକ୍ଟର ଶର୍ମା ଉଠୁ ଉଠୁ ପଚାରିଲେ ।

ସେ ବେଳେ ବେଳେ ହଠାତ୍ ଆସି ପହଞ୍ଚିଯାଆନ୍ତି । ତେବେ ଗତ କେତେଦିନ ହେବ ଖୁବ୍‍ ଟିକିଏ ଗୋଳମାଳିଆ ଚାଲିଛି । କେତେଜଣ ଅପରାଧୀଙ୍କୁ ଧରିବାପାଇଁ ବର୍ତ୍ତମାନ ଆମର ମିଳିତ ଉଦ୍ୟମ ହେଉଛି । ସେହି ସମ୍ବନ୍ଧରେ କଥାବାର୍ତ୍ତା ହେଉଥିଲା ।

ମୁଁ ଆସି ତା’ହେଲେ ମଝିରେ ବାଧା ସୃଷ୍ଟି କଲି ?

ନା ନା, ଡକ୍ଟର ଶର୍ମା ! ଆପଣ ସେହିପରି ଭାବନ୍ତୁ ନାହିଁ । ଯେତେବେଳେ, ଯେଉଁ ମୁହୂର୍ତ୍ତରେ ଆପଣଙ୍କର ଦରକାର ହେବ, ନିର୍ବିକାର ଚିତ୍ତରେ ଆପଣ ଏଠାରେ ପ୍ରବେଶ କରିବେ ।

ଡକ୍ଟର ଶର୍ମା ଧୀରେ ଧୀରେ ତଳକୁ ଓହ୍ଲେଇ ଗଲେ ।

ସମରେଶ ମଦନରାୟଙ୍କ କଲିଂବେଲଟା ବାଜି ଉଠିଲା । କନ୍ୟା ନୀଳିମା ବାରଣ୍ଡାରେ ବସି ଖଣ୍ଡିଏ ମାସିକ ପତ୍ରିକା ପଢ଼ୁଥିଲା । ସମରେଶ ମଦନରାୟ ଅଳ୍ପ ସମୟ ହେବ ଶୋଇ ପଡ଼ିଥିଲେ । କଲିଂବେଲ୍‍ର ଶବ୍ଦ ଶୁଣି ନୀଳିମା ତଳକୁ ଓହ୍ଲେଇ ଗଲା ଏବଂ ଦୁଆର ଖୋଲିଦେଇ ଦେଖିଲା, ଜଣେ ବୟସ୍କ ଲୋକ ଠିଆ ହୋଇଛନ୍ତି ।

ବାପାଙ୍କର କେହି ପରିଚିତ ଲୋକ ହେବେ ଭାବି ନୀଳିମା ନମସ୍କାର ଜଣାଇଲା ।

ଆଗନ୍ତୁକ ପ୍ରତିନମସ୍କାର ନ ଜଣାଇ ମଧ୍ୟ ତଡ଼ିତ୍‍ ବେଗରେ ଗୃହଭିତରେ ପ୍ରବେଶ କଲେ ଏବଂ ଘର ସହିତ ବହୁଦିନର ପରିଚିତ ପରି ବୈଠକଖାନାକୁ ଆଗେଇ ଯାଇ ଖଣ୍ଡିଏ ଚେଆର ଅଧିକାର କରି ବସିଲେ ।

ନୀଳିମା କିପରି ଟିକିଏ ଅବାକ୍‍ ହୋଇ ଯାଇଥିଲା । ଆଗନ୍ତୁକଙ୍କ ଆଚରଣ ଖାପଛଡ଼ା ମନେ ହେଉଥିଲେ ମଧ୍ୟ, ସେ ବୟସ୍କ ହୋଇଥିବାରୁ ନୀଳିମା ବିଶେଷ କିଛି ଭାବିବାକୁ ଅବକାଶ ପାଇ ନ ଥିଲା । ଦୁଆର ବନ୍ଦ କରି ଆଗନ୍ତୁକଙ୍କ ନିକଟରେ ଯାଇ ପ୍ରବେଶ କଲା ।

ବାପା ଶୋଇଛନ୍ତି ? ଆଗନ୍ତୁକ ପ୍ରଶ୍ନ କଲେ ।

ହଁ । ନୀଳିମାର ଚାହାଣୀରେ ବୋକା ବୋକା ଭାବ ଫୁଟି ଉଠିଥିଲା ।

ତାଙ୍କ ଦେହ ଭଲ ଅଛି ତ ?

ଆଗନ୍ତୁକଙ୍କ ସ୍ଵରଟା ନୀଳିମାର ଯେପରି ଚିହ୍ନା ଚିହ୍ନା ମନେ ହେଉଥିଲା । ସେ ପଚାରିଲା, ଆପଣଙ୍କୁ ମୁଁ ଠିକ୍ ଚିହ୍ନି ପାରୁନାହିଁ । ମାତ୍ର ପୂର୍ବରୁ କେଉଁଠି....

ମୋତେ ତୁମେ ବହୁତ ଥର ଦେଖିଛ ନୀଳିମା । ଯା’ହେଉ ମୋ ପରିଚୟ ପରେ ପାଇଲେ ଚଳିବ । ବର୍ତ୍ତମାନ ତୁମର କୁଶଳ ସମାଚାର ଶୁଣିବା ପାଇଁ ମୁଁ ଛୁଟିଆସିଚି ।

ବାପାଙ୍କୁ ଡାକିବି ? ନୀଳିମା କିପରି ଦ୍ୱିଧା ଜଡ଼ିତ କଣ୍ଠରେ ପଚାରିଲା ।

ନା, ବର୍ତ୍ତମାନ ସେ ବିଶ୍ରାମ କରୁଛନ୍ତି, ପରେ ତାଙ୍କ ସହିତ ଦେଖା କଲେ ଚଳିବ । ମୁଁ ଭୀଷଣ କ୍ଳାନ୍ତ । ମୋତେ କପେ ଚା’ ଦେଇ ପାରିବ ?

ନୀଳିମା କହିଲା, ଆପଣ ଟିକିଏ ଅପେକ୍ଷା କରନ୍ତୁ, ମୁଁ ଚା’ କରି ଆଣୁଛି । ନୀଳିମା ଥରେ ଦି’ଥର ପଛକୁ ଚାହିଁ ଚାଲିଗଲା । ଆଗନ୍ତୁକ ନୀରବରେ କିଛି ସମୟ ବସି ରହି ଖଣ୍ଡିଏ ସିଗାରେଟ୍ ଧରାଇଲେ ।

ତା’ପରେ ଧୀରେ ଧୀରେ ମୁହଁରୁ ଛଦ୍ମ ଦାଢ଼ିଟି କାଢ଼ି ଟେବୁଲ ଉପରେ ଥୋଇଲେ ଏବଂ ମୋଟା ଚଉଡ଼ା ଫ୍ରେମର ଚଷମାଟି ବାହାର କରି ପକେଟ ଭିତରେ ଭରିଲେ । ଖଣ୍ଡିଏ ସାମୟିକ ପତ୍ରିକା ଉଠେଇ ନେଇ ଆଖି ଆଗରେ ମେଲେଇ ଧରି ବସି ରହିଲେ ।

କିଛି ସମୟ ପରେ ନୀଳିମାର ପଦଶବ୍ଦ ଶୁଣାଗଲା । ବୋଧହୁଏ ସେ ଚା’ ଧରି ଫେରୁଥିଲା । କିନ୍ତୁ ଆଗନ୍ତୁକ ତାଙ୍କ ଆଖି ଆଗରୁ ପତ୍ରିକାଟା ଘୁଞ୍ଚାଇଲେ ନାହିଁ । କିଛି ନ ଶୁଣିଲା ପରି ନୀରବରେ ବସି ପତ୍ରିକା ପାଠ କରୁଥିଲେ ।

 

ନୀଳିମା ଚା’ ଟ୍ରେ’ ଟା ଧରି କେତୋଟି ମିନିଟ୍‍ ଅପେକ୍ଷା କଲା ପରେ, ଧୀରେ ଧୀରେ କହିଲା, ଚା’ ନିଅନ୍ତୁ ।

 

ଟେବୁଲ ଉପରେ ରଖ । ଆଗନ୍ତୁକ ସେହିପରି ପତ୍ରିକା ମଧ୍ୟରେ ମୁହଁ ଲୁଚାଇ ଉତ୍ତର ଦେଲେ ।

 

ନୀଳିମା ଚା' ଥୋଇ ଅପେକ୍ଷା କଲା ।

 

ଆଗନ୍ତୁକ ଧୀରେ ଧୀରେ ମୁହଁ ଆଗରୁ କାଗଜଟା ଘୁଞ୍ଚେଇ ନେଲେ । ନୀଳିମା ଚିତ୍କାର କରି ଉଠୁଥିଲା । ଆଗନ୍ତୁକ ତା’ ପାଟିରେ ହାତ ଦେଇ ନିବର୍ତ୍ତାଇଲେ । କହିଲେ, ତୁମେ ଭୟ କରୁଚ ନୀଳିମା ! ଦସ୍ୟୁ ଲାଲସିଂହ ଅନ୍ୟମାନଙ୍କ ନିକଟରେ ନୃଶଂସ, ଆତଙ୍କ ହୋଇପାରେ, କିନ୍ତୁ ତମ ନିକଟକୁ ସେ ଯେ କିପରି ବିଦଗ୍‍ଧ ପ୍ରାଣ ଧରି ଛୁଟି ଆସିଚି; ତମେ କ’ଣ ବୁଝିବନି ରାଣୀ ।

 

ନୀଳିମା ଗାମ୍ଭୀର୍ଯ୍ୟ ରକ୍ଷା କରିବାକୁ ଯାଇ ଶେଷ ପର୍ଯ୍ୟନ୍ତ ପାରିଲା ନାହିଁ । ସେ ଆଗନ୍ତୁକଙ୍କର କରୁଣ ସ୍ଵର ଶୁଣି ହସି ପକାଇଲା ।

 

ତୁମେ ମୋତେ କ୍ଷମା କରିପାରିବ ତ ?

 

କିନ୍ତୁ ତୁମେ ପୁଣି ମୋ ପଛରେ କାହିଁକି ଲାଗିଛ ? ଏଥର କ’ଣ ତୁମର ପରିଚୟ ?

 

ମୋତେ ସେହି ଅଶୋକ ଦାସ କୁହ । ଯେଉଁ ପରିଚିତି ମୋତେ ଆକାଶର ଚନ୍ଦ୍ର ତୋଳି ଦେଲା, ଯେଉଁ ନାମରେ ମୁଁ ତମ ହୃଦୟର କରୁଣା ପାଇ ପାରିଲି, ସେଇ ଅଶୋକ ଦାସ ହୋଇ ମୁଁ ଚିରଦିନ ରହି ପାରିବି ରାଣୀ । ତୁମେ ଖାଲି କୁହ, ମୋତେ କ୍ଷମା କରି ଦେଇଚ !

 

ନୀଳିମା ହସି ହସି ଚା’ କପଟି ଲାଲସିଂହ ହାତକୁ ବଢ଼ାଇ ଦେଇ କହିଲା, ତୁମେ ଆଗ ଚା’ ଖାଅ ତ ! ଏ କେତେଦିନ ଭିତରେ ଖୁବ୍‍ ଦୁଷ୍ଟ ହୋଇଯାଇଛ ଦେଖୁଚି ।

 

ତୁମେ ବିଶ୍ୱାସ କରିପାରିବ ନାହିଁ ନୀଳିମା ! ବନ୍ଦୀ ହେବା ପରଠାରୁ ମୁଁ ଗୋଟିଏ ଦିନ ବି ଶ୍ଵସ୍ତିରେ ନିଶ୍ୱାସଟିଏ ପକାଇ ପାରିନାହିଁ । ପ୍ରତିଟି ମୁହୂର୍ତ୍ତ କେବଳ ଆଚ୍ଛନ୍ନତା ଭିତରେ କଟିଛି, ଆଉ ମନେ ହୋଇଚି ତୁମେ ଯେପରି ମୋତେ ସବୁବେଳେ ହାତଠାରି ଡାକୁଚ । ଶେଷଯାଏ ଧୈର୍ଯ୍ୟ ଧରି ରହିପାରିଲି ନାହିଁ ।

 

ତୁମର ଅନ୍ତର୍ଦ୍ଧାନ କାହାଣୀ ଯେଉଁଦିନ ମୁଁ ଖବରକାଗଜରୁ ପଢ଼ିଲି, ସେଦିନ ମୋର କେତେ ଯେ ଆନନ୍ଦ, ସେ କଥା ତମେ ବୁଝିପାରିବ ନାହିଁ । ସେଇଦିନଠାରୁ ମୁଁ ପ୍ରତି ମୁହୂର୍ତ୍ତରେ ତୁମ ପ୍ରତୀକ୍ଷା କରୁଥିଲି ।

 

*ବନ୍ଦୀ ଲାଲସିଂହରେ ଅଶୋକ ଦାସଙ୍କର ବିଚିତ୍ର ଅଭିଯାନ କାହାଣୀ ପଢ଼ନ୍ତୁ ।

 

ସତ କହୁଚ ରାଣୀ ! ଲାଲସିଂହ ନୀଳିମାର ଆଉ ଟିକିଏ ପାଖକୁ ଘୁଞ୍ଚି ବସିଲା ।

 

ଛି ! ବାପା ଉପରେ ଅଛନ୍ତି ଯେ ! ଆଚ୍ଛା ସତ କହିଲ, ତମେ କେଉଁ ସାହସରେ ଆସି ଆମ ଘରେ ପ୍ରବେଶ କରିଛ ? ତମୁକୁ ଧରେଇ ଦେବାପାଇଁ ଦଶହଜାର ଟଙ୍କା ପୋଲିସ୍‍ ତରଫରୁ ପୁରସ୍କାର ଘୋଷଣା କରାହୋଇଛି, ସେ ଖବର ରଖିଛ ?

 

ସବୁ ଖବର ରଖିଛି ରାଣୀ ! ମୁଁ ତୁମକୁ ଆଜିଠାରୁ ରାଣୀ ବୋଲି ଡାକିବି । ତମର କୌଣସି ଅଭିଯୋଗ ହେବ ନାହିଁ ତ !

 

ତମେ ଆଜିକାଲି ଖୁବ ଭାବପ୍ରବଣ ହୋଇ ପଡ଼ିଛ ଦେଖୁଛି । କିନ୍ତୁ ଗୋଟାଏ କଥା ଅଶୋକ ବାବୁ ! ପୋଲିସ୍‍ ଆମ ଘର ଉପରେ କଡ଼ା ଦୃଷ୍ଟି ରଖିଛନ୍ତି । ତମେ ଅନ୍ତର୍ଦ୍ଧାନର ପରଦିନଠାରୁ ପ୍ରାୟ ପ୍ରତିଦିନ ଏଠାକାର ପୋଲିସ୍‍ ଇନିସ୍‍ ପେକ୍ଟର ଆସି ତମର ଅନୁସନ୍ଧାନ କରିଯାଉଛନ୍ତି ।

 

ମୁଁ ଜାଣିଛି ରାଣୀ ! ସବୁ ଖବର ମୁଁ ରଖିଛି । ଯାହା ଫଳରେ ଆଜିଯାଏ ଏଠାକୁ ଆସିବା ସମ୍ଭବ ହୋଇ ପାରି ନ ଥିଲା ।

 

ବାପା କିନ୍ତୁ ତମପ୍ରତି କିପରି ସନ୍ଦିଗ୍‍ଧ ମନୋବୃତ୍ତି ନେଇ ବସି ରହିଛନ୍ତି ।

 

ବାପାଙ୍କ ପାଖରେ ମୋ ପରିଚୟ ଭିନ୍ନ ହେବ । ଯେଉଁ ଛଦ୍ମବେଶରେ ମୁଁ ଆସିଥିଲି, ସେଇଟା ଦେଖି ତମେ ଚିହ୍ନିପାରିନ ଯେତେବେଳେ, ବାପା ମଧ୍ୟ ଚିହ୍ନି ପାରିବେ ନାହିଁ ।

 

କିନ୍ତୁ ପୋଲିସ୍‍ ଠିକ୍ ସନ୍ଦେହ କରିବ ।

 

ସେ ଦାୟିତ୍ୱ ମୋର । ତୁମ ଉପରେ ସେମାନେ କେବେ ଯଦି କୌଣସି ଦୋଷାରୋପ କରନ୍ତି, ମୁଁ ସେମାନଙ୍କୁ କଠୋର ଶାସ୍ତି ଦେବି ।

 

କିନ୍ତୁ ଏହି ଛଦ୍ମ ଆବରଣ ତଳେ ନିଜକୁ କେତେଦିନ ଲୁଚାଇ ରଖିବ ?

 

ଯେତେଦିନ ଯାଏ ଦେଶର ଦୁର୍ନୀତି ଦୂର ନ’ ହୋଇଚି ।

 

ଯେତେଦିନ ପର୍ଯ୍ୟନ୍ତ......

 

ନୀଳିମା......

 

ଉପରୁ ସମରେଶ ମଦନରାୟଙ୍କ କଣ୍ଠସ୍ଵର ଶୁଣାଗଲା । ବୋଧହୁଏ ଉପରୁ ସେ ତଳକୁ ଓହ୍ଲେଇ ଆସୁଥିଲେ । ଲାଲସିଂହ କ୍ଷିପ୍ର ହସ୍ତରେ ଛଦ୍ମ ଦାଢ଼ିଟି ଟେବୁଲ ଉପରୁ ଉଠାଇ ନେଇ ମୁହଁରେ ଲଗାଇଲା ଏବଂ ପକେଟରୁ ମୋଟା ଫ୍ରେମର ଚଷମାଟା ବାହାର କରି ଆଖିରେ ଲଗାଇଲା । ଚା’ କପଟା ଉଠାଇ ନେଇ ପିଇବା ଆରମ୍ଭ କରିଦେଲା ।

 

ସମରେଶ ମଦନରାୟ ତଳକୁ ଓହ୍ଲେଇ ଆସୁଥିବାର ଦେଖି ନୀଳିମା ଟିକିଏ ଇତସ୍ତତଃ ହୋଇ ପଡ଼ିଲା । ବାପା ଯଦି ପରିଚୟ ପଚାରନ୍ତି, କି ଉତ୍ତର ଦେବ ସେ ।

 

କିନ୍ତୁ ସମରେଶ ମଦନରାୟ କୌଣସି ପ୍ରଶ୍ନ ପଚାରିବା ଆଗରୁ ଲାଲସିଂହ ନିଜର ଆସନରୁ ଉଠିପଡ଼ି, ସମରେଶ ମଦନରାୟଙ୍କୁ ଅଭିବାଦନ ଜଣାଇଲା ଏବଂ କିପରି ଏକ ଗମ୍ଭୀର କଣ୍ଠରେ କହିଲା, ମୋତେ ଆପଣ ଚିହ୍ନିପାରିବେ ନାହିଁ । କିନ୍ତୁ ନୀଳିମା ଠାରୁ ଆପଣଙ୍କ ଗଭୀର ଜ୍ଞାନର ପରିଚୟ ମୁଁ ପାଇଛି । ନୀଳିମାର ଅଧ୍ୟୟନ ସମୟରେ ମୁଁ ତା’ର ଅଧ୍ୟାପକ ଥିଲି । ଲାଲସିଂହ ନୀଳିମା ମୁହଁକୁ ଚାହିଁ ଯେପରି ଶ୍ଵସ୍ତିର ହସ ହସିଲେ । ନୀଳିମା ସମରେଶ ମଦନରାୟଙ୍କୁ ଓହ୍ଲାଇ ଆଣୁ ଆଣୁ କହିଲା, ମୁଁ ଆମର ସାଇକୋଲୋଜି ପ୍ରଫେସରଙ୍କ କଥା ଅନେକ ଥର ତମୁକୁ କହିଥିବି, ତମର ନିଶ୍ଚୟ ମନେ ଥିବ । ଏଇ ଆମର ସାଇକୋଲୋଜି ପ୍ରଫେସର ଥିଲେ-

 

ସମରେଶ ମଦନରାୟ ପ୍ରତ୍ୟାଭିବାଦନ ଜଣାଇ ଖଣ୍ଡିଏ ଚେଆର ଅଧିକାର କରି ବସୁ ବସୁ କହିଲେ, ଚମତ୍କାର ପଦାର୍ଥ । ମନସ୍ତତ୍ତ୍ୱ ସମ୍ବନ୍ଧରେ ଯେତେ ଅଧ୍ୟୟନ କଲେ ମଧ୍ୟ ପିପାସା କେବେ ମେଣ୍ଟିବ ନାହିଁ । ଆପଣଙ୍କ ପରିଚୟ ପାଇଁ ଅତ୍ୟନ୍ତ ଖୁସି ହେଲି ପ୍ରଫେସର....

 

ଦାସ । ନୀଳିମା ପୂରଣ କଲା ।

 

ମଦନରାୟ ଆଉଥରେ ଆଖି ଟେକି ପ୍ରଫେସର ଦାସଙ୍କ ମୁହଁକୁ ଅନାଇଲେ । ମୋଟା ଫ୍ରେମ୍‍ର ଚଷମା ତଳେ ତୀକ୍ଷ୍‍ ଣ ଆଖି ଦୁଇଟିରୁ ଯେପରି ବୁଦ୍ଧିର ଦୀପ୍ତି ଝରି ପଡ଼ୁଥିଲା ।

 

କିନ୍ତୁ ଆପଣ ଏପରି ଏକ ଅସମୟରେ ଆସିଲେ, ଯେତେବେଳେ ଆପଣଙ୍କ ସହିତ ମୁଁ କଥାବାର୍ତ୍ତା କରିବାକୁ ଅବକାଶ ପାଇଲି ନାହିଁ । ବର୍ତ୍ତମାନ ମୋର ସମୁଦ୍ରକୂଳକୁ ବୁଲିଯିବାର ସମୟ ହୋଇଗଲାଣି । ଡାକ୍ତରଙ୍କର କଡା ନିର୍ଦ୍ଦେଶ ଯେ, ଚିକିତ୍ସାର ଅବହେଳା ଯେପରି ନ ହୁଏ । ଆପଣ ବରଂ ନୀଳିମା ସହିତ ଗଳ୍ପ କରନ୍ତୁ, ମୁଁ ଚାକରଟାକୁ ସଙ୍ଗରେ ନେଇ....

 

ସେ କିପରି କଥା ମି. ମଦନରାୟ । ନୀଳିମା ଆପଣଙ୍କ ସହିତ ଯାଉ, ମୁଁ ବରଂ କାଲି ଆଉଟିକେ ସଅଳ ସଅଳ ଆସି ଆପଣଙ୍କ ସହିତ ଗଳ୍ପ କରିବି । ପୁରୀରେ ମୁଁ ଆହୁରି ଦୁଇ ତିନି ଦିନ ରହୁଚି ।

 

ନା ନା ପ୍ରଫେସର ଦାସ ! ସେଇଟା ସଙ୍ଗତ ହେବ ନାହିଁ । ମୋ ଝିଅର ଆପଣ ଶିକ୍ଷାଗୁରୁ । ଘରକୁ ଆସି ନ ଖାଇ ନ ପିଇ ଚାଲିଗଲେ ନୀଳିମା ମନରେ ନିଶ୍ଚୟ ଆଘାତ ଲାଗିବ । ଆପଣ ବରଂ ବସି କଥାବାର୍ତ୍ତା କରନ୍ତୁ, ମୁଁ ଯାଇ ଶୀଘ୍ର ଫେରିଆସୁଛି ।

 

ମଦନରାୟ ଚାକର ସହିତ ସମୁଦ୍ରକୂଳକୁ ବାହାରିଗଲେ ।

 

ପ୍ରଫେସର ଦାସ ନୀଳିମା ଆଡ଼େ ଚାହିଁ ହସିଉଠିଲେ ।

 

ନୀଳିମା ଗୋଟିଏ ଦୀର୍ଘ ନିଶ୍ୱାସ ତ୍ୟାଗ କରି କହିଲା, ତମେ ମୋତେ ଖୁବ୍‍ ବଞ୍ଚାଇ ଦେଲ, ତା’ ନ ହେଲେ, କ’ଣ ଯେ ଉତ୍ତର ଦେଇ ଥାଆନ୍ତି ବାପାଙ୍କୁ, ନିଶ୍ଚୟ ଆଜି ଧରାପଡ଼ି ଯାଇଥାଆନ୍ତି । କିନ୍ତୁ ତମେ ମୋର ଯେଉଁ ପରିଚୟ କରାଇଦେଲ ବାପାଙ୍କ ପାଖରେ, ସେ ଯଦି ସାଇକୋଲୋଜି ସମ୍ବନ୍ଧୀୟ କୌଣସି କଥା ମୋତେ ପଚାରି ଥାଆନ୍ତେ ତେବେ ମୋ ଅବସ୍ଥାଟା କ’ଣ ହୋଇ ଥାଆନ୍ତା ଭାବିଲ !

 

ମୋ ମତରେ ତମେ ଜଣେ ବଡ଼ ସାଇକୋଲୋଜିଷ୍ଟ । ତା’ ନ ହେଲେ......

 

ଦରଜାରେ ପୁଣି କାହାର କରାଘାତ ଶୁଣି, ନୀଳିମାର କଥା ଅସମାପ୍ତ ରହିଗଲା ।

 

ହଠାତ୍ ନୀଳିମା ମନରେ କିପରି ବିଷର୍ଣ୍ଣତାର ଏକ କଳାମେଘ ଘୋଟି ଆସିଲା ।

 

ବାହାରେ ପୋଲିସ୍‍, ନା ରାଣୀ ?

 

ମୋର ସେହିପରି ମନେ ହେଉଛି ।

 

ମୁହୂର୍ତ୍ତେ ମାତ୍ର । ତା’ପରେ ଲାଲସିଂହ ନୀଳିମା କାନରେ ଚୁପ ଚୁପ କ’ଣ କହିଦେଇ ଧୀର ପଦରେ ଉପରକୁ ଉଠି ଚାଲିଗଲା ।

 

ନୀଳିମା ଉଠିଯାଇ ଦରଜା ଖୋଲିଦେଲା ।

 

ପୋଲିସ୍‍ ଇନିସ୍‍ ପେକ୍ଟରଙ୍କ ସହିତ ସତ୍ୟବ୍ରତ ମହାପାତ୍ର ଅପେକ୍ଷା କରିଥିଲେ । ନମସ୍କାର ବିନିମୟ ପରେ ସତ୍ୟବ୍ରତ କହିଲେ, ଅସମୟରେ ଆପଣଙ୍କୁ ବିରକ୍ତ କଲୁ, କ୍ଷମା କରିବେ-

 

ନୀଳିମା କେବଳ ସ୍ମିତ ହସିଲା ।

 

ଦୁହେଁ ଭିତରେ ପ୍ରବେଶ କଲେ । ସତ୍ୟବ୍ରତ ବୈଠକଖାନାରେ ପହଞ୍ଚି ଏତେ ତେଣେ ବିକ୍ଷିପ୍ତ ଚାହାଣୀ ବୁଲେଇ ନେଇ କହିଲେ, ବସାନ୍ତୁ ନୀଳିମା ଦେବୀ । ଆପଣଙ୍କ ସହିତ କେତେକ ଆଲୋଚନା କରିବାର ଅଛି । କୁହନ୍ତୁ, ବାପା କିପରି ଅଛନ୍ତି ?

 

ନୀଳିମା ଗୋଟିଏ ଚେଆରକୁ ଆଉଜି ଠିଆ ହୋଇଥିଲା । ଧୀର ସ୍ଵରରେ କହିଲା, କାଲି ରାତିଠାରୁ ଅସୁସ୍ଥତା ଟିକିଏ ବଢ଼ିଯାଇଛି ।

 

ଟେବୁଲ ଉପରେ ଥିବା ଆଷ୍ଟ୍ରେର ଏକ କ୍ଷୀଣ ଧୂମଶିଖା ଉଠୁଥିଲା । ସତ୍ୟବ୍ରତ ସେଇଆଡ଼େ ନିର୍ନିମେଶ ନୟନରେ ଚାହିଁଥିଲେ । ନୀଳିମା ମଧ୍ୟ ସତ୍ୟବ୍ରତ ଆଖିର ଲକ୍ଷ୍ୟ ବୁଝି ପାରିଥିଲା ।

 

ବର୍ତ୍ତମାନ କିପରି ଅଛନ୍ତି ? ସତ୍ୟବ୍ରତ ପଚାରିଲେ ।

 

ଏଇ ଶୋଇଲେ । ଦୁଇଦିନ ହେବ ନିଦ ହେଉ ନ ଥିଲା । ଡାକ୍ତର ଆସି ଇଞ୍ଜେକସେନ ଦେଇ ଶୁଆଇ ପକାଇଛନ୍ତି । ଆପଣଙ୍କ ଆଗେ ଆଗେ ଡାକ୍ତର ବାହାରିଗଲେ । ଏଇଠି ବସି ମୋ ସହିତ ପ୍ରାୟ ପାଞ୍ଚ ସାତ ମିନିଟ୍‍ କଥାବାର୍ତ୍ତା କରି ଗଲେ । କହି ଗଲେ, ଭାବିବାର କିଛି ନାହିଁ, ବ୍ଳଡ଼ପ୍ରେସର ରୋଗୀଙ୍କର ବେଳେ ବେଳେ ଏହିପରି ହୋଇଥାଏ ।

 

ହୁଁ, ସତ୍ୟବ୍ରତ ରହି ରହି ସିଗାରେଟ୍‍ର କ୍ଷୀଣ ଧୂମଶିଖା ଆଡ଼େ ଚାହୁଁଥିଲେ ଏବଂ ପରିତ୍ୟକ୍ତ କପ୍‍ ଡ଼ିସ୍‍ ଗୁଡ଼ିକ ସମ୍ବନ୍ଧରେ ମଧ୍ୟ ତାଙ୍କ ମନରେ ଆଗ୍ରହ ଜନ୍ମିଥିଲା । କିନ୍ତୁ ନୀଳିମା ମୁହଁରୁ ଡାକ୍ତରଙ୍କ କଥା ଶୁଣି, ସେ କିପରି ଟିକିଏ ଗମ୍ଭୀର ହୋଇ ଯାଇଥିଲେ ।

 

ମି. ମଦନରାୟ ତା’ହେଲେ ଉପରେ ଶୋଇଛନ୍ତି ? ଇନିସ୍‍ ପେକ୍ଟର ପଚାରିଲେ ।

 

ହଁ, ନୀଳିମା ସଂକ୍ଷିପ୍ତ ଉତ୍ତରଟିଏ ଦେଲା ।

 

ଶୁଣନ୍ତୁ ନୀଳିମା ଦେବୀ, ସତ୍ୟବ୍ରତ ଆରମ୍ଭ କଲେ । ମୁଁ ଗୋଟିଏ ବିଶେଷ କାରଣରେ ଆପଣଙ୍କ ନିକଟକୁ ଆସିଚି । ଆପଣ ହୁଏତ ମୋ ଆସିବାର ଉଦ୍ଦେଶ୍ୟ ବୁଝିପାରିଥିବେ । କିନ୍ତୁ ଆପଣ ଯଦି ମିଥ୍ୟା କୁହନ୍ତି, ତା’ହେଲେ ଭୀଷଣ ଅପରାଧ କରିବେ । କାରଣ ଦେଶ ଓ ଜାତି ପାଇଁ ପ୍ରତ୍ୟେକଙ୍କର କିଛି ନା କିଛି କର୍ତ୍ତବ୍ୟ ଅଛି । ଜାତିର ନିରାପତ୍ତା ପାଇଁ ଆମେ ଆପଣଙ୍କ ନିକଟରୁ ସାମାନ୍ୟ ସାହାଯ୍ୟ ଟିକିଏ ପାଇଁ ଆସିଛୁ ।

 

ନୀଳିମା ନୀରବରେ ଠିଆ ହୋଇଥିଲା ।

 

ସତ୍ୟବ୍ରତ ମୁହୂର୍ତ୍ତେ ଅପେକ୍ଷା କରି ପୁଣି କହିଲେ, ଦସ୍ୟୁ ଲାଲସିଂହ ନିଶ୍ଚୟ ଆପଣଙ୍କ ଏଠାକୁ ଆସିଥିବ । ଆପଣ ନା କହିଲେ ମଧ୍ୟ ମୁଁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହେଁ । ସେ ଆଜି ଜାତିର ଗୋଟାଏ ଆତଙ୍କ ହୋଇ ଦେଖା ଦେଇଛି । ତେଣୁ ଆପଣ ଲାଲସିଂହ ସମ୍ବନ୍ଧରେ ସବିଶେଷ ବିବରଣୀ ଦେଇ ଆମକୁ ସାହାଯ୍ୟ କରିବେ, ଆଶା କରୁଚୁ ।

 

ନୀଳିମା ସେହିପରି ନୀରବରେ ଠିଆ ହୋଇଥିଲା ।

 

ସତ୍ୟବ୍ରତ ନୀଳିମା ମୁହଁକୁ ଅନାଇ ରହିଥିଲେ ।

 

କ’ଣ କୁହନ୍ତୁ ! ସତ୍ୟବ୍ରତ ଦୀର୍ଘ ପ୍ରତୀକ୍ଷା ପରେ କହିଲେ ।

 

ମୋର ଆଉ କହିବାର କ'ଣ ଅଛି ? ନୀଳିମା କହିଲା । ଆପଣ ତ ସବୁ ଜାଣିଛନ୍ତି । ଆପଣଙ୍କ ବିଶ୍ୱାସକୁ ଭଙ୍ଗ କରିବା ଭଳି ଦୁଃସାହସ ମୋର ନାହିଁ ।

 

ତା’ ହେଲେ ଲାଲସିଂହ ଏଠାକୁ ଆସିଥିଲା ?

 

ନୀଳିମା କ’ଣ କହିବାକୁ ଯାଉଥିଲା, କିନ୍ତୁ ଉପରୁ ବେଦନାବ୍ୟଥିତ ଚିତ୍କାର ଶୁଣି ସେ ଛୁଟି ଚାଲିଗଲା । ସତ୍ୟବ୍ରତ ନୀଳିମାର ଯିବା ପଥକୁ ଅନାଇ ରହି କହିଲେ, ଆପଣଙ୍କ ଇନ୍‍ଫରମର ଠିକ୍ ଦୃଷ୍ଟି ରଖିଛିତ ?

 

ହଁ, ତା’ ରିପୋର୍ଟ ଅନୁସାରେ, ଏ ଘରକୁ କୌଣସି ବାହାର ଲୋକ ଦୀର୍ଘ କେତେଦିନ ଧରି ଆସି ନାହାନ୍ତି । ଇନିସ୍‍ ପେକ୍ଟର କହିଲେ ।

 

କିନ୍ତୁ ଲାଲସିଂହର ଏଠାକୁ ଆସିବାର କଥା । ସେ ନ ଆସି ରହି ପାରେନା । ନୀଳିମା ପ୍ରତି ତା’ର ପ୍ରବଳ ଆକର୍ଷଣର ଭାବ ଗତଥର ମୁଁ ଲକ୍ଷ୍ୟ କରିଛି । ସେଦିନୁ ଯେ ଆଜିଯାଏ କିପରି ସେ ଏଠାକୁ ଆସିନାହିଁ, ମୁଁ ବିଶ୍ୱାସ କରି ପାରୁନାହିଁ । ସତ୍ୟବ୍ରତ ଉଠି ଠିଆ ହେଲେ ଏବଂ ବୈଠକଖାନାର ଚାରିଆଡ଼େ ଦୃଷ୍ଟି ଫେରାଇ ନେଇ କହିଲେ, ଆସନ୍ତୁ ମି. ମଦନରାୟଙ୍କୁ ଟିକିଏ ଦେଖି ଆସିବା ।

 

ସତ୍ୟବ୍ରତ ଉପରକୁ ଉଠିଲେ, ପଛେ ପଛେ ଇନିସ୍‍ ପେକ୍ଟର । ଶିଡ଼ିର ଶେଷ ପାହାଚରେ ଗୋଡ଼ ଦେଇ ଦେଖିଲେ, ନୀଳିମା ତାଙ୍କରି ଆଡ଼କୁ ଆସୁଚି । ଅଳ୍ପ ଦୂରରେ ଏକ ପ୍ରଶସ୍ତ ବାରଣ୍ଡାରେ ମି ମଦନରାୟ ଶୋଇଛନ୍ତି । ନୀଳିମା ଆସି ସତ୍ୟବ୍ରତଙ୍କ ସାମନାରେ ଠିଆ ହେଲା । କହିଲା, ବାପା ଗାଢ଼ ନିଦରେ ଶୋଇ ମଧ୍ୟ ଯନ୍ତ୍ରଣା ଅନୁଭବ କରୁଛନ୍ତି ।

 

ସତ୍ୟବ୍ରତ ଓ ଇନିସ୍‍ ପେକ୍ଟର ସେଉଠୁ ଠିଆ ହୋଇ ମି: ମଦନରାୟଙ୍କ ଶେଯଆଡ଼େ ଅନାଇ ରହିଲେ । ମଦନରାଏଙ୍କ ମୁହଁଟା ଆରପାଖକୁ ବୁଲେଇ ଥିଲେ । ଖଣ୍ଡିଏ ଦାମି ଶାଲ୍‍ରେ ଶରୀରର ଅନ୍ୟ ଅଂଶ ଆବୃତ୍ତ ହୋଇଥିଲା ।

 

ନୀଳିମା ସହିତ ସତ୍ୟବ୍ରତ ଓ ଇନିସ୍‍ ପେକ୍ଟର ପୁଣି ତଳକୁ ଓହ୍ଲେଇ ଆସିଥିଲେ । ଏଥର ନୀଳିମା କହିଲା, ଆପଣ ନିଜ ମତରେ ନିଜେ ଦୃଢ଼ପ୍ରତିଜ୍ଞା ଯେତେବେଳେ, ତା’ ହେଲେ ଲାଲସିଂହ ଏଠାକୁ ଆସିଥିଲା ବୋଲି ଧରି ନିଅନ୍ତୁ ।

 

ଶୁଣନ୍ତୁ ନୀଳିମା ଦେବୀ, ଆପଣଙ୍କ କଥା ଶୁଣି ମନେ ହେଉଚି, ଆପଣ ମୋ ପ୍ରଶ୍ନରେ ଆଘାତ ପାଇଚନ୍ତି ଏବଂ ଅଭିମାନ କରି ଏପରି କଥା କହୁଛନ୍ତି । କିନ୍ତୁ ମୁଁ ଜାଣେ, (ଅବଶ୍ୟ ମୋତେ କ୍ଷମା କରିବେ) ଲାଲସିଂହ ଆପଣଙ୍କୁ ଖୁବ୍‍ ଭଲପାଏ ।

 

ମୁଁ କିନ୍ତୁ ଲାଲସିଂହକୁ ଭୀଷଣ ଘୃଣା କରେ । ନୀଳିମା କଣ୍ଠସ୍ଵର କଠିନ ଓ ଦୀପ୍ତ ହୋଇ ଉଠିଥିଲା । ନାକରୁ ତା’ର ଦୀର୍ଘଶ୍ୱାସ ବାହାରୁ ଥିଲା । କହିଲା, ଆପଣ କିନ୍ତୁ ଗୋଟାଏ ହୀନ, ପିଶାଚ, ଦସ୍ୟୁର ସନ୍ଧାନ ଆଣି ଜଣେ ଭଦ୍ର ମହିଳାଙ୍କ ନିକଟରେ ଖୋଜୁଛନ୍ତି ଏବଂ ତା’ସହିତ ମୋତେ ଏପରି ଅଶ୍ଳୀଳ ଭାବରେ ସଂଶ୍ଳିଷ୍ଟ କରୁଛନ୍ତି, ଯାହା କରିବା ଆପଣଙ୍କ ପରି ଏକ ଦାୟିତ୍ୱପୂର୍ଣ୍ଣ ଲୋକ ପକ୍ଷରେ ଅନୁଚିତ । ଅନ୍ୟ କେହି ମୋ ପ୍ରତି ଏପରି ଇଙ୍ଗିତ କରିଥିଲେ ମୁଁ ତାକୁ ପୋଲିସ୍‍ରେ ଦେଇଥାଆନ୍ତି, କିନ୍ତୁ ଆପଣ ସଂଗରେ ପୋଲିସ୍‍ ଧରି ଆସିଛନ୍ତି ଯେତେବେଳେ...ତା’ଛଡ଼ା ବାପା ଖୁବ୍‍ ଅସୁସ୍ଥ । ନୀଳିମାର କଣ୍ଠ ଶେଷ ଆଡ଼କୁ କରୁଣ ହୋଇ ଆସିଲା ।

 

ସତ୍ୟବ୍ରତ ମହାପାତ୍ର ଏପରି ଉତ୍ତର ଶୁଣି ଖୁବ୍‍ ଲଜ୍ଜିତ ହେଲେ । କହିଲେ, ମୋତେ କ୍ଷମା କରିବେ ନୀଳିମା ଦେବୀ, ମୋର ଅନ୍ୟାୟ ହୋଇଛି । ଆପଣ ଯଦି ମୋ କଥାରେ ଆଘାତ ପାଇଁ ଥାଆନ୍ତି, ତା’ହେଲେ ମୋର ଅନୁତାପର ସୀମା ରହିବ ନାହିଁ । ମୁଁ ଆଉ କୌଣସି ଦିନ ଲାଲସିଂହର ଅନୁସନ୍ଧାନ କରିବା ପାଇଁ ଆପଣଙ୍କ ଘରକୁ ଆସିବି ନାହିଁ ।

 

ନା, ମୁଁ ସେ କଥା କହୁନାହିଁ । ଦେଶର ଶତ୍ରୁ ଓ ଜାତିର ଆତଙ୍କକୁ ଦୂର କରିବା ପାଇଁ ପ୍ରତ୍ୟେକ ନାଗରିକର ଅଳ୍ପ ବହୁତ କର୍ତ୍ତବ୍ୟ ରହିଛି । ମୁଁ ଆପଣଙ୍କ ସହିତ ଲାଲସିଂହକୁ ଧରିବା ପାଇଁ ଯଥା ସାଧ୍ୟ ସହଯୋଗ କରିବାକୁ ପ୍ରସ୍ତୁତ ଅଛି । କିନ୍ତୁ ଆପଣଙ୍କର ମୋ ପ୍ରତି ଏପରି ଦୋଷାରୋପ... ଧରନ୍ତୁ ମୁଁ ଯଦି ଆପଣଙ୍କ ନିଜର ଭଉଣୀ ହୋଇ ଥାଆନ୍ତି, ଆପଣ କଣ...

 

ପୁଣି ଦରଜାରେ କାହାର କରାଘାତ ଶୁଣାଗଲା । ନୀଳିମାର କଥା ଅସମାପ୍ତ ରହିଗଲା-। ଏଥର କିନ୍ତୁ ମୁହଁରେ ଚଞ୍ଚଳତା ନୀଳିମା ଆଉ ଲୁଚେଇ ପାରିଲା ନାହିଁ । ସେ ଦରଜା ଖୋଲିବାକୁ ଯିବ କି ନାହିଁ ସ୍ଥିର କରିବା ଆଗରୁ ଶିଡ଼ିରେ କାହାର ଲଘୁ ପାଦଶବ୍ଦ ଶୁଣି ଦୃଢ଼ ଭାବରେ ବସି ରହି କହିଲା, ମୁଁ ଯଦି ଆପଣଙ୍କ ଭଉଣୀ ହୋଇଥାଆନ୍ତି, ତା’ହେଲେ ଆପଣ କ’ଣ ମୋ ପ୍ରତି ଏପରି ଦୋଷାରୋପ କରିପାରିଥାଆନ୍ତେ ?

 

ଦରଜାରେ କରାଘାତ ହେଉଥିଲା ।

 

କିଏ ବାହାରେ ? ସତ୍ୟବ୍ରତ ପଚାରିଲେ ।

 

କେଜାଣି, ନୀଳିମା କହିଲା, ଚାକର ଆସୁଛି । ଖୋଲି ଦେବ ।

 

ସେଇ ମୁହୂର୍ତ୍ତରେ ଉପରୁ ଜଣେ ଓହ୍ଲେଇ ଆସିବାର ସତ୍ୟବ୍ରତ ଦେଖିଲେ । ଜଣେ ବୟସ୍କ ଲୋକ ପରି ମନେ ହେଉଥିଲା । କିନ୍ତୁ ସ୍ପଷ୍ଟ ସେ ଦେଖି ପାରି ନ ଥିଲେ । ସତ୍ୟବ୍ରତ ଯେଉଁଠି ବସିଥିଲେ ସେଠାରୁ ଶିଡ଼ିର ଗୋଟିଏ ଅଂଶ ସାମାନ୍ୟ ଦେଖାଯାଉଥିଲା । ସତ୍ୟବ୍ରତ ନୀଳିମାର ଆଉ କୌଣସି ପ୍ରଶ୍ନର ଉତ୍ତର ନ ଦେଇ ଆଗନ୍ତୁକ ଗଭୀର ଆଗ୍ରହ ସହକାରେ ପ୍ରତୀକ୍ଷା କରୁଥିଲେ । ତାଙ୍କ ମନ ଭିତରେ ଉତ୍କଣ୍ଠା ଜାଗି ଉଠିଥିଲା । ଆଗନ୍ତୁକଟି କାଳେ ଯଦି ଲାଲସିଂହ ହୋଇଥାଏ ! ତା’ହେଲେ ସୁବର୍ଣ୍ଣ ସୁଯୋଗ !!

 

ନୀଳିମା ସତ୍ୟବ୍ରତଙ୍କର ଏହି ଅନ୍ୟମନସ୍କତାର ସୁଯୋଗ ନେଇ ସେଠାରୁ ଉଠି ଠିଆ ହୋଇଗଲା ଏବଂ କହିଗଲା, ମୁଁ ଆସୁଛି, ଆପଣ ଅପେକ୍ଷା କରନ୍ତୁ ।

 

ବୈଠକଖାନା ଭିତରେ ଯିଏ ଆସି ପ୍ରବେଶ କଲେ, ସତ୍ୟବ୍ରତ ତାଙ୍କୁ ଦେଖିଲାକ୍ଷଣି ଆଖି ଯୋଡ଼ାକ କପାଳକୁ ଉଠିଗଲା ସ୍ଵୟଂ ମଦନରାୟ ହସି ହସି ପ୍ରବେଶ କରୁଛନ୍ତି । ତାଙ୍କ ପଛେ ପଛେ ଗୋଟିଏ ଚାକର ଶ୍ରେଣୀୟ ଲୋକ ।

 

ତା’ହେଲେ ? ସତ୍ୟବ୍ରତ ହଠାତ୍ ଚଞ୍ଚଳ ହୋଇ ଉଠିଲେ । ମି.ମଦନରାୟଙ୍କ ସହିତ ନମସ୍କାର ବିନିମୟ କଥା ମଧ୍ୟ ସେ ଭୁଲିଯାଇଥିଲେ । ନୀଳିମା କଣ....ସେ ଉଠି ଠିଆ ହୋଇ ପଡ଼ିଲେ । ଉପରେ ତା’ହେଲେ କାହାକୁ ଶୋଇଥିବାର ସେ ଦେଖିଲେ । ସଙ୍ଗେ ସଙ୍ଗେ ସତ୍ୟବ୍ରତ ଉପରକୁ ଛୁଟିଗଲେ । ପ୍ରଶସ୍ତ ବାରଣ୍ଡା ଉପରର ଖଟଟା ଉପରେ ଏ ଯାଏ ମଧ୍ୟ ସେହି ଲୋକଟି ଅନ୍ୟ ଆଡ଼କୁ ମୁହଁ ବୁଲାଇ ଶୋଇଛି । ସତ୍ୟବ୍ରତ ଛୁଟି ଯାଇ ଶେଯ ଉପରୁ ଦାମିକା ଶାଲ୍‍ଟି କାଢ଼ି ପକାଇଲେ । ନୀଳିମା ! ନୀଳିମା ଶେଯ ଉପରେ ଶୋଇ, ମୁହଁ ବୁଲେଇ ସତ୍ୟବ୍ରତଙ୍କ ମୁହଁକୁ ଚାହିଁ ହସୁଚି । ସତେ ଯେପରି ବିଦ୍ରୁପ ଭରି ରହିଛି ସେ ହସରେ ।

 

ସତ୍ୟବ୍ରତ ଅନନ୍ୟୋପାୟ ହୋଇ ବାରଣ୍ଡା ପାଖକୁ ଛୁଟି ଗଲେ । ଲାଲସିଂହ ଗମ୍ଭୀର ଭାବରେ ରାସ୍ତାରେ ଛୁଟି ଚାଲି ଯାଉଥିଲା । ସତ୍ୟବ୍ରତ କ୍ଷିପ୍ର ହସ୍ତରେ ପକେଟରୁ ରିଭଲଭରଟା ବାହାର କଲା ବେଳକୁ ବାଧା ପାଇଲେ । ନୀଳିମା ତାଙ୍କ ହାତଟିକୁ ଦୁଇ ହାତରେ ଜାବୁଡ଼ି ଧରିଥିଲା-। ସତ୍ୟବ୍ରତ ଅଗ୍ନିଶର୍ମା ହୋଇ ଉଠିଲେ । ନୀଳିମା ହାତ ଛାଡ଼ି ଦେଲା । କିନ୍ତୁ ଲାଲସିଂହ ସେତେବେଳକୁ ସତ୍ୟବ୍ରତଙ୍କ ଆଖି ଆଢ଼ୁଆଳକୁ ଚାଲିଯାଇଥିଲା ।

 

ଶିଡ଼ିରେ ପାଦଶବ୍ଦ ଶୁଭୁଥିଲା । ବୋଧହୁଏ ମଦନରାୟ ଉପରକୁ ଉଠୁଥିଲେ । ନୀଳିମା ଦ୍ରୁତ କଣ୍ଠରେ କହି ପକାଇଲା, ଆପଣ ଯଦି ଏ ସମ୍ବନ୍ଧରେ ବାପାଙ୍କୁ କୌଣସି କଥା କୁହନ୍ତି, ତେବେ ମୋଠାରୁ କୌଣସି ସାହାଯ୍ୟ ପାଇବେ ନାହିଁ ।

 

ସତ୍ୟବ୍ରତ ସ୍ତବ୍‍ଧ ହୋଇ ନୀଳିମା ମୁହଁକୁ ଅନାଇ ରହିଲେ ।

 

ଆଗରେ ମଦନରାୟ, ତା’ପଛକୁ ଇନିସ୍‍ ପେକ୍ଟର ଏବଂ ସବା ଶେଷରେ ଚାକର ରଘୁଆ ଆସି ପହଞ୍ଚିଲା ।

 

ମଦନରେ ନୀଳିମା ଆଡ଼େ ଚାହିଁ କହିଲେ, କ’ଣ ହୋଇଛି ମା’ !

 

ନାଇଁ, ମି. ମହାପାତ୍ର ଲାଲସିଂହର ସଂଧାନରେ ଆସିଛନ୍ତି ।

 

ଏଠାକୁ ?

 

ନା, ସେ ପୁରୀ ଆସିଥିଲେ । ତମ ସହିତ ଦେଖା କରିବାକୁ ଚାଲି ଆସିଲେ ।

 

ମୋର ପରମ ସୌଭାଗ୍ୟ ମା’ ! ବସନ୍ତୁ ମି. ମହାପାତ୍ର, ବସନ୍ତୁ ଇନିସ୍‍ ପେକ୍ଟର ସାହେବ ! ଠିଆ ହେଲେ କାହିଁକି ?

 

ଇନିସ୍‍ ପେକ୍ଟର ସତ୍ୟବ୍ରତଙ୍କ ମୁହଁକୁ କିପରି ସନ୍ଦିଗ୍‍ଧ ଭାବରେ ଅନାଇ ରହିଥିଲେ । ସତ୍ୟବ୍ରତ ଇଙ୍ଗିତରେ ତାଙ୍କୁ ବସିବାକୁ କହିଲେ ।

 

ପ୍ରଫେସର ଦାସ ହଠାତ୍ ଚାଲିଗଲେ କାହିଁକି ମା !!

 

ମୋତେ କହିଲେ ଜରୁରୀ କାମ ଅଛି କାଲି ପୁଣି ଆସିବି ।

 

ନୀଳିମାର ଆଖି ସତ୍ୟବ୍ରତଙ୍କ ଆଖି ସହିତ ମିଶି ଯାଇ ନାଚି ଉଠିଲା ! ସେ ଶାନ୍ତ ସ୍ଵରରେ କହିଲା, ମୋତେ ବି ସେଇକଥା କହି ଚାଲିଗଲେ ।

 

ତୁ ତାଙ୍କର ଚର୍ଚ୍ଚା ଭଲ ଭାବରେ କରିଥିଲୁ ତ !

 

ନୀଳିମା ସତ୍ୟବ୍ରତଙ୍କ ମୁହଁକୁ ଚାହିଁ କେବଳ ସ୍ମିତ ହସିଲା ।

 

ମଦନରାୟ ନୀଳିମାର ଉତ୍ତରକୁ ଅପେକ୍ଷା ନ କରି କହିଲେ, ଆଜି ଅପେକ୍ଷା ମୁଁ ଟିକିଏ ସୁସ୍ଥ ହୋଇଉଠିଚି ମି. ମହାପାତ୍ର । ଡାକ୍ତର କହୁଛନ୍ତି, ଏ ଯାତ୍ରାରୁ ମୁଁ ଉଧୁରି ଗଲି । ମଦନରାୟ ହସିଉଠିଲେ । କାହାରିଠାରୁ କୌଣସି ଉତ୍ତର ନ ପାଇ ମଦନରାୟ ପୁଣି କହିଲେ, ଲାଲସିଂହର ଖବର ଏହା ଭିତରେ ମୁଁ ଖବରକାଗଜରୁ ପଢ଼ିଥିଲି । ଲୋକଟା ଖୁବ୍‍ ବୁଦ୍ଧିମାନ, ନା ମି: ମହାପାତ୍ର-!! ମୋ ସହିତ ଯେଉଁଦିନ ପ୍ରଥମେ ସେ ଦେଖା କରିଥିଲା, ମୋର ସେହିପରି ମନେ ହୋଇଥିଲା । କିନ୍ତୁ କ’ଣ ଜାଣନ୍ତି ମି. ମହାପାତ୍ର....ମଦନରାୟ କଥା ଅସମାପ୍ତ ରଖି ନୀରବରେ କିଛି ସମୟ ବସିରହିଲେ । ଯେପରି କ’ଣ କହିବାକୁ ଯାଇ, ସେ କଥା ଭୁଲି ଯାଇଛନ୍ତି ।

 

ସତ୍ୟବ୍ରତ ଲକ୍ଷ୍ୟ କଲେ, ମଦନରାୟଙ୍କ ସ୍ମରଣ ଶକ୍ତି ଖୁବ୍‍ କ୍ଷୀଣ ହୋଇ ଆସୁଛି । ତାଙ୍କୁ ବିରକ୍ତ ନ କରିବା ପାଇଁ ସେ ଉଠି ଠିଆ ହେଲେ ଏବଂ କହିଲେ, ଆମେ ଆସୁଚୁ ସାର୍‍ ! ଆପଣ ବିଶ୍ରାମ କରନ୍ତୁ । ପୁଣି କେବେ ଆସିବୁ ।

 

ଆଚ୍ଛା, ଆଚ୍ଛା ! ବେଳେ ବେଳେ ଆସିବେ । ଏବେ ବସି ବସି ଗଳ୍ପ କରିବାକୁ ମୋତେ ଖୁବ୍‍ ଭଲ ଲାଗୁଚି ।

 

ସତ୍ୟବ୍ରତ ତଳକୁ ଓହ୍ଲେଇ ଗଲେ । ତାଙ୍କ ପଛେ ପଛେ ଇନିସ୍‍ ପେକ୍ଟର । କଣ ଭାବି କେଜାଣି ମଦନରାୟ ନିଜେ ସେମାନଙ୍କ ପଛରେ ଉଠିଗଲେ । ନୀଳିମା ଯେପରି ଶ୍ଵସ୍ତିର ନିଶ୍ୱାସଟିଏ ପକାଇ ବଞ୍ଚିଗଲା ।

 

ସତ୍ୟବ୍ରତ ଘନ ଘନ ପଛକୁ ଚାହୁଁଥିଲେ ।

 

ମଦନରାୟ ନମସ୍କାର ବିନିମୟ କରି ଫେରି ଆସିଲେ ।

 

ସତ୍ୟବ୍ରତ ମହାପାତ୍ର ଦୁଇଥର ନୀଳିମା ସହିତ ଦେଖା କରିବାକୁ ଯାଇଥିଲେ, ମାତ୍ର ତାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା । କାରଣ ନୀଳିମା ସେ ସବୁ ମୁହୂର୍ତ୍ତରେ ମଦନରାୟଙ୍କ ସହିତ ଏପରି ଭାବରେ ଜଡ଼ିତ ହୋଇ ରହୁଥିଲା ଯେ ସତ୍ୟବ୍ରତ ଖୋଲାଖୋଲି ଭାବରେ କିଛି ପଚାରି ପାରୁ ନ ଥିଲେ । ଖାଲି ସେତିକି ନୁହେଁ, ସମଗ୍ର ପୋଲିସ୍‍ ବିଭାଗର ଆଖି ଯାଇ ପଡ଼ିଥିଲା ମଦନରାୟଙ୍କ କୋଠା ଉପରେ । ଅନବରତ ସାଦା ପୋଷାକରେ ପୋଲିସ୍‍ ଜଗୁଆଳ ଲୁଚି ରହିଥିଲେ । ଯେ କୌଣସି ଲୋକ ମଦନରାୟଙ୍କ ଘରକୁ ଆସୁଥିଲା, ତାକୁ ସନାକ୍ତ କରି ଛାଡ଼ୁଥିଲେ-। କିନ୍ତୁ ମଦନରାୟ ଏ ସବୁର କୌଣସି ସନ୍ଧାନ ନ ପାଇଲେ ମଧ୍ୟ ନୀଳିମା ସବୁ ବୁଝି ପାରୁଥିଲା ଏବଂ ସତ୍ୟବ୍ରତ ଲକ୍ଷ୍ୟ କରିଥିଲେ ଏଥିପାଇଁ ନୀଳିମା ଗର୍ବ ମଧ୍ୟ କରୁଥିଲା ।

 

ଶେଷ ପର୍ଯ୍ୟନ୍ତ ସତ୍ୟବ୍ରତଙ୍କୁ କଟକ ଫେରିଯିବାକୁ ହେଲା । ତୃତୀୟ ଥର ଦେଖା କରିବାକୁ ଯାଇ ସତ୍ୟବ୍ରତ ଟିକିଏ ସୁଯୋଗ ପାଇଁ ନୀଳିମାକୁ କହିଲେ, ଆପଣ ଦୁଧ ପିଆଇ ଗୋଖର ପୋଷୁଛନ୍ତି । ଏହାର ପରିଣାମ କିନ୍ତୁ ଭଲ ହେବ ନାହିଁ ।

 

ନୀଳିମା ହସି ହସି କହିଥିଲା, ତାହାହିଁ ଯଦି ହୁଏ, ତେବେ ସେ ଗୋଖର ମୋତେ ଦଂଶନ କରିବ । ଆପଣଙ୍କୁ ନୁହେଁ ।

 

ସତ୍ୟବ୍ରତ ସ୍ତବ୍‍ଧ ହୋଇଯାଇଥିଲେ । ନୀଳିମାକୁ ଶାନ୍ତ ସ୍ଵରରେ କହିଥିଲେ, ଆପଣ ଜଣେ ଉଚ୍ଚ ଶିକ୍ଷିତା, ଗୋଟାଏ ଗୁଣ୍ଡା ଆଉ ବଦମାସ ସହିତ ଆପଣଙ୍କର ଘନିଷ୍ଠତା ଉଚିତ ହେଉନାହିଁ । କ୍ଷତି ଆପଣଙ୍କର ହେବ ।

 

ନୀଳିମା ହସିଲା, କହିଲା- ଆପଣଙ୍କର ମୋ ପ୍ରତି ଆନ୍ତରିକତା ପାଇଁ କୃତଜ୍ଞତା ଜଣାଉଚି । ଆଉ କୌଣସି ଭଲ ବନ୍ଧୁ ପାଇଲେ, ମୁଁ ସେହି ଗୁଣ୍ଡା ବଦମାସର ସଂସର୍ଗ ତ୍ୟାଗ କରିବାକୁ ଚେଷ୍ଟା କରିବି ।

 

କିନ୍ତୁ ନୀଳିମା ଦେବୀ ! ପୁଣି ଥରେ ମୁଁ ଆପଣଙ୍କୁ ସାବଧାନ କରେଇ ଦେଇ ଯାଉଚି । ପୋଲିସ୍‍ ଆପଣଙ୍କ ପଦେ ପଦେ ଲାଗି ରହିବ । ଆପଣ ସ୍ୱାଧୀନ ଭାବରେ ବିଚରଣ କରିପାରିବେ ନାହିଁ ।

 

ଉପରୁ ମଦନରାୟ ଡାକିଲେ । ନୀଳିମା ଉଠିପଡ଼ି ହାତଯୋଡ଼ି ନମସ୍କାର ଜଣାଇ କହିଲା, ଆଉଦିନେ ଦେଖା କରିବେ । ବାପାଙ୍କର ବୁଲିଯିବା ସମୟ ହୋଇଗଲାଣି ।

 

ସତ୍ୟବ୍ରତ ଏକ ପ୍ରକାର ନିରାଶ ହୋଇ ଫେରିଆସିଲେ । ଆଉ ବେଶି ସମୟ ପୁରୀରେ ଅପେକ୍ଷା କରିବା ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା । ଅଭିମନ୍ୟୁ ପାଖରେ ଆସି ଶୁଣିଲେ, କାଲି ରାତ୍ରିରେ ପୁଣି ଦୁଇ ଜଣ ବିଶିଷ୍ଟ ଲୋକ ଅନ୍ତର୍ଦ୍ଧାନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ହୋମ ଡିପାର୍ଟମେଣ୍ଟର ଜଣେ ପଦସ୍ଥ କର୍ମଚାରୀ ଏବଂ ଅନ୍ୟ ଜଣକ କୋ-ଅପରେଟିଭ ବିଭାଗର ସେକ୍ରେଟାରୀ । ଦୁଇଜଣଙ୍କ ନାମ ଯଥାକ୍ରମେ, ରାଧା ମୋହନ ଦାସ ଓ ନୀଳମଣି ଖଣ୍ଡାୟୀ । ସେଥିପାଇଁ ଏସ୍. ପି. ସାହେବ ସକାଳୁ ଏ ପର୍ଯ୍ୟନ୍ତ ଚାରିଥର ଫୋନ କରି ସାରିଲେଣି ।

 

ହୁଁ, ଆଉ ଡକ୍ଟର ଶର୍ମାଙ୍କ ଖବର କ’ଣ ?

 

ହଁ, ସେ ମଧ୍ୟ ଆସିଥିଲେ । ଏକାଥରକେ ସେ ଦୁଇଟି ମମ୍‍ର କୁଣ୍ଢେଇ ପାଇଛନ୍ତି । ମୋତେ ଦେଇ ଯାଇଥିଲେ । ମୁଁ ଆପଣଙ୍କ ପାଇଁ ଡ୍ରୟାରରେ ବନ୍ଦ କରି ରଖି ଦେଇଛି ।

 

ସତ୍ୟବ୍ରତ ମହାପାତ୍ର ସେବାସଦନ ଆଡ଼େ ଅନାଇଲେ । ଛାତ ଉପରର ସେହି ଛୋଟ ଘରଟିରେ କିଏ ଜଣେ ଆରାମ ଚଉକି ଉପରେ ଶୋଇଥିଲା ପରି ମନେ ହେଲା । ବୋଧହୁଏ ଡକ୍ଟର ଶର୍ମା ବିଶ୍ରାମ କରୁଥିଲେ ।

 

ଏଇ ଯେଉଁ ଦୁଇ ଜଣ ଗତକାଲି ହରଣଚାଳ ହୋଇଛନ୍ତି, କିପରି ? କୌଣସି ତଥ୍ୟ ମିଳିଛି ?

 

ନା, ତେବେ ଏସ୍. ପି. ସାହେବଙ୍କର ଧାରଣା ଯେ, ଏହା ମଧ୍ୟ ସେଇ ଦସ୍ୟୁ ଲାଲସିଂହର କାରବାର ।

 

ତାହାହିଁ ଯଦି ହୁଏ, ତେବେ ତା’ମୂଳରେ କୌଣସି ଭିତ୍ତି ନିଶ୍ଚୟ ଥିବ ।

 

କ’ଣ ଆଉ ଭିତ୍ତି ! ଯେଉଁ ଦୁଇ ଜଣ ଯାଇଛନ୍ତି, ସେମାନେ ନିଶ୍ଚୟ ଦୁର୍ନୀତି ପରାୟଣ ହୋଇଥିବେ । ମୋ ମତରେ ଲୋକ ଗୁଡ଼ାକ ଶାସ୍ତି ପାଆନ୍ତୁ । ଦେଶଟାକୁ ଏକଦମ ଉଚ୍ଛନ୍ନ କରି ଦେଲେଣି ।

 

ଅଭିମନ୍ୟୁର କଥା ଶୁଣି ସତ୍ୟବ୍ରତ ହସିପକାଇଲେ । କହିଲେ, ଦେଖୁଚି ତୁମେ ମଧ୍ୟ ବିଦ୍ରୋହୀ ହୋଇଉଠିଲଣି ।

 

ନ ହୋଇ ଆଉ ପଥ କାହିଁ ? ଆମର ଏହି ସରକାରୀ କଳଟିରେ ଯେପରି ଭାବରେ କଳିଙ୍କି ଧରିଲାଣି, ଆଜହୁଁ ପରିଷ୍କାର ନ କଲେ କିଛିଦିନ ପରେ ପୂରାପୂରି ଅଚଳ ହୋଇଯିବ । ସେତେବେଳେ ଆଉ କୌଣସି ବାଟ ନ ଥିବ ।

 

ତା’ହେଲେ ତମ ମତରେ ଆମର ଏ କ୍ଷେତ୍ରରେ ନୀରବ ରହିବା ଉଚିତ୍‍ !

 

ମୁଁ ତ ସେଇଆ ସ୍ଥିର କରିଚି ।

 

ସତ୍ୟବ୍ରତ ଖାଲି ହସିଲେ । କହିଲେ, ଦଶ ହଜାର ଟଙ୍କାର ଲୋଭ ତମର ନାହିଁ ଅଭି ? ଲାଲସିଂହର ମୃତ ବା ଜୀବିତ ଦେହର ମୂଲ୍ୟ ଦଶ ହଜାର ।

 

ଅଭିମନ୍ୟୁର ମୁଖଟା କିପରି ବିକୃତ ହୋଇ ଉଠିଲା । ସେ ନୀରବରେ କାଗଜ ପଢ଼ିବାରେ ମନଦେଲା ।

 

ସତ୍ୟବ୍ରତ କିଛି ସମୟ ନୀରବରେ ବସି ଚିନ୍ତା କଲେ । ଲାଲସିଂହ ତେବେ ଏଇ ସବୁ ଲୋକଙ୍କୁ ଅପହରଣ କରି କେଉଁଆଡ଼େ ନେଉଛି ? ପ୍ରଦେଶ ବାହାରକୁ ନିଶ୍ଚୟ ନେଉ ନାହିଁ । ତେବେ ରଖୁଛି କେଉଁଠି ? ପୋଲିସ୍‍ର ଏତେ କଡ଼ାକଡ଼ି ବ୍ୟବସ୍ଥା ସତ୍ତ୍ୱେ ଲାଲସିଂହର ଏପରି ଭୂମିକାରେ କୃତିତ୍ୱ ନିଶ୍ଚୟ ରହିଛି । ଯା’ହେଉ ଏହା କିନ୍ତୁ ଗୋଟାଏ ଦୃଷ୍ଟିରୁ ଭଲ ହେଲେ ବି ଆଉ ଏକ ଦୃଷ୍ଟିରୁ ଖୁବ୍‍ ନିନ୍ଦନୀୟ ।

 

ଏଣେ ପୁଣି ଡକ୍ଟର ଶର୍ମା ଆଉ ଏକ ରହସ୍ୟ ସୃଷ୍ଟି କରିଛନ୍ତି । ମମ୍‍ର କୁଣ୍ଢେଇ ତାଙ୍କୁ କେହି ଉପହାର ଦେଇ ଚାଲିଛି । ଯେତେ ସବୁ ଅଦ୍ଭୁତ ଆଉ ଅଭିନବ କଳାକୌଶଳ । ଦେଶ ଯେତିକି ଅଗ୍ରସର ହେଉଚି, ଲୋକ ସେତିକି ମନ୍ଦ ବୁଦ୍ଧି ସମ୍ପନ୍ନ ହୋଇଉଠୁଚି ।

 

ସତ୍ୟବ୍ରତ ଡ୍ରୟାର ଟାଣି ମମ୍‍ର କୁଣ୍ଢେଇ ଦୁଇଟି ବାହାର କଲେ । ସର୍ବମୋଟ ଛଅଟି । ଅନ୍ୟ ଚାରୋଟି କୁଣ୍ଢେଇ ସେ ଆଲମିରାରୁ ଆଣି ଟେବୁଲ ଉପରେ ଥୋଇଲେ । ଗୋଟିକ ପରେ ଗୋଟିଏ । ଉଚ୍ଚତା ପ୍ରତ୍ୟେକଟିର କ୍ରମଶଃ ବଢ଼ିଯାଇଛି । ଅଦ୍ଭୁତ ପରିକଳ୍ପନା ଲୋକଟାର । କି ଉଦ୍ଦେଶ୍ୟ ସେଇ ଲୋକଟା ମନ ତଳରେ ଲୁଚି ରହିଚି କେଜାଣି !! ଏହା ନିଶ୍ଚୟ କୌଣସି ବିକୃତ ମନର ପ୍ରତିଫଳନ । ହୁଏତ ଡକ୍ଟର ଶର୍ମାଙ୍କର କୌଣସି ଉନ୍ମାଦ ରୋଗୀର ଏହା ମନ ବିକୃତି । ତା’ ନହେଲେ କିଏ ଦିନ ପରେ ଦିନ ଏହିପରି ମମ୍‍ର କୁଣ୍ଢେଇ ଧରି ଖେଳ ଖେଳିବ !!

 

ସତ୍ୟବ୍ରତ ମହାପାତ୍ର କୁଣ୍ଢେଇ ଗୁଡ଼ିକୁ ଏପାଖ ସେପାଖ କରି ସଜାଇଲେ । ଏପାଖରେ ତିନୋଟି, ସେ ପାଖରେ ତିନୋଟି । ବେଶ୍‍ ଦିଶୁଛି ଏକା ! ଅଦ୍ଭୁତ ଏକ ରୁଚିର ଫଳକ । ଯା’ ହେଉ, ନିଜେ ସେ ଯାଇ ସେବାସଦନରେ ପରୀକ୍ଷା କରିବେ । ଡକ୍ଟର ଶର୍ମାଙ୍କ ମନର ଭୟ ଭାଙ୍ଗି ନ ପାରିଲେ ଏକ ବିରାଟ ଜାତୀୟ କ୍ଷତି ହେବ ।

 

ସତ୍ୟବ୍ରତ କୁଣ୍ଢେଇ ଗୁଡ଼ିକ ପୁଣି ଯଥାସ୍ଥାନରେ ରଖିବାକୁ ଯାଉଛନ୍ତି, ଦେଖିଲେ ଏସ୍. ପି. ସାହେବ ଜଣେ ଇନିସ୍‍ ପେକ୍ଟରଙ୍କ ସହ ଭିତରକୁ ଆସୁଛନ୍ତି । ସେ ଟେବୁଲ ଉପରେ ମମ୍‍ର କୁଣ୍ଢେଇ ଗୁଡ଼ିକ ଦେଖି ହତଭମ୍ବ ହୋଇଗଲେ । ତାଙ୍କ ଆଖି ଯୋଡ଼ାକ କପାଳକୁ ଉଠିଗଲା । ସେ ଯେପରି ଅଲୌକିକ କୌଣସି ଘଟଣା ଦେଖୁଛନ୍ତି ।

 

କ’ଣ ହେଲା, ଆପଣ ବସନ୍ତୁ । ସତ୍ୟବ୍ରତ ଏସ.ପି. ସାହେବଙ୍କ ବିସ୍ମୟ ଭାବ କଟାଇବା ପାଇଁ କହିଲେ ।

Unknown

 

ଆପଣ ଏଗୁଡ଼ିକ କେଉଁଠୁ ଆଣିଲେ ?

 

କାହିଁକି କହିଲେ ? ଏ ସମ୍ବନ୍ଧରେ କୌଣସି ତଥ୍ୟ ଆପଣ ଜାଣନ୍ତି ନା କ’ଣ ?

 

ଏସ.ପି.ସାହେବ ଗୋଟିଏ ଚେଆର ଅଧିକାର କରି ବସୁ ବସୁ କହିଲେ, ଏ ସମ୍ବନ୍ଧରେ ଏକ ଲୋମହର୍ଷଣକାରୀ କାହାଣୀ ମୁଁ କିଛିଦିନ ତଳେ ‘କ୍ରାଇମ ଜର୍ଣ୍ଣାଲ’ରୁ ପଢ଼ିଛି । ଠିକ୍ ଏଇଭଳି ପ୍ରତିମୂର୍ତ୍ତି । ସେ କିନ୍ତୁ ବାରଟା । ଫଟୋସହ ବିସ୍ତାରିତ ଘଟଣା ପ୍ରକାଶିତ ହୋଇଥିଲା । ଗୋଟିଏ ପରିବାର ସମୂଳେ ଧ୍ଵଂସ ହୋଇଗଲା । କିନ୍ତୁ ଅପରାଧୀର ଆଜି ପର୍ଯ୍ୟନ୍ତ କୌଣସି ସମ୍ବାଦ ମିଳିନାହିଁ ।

 

ବେଶ୍ ଇଣ୍ଟରେଷ୍ଟିଂ ଷ୍ଟୋରି ତ ! କାହାଣୀଟା କ’ଣ କହିଲେ, ଦେଖିବା ଏ କୁଣ୍ଢେଇ ସହିତ ସେ କାହାଣୀର କୌଣସି ଯୋଗସୂତ୍ର ଅଛି କି ନାହିଁ । ସତ୍ୟବ୍ରତ କହିଲେ ।

 

ଏସ୍. ପି. ସାହେବ କୁଣ୍ଢେଇ ଗୁଡ଼ିକ ଗୋଟି ଗୋଟି କରି ହାତରେ ନେଇ ଦେଖୁଥିଲେ । ହଁ, ଠିକ୍ ଏହିପରି । ମୋର ପୂରା ମନେଅଛି । ଅବଶ୍ୟ ତିନି ଚାରି ମାସ ଆଗରୁ ବିଷୟଟା ‘କ୍ରାଇମ ଜର୍ଣ୍ଣଲ’ରେ ପ୍ରକାଶିତ ହୋଇଥିଲା । ଘଟଣାଟା ଘଟିଥିଲା ଜାପାନରେ । ସେ ପୁଣି ବହୁତ ବର୍ଷ ପୂର୍ବରୁ ।

 

ଜାପାନର ଗୋଟିଏ ରାଜ ପରିବାର କହିବାକୁ ହେବ । ସେମାନଙ୍କ ପରିବାରରେ ମୋଟ ବାରଜଣ ଲୋକ ଥିଲେ । ବେଶ ସୁଖ, ସ୍ଵଚ୍ଛନ୍ଦରେ ଦିନ ଗଡ଼ି ଯାଉଥିଲା । ରାଜା ଥିଲେ ପରମ ଦୟାଳୁ । ପ୍ରଜାମାନଙ୍କ ସୁଖ ଦୁଃଖ ନିଜେ ବିଚାର ବିବେଚନା କରୁଥିଲେ ।

 

ହଠାତ୍ ଦିନେ ରାଜ ପରିବାରରେ ଆତଙ୍କ ସୃଷ୍ଟି ହୋଇଗଲା । ଦେଖାଗଲା, ସେ ପରିବାରର ସବୁଠାରୁ ସାନ ପିଲାଟିଏ, ଯାହାର ବୟସ ମାତ୍ର ତିନିବର୍ଷ, ସେ ହାତରେ ଏହିପରି ଏକ କୁଣ୍ଢେଇ ଧରି ଶେଯରେ ଶୋଇ ରହିଛି । ଘୁମ ତା’ର ଆଉ ଭାଙ୍ଗୁ ନାହିଁ । ଚାକର ଚାକରାଣୀ ମାନେ ଯାଇ ଦେଖିଲେ ଶଯ୍ୟା ରକ୍ତାକ୍ତ । ଚିତ୍କାର କରି ଉଠିଲେ । ଦେଖାଗଲା ପିଲାଟିର କଣ୍ଠନଳୀ ଛିନ୍ନ କରି କିଏ ଯେପରି ସମସ୍ତ ରକ୍ତ ନିଗାଡ଼ି ଦେଇଛି ।

 

ରାଜ୍ୟ ସାରା ଚହଳ ପଡ଼ିଗଲା । ବହୁ ଖୋଜା ଖବର ପରେ ମଧ୍ୟ ହତ୍ୟାକାରୀର କୌଣସି ସନ୍ଧାନ ମିଳିଲା ନାହିଁ । ତା’ପରେ ଏକ ମାସ ଆଉ କୌଣସି ଦୁର୍ଘଟଣା ଘଟିଲା ନାହିଁ । କ୍ରମଶଃ ପରିବାରରୁ ଶୋକଛାୟା ଲିଭି ଆସୁଥିଲା ।

 

କିନ୍ତୁ ପରିବାରରେ ଶୋକଛାୟା ଘୋଟି ଆସିଲା ଆହୁରି ନିବିଡ଼ ଭାବରେ । ଠିକ୍ ମାସକ ପରେ ରାଜ ପରିବାରର ଆଉ ଗୋଟିଏ ପିଲାକୁ ସେହିପରି ଘୁମନ୍ତ ଅବସ୍ଥାରେ ଉଦ୍ଧାର କରାଗଲା । ତା’ ହାତରେ ମଧ୍ୟ ଥିଲା ସେହି ଏକା ଧରଣର ଗୋଟିଏ କୁଣ୍ଢେଇ । ଆଶ୍ଚର୍ଯ୍ୟ ! ଠିକ୍ ମାସକ ପରେ ପରେ ଜଣ ଜଣକୁ ଏହିପରି ଭାବରେ ହତ୍ୟା କରାଗଲା । ବର୍ଷକ ମଧ୍ୟରେ ପରିବାରର ସମସ୍ତ ଲୋକଙ୍କୁ ହତ୍ୟା କରାଗଲା । ସମସ୍ତଙ୍କ କଣ୍ଠନଳୀ ଛିନ୍ନ କରାହୋଇଥିଲା ଏବଂ ପ୍ରତ୍ୟେକଙ୍କ ହାତରେ ଗୋଟିଏ ଲେଖା କୁଣ୍ଢେଇ ଧରେଇ ଦିଆ ହୋଇଥିଲା । ବହୁ ଅନୁସନ୍ଧାନ ପରେ ହତ୍ୟାକାରୀର କୌଣସି ସନ୍ଧାନ ମିଳିଲା ନାହିଁ । ରାଜ୍ୟ ସାରା ଲୋକେ କହିଲେ, ଏହା ଅପଦେବତାର କୀର୍ତ୍ତି, ମଣିଷର କୌଣସି ହାତ ନାହିଁ ।

 

ସେଇ କୁଣ୍ଢେଇ ଗୁଡ଼ିକ ଆଜିଯାଏ ଯାଦୁଘରେ ରଖା ହୋଇଛି । ସେଇ ଗୁଡ଼ିକର ମୂଳ କାହାଣୀ ସଂଗ୍ରହ କରି ଫଟୋ ସହ ‘କ୍ରାଇମ ଜର୍ଣ୍ଣାଲ’ରେ ପ୍ରକାଶ ପାଇଥିଲା । ଆଜି ହଠାତ୍ ସେହିପରି ଗୁଡ଼ିଏ କୁଣ୍ଢେଇ ଆପଣଙ୍କ ଟେବୁଲ ଉପରେ ଦେଖି ମୋର ମନେ ହେଉଛି କେଉଁ ହତଭାଗ୍ୟ ଅପଦେବତାର ଶୀକାର ହେଲା ?

 

ସତ୍ୟବ୍ରତ ଅତ୍ୟନ୍ତ ଧ୍ୟାନ ସହକାରେ ଏସ୍. ପି. ସାହେବଙ୍କ କଥା ଶୁଣୁଥିଲେ । କହିଲେ, ଏ କଣ୍ଢେଇ ପଛରେ ଯଦିଓ ମୃତ୍ୟୁ ଆତଙ୍କ ରହିଛି, କିନ୍ତୁ ଏହାର କାହାଣୀ ଭିନ୍ନ । ଏ ପର୍ଯ୍ୟନ୍ତ କୌଣସି ମୃତାହତର ସଂଧାନ ମିଳି ନାହିଁ।

 

କିନ୍ତୁ ଆପଣ ଏ ଗୁଡ଼ିକ ପାଇଲେ କେଉଁଠୁ ? ଏସ୍. ପି. ପଚାରିଲେ ।

 

ସେ କାହାଣୀ ଆପଣ ପରେ ଶୁଣିବେ । ଏହା ପଛରେ ଗୋଟିଏ କୌତୁହଳୋଦ୍ଦୀପକ କାହାଣୀ ଅଛି । ମୋର ମଧ୍ୟ ଟିକିଏ ଅନୁସନ୍ଧିତ୍ସା ରହିଛି । କାଲି ଆପଣଙ୍କୁ ସବୁ କଥା କହିବି । ‘କ୍ରାଇମ ଜର୍ଣ୍ଣାଲ’ରେ ପ୍ରକାଶିତ ତଥ୍ୟଟି ମୋତେ ବିଶେଷ ସୁବିଧା ହେଲା । ତଥ୍ୟଟି ତିନି ଚାରି ମାସ ପୂର୍ବରୁ ପ୍ରକାଶିତ ହୋଇଥିଲା, ନା ?

 

ହଁ । ଚାରି ମାସରୁ ଅଧିକ ହେବ । ମୁଁ ଯେତେବେଳେ ଏଲାହାବାଦ ଯାଇଥିଲି, ଏସ୍. ପି. ସାହେବ ମନେ ମନେ ହିସାବ କଲେ । ହଁ, ସେଇଆ । ସେତିକିବେଳେ ଏ ତଥ୍ୟଟି ମୋର ଜଣେ ବନ୍ଧୁଙ୍କ ଘରେ ପଢ଼ିଥିଲି । ସେ ‘କ୍ରାଇମ ଜର୍ଣ୍ଣାଲ’ ଟା ଫରେନ୍‍ ପବ୍ଲିକେଶନ । ବୋଧହୁଏ ସ୍କଟଲାଣ୍ଡ ଇଆର୍ଡ଼ରୁ ପ୍ରକାଶିତ ହୁଏ ।

 

ତା’ପରେ ! କଟକ ଇଆର୍ଡ଼ର ଆଉ କୌଣସି ନୂତନ ତଥ୍ୟ ? ସତ୍ୟବ୍ରତ ପ୍ରସଙ୍ଗ ବଦଳାଇଲେ ।

 

କାହିଁ ଆଉ । ଦୁଃସମ୍ବାଦ ଛଡ଼ା ସୁସମ୍ବାଦ ଯେପରି ଆମ ଭାଗ୍ୟରେ ଆଉ ଲେଖା ନାହିଁ । ପୁଣି ଦୁଇ ଜଣଙ୍କ ଅପହରଣ ସମ୍ବାଦ ପ୍ରଚାରିତ ହେବା ପରେ, ଆସେମ୍ବ୍ଲିରେ ଆମ ବିଭାଗ ବିରୁଦ୍ଧରେ ଅଭିଯୋଗ ଊଠିଚି । ବର୍ତ୍ତମାନ ଜଣ ସାଧାରଣରେ ମୁହଁ ଟେକି ଚାଲିବା ଆମ ପକ୍ଷରେ ସହଜ ହେଉନାହିଁ । ଲୋକେ ଦୂରରୁ କହୁଛନ୍ତି, ହେଇ ପୁଲିସି ଆସୁଛନ୍ତି । ସରକାର ଆମ ରାଜ୍ୟରୁ ଏହି ପୁଲିସିମାନଙ୍କୁ ନିକାଲି ଦେଇ ସେଇ ଟଙ୍କାକୁ ଅନ୍ୟ କୌଣସି ଯୋଜନାରେ ଲଗାଇଲେ, ଦେଶ ସମୃଦ୍ଧ ହୁଅନ୍ତା ।

 

ତା’ ହେଲେ ଚାରିଆଡ଼େ କେବଳ ନିରାଶର ଘନଘଟା !

 

ସେଇଆ ତ ମନେ ହେଉଚି ।

 

ଟେବୁଲ ଉପରେ ଟେଲିଫୋନଟା ବାଜିଉଠିଲା ।

 

ହ୍ୟାଲୋ ! ସତ୍ୟବ୍ରତ ରିସିଭର ଉଠାଇ ପଚାରିଲେ ।

 

ମୁଁ ଡକ୍ଟର ଶର୍ମା କହୁଚି । ଆମର ଟେଲିଫୋନ ଏଇମାତ୍ର ଲଗା ହେଲା । ପ୍ରଥମ ଫୋନ ମୁଁ ଆପଣଙ୍କୁ କରୁଚି ।

 

ଶୁଣି ସୁଖୀ ହେଲି । ଆପଣଙ୍କର ଆନ୍ତରିକତା ମୋର ସବୁଦିନ ମନେ ରହିବ ।

 

ଆଜି ସକାଳୁ ଦୁଇଟି କୁଣ୍ଢେଇ ପାଇଥିଲି, ଦେଇ ଆସିଚି । ପାଇଛନ୍ତି ତ ?

 

ହଁ, ଆପଣ ନିଶ୍ଚିତ ରୁହନ୍ତୁ । ସେ ଦାୟିତ୍ୱ ମୋର । ଆଜି ଚାରିଟା ବେଳକୁ ମୁଁ ସେବାସଦନ ଯିବି । ଆପଣ ଥିବେ ତ ?

 

ନିଶ୍ଚୟ, ନିଶ୍ଚୟ !! ଆପଣଙ୍କୁ ଅପେକ୍ଷା କରି ରହିବି । ସଙ୍ଗରେ ସିଗାରେଟ୍ ଆଣିବେ ।

 

ସତ୍ୟବ୍ରତ ହସି ଉଠି ରିସଭରଟା ଥୋଇଦେଲେ ।

 

କିଏ ? ଏସ୍. ପି. ପଚାରିଲେ ।

 

ଡକ୍ଟର ଶର୍ମା, ସେବାସଦନର ପ୍ରତିଷ୍ଠାତା ।

 

ଏ କେତେଦିନ ହେବ, ‘ସେବାସଦନ’ ର ସୁଖ୍ୟାତିରେ ଖବରକାଗଜ ଗୁଡ଼ାକ ତ ଶତମୁଖ ହୋଇ ଉଠିଛନ୍ତି । ବ୍ୟାପାର କ'ଣ ?

 

ସତ କହିବାକୁ ଗଲେ, ଡକ୍ଟର ଶର୍ମା ଆହୁରି ପ୍ରଂଶସା ପାଇବାର ଯୋଗ୍ୟ । ଆପଣ କେବେ ଯଦି ସେବାସଦନକୁ ଯାଆନ୍ତି, ଦେଖିବେ ରୋଗୀମାନଙ୍କ ପାଇଁ ସେଠାରେ କିପରି ଅଭିନବ ବ୍ୟବସ୍ଥା ହୋଇଛି । ଏତେ ଆନ୍ତରିକତା ସହକାରେ ଡକ୍ଟର ଶର୍ମା ରୋଗୀମାନଙ୍କ ଭଲ ମନ୍ଦ ବୁଝୁଛନ୍ତି ଯେ, ଯାହାର ତୁଳନା ହୁଏନା ।

 

ଏସ୍. ପି. ସାହେବ ଆଖିବୁଜି କ’ଣ ଚିନ୍ତା କରୁଥିଲେ । ଡକ୍ଟର ଶର୍ମାଙ୍କ ପ୍ରଶଂସା ତାଙ୍କ କାନରେ ପ୍ରବେଶ କରୁଥିଲା କି ନାହିଁ କେଜାଣି, ସତ୍ୟବ୍ରତ କିନ୍ତୁ ତାଙ୍କ ବକ୍ତବ୍ୟ ଶେଷକରି ନୀରବ ହେଲେ ।

 

ହଁ ଗୋଟାଏ ସମ୍ବାଦ ଏ ମଧ୍ୟରେ ଆମର ହସ୍ତଗତ ହୋଇଛି । ଆପଣ ଯେଉଁ ମହିଳା ଜଣକ କଥା କହୁଥିଲେ, ସେହିପରି ଗୋଟିଏ ରହସ୍ୟମୟୀ ମହିଳାଙ୍କର ସଂଧାନ ଆମେ ପାଇଚୁ । କିନ୍ତୁ ସେ ଏପରି ଏକ ଉଚ୍ଚ ମହଲର ଅଧିବାସିନୀ ଯେ, ତାଙ୍କ ବିରୁଦ୍ଧରେ କିଛି କରିବା ସହଜ ହେବ ନାହିଁ ।

 

ମୁହୂର୍ତ୍ତକ ମଧ୍ୟରେ ଯେପରି ସତ୍ୟବ୍ରତଙ୍କ ଜଡ଼ତା ଘୁଞ୍ଚିଗଲା । ସେ ଅତ୍ୟନ୍ତ ଆଗ୍ରହ ସହକାରେ ପଚାରିଲେ, କିଏ ସେହି ମହିଳା ?

 

ଡକ୍ଟର ପ୍ରାଣନାଥ ଛୋଟରାୟଙ୍କ କୋଠାକୁ ଲାଗି ଗୋଟାଏ ଦୋତାଲା କୋଠା ଅଛି ଆପଣ ଲକ୍ଷ୍ୟ କରିଛନ୍ତି ?

 

ସେଇଟା ତ ଜଣେ ଆଡ଼ଭୋକେଟଙ୍କର ।

 

ହଁ, ଶ୍ୟାମସୁନ୍ଦର ବାହିନୀପତି । ଖୁବ ଖ୍ୟାତି ସମ୍ପନ୍ନ ବ୍ୟକ୍ତି । ବ୍ୟକ୍ତିତ୍ୱ ମଧ୍ୟ ଅଗାଧ । ସାମାଜିକ ଖ୍ୟାତି ତ ପୁରି ରହିଛି । ତା’ଛଡ଼ା ସେ ଜଣେ ସାହିତ୍ୟିକ ।

 

ବେଶ୍‍, ତା’ପରେ କୁହନ୍ତୁ ।

 

ତାଙ୍କରି କନ୍ୟା । ମଞ୍ଜୁଶ୍ରୀ ବାହିନୀପତି ।

 

ସତ୍ୟବ୍ରତଙ୍କ ଆଖି ଦୁଇଟା ମୁହୂର୍ତ୍ତକ ପାଇଁ ପ୍ରଦୀପ୍ତ ହୋଇଉଠିଲା ।

 

ଆପଣ ତାଙ୍କୁ ସ୍ଵଚକ୍ଷୁରେ ଦେଖିଛନ୍ତି ?

 

ମୁଁ ଯାଇଥିଲି । ମି. ବାହିନୀପତିଙ୍କ ସହିତ ପ୍ରାୟ ଅଧଘଣ୍ଟା ଯାଏ ଆଳାପ ହେଲା । ଡକ୍ଟର ଛୋଟରାୟଙ୍କ କେସ୍‍ ରେ ସେ ଖୁବ୍‍ ବ୍ୟଥିତ ହେଲେ, ଏବଂ କହିଲେ, ମୋତେ ମଞ୍ଜୁ ପ୍ରଥମେ ସମ୍ବାଦଟା ଦେଲା । ମୁଁ ଉଠିଗଲା ବେଳକୁ ଆଉ କିଛି ବାକି ନ ଥିଲା । ଡକ୍ଟର ଛୋଟରାୟଙ୍କ ଗୃହ ଶୁନ୍ୟ ପଡ଼ିଥିଲା ।

 

ତା’ପରେ ? ସତ୍ୟବ୍ରତଙ୍କ ଆଖିରୁ ଆଗ୍ରହ ଝରି ପଡ଼ୁଥିଲା ।

 

ମଞ୍ଜୁଶ୍ରୀ ଦେବୀ ସେତିକି ବେଳେ ଗୃହରେ ପ୍ରବେଶ କଲେ । ବାପାଙ୍କର ପୋଲିସ୍‍ ଆଗରେ ଏପରି ଉକ୍ତି ଶୁଣି ସେ ବୋଧହୁଏ ବିରକ୍ତ ହୋଇଥିଲେ । ମୁହଁଟାରେ ସେହିପରି ଭାବ ଫୁଟିଉଠିଥିଲା ।

 

ଆପଣ ଆଉ ମଞ୍ଜୁଶ୍ରୀ ଦେବୀଙ୍କୁ କିଛି ପ୍ରଶ୍ନ କରିଥିଲେ ?

 

ଇଚ୍ଛା ଥିଲା, କିନ୍ତୁ ଅବକାଶ ପାଇଲି ନାହିଁ । ମଞ୍ଜୁଶ୍ରୀ ଦେବୀ ଯେପରି ଝଡ଼ ବେଗରେ ପ୍ରବେଶ କରିଥିଲେ, ସେହିପରି ପ୍ରସ୍ଥାନ କଲେ ।

 

ଆଉ ବାହିନୀପତିଙ୍କ ସଙ୍ଗରେ କ’ଣ ଆଳାପ ହେଲା ?

 

ସମାଜ, ରାଜନୀତି, ସାହିତ୍ୟ କେଉଁଟା ସେ ବାଦ୍‍ ଦେଇନାହାନ୍ତି । ଏପରି କି ଆମ ଦେଶରେ ଅପରାଧ ଓ ଅପରାଧୀମାନଙ୍କର ଉତ୍ପତ୍ତି ଏବଂ ବ୍ୟୁତ୍ପତ୍ତି ସମ୍ବନ୍ଧରେ କେତେକ କଥା ସେ କହିଲେ । ଅବଶ୍ୟ କଥାଟା ଡକ୍ଟର ଛୋଟରାୟଙ୍କୁ କେନ୍ଦ୍ର କରି ଆରମ୍ଭ ହେଲା ।

 

ତାପରେ ମଞ୍ଜୁଶ୍ରୀଦେବୀଙ୍କ ସମ୍ବନ୍ଧରେ ଆପଣ ଆଉ କୌଣସି ଖବର ନେଇଥିଲେ ?

 

ଅବକାଶ ଆଉ ମିଳିଲା କେଉଁଠି ? ମଝିରେ ମାତ୍ର ଗୋଟିଏ ଦିନ ପାଇଥିଲି । ଆଜି ବି ଲୋକ ପଠାଇଛି । ତାଙ୍କ କର୍ଯ୍ୟକଳାପ ସନ୍ଦେହଜନକ କି ନୁହେଁ ବର୍ତ୍ତମାନ ଆଉ କହି ହେଉନାହିଁ, କିନ୍ତୁ ମଞ୍ଜୁଶ୍ରୀଦେବୀ ଏପରି ସବୁ ମହଲରେ ଘୁରି ବୁଲୁଛନ୍ତି, ଯେଉଁ ମହଲ ଆଶା ଅପେକ୍ଷା ଆଶଙ୍କା ବେଶୀ ସୃଷ୍ଟି କରିଥାଏ । ମୋ ମତରେ ଆପଣ ଟିକେ ତାଙ୍କୁ ଓ୍ୟାଚ୍‍ କରନ୍ତୁ ।

 

ନିଶ୍ଚୟ ! ଆପଣ ମୋତେ ଯେଉଁ ଆଶାର ସମ୍ବାଦ ଶୁଣାଇଲେ ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ଆଜି ସନ୍ଧ୍ୟାବେଳେ ମୁଁ ତାଙ୍କର ଖବର ନେବି ।

 

ସନ୍ଧ୍ୟାବେଳେ ତାଙ୍କୁ ପାଇବା ସହଜ ନୁହେଁ । ତା’ ଛଡ଼ା ଶୁଣିଲି, ଆଜି ସାତଟା ବେଳେ ନାରୀ ସେବାସଦନରେ ସେମାନଙ୍କର ଗୋଟାଏ ଭେରାଇଟି ପୋଗ୍ରାମ ଅଛି ।

 

ଆଚ୍ଛା ! ସତ୍ୟବ୍ରତ ଉତ୍ସାହିତ ହୋଇ ଉଠିଲେ । ତା’ହେଲେ ତ ସୁବର୍ଣ୍ଣ ସୁଯୋଗ !

 

ଠିକ୍ ଚାରିଟାବେଳେ ସତ୍ୟବ୍ରତ ଯାଇ ‘ସେବାସଦନ’ ରେ ଉପସ୍ଥିତ ହେଲେ । ସେଠାକାର ଘଟଣା ଦେଖି ପ୍ରଥମେ ସେ ଅବାକ୍‍ ହୋଇଗଲେ । ଏହି ତିନି ଚାରିଦିନ ଭିତରେ ଆହୁରି ଉନ୍ନତ ହୋଇ ଉଠିଛି ସେବାସଦନ । ପ୍ରଥମେ ମେ ସେ ସେବାସଦନ ଭିତରେ ପ୍ରବେଶ କରି ଦେଖିଲେ, ଗୋଟିଏ ଛୋଟ ଧରଣର ଅନୁସନ୍ଧାନ ଅଫିସ ସେଠାରେ ବସି ଯାଇଛି । ଜଣେ ମହିଳା ସେହି ଅଫିସରେ ବସିଛନ୍ତି । କୌଣସି ଭିଜିଟର ପହଞ୍ଚିବା ମାତ୍ରେ, ସେଠାରେ କେତେଗୁଡ଼ିଏ କୈଫିୟତ୍‍ ଦେବାକୁ ହେବ । ଭଦ୍ର ମହିଳାଟି ସମ୍ଭ୍ରମ ସହକାରେ ଅଭିବାଦନ ଜଣାଇ, ସତ୍ୟବ୍ରତଙ୍କ ହାତକୁ ଗୋଟିଏ ଛପା ଫର୍ମ ବଢ଼ାଇଦେଲେ ।

 

ଫର୍ମଟିରେ ନିମ୍ନଲିଖିତ ବିଷୟ ଗୁଡ଼ିକ ଲେଖାଥିଲା ।

 

ନାମ :

 

ଠିକଣା :

 

କାହା ସହିତ ଦେଖା କରିବାକୁ ଚାହାନ୍ତି ।

 

(ରୋଗୀ ହୋଇଥିଲେ ବିଭାଗ ଓ ବେଡ଼ ନମ୍ବର)

 

ନୂତନ ରୋଗୀ ଭର୍ତ୍ତି କରିବାକୁ ଥିଲେ, ରୋଗୀର ସଂକ୍ଷିପ୍ତ ବିବରଣୀ ।

 

ଦସ୍ତଖତ

 

ତାରିଖ ।

 

ସତ୍ୟବ୍ରତ ଫର୍ମଟି ପଢ଼ିସାରି ଭଦ୍ରମହିଳାଙ୍କ ମୁଁହକୁ ଚାହିଁଲେ । ଭଦ୍ରମହିଳା ନିଜର କଲମଟି ବଢ଼ାଇଦେଲେ ।

 

ଧନ୍ୟବାଦ, ସତ୍ୟବ୍ରତ କହିଲେ । ଡକ୍ଟର ଶର୍ମା ଅଛନ୍ତି ?

 

ଅଛନ୍ତି ସାର୍ !

 

ସତ୍ୟବ୍ରତ ନିଜର ନାମଟି ଫର୍ମରେ ଲେଖି ତଳେ ଦସ୍ତଖତ କରି ଭଦ୍ରମହିଳାଙ୍କ ହାତକୁ ବଢ଼ାଇଦେଲେ । କହିଲେ ସେତିକି ହେଲେ ଯଥେଷ୍ଟ ହେବ ।

 

ଭଦ୍ର ମହିଳାଟି ସେଇଟିକୁ ଦରବାନ୍‍ ହାତରେ ଡକ୍ଟର ଶର୍ମାଙ୍କ ନିକଟକୁ ପଠାଇ ଦେଲେ-

 

କେତୋଟି ମୁହୂର୍ତ୍ତ ମାତ୍ର । ତା’ପରେ ଡକ୍ଟର ଶର୍ମା ନିଜେ ତଳକୁ ଓହ୍ଲେଇ ଆସି ଅଭିବାଦନ ଜଣାଇଲେ । କହିଲେ, ଆପଣଙ୍କୁ ନିଶ୍ଚୟ ଅସୁବିଧା ହୋଇଥିବ । ଏପରି ବ୍ୟବସ୍ଥା କରିବା ପାଇଁ ମୁଁ ବାଧ୍ୟ ହେଲି । ଏତେ ଲୋକ ବେଳ ଅବେଳରେ ଭିତରେ ପଶି ବିରକ୍ତ କଲେ ଯେ, ସୁସ୍ଥ ଭାବରେ କାର୍ଯ୍ୟ କରିବା ସମ୍ଭବ ହେଲା ନାହିଁ । ତା’ ଛଡ଼ା...

 

ନା, ନା, ଆପଣ ଠିକ୍ କରିଛନ୍ତି ଡକ୍ଟର ଶର୍ମା ! ଯେଉଁଠାରେ ରୋଗୀମାନଙ୍କର ଚିକିତ୍ସା କରାହେବ, ସେଠାକୁ ଯେତେବେଳେ ସେତେବେଳେ ଲୋକ ଆସି ବିରକ୍ତ କରିବା ଆଦୌ ସମୀଚୀନ ନୁହେଁ । ଆପଣଙ୍କ ବ୍ୟବସ୍ଥା ବାସ୍ତବିକ ପ୍ରଶଂସନୀୟ ।

 

ଅବଶ୍ୟ ଏହାଦ୍ୱାରା ଅନେକଙ୍କର ଟିକିଏ ଅସୁବିଧା ହେବ, ଧରନ୍ତୁ ଯେପରି ଆସି କେତୋଟି ମିନିଟ୍‍ ଠିଆ ହୋଇ ରହିବାକୁ ବାଧ୍ୟ ହେଲେ । କିନ୍ତୁ ଧୀରେ ଧୀରେ ସବୁ ଠିକ୍ ହୋଇଯିବ । ଅତି ଆତ୍ମୀୟମାନଙ୍କ ପାଇଁ ସେ ସବୁ ବ୍ୟବସ୍ଥା କୋହଳ ହୋଇଯିବ ।

 

ସେଥିପାଇଁ ମୁଁ ବିଶେଷ କିଛି ଭାବୁ ନାହିଁ । ଚାଲନ୍ତୁ, ଆପଣଙ୍କ ଉନ୍ମାଦ ରୋଗୀମାନଙ୍କୁ ଦେଖିବାରେ ମୋର ଅତ୍ୟନ୍ତ ଆଗ୍ରହ ଜନ୍ମିଛି ।

 

ବେଶ୍‍; କିନ୍ତୁ ଗୋଟାଏ ସର୍ତ୍ତ ଆପଣଙ୍କ ସହିତ ରହିବ ।

 

ସେ ପୁଣି କ’ଣ ?

 

ଆପଣ ସେମାନଙ୍କ ସହିତ କୌଣସି କଥାବାର୍ତ୍ତା କରିପାରିବେ ନାହିଁ ।

 

ସତ୍ୟବ୍ରତ ମହାପାତ୍ର କିପରି ବିସ୍ମୟ ବିସ୍ଫାରିତ ନୟନରେ ଅନାଇଲେ ।

 

ତା’ର ଯଥେଷ୍ଟ କାରଣ ଅଛି ମି: ମହାପାତ୍ର । ସେମାନେ ମୋର ଚିକିତ୍ସାଧୀନ । ନାନା ପ୍ରକାର ମନୋବିକାରରୁ ଉନ୍ମାଦ ରୋଗର ଜନ୍ମ । ତେଣୁ ଏ ରୋଗର ଚିକିତ୍ସା ଅତ୍ୟନ୍ତ ଧ୍ୟାନ ଧାରଣା ସହକାରେ କରିବାକୁ ହୋଇଥାଏ । କା’ର କ’ଣ ଅଭିଳାଷ ଥିଲା, ତାହା କେଉଁଠି ବାଧାପ୍ରାପ୍ତ ହେଲା, କିପରି ମନ ଭିତରେ ତା’ର ତରଙ୍ଗ ସୃଷ୍ଟି ହୋଇ ସେ ବିକାରଗ୍ରସ୍ତ ହେଲା-ଏ ସବୁ ଅତି ସୁକ୍ଷ୍ମ କଥା । ତେଣୁ କେଉଁ ରୋଗୀକୁ କିପରି ଟିକିତ୍ସା ହେଉଛି, ଆପଣ ଜାଣି ନାହାନ୍ତି । କିଏ କି ଧରଣର କଥା ଶୁଣିଲେ ଆରୋଗ୍ୟ ଦିଗରେ ସହାୟକ ହେବ ଆଉ କେଉଁ କଥା ଶୁଣିଲେ ରୋଗୀର ଆହୁରି ଉନ୍ମାଦନା ବଢ଼ିଯିବ, ସେ କଥା ଆପଣଙ୍କୁ ଜଣାନାହିଁ । ତେଣୁ ଆପଣ ଦୟାକରି କେବଳ ନୀରବ ଦର୍ଶକ ହୋଇ ଫେରି ଆସିବାକୁ ହେବ । ସେମାନେ ଯଦି କୌଣସି ପ୍ରଶ୍ନ କରନ୍ତି, ତଥାପି ଆପଣଙ୍କୁ ତା'ର ଉତ୍ତର ଦେବାକୁ ହେବ ନାହିଁ ।

 

ସତ୍ୟବ୍ରତ ନୀରବରେ ସବୁ କଥା ଶୁଣିଲେ । ପ୍ରକୃତରେ ଡକ୍ଟର ଶର୍ମାଙ୍କ ଉକ୍ତିର ଯଥେଷ୍ଟ ସାର୍ଥକତା ଅଛି । କିନ୍ତୁ ସେ ନୀରବରେ ଫେରି ଆସିଲେ, ତାଙ୍କ ଉଦ୍ଦେଶ୍ୟ ସାଧନ ହେବ କିପରି ? ତଥାପି ସେ ଡକ୍ଟର ଶର୍ମାଙ୍କ ସର୍ତ୍ତରେ ରାଜି ହେଲେ ।

 

ଡକ୍ଟର ଶର୍ମାଙ୍କ ସହିତ ସତ୍ୟବ୍ରତ ମହାପାତ୍ର ଯାଇ ପ୍ରଥମେ ଯେଉଁ ଘରେ ପହଞ୍ଚିଲେ, ସତ୍ୟବ୍ରତ ଅବାକ୍‍ ହୋଇ ଦେଖିଲେ, ଗୋଟିଏ ଲୋକ ତଳକୁ ମୁଣ୍ଡକରି ଉପରକୁ ଗୋଡ଼ ଠିଆ କରି ସ୍ଥିର ହୋଇ ରହିଛି । ଏମାନେ ଗୃହ ମଧ୍ୟରେ ପ୍ରବେଶ କରିବା ମାତ୍ରେ ଲୋକଟା ହାତ ସାହାଯ୍ୟରେ ସେହିପରି ଅବସ୍ଥାରେ ଚାଲିବାକୁ ଆରମ୍ଭ କରିଦେଲା । ଘରର ଏ ମୁଣ୍ଡରୁ ସେମୁଣ୍ଡ ଓ ସେମୁଣ୍ଡରୁ ଏମୁଣ୍ଡ ଦୁଇ ଚାରିଥର ଯିବା ଆସିବା କରିସାରି ସ୍ୱାଭାବିକ ଅବସ୍ଥାକୁ ଫେରିଆସି ସତ୍ୟବ୍ରତ ମହାପାତ୍ରଙ୍କ ଆଡ଼କୁ ଛୁଟି ଆସି ହଠାତ୍ ସ୍ଥିର ହୋଇ ଠିଆ ହୋଇଗଲା । ଚିତ୍କାର କରି କହିଲା; ଆଟେନ୍‍ ସନ୍‍ ।

 

ଡକ୍ଟର ଶର୍ମା ହଠାତ୍ ଆଟେନ୍‍ସନ କାଇଦାରେ ଠିଆ ହୋଇଗଲେ ।

 

ତାଙ୍କ ଇଙ୍ଗିତରେ ସତ୍ୟବ୍ରତ ମହାପାତ୍ର ମଧ୍ୟ ଆଟେନ୍‍ସନ୍‍ ଅବସ୍ଥାରେ ଠିଆ ହେବାକୁ ବାଧ୍ୟ ହେଲେ ।

 

ତା’ପରେ ସେଇ ଲୋକଟି ଚିତ୍କାର କରିଉଠିଲା, କୁଇକ୍ ମାର୍ଚ୍ଚ । ଲେଫ୍‍ଟ ରାଇଟ୍, ଲେଫ୍‍ଟ ରାଇଟ୍, ଲେଫ୍‍ଟ ରାଇଟ୍, ଲେଫ୍‍ଟ ରାଇଟ୍ । ଡକ୍ଟର ଶର୍ମା ଓ ସତ୍ୟବ୍ରତ ମାର୍ଚ୍ଚିଂ କରି କରି ଘରୁ ପଦାକୁ ବାହାରି ଆସିଲେ । ଲୋକଟା ଘର ଭିତରେ ହୋ ହୋ ହୋଇ ହସି ଉଠିଲା ।

 

ଡକ୍ଟର ଶର୍ମା ବାହାରକୁ ଆସି ଠିଆ ହୋଇ କହିଲେ, ଦେଖିଲେ, ଏଇଭଳି ପାଗଳମାନଙ୍କୁ ନେଇ ମୋତେ ଚିକିତ୍ସା କରିବାକୁ ହୁଏ । ଏ ଲୋକଟା ଏକ ସମୟରେ ମିଲେଟାରୀରେ ଥିଲା । ତା'ପରେ ପାଗଳ ହୋଇଯାଇଛି । ଆମେ ଯଦି ବର୍ତ୍ତମାନ ତା’ ନିର୍ଦ୍ଦେଶ ଅନୁସାରେ ପରିଚାଳିତ ହୋଇ ନ ଥାନ୍ତେ, ତେବେ ସେ ନିଜ ଦେହରେ ଚାପୁଡ଼ା ବିଧା ମାରି ହୋଇଥାଆନ୍ତା । ମୁଣ୍ଡର ବାଳ ଗୁଡ଼ାକ ଉପାଡ଼ିବାକୁ ଆରମ୍ଭ କରିଦେଇ ଥାଆନ୍ତା । କାନ୍ଦି କାନ୍ଦି ଗଡ଼ି ଯାଇଥାଆନ୍ତା ।

 

ସତ୍ୟବ୍ରତ ପଛକୁ ଚାହିଁ ଦେଖିଲେ, ଲୋକଟା ଘର ଭିତରେ ପୁଣି କୁସ୍ତି କସରତ୍ ଆରମ୍ଭ କରିଦେଇଛି । ସେ ଶ୍ୱସ୍ତିର ଗୋଟିଏ ନିଶ୍ୱାସ ପକାଇଲେ ।

 

ଡକ୍ଟର ଶର୍ମା ସତ୍ୟବ୍ରତଙ୍କୁ ସଙ୍ଗରେ ଧରି ଆଗେଇ ଯାଉଥିଲେ । ଏଥର ଯାଇ ଯେଉଁ ଘରେ ଉପସ୍ଥିତ ହେଲେ, ସେ ଘରଟି ବହୁ ମୂଲ୍ୟବାନ ଆସବାବପତ୍ରରେ ସୁସଜ୍ଜିତ । ରାଜସିଂହାସନ ପରି ଗୋଟାଏ ସିଂହାସନ ହୋଇଛି । ଗୋଟାଏ ଲୋକ ରାଜପୋଷାକ ପରିହିତ ହୋଇ, ମୁଣ୍ଡରେ ରାଜମୁକୁଟ ପିନ୍ଧି, ସିଂହାସନରେ ବସି ରହିଚି । ଦୁଇଜଣ ସ୍ତ୍ରୀଲୋକ ଦୁଇ ପାଖରେ ଠିଆ ହୋଇ ଚାମର ପକାଉଛନ୍ତି ।

 

ସତ୍ୟବ୍ରତ ଆଶ୍ଚର୍ଯ୍ୟ ହୋଇ ଡକ୍ଟର ଶର୍ମାଙ୍କ ମୁହଁକୁ ଅନାଇଲେ । ଡକ୍ଟର ଶର୍ମା ସତ୍ୟବ୍ରତଙ୍କ ଉଦ୍ଦେଶ୍ୟ ବୁଝିପାରି କହିଲେ, ଏ ଲୋକଟିର ଚରିତ୍ର ବିଶ୍ଳେଷଣ କଲେ, ଆପଣ ଅଦ୍ଭୁତ ଇତିହାସ ପାଇବେ । ଅବଶ୍ୟ ଲୋକଟା ବର୍ତ୍ତମାନ ଶୋଇ ପଡ଼ିଛି । ତା’ ନ ହେଲେ ଆପଣଙ୍କୁ ଏଠାକୁ ଆସି ରାଜକୀୟ କାଇଦାରେ ଅଭିବାଦନ ଜଣାଇବାକୁ ହୋଇଥାଆନ୍ତା । ତା’ ନ କରିଥିଲେ ଆପଣଙ୍କ ଉପରକୁ ଛେପ ପକାଇଥାଆନ୍ତା ଏବଂ ଅଶ୍ଳୀଳ ଭାଷାରେ ଗାଳି ଦେଇ ଥାଆନ୍ତା । ଆସନ୍ତୁ, ଲୋକଟାର ପ୍ରଚୁର ବିଶ୍ରାମର ଆବଶ୍ୟକ । ମୁଁ ତା’ ସମ୍ବନ୍ଧରେ ଆପଣଙ୍କୁ କହୁଚି ।

 

ଲୋକଟି ଅପେକ୍ଷାକୃତ ଗୋଟିଏ ଧନୀ ପରିବାରର ଲୋକ । ତା’ର ପିଲାଦିନରୁ ଗୋଟାଏ ଇଚ୍ଛା ସେ ରାଜା ହେବ । ରାଜ ସିଂହାସନରେ ବସିବ । ଦାସୀ ପରିବାରୀ ଖଟିବେ । ଅବଶ୍ୟ ଏପରି ଇଚ୍ଛା ଜାଗରୁକ ହେବା ମୂଳରେ ଗୋଟିଏ କାରଣ ଅଛି । ପିଲା ସମୟରେ ତା’ର ଗୋଟିଏ ରାଜକୁମାର ବନ୍ଧୁ ଥିଲା । ସେ ତାରି ସହିତ ରାଜନଅରକୁ ଯିବା ଆସିବା କରୁଥିଲା ଏବଂ ବନ୍ଧୁର ଅଭିଷେକ ଉତ୍ସବକୁ ମଧ୍ୟ ନିମନ୍ତ୍ରିତ ହୋଇଯାଇଥିଲା । ବନ୍ଧୁର ଅଭିଷେକ ଦେଖିବା ପରଠାରୁ, ସେ କିପରି ସିଂହାସନରେ ବସିବ, ତା’ର ଅଭିଷେକ ହେବ, ସେଇଥିପାଇଁ ସେ ବିବ୍ରତ ହୋଇ ପଡ଼ିଲା ଏବଂ ସମୟ କ୍ରମେ ତା’ର ସେଇ ଗୋଟାଏ ବ୍ୟାଧିରେ ପରିଣତ ହୋଇଗଲା, ଯାହାର ଶେଷ ପରିଣାମ ସ୍ୱରୂପ ମୋତେ ଲୋକଟାକୁ ରାଜସୁଖରେ ରଖେଇବାକୁ ହେଲା । ଡକ୍ଟର ଶର୍ମା ହସିଉଠି କହିଲେ, ଦିଅନ୍ତୁ, ସିଗାରେଟ୍ ବାହାର କରନ୍ତୁ ।

 

ସତ୍ୟବ୍ରତ ସିଗାରେଟ୍ କେସ୍ ଟା ପକେଟରୁ ବାହାର କରୁ କରୁ କହିଲେ, ଯା’ହେଉ ଆପଣ ଲୋକଙ୍କର ବହୁ ଅଭିଳାଷ ପୂରଣ କରିବା ଦିଗରେ ସହାୟତା କରୁଛନ୍ତି । କିନ୍ତୁ ଏପରି କରିବା ଦ୍ୱାରା ଏମାନଙ୍କର ରୋଗ ଆରୋଗ୍ୟ ହେବ ତ ?

 

ନିଶ୍ଚୟ ! ଉନ୍ମାଦ ରୋଗୀଙ୍କର ଚିକିତ୍ସା ପ୍ରଣାଳୀର ଧାରା ଏହିପରି । ଆମ ଦେଶରେ ସେମାନଙ୍କ ଚିକିତ୍ସା ବା ହୋଇପାରିଛି କାହିଁ ? ବିଦେଶରେ ଏ ସବୁ ରୋଗର ଚିକିତ୍ସା ପାଇଁ ଆଖିବୁଜି ଅର୍ଥ ବ୍ୟୟ କରାହେଉଛି । ଆସନ୍ତୁ ଏଥର ଆପଣଙ୍କୁ ଜଣେ ପ୍ରେମିକଙ୍କ ସହିତ ପରିଚୟ କରାଇବି !

 

ଡକ୍ଟର ଶର୍ମା ଆଉ ଏକ ଘର ଭିତରେ ପ୍ରବେଶ କଲେ । ଗୋଟିଏ ଲୋକ ଧୋତି ପଞ୍ଜାବୀ ପିନ୍ଧି, ଅତି ଯତ୍ନ ସହକାରେ କେଶ ବିନ୍ୟାସ କରି ଆଇନାରେ ମୁହଁ ଦେଖୁଥିଲା । ଡକ୍ଟର ଶର୍ମାଙ୍କୁ ଦେଖିଲାକ୍ଷଣି, ଅତି ବିନମ୍ର ଭାବରେ ମୁଲାଏମ୍ କଣ୍ଠରେ କହିଲା, ନମସ୍କାର ସାର୍ ।

 

ଡକ୍ଟର ଶର୍ମା ପ୍ରତିନମସ୍କାର କରି ଲୋକଟି ପାଖକୁ ଛୁଟି ଯାଇ କହିଲେ, ଏ ତୁମେ କ’ଣ କରିଛ ଲଳିତ ! ମୁଣ୍ଡଟା ଠିକ୍ ଭାବରେ କୁଣ୍ଡିଆ ହୋଇପାରି ନାହିଁ । ପାନିଆଟା ବାହାର କଲ ।

 

ଲଳିତ ଉଠିଯାଇ ଡ୍ରେସିଂ ଟେବୁଲର ଡ୍ରୟାର ଟାଣି ପାନିଆ ବାହାର କରି ଡକ୍ଟର ଶର୍ମାଙ୍କ ହାତକୁ ବଢ଼ାଇ ଦେଲା, କହିଲା–ଆଉ କିଛି ଖବର ପାଇଲେ ?

 

ଡକ୍ଟର ଶର୍ମା ଲଳିତର ମୁଣ୍ଡରେ ପାନିଆ ବୁଲଉ ବୁଲଉ କହିଲେ, ଏଇ ଯେଉଁ ବାବୁ ଆସିଛନ୍ତି, ଏଇ ସେଇ ଝିଅର ମାମୁଁ ହୁଅନ୍ତି । ସେ ତମ ସହିତ ଦେଖା କରିବାକୁ ଆସିଛନ୍ତି ।

 

ଲଳିତ ସଙ୍ଗେ ସଙ୍ଗେ ମୁହଁ ବୁଲାଇ ସତ୍ୟବ୍ରତଙ୍କ ଆଡ଼କୁ ଚାହିଁଲା ଏବଂ ପିନ୍ଧା କାନିଟି ଖୋଲି ଗଳାରେ ପକାଇ ସତ୍ୟବ୍ରତକୁ ସାଷ୍ଟାଙ୍ଗ ପ୍ରଣିପାତ ଜଣାଇଲା ।

 

ସତ୍ୟବ୍ରତ ପଛକୁ ଘୁଞ୍ଚି ଯାଉଥିଲେ ।

 

ଡକ୍ଟର ଶର୍ମା ଆଖି ଠାରି କ’ଣ ଯେପରି କହିଦେଲେ ।

 

ସତ୍ୟବ୍ରତ ଲଲିତଙ୍କୁ ଦୁଇ ହାତରେ ତଳୁ ଉଠାଇଲେ ।

 

ଲଳିତ ଆଶାୟୀ କ୍ଷେତ୍ରରେ ସତ୍ୟବ୍ରତଙ୍କ ମୁହଁକୁ ଅନାଇ ରହିଲା ।

 

ଡକ୍ଟର ଶର୍ମା କହିଲେ, ତୁମେ ଟିକିଏ ସୁସ୍ଥ ହୋଇ ଉଠିଲେ ସେ ସମସ୍ତ ବ୍ୟବସ୍ଥା କରିଦେବେ । ଝିଅ ତ ଅନ୍ୟ କେଉଁଠି ବାହା ହେବ ନାହିଁ ସ୍ପଷ୍ଟ କହିଦେଇଛି ।

 

ଆପଣ ଟିକିଏ ବୁଝେଇ ଶୁଝେଇ କୁହନ୍ତୁ ଡାକ୍ତର ବାବୁ ! ମୁଁ ଖୁବ୍ ଶୀଘ୍ରସୁସ୍ଥ ହୋଇ ଉଠିବି ତ !

 

ହଁ ହଁ, ତୁମେ ଭଲ ହୋଇଗଲଣି । ମୁଁ ତାଙ୍କୁ ବୁଝେଇ କହୁଚି ।

 

ଦିଆଲରେ ଟଙ୍ଗା ହୋଇଥିବା ଗୋଟିଏ ଫଟୋ ନିକଟକୁ ଲଳିତ ଛୁଟିଗଲା । ଛଳ ଛଳ ଆଖିରେ ଫଟୋ ପାଖରେ ଠିଆ ହୋଇ କ’ଣ ଯେପରି ମନକୁ ମନ କହିବାରେ ଲାଗିଲା ।

 

ଡକ୍ଟର ଶର୍ମା ସତ୍ୟବ୍ରତଙ୍କ ହାତ ଧରି ବାହାରକୁ ଘେନି ଆସିଲେ । କହିଲେ, ଦିଆଲରେ ଯେଉଁ ଫଟୋଟି ଦେଖୁଛନ୍ତି, ଏକ ସମୟରେ ସେଇ ଥିଲା ତା’ର ପ୍ରେମିକ । ଆଜି ସେ ତିନୋଟି ସନ୍ତାନର ଜନନୀ । ସ୍ୱାମୀ ପୁତ୍ର ଧରି ସୁଖର ସଂସାର ତା’ର । କିନ୍ତୁ ଏ ଲୋକଟା ସେଇଆକୁ ପ୍ରତୀକ୍ଷା କରି ବସିଛି । ଏପରି ରୋଗୀଙ୍କୁ ଆରୋଗ୍ୟ କରିବା ଖୁବ୍ ଶକ୍ତ ବ୍ୟାପାର । ତଥାପି ମୁଁ ଆପ୍ରାଣ ଚେଷ୍ଟା କରୁଛି । ସେହି ଫଟୋ ସହିତ ସାମଞ୍ଜସ୍ୟ ଥାଇ ଯଦି ଗୋଟିଏ ଝିଅ ଯୋଗାଡ଼ ହୋଇପାରନ୍ତା, ତେବେ ଏ ରୋଗୀ ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରନ୍ତା ।

 

ସତ୍ୟବ୍ରତ ଘଡ଼ିକୁ ଚାହିଁ ଦେଖିଲେ, ସମୟ ବଢ଼ି ଚାଲିଛି । କିନ୍ତୁ ସେ ଡକ୍ଟର ଶର୍ମାଙ୍କ ସହିତ ଆସି ଯେଉଁ ପାଗଳ ଗାରଦ ଭିତରେ ପଶିଛନ୍ତି, ନିଜେ ପାଗଳ ହୋଇ ନ ଗଲେ ରକ୍ଷା ।

 

ହଠାତ୍ ଦୂରରୁ କାହାର ଚିତ୍କାର ଶୁଣାଗଲା, ମୋତେ ବଞ୍ଚାଅ ମୋତେ ବଞ୍ଚାଅ । ଏମାନେ ମୋର ସର୍ବନାଶ....

 

ସତ୍ୟବ୍ରତ ମହାପାତ୍ର ଶିହରି ଉଠିଲେ । କିଏ ଏପରି ଚିତ୍କାର କରୁଛି ? ଡକ୍ଟର ଶର୍ମା ସଙ୍ଗେ ସଙ୍ଗେ କହିଲେ, ରୋଗୀଟା ଗତକାଲି ଏଠାରେ ଆଡ଼ମିସନ ନେଇଛି । ରୋଗଟା ଯଥେଷ୍ଟ ବଢ଼ିଯାଇଛି । ଆହୁରି ବହୁ ପୂର୍ବରୁ ରୋଗୀର ଚିକିତ୍ସା ଆରମ୍ଭ କରିବା ଦରକାର ହେଉଥିଲା ।

 

ସେମାନେ ଯାଇ ଗୋଟିଏ ଘର ନିକଟରେ ଠିଆ ହେଲେ । ତିନି ଚାରିଜଣ ଲୋକ ଜୋର କରି ଜଣେ ଲୋକର ହାତ ମୁହଁ ବାନ୍ଧି ଟାଣି ଟାଣି ନେଇ ଯାଉଛନ୍ତି । ଲୋକଟା ହାତ ଗୋଡ଼ ବାଡ଼େଇ ଚିତ୍କାର କରିବାକୁ ଚେଷ୍ଟା କରି ମଧ୍ୟ ପାରୁ ନାହିଁ ।

 

ଏଇଟା କି ରୋଗୀ ? ସତ୍ୟବ୍ରତ ପଚାରିଲେ ।

 

ଲୋକଟା ହଠାତ୍ ଉନ୍ମାଦ ହୋଇଯାଇଛି । ଡକ୍ଟର ଶର୍ମା ସଂକ୍ଷିପ୍ତ ଉତ୍ତରଟିଏ ଦେଇ ନୀରବ ହେଲେ ।

 

ହଠାତ୍ ଉନ୍ମାଦ ପୁଣି କ’ଣ ? ସତ୍ୟବ୍ରତ ପଚାରିଲେ ।

 

ହୁଏ, ବେଳେ ବେଳେ ଲୋକ ଏପରି ବଡ଼ ଧରଣର ଆଘାତ ପାଏ, ଯାଦ୍ୱାରା ସେ ତା’ର ଚେତନା ଶକ୍ତିକୁ ନିୟନ୍ତ୍ରଣ କରିପାରେ ନାହିଁ । ଆସନ୍ତୁ, ଏ ରୋଗୀ ସମ୍ବନ୍ଧରେ ମୀନ ପୁରାପୁରି ଅନୁସନ୍ଧାନ କରି ନାହିଁ ।

 

ସତ୍ୟବ୍ରତ ଡକ୍ଟର ଶର୍ମାଙ୍କ ସହିତ ଆଗେଇ ଗଲେ ସତ; ମାତ୍ର ତାଙ୍କ ମନରେ କିପରି ଟିକିଏ ଖଟ୍‍କା ଲାଗିଲା ।

 

ଏହାପରେ ଯେଉଁ ରୋଗୀଟି ନିକଟରେ ଯାଇ ପହଞ୍ଚିଲେ, ସେ ସତ୍ୟବ୍ରତଙ୍କୁ ଦେଖିବା କ୍ଷଣି ହ୍ୟାଣ୍ଡସେକ୍‍ କରିବା ପାଇଁ ଛୁଟି ଆସିଲା । ଡାକ୍ତର ଶର୍ମା ଇଙ୍ଗିତରେ ସମ୍ମତି ଜଣାଇଲେ ।

 

ସତ୍ୟବ୍ରତ ଲୋକଟି ସହିତ ହ୍ୟାଣ୍ଡସେକ୍ କଲେ ।

 

ସିଗାରେଟ୍ ପ୍ଲିଜ୍ ! ଲୋକଟିର ସ୍ୱର କିପରି ଅଦ୍ଭୁତ ଶୁଣାଗଲା । ସେ ମୁହଁରେ ଗୋଟାଏ ମୁଖା ପିନ୍ଧିଥିଲା । ଖଣ୍ଡେ ହାଫ୍ ପ୍ୟାଣ୍ଟ ଛଡ଼ା ଆଉ ଦେହରେ କିଛି ନ ଥିଲା । ଲୋକଟିର ବଳିଷ୍ଠ ବପୁ ଆଡ଼େ ସତ୍ୟବ୍ରତ ସ୍ତବ୍‍ଧ ହୋଇ ଅନାଇଁ ରହିଲେ । ଡକ୍ଟର ଶର୍ମାଙ୍କଠାରୁ ଅନୁମତି ନେଇ ଲୋକଟିକୁ ସିଗାରେଟ୍ କେସ୍ ଖୋଲି ଦେଖାଇଲେ ।

 

ଥ୍ୟାଙ୍କ୍‍ଇଉ କହି ଲୋକଟି ସିଗାରେଟ୍ କେସ୍ ରୁ ଗୋଟିଏ ନେଇ ବିପରୀତ ଦିଗକୁ ଛୁଟି ଚାଲିଗଲା । ଘର ଭିତରେ ଗୋଟିଏ ଦୋଳି ଝୁଲୁଥିଲା । ସେ ତା’ରି ଉପରେ ବସି ସିଗାରେଟ୍ ରେ ଅଗ୍ନିସଂଯୋଗ କଲା ଏବଂ ଝୁଲି ଝୁଲି ସିଗାରେଟ୍ ଟାଣିବାରେ ଲାଗିଲା । ସତ୍ୟବ୍ରତ ତା’ରି ଆଡ଼େ ଅନାଇ ରହିଲେ ।

 

ମୋତେ ଗୋଟିଏ ସିଗାରେଟ୍ ଦିଅନ୍ତୁ । ଡକ୍ଟର ଶର୍ମା ସତ୍ୟବ୍ରତଙ୍କ ଧ୍ୟାନ ଭଙ୍ଗ କଲେ । ଏ ରୋଗୀଟି ପ୍ରାୟ ଆରୋଗ୍ୟ ହୋଇ ଆସିଲାଣି । ଆଉ ଦୁଇ ଚାରିମାସ ଚିକିତ୍ସାରେ ସଂପୂର୍ଣ୍ଣ ଭଲ ହୋଇଯିବ, ଆଶା କରୁଛି ।

 

ସତ୍ୟବ୍ରତ ଫେରି ଆସୁଥିଲେ । କିନ୍ତୁ ସେଇ ଘର ଭିତରେ ଗୋଟିଏ ଲଙ୍ଗ୍ କୋଟ୍ ତାଙ୍କର ଦୃଷ୍ଟି ଆକର୍ଷଣ କଲା ।

 

ଡକ୍ଟର ଶର୍ମା କହିଲେ, ଏ ଲୋକଟି ଜଣେ ଭଲ କ୍ରିକେଟ୍ ଖେଳୁଆଡ଼ ଥିଲା । ଥରେ ବିଦେଶକୁ ଖେଳିବାକୁ ଯାଇ ହାରିଯାଇଥିଲା । ସେଥର ସେଇଥିଲା ଦଳର କ୍ୟାପ୍‍ଟେନ ଏବଂ ସେ ଚାଲେଞ୍ଜ କରିଥିଲା ଯେ, ଗେମ୍ ସେ ନିଶ୍ଚୟ ଜିତିବ । କିନ୍ତୁ ହାରିଯାଇ ଦୁଃଖ ଓ କ୍ଷୋଭରେ ଏପରି ଭାଙ୍ଗି ପଡ଼ିଲା ଯେ, ଭାରତ ବର୍ଷକୁ ଫେରିଆସି ଭୀଷଣ ଅସୁସ୍ଥ ହୋଇ ପଡ଼ିଲା । ତା’ ପରେ ଧୀରେ ଧୀରେ ପାଗଳାମି ଆରମ୍ଭ ହୋଇଗଲା ।

 

ସତ୍ୟବ୍ରତ କିନ୍ତୁ ସେହି ଲଙ୍ଗ୍ କୋଟଟା ଆଡ଼େ ଏକ ଧ୍ୟାନରେ ଚାହିଁଥିଲେ । ଯଦିଓ ଦୂରରୁ ସ୍ପଷ୍ଟ ଦେଖାଯାଉ ନ ଥିଲା, ମାତ୍ର ତାଙ୍କର ଯେପରି ମନେ ହେଉଥିଲା ଲଙ୍ଗ୍ କୋଟଟାରେ ଗଳା ଆଡ଼ୁ ତଳକୁ ତୃତୀୟ ବୋତାମଟା ନାହିଁ । ହୁଏତ ନ ଥାଇ ପାରେ । କିନ୍ତୁ କ’ଣ ବୈଚିତ୍ର୍ୟ ଅଛି ସେଥିରେ !

 

ଆସନ୍ତୁ, ଶେଷ ରୋଗୀଟି ପାଖକୁ ଯିବା ।

 

ସତ୍ୟବ୍ରତ ଡକ୍ଟର ଶର୍ମାଙ୍କ ସହିତ ଅନ୍ୟତ୍ର ଯାତ୍ରା କଲେ । ଶେଷ ରୋଗୀଟି ଯେଉଁ ଘରଟିରେ ଥିଲା, ସେ ଘରେ ବିଶେଷ କିଛି ଆସବାବ ପତ୍ର ନ ଥିଲା । ଗୋଟିଏ ଫିତା ଖଟ ଉପରେ ରୋଗୀଟି ଶୋଇଥିଲା । ମନେହେଉଥିଲା, ଯେପରି ଗାଢ଼ ନିଦ୍ରାରେ ନିମଗ୍ନ । ଜଣେ ଡାକ୍ତର ସେହି ରୋଗୀଟିର ମୁଣ୍ଡ ପାଖରେ ବସି ସିରିଞ୍ଜ୍‍ରେ ଇଞ୍ଜେକ୍‍ସନ୍‍ ଭରୁଥିଲେ । ଡକ୍ଟର ଶର୍ମାଙ୍କୁ ଦେଖି ସମ୍ଭ୍ରମ ସହକାରେ ଉଠି ଠିଆହୋଇ ପଡ଼ିଲେ ।

 

ଡକ୍ଟର ଶର୍ମା ଯାଇ ରୋଗୀର ହାତ ଉଠାଇ ନାଡ଼ି ପରୀକ୍ଷା କଲେ । ସହକାରୀ ଡାକ୍ତରଙ୍କୁ ପଚାରିଲେ, ହାର୍ଟର ଅବସ୍ଥା କିପରି ?

 

ବେଟର ।

 

ଡକ୍ଟର ଶର୍ମା ସତ୍ୟବ୍ରତଙ୍କ ନିକଟକୁ ଫେରି ଆସି କହିଲେ, ରୋଗୀମାନଙ୍କ ଭିତରେ ଆମର ଏଇ କେସ୍‍ଟି ଦୁଇଦିନ ହେବ ସିରିଅସ୍ ହୋଇ ଉଠିଛି । ରୋଗୀର ଅବସ୍ଥା କ୍ରମଶଃ ଉନ୍ନତି ଦିଗରେ ଗତି କରୁଥିଲା । କାଲି ହଠାତ୍ ରୋଗୀ ଶୁଣିଲା ଯେ ତାଙ୍କର ସ୍ତ୍ରୀ ମେଡିକାଲ୍‍ ରେ ମରି ଯାଇଛନ୍ତି । ସେତିକି ବେଳୁ ରୋଗୀର ହାର୍ଟର ଅବସ୍ଥା ଖରାପ ହୋଇ ଯାଇଛି । ଏଇ ସମ୍ବାଦଟା ତାଙ୍କର ଜଣେ ନିଜ ଲୋକ ସିଧା ସଳଖ ପଶିଆସି ଦେଇ ଦେଲା । ଖୁବ୍ ଅନ୍ୟାୟ କାର୍ଯ୍ୟ କିନ୍ତୁ ।

 

ସତ୍ୟବ୍ରତ ରୋଗୀଟି ଆଡ଼େ କିଛି ସମୟ ସହାନୁଭୂତି ଦୃଷ୍ଟିରେ ଅନାଇ ରହି ଗୋଟିଏ ଦୀର୍ଘଶ୍ୱାସ ତ୍ୟାଗ କଲେ । କହିଲେ, ମୋଟରେ ତା’ହେଲେ ଆପଣ ଛ’ଟି ଉନ୍ମାଦ ରୋଗୀଙ୍କର ଚିକିତ୍ସା କରୁଛନ୍ତି ?

 

ହଁ, ଆପାତତଃ ଏତିକିରେ ମୋ ରିସର୍ଚ୍ଚ କାର୍ଯ୍ୟ ଚଳିଯିବ । ଖୁବ୍ ବେଶୀ ହେଲେ, ଆଉ ଦି ଜଣ ମୁଁ ନେଇପାରେ । ସେ ପୁଣି ମୋ ମନ ଲାଖି ରୋଗୀ ହେଲେ ଯାଇ ଗ୍ରହଣ କରିବି ।

 

ଡକ୍ଟର ଶର୍ମା ଓ ସତ୍ୟବ୍ରତ ବୈଠକଖାନାକୁ ଫେରି ଆସିଲେ । ଚା’ ଓ ଜଳଖିଆ ପ୍ରସ୍ତୁତ ହୋଇ ରହିଥିଲା । ଡକ୍ଟର ଶର୍ମା ଜଳଖିଆ ପ୍ଲେଟଟା ବଢ଼େଇ ଦେଇ, ନିଜେ ଚା’ ତିଆରି କଲେ ।

 

ଏ ସବୁ କ’ଣ ! ସତ୍ୟବ୍ରତ ମୃଦୁ ପ୍ରତିବାଦ ଉଠାଇଲେ ।

 

କିଛି ନୁହେଁ, ସାମାନ୍ୟ ଟିକିଏ ଚା’ ଛଡ଼ା ଆପଣାକୁ ଆପ୍ୟାୟିତ କରେଇବା ପାଇଁ ମୋ ଘରେ ଆଉ କିଛି ନାହିଁ ।

 

ସତ୍ୟବ୍ରତ ଲଜ୍ଜିତ ହେଲେ ଏବଂ କୌଣସି ପ୍ରତିବାଦ ନ କରି ଜଳଖିଆ ତକ ଉଦରସ୍ଥ କରିବାରେ ଲାଗିଲେ ।

 

ସେ କିନ୍ତୁ ମନେ ମନେ ସବୁ ରୋଗୀ ଗୁଡ଼ିଙ୍କୁ ବିଶ୍ଳେଷଣ କରୁଥିଲେ । ଏମାନଙ୍କ ଭିତରୁ କିଏ ଆଉ ମମ୍‍ର କୁଣ୍ଢେଇ ଡକ୍ଟର ଶର୍ମାଙ୍କୁ ଭେଟି ଦେଇପାରେ !!

 

ଡକ୍ଟର ଶର୍ମା କହିଲେ, ରୋଗୀମାନଙ୍କୁ ଦେଖି ଆପଣଙ୍କର କ’ଣ ମନେ ହେଲା ମି: ମହାପାତ୍ର !!

 

ଆପଣ ଏକ ବିଚିତ୍ର ରାଜ୍ୟରେ ବାସ କରୁଛନ୍ତି ଡକ୍ଟର ଶର୍ମା । ଆପଣଙ୍କ ଦୃଷ୍ଟିରେ ଆମେ ସବୁ ଯେ ଗୋଟିଏ ଗୋଟିଏ ପାଗଳ କାହିଁକି ନୋହୁଁ, ସେ କଥା ବେଳେ ବେଳେ ଆପଣ ନିଜକୁ ନିଜେ ହୁଏତ ପ୍ରଶ୍ନ କରୁଥିବେ ।

 

ଡକ୍ଟର ଶର୍ମା ହସିଲେ । ଚା’ କପ୍‍ଟା ସତ୍ୟବ୍ରତଙ୍କ ହାତକୁ ବଢ଼ାଇ ଦେଇ କହିଲେ, ହଁ ବେଳେ ବେଳେ ସେହିପରି ପ୍ରଶ୍ନ ମନ ଭିତରେ ଜାଗେ । ଜଗତରେ ଯେତୋଟି ମନୁଷ୍ୟ ଅଛନ୍ତି, ସମସ୍ତଙ୍କର କିଛି ନା କିଛି ଗୋଟାଏ କାମନା ଅଛି ଏବଂ ସେହି କାମନା ଚରିତାର୍ଥ କରିବା ପାଇଁ, ସେ କିଛିକାଳ ନିଶ୍ଚୟ ଚେଷ୍ଟା କରୁଛି । ସେଥିରେ କେହି ସଫଳ ହେଉଛି, କେହି ବା ବିଫଳତାରେ ବିଚଳିତ ନ ହୋଇ ନୀରବ ରହୁଛି । ଆଉ କେହି କେହି ଅସଫଳତାର ଧକ୍‍କା ସହି ନ ପାରି ପାଗଳ ହେଉଛି । କିନ୍ତୁ ପ୍ରତିଟି ମଣିଷ ମନର ରହସ୍ୟ ଜାଣିବା ପାଇଁ ମୋ ମନଟା ବେଳେ ବେଳେ ଚଞ୍ଚଳ ହୋଇ ଉଠେ ।

 

ମୋତେ ଦେଖି ଆପଣଙ୍କର କ’ଣ ମନେ ହେଉଛି ? ସତ୍ୟବ୍ରତ ରହସ୍ୟମୟ ସ୍ୱରରେ ପଚାରିଲେ । ମୁଁ ଆପଣଙ୍କ ମେଣ୍ଟାଲ କ୍ଳିନିକ୍‍ରେ ରହିବା ଉପଯୋଗୀ କି ନା ?

ଡକ୍ଟର ଶର୍ମା ହୋ ହୋ ହୋଇ ହସିଉଠିଲେ । କହିଲେ, ବରଂ ଆପଣ ମୋ ପାଇଁ କୌଣସି ଏକ ମେଣ୍ଟାଲ ହସ୍ପିଟାଲରେ ଗୋଟିଏ ସିଟ୍ ଠିକ୍ କରନ୍ତୁ । ମୋର ଆଉ ବେଶୀ ଦିନ ନୁହେଁ ।

ସତ୍ୟବ୍ରତ ହସିଉଠିଲେ, କହିଲେ–ଆପଣଙ୍କ ସୌଜନ୍ୟତା ପାଇଁ ମୋର ଆନ୍ତରିକତା ଜଣାଉଛି । ଆଉ ଦିନେ ଆସି ରୋଗୀମାନଙ୍କ ସମ୍ବନ୍ଧରେ ମୋର ମତାମତ ଜଣାଇବି । ସିଗାରେଟ୍ କେସ୍ ବାହାର କରି ଡକ୍ଟର ଶର୍ମାଙ୍କ ଆଗକୁ ଖୋଲି ଦେଖାଇଲେ ଏବଂ ନିଜେ ଗୋଟିକରେ ଅଗ୍ନିସଂଯୋଗ କଲେ ।

ନାରୀ ସେବାସଦନରେ ଭେରାଇଟି ସୋ’ର ପ୍ରୋଗ୍ରାମ ଆରମ୍ଭ ହୋଇଯାଇଥିଲା । ସତ୍ୟବ୍ରତ ଭିତରକୁ ଯାଇ ଗୋଟିଏ ଆସନ ଦଖଲ କରି ବସିଲେ । ସେଇ ମୁହୂର୍ତ୍ତରେ କରତାଳି ଧ୍ୱନି ସଙ୍ଗେ ସଙ୍ଗେ ରଙ୍ଗମଞ୍ଚର ପରଦା ନଇଁ ଆସିଲା । ସତ୍ୟବ୍ରତ ପରବର୍ତ୍ତୀ ପ୍ରୋଗ୍ରାମ ଦେଖିବା ପାଇଁ ଅପେକ୍ଷା କରି ବସି ରହିଲେ ।

ଗୋଳ ଚହଳ ଭିତରେ ପ୍ରାୟ ପନ୍ଦର ମିନିଟ୍‍ ଅତିବାହିତ ହୋଇଗଲା । ଭିତରେ ଓ ବାହାରେ ନାନା ପ୍ରକାର ଗୁଞ୍ଜନ ଧ୍ୱନିରେ ହଲ୍‍ର ବାତାବରଣ କିପରି ଦୂଷିତ ହୋଇ ଉଠିଥିଲା । ହଠାତ୍ ମାଇକ୍ ରୁ ଶୁଣାଗଲା ଏଥର ମଞ୍ଜୁଶ୍ରୀ ଦେବୀ...

ଅସମାପ୍ତ କଥା ପରେ ସାମାନ୍ୟ ନୀରବତା । ତା’ପରେ କିଏ ଜଣେ ପୁଣି ମାଇକ୍‍ ନିକଟରେ କହିବାକୁ ଆରମ୍ଭ କଲେ, ଆମର ପରବର୍ତ୍ତୀ ଆକର୍ଷଣ ଓଡ଼ିଶୀ ନୃତ୍ୟ । ପରିବେଷଣ କରୁଛନ୍ତି, ମଞ୍ଜୁଶ୍ରୀ ବାହିନୀପତି ।

ପ୍ରେକ୍ଷାଗୃହ ଅନ୍ଧକାର ହୋଇଗଲା, ମଞ୍ଚରୁ ପର୍ଦ୍ଦା ଅପସରି ଗଲା । କର୍ଣ୍ଣ କୁହରେ ପ୍ରବେଶ କଲା, ଲଳିତ କଣ୍ଠର ଗୀତଗୋବିନ୍ଦ ଆବୃତ୍ତି ଏବଂ ସଙ୍ଗେ ସଙ୍ଗେ ବାଦ୍ୟର ମଧୁର ଲହରୀ-। ତାଳେ ତାଳେ ନୃତ୍ୟଚଞ୍ଚଳା ମଞ୍ଜୁଶ୍ରୀ ।

କିଛି ସମୟ ପ୍ରେକ୍ଷାଗୃହ ନିର୍ବାକ୍‍ ହୋଇଗଲା । ନର୍ତ୍ତକୀଙ୍କର ନୃତ୍ୟମୁଦ୍ରା ଦର୍ଶକଙ୍କୁ ବିମୋଦିତ କରି ରଖିଥିଲା ।

ଅପୂର୍ବ ! ଅପୂର୍ବ !!

କୌଣସି କୌଣସି ଦର୍ଶକଙ୍କ ସହିତ ସତ୍ୟବ୍ରତ ନିଜେ ମଧ୍ୟ କହି ଉଠିଲେ, ବାସ୍ତବିକ ଅପୂର୍ବ !

ପୁଣି ଥରେ କରତାଳି ଧ୍ୱନିରେ ପ୍ରେକ୍ଷାଗୃହ କଂପି ଉଠିଲା । ଆଲୋକ ଜଳିଲା । ଦର୍ଶକମାନଙ୍କର ନୃତ୍ୟ ଉପରେ ଟୀକା ଟିପ୍ପଣୀ ଆରମ୍ଭ ହୋଇଗଲା ।

ସତ୍ୟବ୍ରତ ସିଟ ଛାଡ଼ି ଉଠିଗଲେ । ଦେଖିଲେ ଗ୍ରୀନରୁମ୍‍କୁ ପ୍ରବେଶ କରିବାରେ କୌଣସି ବାଧା ବନ୍ଧନ ନାହିଁ । ଭିତରେ ମଞ୍ଜୁଶ୍ରୀ ସେତେବେଳକୁ ତା’ର କେତେକ ବାନ୍ଧବୀଙ୍କର ବାହୁବନ୍ଧନ ଭିତରେ ନିଜର ବୈଜୟନ୍ତୀର ଗର୍ବ ଅନୁଭବ କରୁଥିଲା । ଦୁଇ ଚାରିଜଣ ମୁଗ୍‍ଧ ଦର୍ଶକ ହାତରେ ଫୁଲତୋଡ଼ାଟିଏ ଲେଖା ଧରି ମଞ୍ଜୁଶ୍ରୀକୁ ଅଭ୍ୟର୍ଥନା ଜଣାଇବା ପାଇଁ ଅପେକ୍ଷା କରିଥଲେ-

ମଞ୍ଜୁଶ୍ରୀ ଆସିଲେ ଏବଂ ଭେଟି ଗ୍ରହଣ କଲେ । ସତ୍ୟବ୍ରତ କେବଳ କ୍ଷୁଦ୍ର ନମସ୍କାରଟିଏ କରି କହିଲେ, ଅପଣଙ୍କ ନୃତ୍ୟଛନ୍ଦରେ ମୁଁ ନୂତନତ୍ୱର ସନ୍ଧାନ ପାଇଛି ।

ମଞ୍ଜୁଶ୍ରୀ ପ୍ରତି ନମସ୍କାର କଲା ଏବଂ ଆଗେଇ ଯାଇ କହିଲା, ସେଇଟା ଆପଣମାନଙ୍କର ଆଶୀର୍ବାଦ ।

 

ସତ୍ୟବ୍ରତ ମଞ୍ଜୁଶ୍ରୀ ମୁହଁରୁ ଏପରି ଉତ୍ତର ପ୍ରତ୍ୟାଶା କରି ନ ଥିଲେ । ସେ ଭାବିପାରିଲେ ନାହିଁ ମଞ୍ଜୁଶ୍ରୀ ତାଙ୍କୁ କ’ଣ ଭାବି ଏପରି ଉତ୍ତର ଦେଲା । ଏହା ପରେ କ’ଣ ପଚାରିବେ, ସତ୍ୟବ୍ରତ ସେଇକଥା ଭାବୁଥିଲେ । ମଞ୍ଜୁଶ୍ରୀ କହିଲା, ମୋର ଏହିପରି ନୃତ୍ୟଭଙ୍ଗୀର ଫଟୋ କେତେଖଣ୍ଡି ଅଛି-। ଆପଣ ଯଦି ଚାହାନ୍ତି....

 

ମଞ୍ଜୁଶ୍ରୀର ମୁଖ ଆରକ୍ତ ହୋଇ ଉଠିଲା । ସତ୍ୟବ୍ରତ ନିଜ ଉପରେ ଥରେ ଆଖି ବୁଲେଇ ନେଲେ । ଦେଖିଲେ ସେ ହାତରେ ଖଣ୍ଡିଏ ନୋଟ୍‍ ବୁକ୍‍ ଧରିଛନ୍ତି । ତେଣୁ ମଞ୍ଜୁଶ୍ରୀର ଅନୁମାନ ଆଦୌ ଭୁଲ ହୋଇନାହିଁ । ସେ ଯେ ତାଙ୍କୁ କୌଣସି ପତ୍ରିକାର ପ୍ରତିନିଧି ଭାବି ଫଟୋ ଦେବା ପାଇଁ କହୁଛି, ଏହା ନିଶ୍ଚିତ କଥା । ସତ୍ୟବ୍ରତ ସଜାଗ ହୋଇ ଉଠିଲେ ଏବଂ କହିଲେ, ଆଶା କରୁଛି, ଭେରାଇଟି ସୋ ଶେଷ ହେବା ପରେ ଆପଣଙ୍କ ସହିତ ଘରେ ଭେଟ ହୋଇ ପାରିବ ।

 

ହଁ, ହଁ ତା’ ହେବ । ଆପଣ ସୋ ଦେଖନ୍ତୁ । ମୋର ଆହୁରି ଗୋଟିଏ ଗ୍ରାମ୍ୟ ନୃତ୍ୟ ଅଛି-। ଦୁଇଟି ଯାକ ନୃତ୍ୟ ଦେଖି ସାରିଲେ ଆପଣଙ୍କୁ ସୁବିଧା ହେବ ।

 

ଧନ୍ୟବାଦ । ମୁଁ ଅପେକ୍ଷା କରୁଛି । ଆଶା କରୁଛି ଦଶଟା ଭିତରେ ଏହି ପ୍ରୋଗ୍ରାମ ଶେଷ ହୋଇଯିବ ।

 

ଆହୁରି ଆଗରୁ ଶେଷ ହୋଇଯିବ, ମଞ୍ଜୁଶ୍ରୀ କହିଲେ ।

 

ମୁଁ ତା’ ହେଲେ ଦଶଟା ବେଳକୁ ଘରେ ଆପଣଙ୍କ ସହିତ ସାକ୍ଷାତ କରିବି ।

 

ମୋର ଗ୍ରାମ୍ୟନୃତ୍ୟଟା ଦେଖିଯିବେ କିନ୍ତୁ ! ମଞ୍ଜୁଶ୍ରୀର କଥା ଯେପରି ଆନ୍ତରିକତା ଭରି ଯାଇଥିଲା ।

 

ନିଶ୍ଚୟ, ନିଶ୍ଚୟ !! ସତ୍ୟବ୍ରତ ପୁଣି ପ୍ରେକ୍ଷାଗୃହ ଉଦ୍ଦେଶ୍ୟରେ ଗମନ କଲେ । ଏତେ ସହଜରେ ଯେ ମଞ୍ଜୁଶ୍ରୀ ସହିତ ବନ୍ଧୁତା ସ୍ଥାପନ କରିହେବ, ସେକଥା ସେ ଆଶା କରିପାରି ନ ଥିଲେ-। ଏହା ଏକ ସୁବର୍ଣ୍ଣ ସୁଯୋଗ କହିବାକୁ ହେବ ।

 

ସତ୍ୟବ୍ରତ ପ୍ରେକ୍ଷାଗୃହରେ ବସି ରହି ଅନ୍ୟମନସ୍କ ହୋଇ ପଡ଼ିଲେ । ରଙ୍ଗମଞ୍ଚର ନୃତ୍ୟଗୀତ ତାଙ୍କ କାନରେ ପ୍ରବେଶ କରୁଥିଲା କି ନାହିଁ କେଜାଣି, ତଥାପି ସେ ମୁଗ୍‍ଧ ଦୃଷ୍ଟିରେ ଚାହିଁ ରହିଥିଲେ ।

 

ମଞ୍ଜୁଶ୍ରୀର ଗ୍ରାମ୍ୟନୃତ୍ୟ ଶେଷ ହେବା ପରେ ସତ୍ୟବ୍ରତ ପ୍ରେକ୍ଷାଗୃହରୁ ବାହାରି ଆସିଲେ-। ଗୋଟାଏ ଚାହା ଦୋକାନରେ ବସି ଖବରକାଗଜ ଖଣ୍ଡିଏ ଧରି କିଛି ସମୟ କଟାଇ ଦେଲେ-। କିନ୍ତୁ ପ୍ରତୀକ୍ଷାରେ ସମୟ ଗୁଡ଼ାକ କଟିବାକୁ ଚାହେଁନା ।

 

ସାଢ଼େ ନ’ଟା ବେଳକୁ ସତ୍ୟବ୍ରତ ଚା’ଦୋକାନ ଛାଡ଼ି ଧୀରେ ଧୀରେ ମଞ୍ଜୁଶ୍ରୀ ଘରଆଡ଼େ ମୁହାଁଇଲେ ।

 

ମଞ୍ଜୁଶ୍ରୀ ଫେରି ଆସି ସତ୍ୟବ୍ରତଙ୍କୁ ଅପେକ୍ଷା କରି ବସିଥିଲେ । ନିରଳଙ୍କାରା ମଞ୍ଜୁଶ୍ରୀ । ଦେହର ଲାଳିତ୍ୟ, ମୁକାର ଲାବଣ୍ୟ, ସତ୍ୟବ୍ରତ ମୁଗ୍‍ଧ ହୋଇ ଅନାଇ ରହିଲେ । ନାଲି ପାଢ଼ୀର ସାଦା ଶାଢ଼ୀ ଖଣ୍ଡିକ ଭିତରେ ପ୍ରକୃତରେ ସେ ‘ମଞ୍ଜୁଶ୍ରୀ’ ଠାରୁ ଆହୁରି ସୁନ୍ଦର ଦିଶୁଥିଲା । ଗୋଟିଏ କ୍ଷୁଦ୍ର ନମସ୍କାର ଏବଂ ଟିକିଏ ସ୍ମିତ ହସ, ଯାହାର ସ୍ମୁତି ହୁଏତ ସତ୍ୟବ୍ରତ କେବେ ଜୀବନରେ ଭୁଲିପାରିବେ ନାହିଁ ।

 

ବସନ୍ତୁ ! ଠିଆହୋଇ ରହିଲେ ଯେ ! ମଞ୍ଜୁଶ୍ରୀ ସତ୍ୟବ୍ରତଙ୍କ ଧ୍ୟାନ ଭଙ୍ଗ କରାଇଲା ।

 

ସତ୍ୟବ୍ରତ ଲଜ୍ଜିତ ହେଲେ, ପ୍ରତି ନମସ୍କାର ଜଣେଇ କହିଲେ, ସେତେବେଳର ବେଶ ସହିତ ବର୍ତ୍ତମାନକୁ ମନେ ମନେ ତୁଳନା କରୁଥିଲି ଆପଣଙ୍କୁ । ବେଶ୍ ଲାଗିଲା ଆପଣଙ୍କ ନୃତ୍ୟର ଛନ୍ଦ । ଏତେ ନିର୍ଭୁଲ ଆଉ ମୁଦ୍ରାଜ୍ଞାନ ଏତେ ସ୍ପଷ୍ଟ ଯେ, ମୁଁ ସେତିକିବେଳୁ ମନେ ମନେ ଓଡ଼ିଶାର ଆଉ କୌଣସି ନର୍ତ୍ତକୀକୁ ତୁଳନା କରିବାକୁ ଖୋଜୁଥିଲି, କିନ୍ତୁ କେହି ଆଖିରେ ପଡ଼ିଲେ ନାହଁ ।

 

ଆପଣ ମିଛ କହୁଛନ୍ତି ମି:........

 

ମହାପାତ୍ର । ମୋତେ ସମସ୍ତେ ମହାପାତ୍ର ବାବୁ କହନ୍ତି । ସତ୍ୟବ୍ରତ କହିଲେ ।

 

କ୍ଷମା କରିବେ, ଇତି ପୂର୍ବରୁ ଆପଣଙ୍କ ସହିତ କେଉଁଠି ସାକ୍ଷାତ ହୋଇ ନ ଥିବାରୁ; ଆପଣଙ୍କ ନାଁଟା ଜାଣି ନ ଥିଲି । ଆଚ୍ଛା ଗତ ରବିବାର ପ୍ରଭାତୀରେ ମଣିମାଳାଙ୍କ ସମ୍ବନ୍ଧରେ ଆପଣ ଲେଖିଥିଲେ ?

 

ସତ୍ୟବ୍ରତ କେବଳ ସ୍ମିତ ହସିଲେ ।

 

ଲେଖାଟା ଖୁବ୍ ଭଲ ଲାଗିଲା । କୌଣସି ଶିଳ୍ପୀ ସମ୍ବନ୍ଧରେ ଲେଖିବାକୁ ହେଲେ, ତାର ସବୁ ଦିଗ ଗୁଡ଼ିକ ସୁକ୍ଷ୍ମ ଭାବରେ ବିଶ୍ଳେଷଣ କରି ଲେଖିବାକୁ ହୋଇଥାଏ, କିନ୍ତୁ ଆମ ସାମ୍ବାଦିକମାନେ ତା’କରନ୍ତି ନାହିଁ । କେବଳ ଉପରେ ଉପରେ ଭାସିଯିବା ହେଉଛି ସେମାନଙ୍କର ଉଦ୍ଦେଶ୍ୟ । ତା’ର କାରଣ ସେମାନେ କୌଣସି ଜିନିଷକୁ ଗଭୀର ଭାବରେ ବିଶ୍ଳେଷଣ କରନ୍ତି ନାହିଁ-

 

ଆପଣଙ୍କ ଯୁକ୍ତିର ଯଥେଷ୍ଟ ଯଥାର୍ଥତା ରହିଛି ମଞ୍ଜୁଦେବୀ । କିନ୍ତୁ କ’ଣ ଜାଣନ୍ତି ? ଆମ ଦେଶର ସାମ୍ବାଦିକମାନଙ୍କୁ ପୂର୍ଣ୍ଣମାତ୍ରାରେ ସାମ୍ବାଦିକତା କରିବାର ସୁଯୋଗ ଦିଆଯାଏ ନାହିଁ । ଜୀବନଧାରଣ ପାଇଁ ସାମ୍ବାଦିକତା ପରେ ମଧ୍ୟ ତାକୁ ଆଉ କୌଣସି କାର୍ଯ୍ୟ କରିବାକୁ ହୋଇଥାଏ । ଆପଣ ବିଶ୍ୱାସ କରିବେ କି ନାହିଁ ଜାଣେନା, ମୁଁ ଏପରି ଜଣେ ସାମ୍ବାଦିକଙ୍କୁ ଜାଣେ ଯିଏ ଦଶଟାରୁ ପାଞ୍ଚଟା ଖବରକାଗଜ ଅଫିସରେ କଲମ ଘଷି ଘଷି, ପୁଣି ଯାଇ ଗୋଟାଏ ଫାର୍ମରେ ଟାଇପିଷ୍ଟ କାମ କରନ୍ତି । ଏପରି ବହୁ ଦୃଷ୍ଟାନ୍ତ ଅଛି, ଛାଡ଼ନ୍ତୁ, ମୁଁ ଆପଣଙ୍କ ସମ୍ବନ୍ଧରେ କେତେକ ତଥ୍ୟ ଜାଣିବାକୁ ଚାହେଁ, ଅବଶ୍ୟ ସେଗୁଡ଼ିକ ଭଦ୍ରତା ରକ୍ଷା କରିବାକୁ ଗଲେ ପଚାରି ହେବ ନାହିଁ, କିନ୍ତୁ....

 

ନାଁ, ମହାପାତ୍ର ବାବୁ; ମୋତେ ନିଃସଙ୍କୋଚରେ ଆପଣ ସବୁ କଥା ପଚାରି ପାରନ୍ତି । ମୁଁ ମୋର ଜୀବନର କୌଣସି ଘଟଣା ଲୁଚାଇବି ନାହିଁ ।

 

ମୁଁ ସେଇଆ ଚାହେଁ । ଆଜି ପର୍ଯ୍ୟନ୍ତ ଯେତେଜଣ ଶିଳ୍ପୀଙ୍କ ସହିତ ମୁଁ ମିଶିଛି, ସେମାନଙ୍କ ପାଖରେ ମୋର ଉଦ୍ଦେଶ୍ୟ ବ୍ୟକ୍ତ କରିଛି, ଯେଉଁମାନେ ମୋ ଉଦ୍ଦେଶ୍ୟ ଗ୍ରହଣ କରିଛନ୍ତି, ସେମାନଙ୍କ ସମ୍ବନ୍ଧରେ ମୋର କ୍ଷୁଦ୍ର ବୁଦ୍ଧିରେ କିଛି କିଛି ଲେଖିବାକୁ ଚେଷ୍ଟା କରିଛି । ଯେଉଁମାନେ ମୋତେ ଅସ୍ୱୀକାର କରିଛନ୍ତି, ମୁଁ ବିନା ପ୍ରତିବାଦରେ ଫେରି ଆସିଛି ।

 

ଚା’ନା କଫି ? କ’ଣ ଆପଣ ଖାଇବେ ?

 

ଯାହା ହେଲେ ବି ଚଳିବ । ସେଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଏଥର ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ । ସତ୍ୟବ୍ରତ ନୋଟ୍‍ ଖାତାଟିର ଗୋଟିଏ ପୃଷ୍ଠା ଖୋଲି, ମଞ୍ଜୁଶ୍ରୀ ବାହିନୀପତିର ନାମ ଲେଖିଲେ ।

 

ପ୍ରଥମ ପ୍ରଶ୍ନ-ବୟସ

 

ଏକୋଇଶ୍ ।

 

ନୃତ୍ୟପ୍ରତି ଆପଣ କିପରି ଆକୃଷ୍ଟ ହେଲେ ?

 

ମୁଁ ଠିକ୍ କହିପାରିବି ନାହିଁ, ତେବେ ବାପା ବୋଉ କହନ୍ତି ମୁଁ ଅତି ସାନଟି ଦିନରୁ ନୃତ୍ୟଗୀତ ପ୍ରତି ମନ୍ତ୍ରମୁଗ୍‍ଧ ପରି ଆକୃଷ୍ଟ ହେଉଥିଲି ।

 

ତା’ହେଲେ ନୃତ୍ୟଟା ଆପଣଙ୍କର ଈଶ୍ୱର ଦତ୍ତ ।

 

ମଞ୍ଜୁଶ୍ରୀ ନୀରବ ରହିଲା ।

 

ନୃତ୍ୟଛଡ଼ା ଆଉ କ’ଣ ଭଲ ଲାଗେ ଆପଣଙ୍କୁ ?

 

ବନ୍ଧୁତ୍ୱ ।

 

ବିଶେଷ କରି ପୁରୁଷମାନଙ୍କ ସହିତ ?

 

ମଞ୍ଜୁଶ୍ରୀ ସ୍ମିତ ହସି ସମ୍ମତି ଜଣାଇଲା ।

 

ଅଚ୍ଛା, ଆପଣ ବନ୍ଧୁମାନଙ୍କ ଉପରେ ଆସ୍ଥା ସ୍ଥାପନ କରିପାରନ୍ତି ?

 

ତାର ମାନେ ?

 

ଏଇ ଧରନ୍ତୁ ଆପଣଙ୍କ ବନ୍ଧୁମାନେ । ବନ୍ଧୁତ୍ୱ ମୂଳରେ ନିଶ୍ଚୟ ଗୋଟାଏ ସତ୍ ଉଦ୍ଦେଶ୍ୟ ରହିବା ଦରକାର । ଆପଣଙ୍କ ପ୍ରତ୍ୟେକ ବନ୍ଧୁମାନଙ୍କ ନିକଟରୁ ଆପଣ କ’ଣ ତାହା ପାଆନ୍ତି ?

 

ନା, ଅନେକ କ୍ଷେତ୍ରରେ ତାହା ସମ୍ଭବ ହୁଏ ନାହିଁ । ମତ ଦ୍ୱୈଧା ଘଟେ । ବନ୍ଧୁତ୍ୱ ବି ନଷ୍ଟ ହୋଇଯାଏ ।

 

ତା’ହେଲେ ଆପଣ ପୁଣି ନୂତନ ବନ୍ଧୁ ସୃଷ୍ଟି କରନ୍ତି ? ହଁ ।

 

ଆପଣଙ୍କର ଖୁବ୍ ଅନ୍ତରଙ୍ଗ, ଏପରି କେତେଜଣ ଅଛନ୍ତି ।

 

ଜଣେ ।

 

ତାଙ୍କ ନାଁ ?

 

ମଞ୍ଜୁଶ୍ରୀ ମୁହୂର୍ତ୍ତେ ନୀରବ ରହି କହିଲା, ସେଇଟା ଏକାନ୍ତ ବ୍ୟକ୍ତିଗତ ହୋଇ ଯାଉନାହିଁ କି ?

 

ଅବଶ୍ୟ । ଆପତ୍ତି ଥିଲେ ଉତ୍ତର ମୁଁ ପ୍ରତ୍ୟାଶା କରୁନାହିଁ । ତେବେ ଆଉ ଗୋଟାଏ ପ୍ରଶ୍ନ ଏଠାରେ ସ୍ୱତଃ ଜାଗୁଚି, ଆପଣ ଯାହାଙ୍କୁ ଅତି ଅନ୍ତରଙ୍ଗ ବୋଲି ଭାବି ନେଇଛନ୍ତି, ଭବିଷ୍ୟତରେ ତାଙ୍କ ସହିତ ବିବାହ କରିବାର କୌଣସି ଚୁକ୍ତି ହୋଇଛି କି ?

 

ଦେଖନ୍ତୁ ମହାପାତ୍ର ବାବୁ ! ଏ ଭଳି ପ୍ରଶ୍ନ ଆପଣଙ୍କର ଅନ୍ୟ ପାଞ୍ଚଜଣଙ୍କ ପଚାରିଲା ପରି ହେଲା । ଅନ୍ତରଙ୍ଗ ହେଲେ ଯେ ତାଙ୍କୁ ବିବାହ କରିବାକୁ ହେବ, ସେପରି କୌଣସି କଥା ନାହିଁ, ତେବେ ଆପଣ ଶୁଣିଲେ ଆଶ୍ୱସ୍ତ ହେବେ ଯେ, ମୋର ସେହି ଅନ୍ତରଙ୍ଗ ବନ୍ଧୁ ଜଣକ ବିବାହିତ ଏବଂ ତାଙ୍କର ପୁତ୍ରକନ୍ୟା ଅଛନ୍ତି ।

 

ଓଃ....ସତ୍ୟବ୍ରତ ଟିକିଏ ଚିନ୍ତାକରି କହିଲେ, ମୁଁ ଏଠାରେ ଆପଣକୁ ଆଉ ଗୋଟିଏ କଥା ପଚାରିବି, ସେଇଟା ଅବଶ୍ୟ ଟିକିଏ ବ୍ୟକ୍ତିଗତ ହୋଇପାରେ, ତେବେ ମନସ୍ତତ୍ତ୍ୱମୂଳକ । ଜଣେ ଜଣକୁ କାହିଁକି ଭଲପାଏ ? ଜଣକ ସହିତ ଆଉ ଜଣକର କାହିଁକି ବନ୍ଧୁତ୍ୱ ହୁଏ ? ଏପରି ହେବା ମୂଳରେ ଅନେକ ସ୍ଥଳରେ କୌଣସି ସ୍ୱାର୍ଥ ନ ଥିଲେ ମଧ୍ୟ, କିଛି ନା କିଛି ଗୋଟାଏ ଆକର୍ଷଣ ଥାଏ । ତା’ ନ ହେଲେ ବନ୍ଧୁତ୍ୱ କୁହନ୍ତୁ ବା ଭଲ ପାଇବା କୁହନ୍ତୁ, କୌଣସି ସମ୍ଭବ ନୁହେଁ । ଏ ସତ୍ୟକୁ କ’ଣ ଆପଣ ଅସ୍ୱୀକାର କରିବେ ?

 

ନା ।

 

ତେବେ ଆପଣଙ୍କର ତାଙ୍କ ସହିତ ଅନ୍ତରଙ୍ଗତା ସୃଷ୍ଟି ମୂଳରେ ହୁଏତ ସ୍ୱାର୍ଥ ନ ଥାଇ ପାରେ, କିଛି ନା କିଛି ଆକର୍ଷଣ ଥିବ । ସେଇଟା କ’ଣ ?

 

ମଞ୍ଜୁଶ୍ରୀ ନୀରବରେ ବସି ରହିଲା ।

 

ସତ୍ୟବ୍ରତ କିଛିକ୍ଷଣ ଅନାଇ ରହି ନୋଟ୍‍ ବହିଟି ବନ୍ଦ କଲେ । କହିଲେ ଅବଶ୍ୟ ଆପଣଙ୍କର ମୋ ପ୍ରଶ୍ନର ଉତ୍ତର ଦେବାରେ ଯଥେଷ୍ଟ ଅସୁବିଧା ଥାଇପାରେ । ସେଥିପାଇଁ ମୁଁ ଆପଣଙ୍କୁ ବାଧ୍ୟ କରିବି ନାହିଁ । ସତ୍ୟବ୍ରତଙ୍କ ଭଙ୍ଗୀରୁ ଉଠିବା ଉଠିବା ଭାବ ପ୍ରକାଶ ପାଇଲା ।

 

ମଞ୍ଜୁଶ୍ରୀ କହିଲା, ଅବଶ୍ୟ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ହେଲେ ମୋତେ କେତେକ ଅବ୍ୟକ୍ତ ଭାବକୁ ଭାଷା ଦେବାକୁ ହେବ । କିନ୍ତୁ ଭାଷା ଖୋଜି ନ ପାଇଲେ ଠିକ୍ ଭାବ ପ୍ରକାଶ ହୋଇପାରିବ ନାହିଁ । ତେବେ ମୁଁ ତାଙ୍କୁ କାହିଁକି ଯେ ଏତେ ଭଲପାଏ, ସତ କହିଲେ ନିଜେ ବି ଅନେକ ସମୟରେ ତା’ର ସତ୍ତା ଖୋଜିପାଏ ନାହିଁ । ସେ କିନ୍ତୁ ମୋତେ ଗଭୀର ଶ୍ରଦ୍ଧା କରନ୍ତି । ମୋ ନୃତ୍ୟକଳାର ବିକାଶ ପାଇଁ ସେ ବେଳେ ବେଳେ ଉନ୍ମତ୍ତ ହୋଇ ପଡ଼ନ୍ତି । ହୁଏତ ସେଇଥିପାଇଁ ମୋର ତାଙ୍କପ୍ରତି ଯଥେଷ୍ଟ ଆକର୍ଷଣ, ଅଶେଷ ଆନ୍ତରିକତା ।

 

ହୁଁ । ସତ୍ୟବ୍ରତ ନୀରବରେ ବସି କିଛି ସମୟ ଚିନ୍ତା କଲେ । କହିଲେ, ଏପରି ହେବା ସମ୍ଭବ । କିନ୍ତୁ ଏପରି କ୍ଷେତ୍ରରେ ଆଉ ଏକ ବିପଦ ଅଛି । ବେଳେ ବେଳେ, ଯେତେବେଳେ ଆପଣ ଖୁବ୍ ଉଦାସ, ଏପରିକି ଏକ ପ୍ରକାର ଅବଚେତନ, ସେଇ ମୁହୂର୍ତ୍ତ ଗୁଡ଼ାକରେ ଆପଣ ଅଜାଣତରେ ତାଙ୍କ ପାଖକୁ ଟାଣି ହୋଇ ଯାଇପାରନ୍ତି; ଅବଶ୍ୟ ଆପଣଙ୍କ କ୍ଷେତ୍ରରେ ତାହା ଘଟିଛି କି ନା, ଜାଣେ ନାହିଁ କିନ୍ତୁ....

ଘଟିଛି ମହାପାତ୍ର ବାବୁ ! ଆପଣଙ୍କ ଗଭୀର ଜ୍ଞାନର ପରିସର ଦେଖି ମୁଁ ସ୍ତବ୍‍ଧ ହେଉଛି-। ଥରେ କାହିଁକି ଅନେକ ଥର ମୁଁ ଗଭୀର ରାତ୍ରିରେ ତାଙ୍କ ପାଖକୁ ଉଠିଯାଇଛି । ଅବଶ୍ୟ ପ୍ରତିଥର ମୁଁ ସଚେତନ ହୋଇ ପୁଣି ଫେରି ଆସିଛି ।

ଶେଷଥର କିନ୍ତୁ ଆପଣ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ, ନାଁ, ମଞ୍ଜୁଦେବୀ ?

ଏଁ, ଦୁର୍ଘଟଣା ? ଆପଣ କିପରି ଜାଣିଲେ ? ମଞ୍ଜୁଶ୍ରୀ ଯେପରି ସଚେତନ ହୋଇଉଠିଲା । ସେ ହଠାତ୍ ଠିଆ ହୋଇ ପଡ଼ିଲା । ତାର ସମସ୍ତ ଦେହ ମୁହଁରେ କିପରି ଏକ ଚଞ୍ଚଳତା ଫୁଟି ଉଠିଲା ।

ଆପଣ ଅପେକ୍ଷା କରନ୍ତୁ । ମୁଁ ଚା’ ଆଣୁଛି । ମଞ୍ଜୁଶ୍ରୀ ଦ୍ରୁତ ପ୍ରସ୍ଥାନ କଲା ।

ସତ୍ୟବ୍ରତଙ୍କ ମୁହଁରେ ବିଜୟ ଦୀପ୍ତି ଫୁଟି ଉଠିଲା । ସେ ନୋଟ୍ ବହି ବନ୍ଦ କରି ଚିନ୍ତା କରିବାକୁ ଲାଗିଲେ । ଏସ. ପି. ସାହେବ ତା’ହେଲେ ତାଙ୍କୁ ଠିକଣା ଜାଗାକୁ ପଠାଇଛନ୍ତି । ଡକ୍ଟର ଛୋଟରାୟଙ୍କ ଅନ୍ତର୍ଦ୍ଧାନ ବେଳେ ମଞ୍ଜୁଶ୍ରୀ ସେଠାରେ ଉପସ୍ଥିତ ହୋଇଥିଲା । ଅଥବା ଛୋଟରାୟଙ୍କ ଅନ୍ତର୍ଦ୍ଧାନ ସମ୍ବନ୍ଧରେ ମଞ୍ଜୁଶ୍ରୀକୁ ସବୁ କଥା ଜଣାଅଛି ।

ମଞ୍ଜୁଶ୍ରୀ ପୁଣି ବିଚଳିତ ପଦରେ ଫେରି ଆସିଲା । ଚା’ ନୁହେଁ, ହାତରେ ଖଣ୍ଡିଏ କାଗଜ ଧରି ସେ ସତ୍ୟବ୍ରତଙ୍କ ଆଡ଼କୁ ବଢ଼ାଇ ଦେଲା । ଏଇଟା ପଢ଼ନ୍ତୁ । ଆପଣ ସବୁ କଥା ଜାଣିଚନ୍ତି ଯେତେବେଳେ, ଆପଣଙ୍କ ନିକଟରେ ଆଉ କିଛି ଲୁଚାଇ ଲାଭ ନାହିଁ । କିନ୍ତୁ ଏ ସମ୍ବନ୍ଧରେ ଆପଣ ଆଉ ମୋତେ କୌଣସି ପ୍ରଶ୍ନ କଲେ ଉତ୍ତର ପାଇବେ ନାହିଁ ।

ସତ୍ୟବ୍ରତ କାଗଜ ଖଣ୍ଡିକ ପଢ଼ିଲେ ।

ମଞ୍ଜୁଶ୍ରୀ ଦେବୀ !

ଆପଣଙ୍କ ପ୍ରତି ମୋର କୌଣସି ବିଦ୍ୱେଷ ନାହିଁ । କିନ୍ତୁ ଡକ୍ଟର ଛୋଟରାୟ ଯେଉଁ ଅପରାଧ କରିଛନ୍ତି, ତାଙ୍କୁ ମୁଁ କ୍ଷମା କରିପାରିବି ନାହିଁ । ଡକ୍ଟର ଛୋଟରାୟଙ୍କର ନିରାପତ୍ତା ଆପଣ ଯଦି ଚାହାନ୍ତି, ତେବେ ଆପଣଙ୍କ ମୁହଁ ବନ୍ଦ କରି ରହିବାକୁ ପଡ଼ିବ । ତା’ ନ ହେଲେ ମୁଁ ତାଙ୍କୁ ତିଳ ତିଳ କରି ହତ୍ୟା କରିବି । ପୃଥିବୀର କୌଣସି ଶକ୍ତି ମୋତେ ବାଧା ଦେଇପାରିବ ନାହିଁ । ଆପଣଙ୍କ ମୁଖ ବନ୍ଦ ରଖିବା ଅର୍ଥ ଡକ୍ଟର ଛୋଟରାୟଙ୍କ ନିରାପତ୍ତା ରକ୍ଷା ହେବ ଜାଣିବେ । ତାଙ୍କର ଏହି ଦୁର୍ଦ୍ଦଶା ପାଇଁ ଆପଣ ଯେ ଅନେକାଂଶରେ ଦାୟୀ, ସେ କଥା ଅନ୍ୟ କେହି ନ ଜାଣିଲେ ବି ମୁଁ ଭଲ ଭାବରେ ଜାଣିଛି । ଯା’ହେଉ ଆପଣ ନୀରବ ରହିବେ । ତା’ନ ହେଲେ ଛୋଟରାୟଙ୍କର ସର୍ବନାଶ ହେବ ।

ଆପଣଙ୍କ ଶୁଭାକାଂକ୍ଷୀ

ଦସ୍ୟୁ ଲାଲସିଂହ

 

ଏ ଚିଠିଟା ଆପଣ କେବେ ପାଇଲେ ?

 

ଡକ୍ଟର ଛୋଟରାୟଙ୍କ ଅନ୍ତର୍ଦ୍ଧାନର ପରଦିନ ରାତ୍ରିରେ ।

 

ହୁଁ, ଆପଣ ତା’ହେଲେ ସେଦିନ ରାତିରେ ଛୋଟରାୟଙ୍କ ନିକଟରେ ଉପସ୍ଥିତ ଥିଲେ ?

 

ନା, ଶେଷ ମୁହୂର୍ତ୍ତରେ ଯାଇ ପହଞ୍ଚିଥିଲି ।

 

ଏ ଦିଗରେ ଆପଣ ମୋତେ ସାହାଯ୍ୟ କରିପାରିବେ ?

 

ନା, ମୁଁ ପାରିବି ନାହିଁ ମି: ମହାପାତ୍ର । ତା’ ହେଲେ ଡାକ୍ତର ଛୋଟରାୟଙ୍କର ସର୍ବନାଶ ହେବ । ମୁଁ ତାଙ୍କର ସର୍ବନାଶ ସହ୍ୟ କରିପାରିବି ନାହିଁ ।

 

ଚିଠିଟା ରଖନ୍ତୁ । ମୁଁ ତା’ହେଲେ ଉଠୁଚି । ଆଶା କରୁଚି ଆପଣ ମୋର ଅସଲ ପରିଚୟଟା ଜାଣି ପାରିଛନ୍ତି ।

 

ବହୁ ପରେ ଜାଣିଲି । ଆପଣ ମୋତେ ମିଥ୍ୟା ନ କହିଥିଲେ ଭଲ ହୋଇଥାଆନ୍ତା ।

 

ଆପଣ ମୋତେ ବିଶ୍ୱାସ କରନ୍ତୁ ମଞ୍ଜୁଦେବୀ । ମୁଁ ଡକ୍ଟର ଛୋଟରାୟଙ୍କ ଉଦ୍ଧାର ପାଇଁ କାର୍ଯ୍ୟ କରୁଛି । ମୋର ଗୋଟାଏ ପ୍ରଶ୍ନ । ଉତ୍ତର ଦେଲେ ବାଧିତ ହୁଅନ୍ତି । ସେଦିନ ଯେଉଁମାନେ ଡକ୍ଟର ଛୋଟରାୟଙ୍କୁ ଅପହରଣ କରିଥିଲେ, ସେମାନେ ମୋଟରେ କେତେଜଣ ଥିଲେ ?

 

ତିନିଜଣ ।

 

ସେମାନଙ୍କ ଭିତରୁ କେହି ଲଙ୍ଗ୍ କୋଟ୍ ପିନ୍ଧିଥିଲା କି ?

 

ହଁ, ଜଣେ ପିନ୍ଧିଥିଲା ଏବଂ ଆଖିରେ ଗୋଟାଏ କଳା ପଟି ବାନ୍ଧିଥିଲା ।

 

ଧନ୍ୟବାଦ ।

 

ସତ୍ୟବ୍ରତ ଉଠି ଠିଆ ହେଲେ ।

 

ତା’ହେଲେ.....ମଞ୍ଜୁଶ୍ରୀ କଥା ଅସମାପ୍ତ ରଖି କିପରି ଆକୁଳ ନୟନରେ ଚାହିଁଲା ।

 

ଆପଣ ନିଶ୍ଚିନ୍ତ ରୁହନ୍ତୁ । ସତ୍ୟବ୍ରତ ଚାଲିଗଲେ ।

 

ଗଭୀର ରାତ୍ରି । ରାତ୍ରିର ନିସ୍ତବ୍‍ଧତା ଭିତରେ ଜଗତରେ କେଉଁଠି ଯେ କେତେ ଅପକର୍ମ୍ମ ସାଧିତ ହେଉଛି, ତା’ର ହିସାବ ରଖିବା ସହଜ ନୁହେଁ । ରାତ୍ରିର ଅନ୍ଧକାର ଭିତରେ ପୃଥିବୀରେ ବହୁ ଦୁଃସାହସିକ ଅଭିଯାନ କାହାଣୀର କଥା ଆଜି ଐତିହାସିକ ତଥ୍ୟ ହୋଇ ରହିଯାଇଛି ।

 

ସେହି ଭୟଙ୍କର ଗୋଟିଏ ରାତ୍ରିର କାହାଣୀ ଏଠାରେ କୁହାଯାଉଛି । ଡକ୍ଟର ଛୋଟରାୟ ଅତ୍ୟନ୍ତ ଆକୁଳ କଣ୍ଠରେ କହିଉଠିଲେ, ପାଣି, ମୁନ୍ଦିଏ ପାଣି ଦିଅନ୍ତୁ । ଗଳାଟି ଶୁଖିଯାଉଛି ।

 

ଦୁଇଜଣ ଭୀମକାୟ ବ୍ୟକ୍ତି ଡକ୍ଟର ଛୋଟରାୟଙ୍କ ହାତରୁ କଡ଼ି ଖୋଲୁଥିଲେ । ଯେଉଁ ଲୋକଟି ବିଚାରକ ଆସନରେ ବସିଥିଲା, ସେ ନିର୍ଦ୍ଦେଶ ଦେଲା ପାଣି ଆଣିବାକୁ । ଡକ୍ଟର ଛୋଟରାୟ ଆକଣ୍ଠ ପାନ କରି ଯେପରି ଶ୍ୱସ୍ତିରେ ଗୋଟିଏ ନିଶ୍ୱାସ ପକାଇଲେ । ତାଙ୍କର ଦେହ ହାତ ଗୋଟାଛାଏଁ ଥରୁଥିଲା । ଆଖିରୁ କରୁଣ ଚାହାଣୀ ଝରୁଥିଲା ।

 

ବିଚାରକ ଆସନରେ ବସିଥିବା ଲୋକଟି ପ୍ରଶ୍ନ କଲା, କିପରି ଲାଗୁଛି ଡକ୍ଟର ଛୋଟରାୟ ? ରୋଗ ଯନ୍ତ୍ରଣା କି ଯେ ଭୟଙ୍କର ଆପଣ ସେ କଥା ବୁଝିପାରୁଛନ୍ତି ?

 

ଡକ୍ଟର ଛୋଟରାୟ ଆକୁଳ ନୟନରେ ବିଚାରକ ମୁହଁକୁ ଚାହିଁଥିଲେ । ତାଙ୍କର ସମସ୍ତ ଅବୟବ ଯନ୍ତ୍ରଣାରେ ଫାଟି ପଡ଼ୁଥିଲା ।

 

ବୈଜ୍ଞାନିକ ଉପାୟରେ ଡକ୍ଟର ଛୋଟରାୟଙ୍କ ଦେହରେ ରୋଗ ସୃଷ୍ଟି କରା ହୋଇଥିଲା-। ସେ ରହି ରହି କାତର କଣ୍ଠରେ ଚିତ୍କାର କରି ଉଠୁଥିଲେ ।

 

ମୋତେ ବଞ୍ଚାନ୍ତୁ, ମୁଁ ଆଉ ସହ୍ୟ କରି ପାରୁନାହିଁ ।

 

ବିଚାରକ ହୋ ହୋ ହୋଇ ହସି ଉଠିଲେ । ଠିକ୍ ଆପଣଙ୍କ ପରି ଦେଶରେ ଶହଶହ ହଜାର ହଜାର ଲୋକ ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କେବଳ ଆପଣଙ୍କ ପାଇଁ । ଆପଣ ସେହିମାନଙ୍କୁ ନରକ ଯନ୍ତ୍ରଣାରେ ଛଟପଟ କରି ମନ ସୁଖରେ ଘୁରି ବୁଲିଛନ୍ତି । କେବେ ସେମାନଙ୍କ ଯନ୍ତ୍ରଣା ଅନୁଭବ କରି ନାହାନ୍ତି । ଆଜି ବୁଝନ୍ତୁ, ରୋଗ କିପରି କଷ୍ଟଦାୟକ ।

 

ଡକ୍ଟର ଛୋଟରାୟ ଯୋଡ଼ ହାତରେ ବିନୀତ କଣ୍ଠରେ କହିଲେ, ମୋତେ କ୍ଷମା କରନ୍ତୁ । ମୁଁ ମଣିଷ ଜାତି ଉପରେ ଯେଉଁ ଅତ୍ୟାଚାର କରିଛି, ସେ ଅପରାଧର ପ୍ରାୟଶ୍ଚିତ କରିବି ।

 

ନା ନା ଡକ୍ଟର ଛୋଟରାୟ । ଏତେ ସହଜରେ ନୁହେଁ । ଆହୁରି ଆପଣଙ୍କୁ ରୋଗ ଭୋଗ କରିବାକୁ ହେବ । ଆମ ଲାବରେଟରୀରେ ଆପଣଙ୍କ ପାଇଁ ନାନା ପ୍ରକାର ରୋଗ ବୀଜାଣୁ ସାଇତା ହୋଇ ରଖାହୋଇଛି, ସବୁଗୁଡ଼ିକ ଆପଣଙ୍କ ଦେହରେ ଛଡ଼ାଯିବ । ତିଳ ତିଳ କରି ଆପଣ ଦଗ୍‍ଧ ହୋଇ ଦେଖିବେ, ରୋଗ କି ବସ୍ତୁ । ରୋଗର ଯନ୍ତ୍ରଣାରେ ମଣିଷ କିପରି ବିକଳ ହୁଏ ।

 

ଡକ୍ଟର ଛୋଟରାୟ କଥା କହି ପାରୁ ନ ଥିଲେ ଶ୍ୱାସ ରୁଦ୍ଧ ହୋଇ ଆସୁଥିଲା ।

 

ବିଚାରକ ଆଦେଶ ଦେଲେ, ଏହାକୁ ଏଠାରୁ ନେଇଯାଅ । ତାଙ୍କ କୋଠରୀରେ ଚାବି ବନ୍ଦ କରିଦେଇ ଆସ ।

 

ଡକ୍ଟର ଛୋଟରାୟଙ୍କୁ ଦୁଇଜଣ ଲୋକ ଟାଣି ଟାଣି ନେଉଥିଲେ । ସେ କରୁଣ ନୟନରେ ବିଚାରକଙ୍କ ଆଡ଼େ ଚାହିଁ ରହିଥିଲେ ।

 

ଏହାପରେ ରାଧାମୋହନ ଦାସ ବିଚାରକ କହିଲେ ।

 

ରାଧା ମୋହନ ଦାସଙ୍କୁ ଅଣା ହେଲା । ସେ ଗୋଟିପଣ କଳା ପଡ଼ିଯାଇଥିଲେ । ମନେ ହେଉଥିଲା, ଏହା ଭିତରେ ତାଙ୍କ ଉପରେ ବହୁ ଅତ୍ୟାଚାର କରା ହୋଇଥିଲା ଏବଂ ସେ ଯନ୍ତ୍ରଣାରେ କାତର ହୋଇ ଯାଇଥିଲେ ।

 

ଆପଣ ରାଧା ମୋହନ ଦାସ ? ବିଚାରକଙ୍କ ସ୍ୱର ଗୁରୁ ଗମ୍ଭୀର ଶୁଣା ଯାଉଥିଲା ।

 

ଆଜ୍ଞା ।

 

ଆପଣ ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାର ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସରକାର ଆପଣଙ୍କୁ ନିଯୁକ୍ତି କରିଛନ୍ତି । ଆପଣ ଜାଣିଛନ୍ତି ଏ ସରକାର ଗଣତନ୍ତ୍ର ସରକାର । ରାଜ୍ୟ ସରକାର ଗୋଟିଏ ନୂଆ ପଇସା ଖର୍ଚ୍ଚ କଲେ ମଧ୍ୟ, ସେ ପଇସା ଜନସାଧାରଣଙ୍କର । ଏତିକି ଜ୍ଞାନ ନିଶ୍ଚୟ ଆପଣଙ୍କର ଥିବ ବୋଲି ମୁଁ ଆଶା କରୁଛି ।

 

ଆଜ୍ଞା ।

 

ପୁରୀ ସମୁଦ୍ର ତଟରେ ଆପଣ ଯେଉଁ ତ୍ରିତଳ ପ୍ରାସାଦ ଆପଣଙ୍କ ସ୍ତ୍ରୀଙ୍କ ନାମରେ ନିର୍ମାଣ କରିଛନ୍ତି, ସେଥିପାଇଁ ଟଙ୍କା କେଉଁଠୁ ଆଣିଲେ ?

 

ରାଧାମୋହନ ଦାସ ମୁଣ୍ଡ ତଳକୁ କରି ନୀରବରେ ଠିଆ ହୋଇଥିଲେ ।

 

ଆପଣଙ୍କ ଶଳାଙ୍କ ନାମରେ ଯେଉଁ ‘ସପ୍ଲାଇ ଏଜେନ୍‍ସି’ ଖୋଲି ଓଡିଶା ସରକାରଙ୍କୁ ଚଢ଼ା ଦାମ୍‍ରେ ଯେଉଁସବୁ ଫର୍ନିଚର ସପ୍ଲାଇ ଦେଉଛନ୍ତି, ତାର ସମସ୍ତ ଲଭ୍ୟାଂଶ ନିଶ୍ଚୟ ଆପଣଙ୍କ ପକେଟକୁ ଯାଉଛି । କିନ୍ତୁ ସରକାରଙ୍କୁ ଏପରି ଠକିବାର ଦୁଃସାହସ କେମିତି ଆପଣ କରିପାରିଲେ-?

 

ରାଧାମୋହନ ଦାସ ସେହିପରି ତଳକୁ ମୁହଁ ପୋତି ଠିଆ ହୋଇଥିଲେ ।

 

ବିଚାରକ ଟେବୁଲ ଉପରେ କ’ଣ କାଗଜପତ୍ର ଦେଖି ପୁଣି ପ୍ରଶ୍ନ କଲେ, ଉତ୍ତର ଦିଅନ୍ତୁ ରାଧାମୋହନ ବାବୁ !

 

ଇଉନିଭରସିଟିର କୃତୀ ଛାତ୍ର । ଆପଣଙ୍କ ସତ୍‍ଚରିତ୍ର ପାଇଁ ଏବଂ ବୁଦ୍ଧିମତ୍ତା ପାଇଁ ଆପଣଙ୍କୁ ଆଇ.ଏ.ଏସ୍. ପଦବୀ ଦିଆହୋଇଛି । ରାଜ୍ୟକୁ ରକ୍ଷା କରିବେ ଆପଣ, ସମୃଦ୍ଧ କରିବେ-। ନିପୀଡ଼ିତ ଜନସାଧାରଣଙ୍କର ଦୁଃଖ ଶୋକ ମୋଚନ କରି, ସେମାନଙ୍କ ମୁହଁରେ ହସ ଫୁଟେଇବେ । ତା’ବଦଳରେ ଆପଣ କରୁଛନ୍ତି କ'ଣ ?

 

ରାଧା ମୋହନ ଦାସ ନୀରବରେ ଠିଆ ହୋଇଥିଲେ ।

 

ଆପଣ ଅହମଦାବାଦର କୌଣସି ଏକ ମିଲ୍‍ରେ ଆପଣଙ୍କ ଭାଇଙ୍କ ନାମରେ ଯେଉଁ ତିନିଲକ୍ଷ ଟଙ୍କାର ସେଆର କିଣିଛନ୍ତି, ସେ ଟଙ୍କା ଆଣିଲେ କେଉଁଠୁ ? ମୋ ପାଖରେ, ମାନେ ଜନସାଧାରଣଙ୍କ ପାଖରେ ଆପଣଙ୍କୁ ଏ ସବୁର କୈଫିୟତ ଦେବାକୁ ହେବ । ତା’ ନ ହେଲେ ଏହି ଦେଶର ଜନତା ଆପଣଙ୍କୁ କୁକୁର ପରି ହତ୍ୟା କରିବେ । ପଳ ପଳ ମାଂସ କାଟି ଚିଲ ଶାଗୁଣାଙ୍କୁ ଖୁଆଇବେ । ତଥାପି ଆପଣଙ୍କ ବିଶ୍ୱାସଘାତକତାର ପ୍ରାୟଶ୍ଚିତ ହେବ ନାହିଁ । କୁହନ୍ତୁ, ଆପଣ ନୀରବ ରହିଲେ କାହିଁକି ? ଏହାଛଡ଼ା ଆପଣଙ୍କ ବିରୁଦ୍ଧରେ ଆଉ ଏକ ଗୁରୁତର ଅଭିଯୋଗ ଅଛି ।

 

ମୁହୂର୍ତ୍ତେ ନୀରବ ରହି, ବିଚାରକ ଜଣେ ଲୋକକୁ ଇଙ୍ଗିତରେ କ’ଣ କହିଲେ ।

 

ଲୋକଟି ଘରୁ ବାହାରିଗଲା । କିଛି ସମୟ ପରେ ଜଣେ ସ୍ତ୍ରୀଲୋକଙ୍କ ସଙ୍ଗରେ ଧରି ପୁଣି ପ୍ରବେଶ କଲା ।

 

ରାଧାମୋହନ ଦାସ ସ୍ତ୍ରୀ ଲୋକଟିକୁ ଦେଖିବା ମାତ୍ରେ ଚିତ୍କାର କରି ଉଠିଲେ । ଲୀଳା ! ତୁମେ ଏଠାରେ ?

 

ବିଚାରକ ହସି ଉଠିଲେ, କହିଲେ ଲୀଳାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ? ଲୀଳା ଏଯାଏ ବଞ୍ଚିଚି । କିନ୍ତୁ କି ଅପରାଧ କରିଥିଲା ସେ ଆପଣଙ୍କ ନିକଟରେ । ଆପଣ ତା’ର ସର୍ବସ୍ୱ ଲୁଣ୍ଠନ କରି ସମାଜରୁ ତାକୁ ତଡ଼ି ଦେଇ ପଥର ଭିକାରୁଣୀ କରି ଛାଡ଼ିଦେଲେ । କୁହନ୍ତୁ, କେଉଁ ଅଧିକାରରେ ? ହାତରେ ଆପଣଙ୍କର କ୍ଷମତା ଅଛି ବୋଲି, ନା ରାଧାମୋହନ ବାବୁ ?

 

ବିଚାରକ ଲୀଳାକୁ ନେଇଯିବାକୁ ଆଦେଶ ଦେଲେ । କହିଲେ ଏଥର କୁହନ୍ତୁ, ମୁଁ ଆପଣଙ୍କ ବିରୁଦ୍ଧରେ ଯେଉଁ ସବୁ ଅଭିଯୋଗ ଆଣିଲି, ତା’ ବିରୁଦ୍ଧରେ କହିବାର ଆପଣଙ୍କର କିଛି ଅଛି ? ଯଦି ମୋର ଏହି ସମସ୍ତ ତଥ୍ୟ ମଧ୍ୟରୁ କୌଣସିଟି ଅସତ୍ୟ ହୋଇଥାଏ, ତେବେ ତାହାର ପ୍ରତିବାଦ ଆପଣ କରିପାରନ୍ତି । ଆପଣଙ୍କୁ ଏଥିପାଇଁ ଦଶ ମିନିଟ୍ ସମୟ ଦିଆଗଲା ।

 

ବିଚାରକ ନୀରବ ରହିଲେ ।

 

ରାଧାମୋହନ ଦାସ କେବଳ ତଳକୁ ମୁହଁ ହାଣି ଠିଆ ହୋଇଥିଲେ ।

 

ଦଶ ମିନିଟ୍ ଅତୀତ ହୋଇଗଲା । ବିଚାରକ ଜଣକୁ ଆଦେଶ ଦେଲେ, ମାରାଣାସ୍ତ୍ରଟା ଆଣିବା ପାଇଁ ।

 

ଜଣେ ଲୋକ ଆଣି ଶାଙ୍କୁଚି ଲାଙ୍ଗୁଳର ଗୋଟାଏ ଚାବୁକ୍ ବିଚାରକଙ୍କ ହାତରେ ଧରାଇ ଦେଇଗଲା ।

 

ରାଧାମୋହନ ଦାସଙ୍କ ସର୍ବାଙ୍ଗ ଶିହରି ଉଠିଲା ।

 

ବିଚାରପତି ନିଜ ଆସନରୁ ଉଠି ଆସିଲେ । ତା’ ପରେ ଚାବୁକରେ ରାଧାମୋହନ ଦାସଙ୍କର ସର୍ବାଙ୍ଗ କ୍ଷତ ବିକ୍ଷତ କରି ପକାଇଲେ । ରାଧାମୋହନ ଦାସଙ୍କ କରୁଣା ଚିତ୍କାର ଆକାଶ ପବନ ମୁଖରିତ କରି ପକାଇଲା । କିନ୍ତୁ ବିଚାରକଙ୍କ ପ୍ରାଣରେ ଯେପରି ତାହା ଆଦୌ ରେଖାପାତ କରି ପାରୁ ନ ଥିଲା । ସେ କେବଳ ପିଟୁଥିଲେ ଆଉ ପିଟୁଥିଲେ । ଯେତେବେଳେ ରାଧାମୋହନ ଦାସଙ୍କ କରୁଣ ଚିତ୍କାର ଧୀରେ ଧୀରେ କମି ଆସିଲା ଏବଂ ସେ ଆସ୍ତେ ଆସ୍ତେ ତଳେ ଶୋଇ ପଡ଼ିଲେ, ବିଚାରକ ଚାବୁକ ଚାଳନା ବନ୍ଦକଲେ । ରାଧାମୋହନ ଦାସଙ୍କ ଚେତା ହଜି ଯାଇଥିଲା ।

 

ଏହାପରେ ବିଚାରାଳୟରେ ଯାହାଙ୍କୁ ହାଜିର କରାଗଲା, ତାଙ୍କ ନାଁ ରାମନାରାୟଣ ବର୍ଦ୍ଧନ । ଆଜି ତାଙ୍କୁ ସଦ୍ୟ ଅଣା ହୋଇଛି । ଆଖିରୁ ତାଙ୍କର ପଟିଟା ଖୋଲି ଦିଆହେଲା । ମୁଖରୁ ବନ୍ଧନଟି କାଢ଼ି ଦିଆହେଲା । ରାମନାରାୟଣ ସମ୍ମୁଖରେ ଜଣେ ସୌମ୍ୟ ଶାନ୍ତ ଚେହେରାର ଲୋକ ଦେଖି ଚିତ୍କାର କରି ଉଠିଲେ । କହିଲେ, ଏ ଆପଣଙ୍କର ଭୀଷଣ ଅନ୍ୟାୟ ! ଏପରି ବେଆଇନ ଭାବରେ ମୋତେ ଧରି ଆଣିବାର କୌଣସି ଅର୍ଥ ହୁଏ ? ମୁଁ ପୋଲିସ୍‍ରେ ଏହି ସମ୍ବାଦ ଦେଲେ, ସେମାନେ ଉପଯୁକ୍ତ ଶାସ୍ତି ଦେବେ ।

 

ବିଚାରକ ମୃଦୁ ହସି କହିଲେ, ତାହା ଅବଶ୍ୟ ସତ୍ୟ କଥା । ଏମାନଙ୍କର ଆଦୌ ବୁଦ୍ଧି ଶୁଦ୍ଧି ନାହିଁ । ଯା’ହେଉ, ଆପଣ ନିଶ୍ଚିନ୍ତ ରୁହନ୍ତୁ ଯେ, ମୁଁ ଆପଣଙ୍କର ନ୍ୟାୟ ବିଚାର କରିବି । ଏହାଙ୍କ ବିରୁଦ୍ଧରେ କ’ଣ ଅଭିଯୋଗ ଅଛି ବୟାନ କର ।

 

ଗୋଟାଏ ଲୋକ ଉଠି ଠିଆ ହେଲା ଏବଂ ହାତରେ ଧରିଥିବା ନଥିପତ୍ର ଓଲଟ ପାଲଟ କରି ଆରମ୍ଭ କଲା, ଏହାଙ୍କ ନାମ ଶ୍ରୀ ରାମନାରାୟଣ ବର୍ଦ୍ଧନ । ଆଦି ନିବାସ ପଞ୍ଜାବ । ଓଡ଼ିଶାରେ ବ୍ୟବସାୟ । ବ୍ୟବସାୟ ଧପ୍‍ପାବାଜି । ପ୍ରଥମେ ହୋମିଓପାଥିକ ଡାକ୍ତର ଥିଲେ । ବର୍ତ୍ତମାନ ଧପ୍‍ପାବାଜି କରି ଲକ୍ଷପତି ହୋଇଛନ୍ତି । ଆଉ କିଛିକାଳ ପରେ କୋଟିପତି ହୋଇଥାଆନ୍ତେ ।

 

ଏହାଙ୍କର ଓଡ଼ିଶାର କୌଣସି ବ୍ୟାଙ୍କରେ ଏକ ପଇସା ଜମା ନାହିଁ । କଲିକତା, ବମ୍ବେ ଓ ପଞ୍ଜାବରେ ସମସ୍ତ ଟଙ୍କା ଜମା ହୋଇଛି । ଗତବର୍ଷ କଲିକତାରେ ଦେଢ଼ଲକ୍ଷ ଟଙ୍କା ଦେଇ ଗୋଟାଏ କୋଠା କିଣିଛନ୍ତି, ଗୋଟାଏ ବିରାଟ ପ୍ରେସ କଲିକତାରେ ଚାଲିଛି । ଶ୍ରୀଯୁକ୍ତ ରାମନାରାୟଣ ଓଡ଼ିଶାରେ ବସି ଲକ୍ଷ ଲକ୍ଷ ଟଙ୍କା ଧପ୍‍ପା ମାରି ଉପାର୍ଜ୍ଜନ କରୁଚନ୍ତି ।

 

ଏହାଙ୍କର ସେହି ଗୋପନ ବୃତ୍ତିଟି ସମ୍ବନ୍ଧରେ ମୁଁ କହୁଛି । ଶ୍ରୀଯୁକ୍ତ ବର୍ଦ୍ଧନ ଏକ ଚାରିଟି ଫଣ୍ଡ ଲଟାରି ସହିତ ପ୍ରଚ୍ଛନ୍ନ ଭାବରେ ଜଡ଼ିତ । ଓଡ଼ିଶା ସରକାର ଏହି ଚାରିଟି ଲଟାରି କରିବା ପାଇଁ ଅନୁମତି ଦେଇଛନ୍ତି । କିନ୍ତୁ ଯିଏ ଏହି ଚାରିଟି ଫଣ୍ଡର ଅନରାରୀ ସେକ୍ରେଟାରୀ, ସେ ମହାଶୟ ଏହି ବର୍ଦ୍ଧନଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି । ବର୍ତ୍ତମାନ ପ୍ରଚ୍ଛନ୍ନ ଭାବରେ ଶ୍ରୀଯୁକ୍ତ ବର୍ଦ୍ଧନ ହିଁ ସେହି ଚାରିଟି ଫଣ୍ଡର ହର୍ତ୍ତାକର୍ତ୍ତା ଦୈବ ବିଧାତା ।

 

ଏହି ଚାରିଟି ଫଣ୍ଡ ଲଟାରୀ ବର୍ତ୍ତମାନ ଭାରତରେ ଖୁବ୍ ସୁଖ୍ୟାତି ଅର୍ଜ୍ଜନ କରିଛି ଏବଂ ପ୍ରତିଟି ସୁଇପ୍‍ରେ ପ୍ରାୟ ପନ୍ଦର କୋଡ଼ିଏ ଲକ୍ଷ ଟଙ୍କାର ଟିକଟ ବିକ୍ରି ହୋଇଥାଏ । ସେଥିରୁ ଅର୍ଦ୍ଧେକ ଶ୍ରୀ ବର୍ଦ୍ଧନ ନିଅନ୍ତି ଏବଂ ବାକି ଅର୍ଦ୍ଧେକ ଟଙ୍କା ଲଟାରୀର ସମସ୍ତ ଖର୍ଚ୍ଚ, କମିସନ, ପ୍ରାଇଜ୍ ଡିଷ୍ଟ୍ରିବିଉସନ ଇତ୍ୟାଦିରେ ଖର୍ଚ୍ଚ ହୋଇଥାଏ । ସେଥିରୁ ଯାହା ବଳେ, ସେତିକି ଚାରିଟି ପାଇଁ ଦିଆହୁଏ । ତା’ର ମାତ୍ରା ଅତି ସାମାନ୍ୟ ।

 

ଏଥିରୁ ଶ୍ରୀବର୍ଦ୍ଧନ କିପରି ଫାଇଦା ଉଠାନ୍ତି, ତା’ର ଗୋଟିଏ ଦୁଇଟି ଉଦାହରଣ ମୁଁ ଦେଉଛି । ଏହି ଚାରିଟି ଫଣ୍ଡରେ ଯେତେକ କାଗଜପତ୍ର, ଟିକେଟ, ଫର୍ମ ଇତ୍ୟାଦି ସମସ୍ତ ଯାଇ କଲିକତା ତାଙ୍କ ନିଜ ପ୍ରେସ୍ ରେ ଛପା ହୁଏ । କଲିକତାରେ ତାଙ୍କର ଦୁଇ ତିନୋଟି ଆତ୍ମୀୟ ଡିଷ୍ଟ୍ରିବିଉଟର ଅଛନ୍ତି । ସେମାନେ କିଛି ଟିକେଟ୍ ପ୍ରାୟ ଅର୍ଦ୍ଧେକ ମୂଲ୍ୟରେ ନିଅନ୍ତି ଏବଂ ସେଗୁଡ଼ିକ ଜନସାଧାରଣଙ୍କୁ ବିକ୍ରୟ କରିଥାଆନ୍ତି । ସେଗୁଡ଼ିକର କୌଣସି ହିସାବ କେନ୍ଦ୍ର ଅଫିସକୁ ଯାଏ ନାହିଁ ଏବଂ ସେ ଟିକେଟଗୁଡ଼ିକ ମଧ୍ୟ ଡ୍ରଇଂ ହୁଏନାହିଁ । ସେପରି ବିକ୍ରୟ ହେଉଥିବା ଟିକେଟ ଟଙ୍କାରୁ ଶ୍ରୀ ବର୍ଦ୍ଧନ ଅଧେ ପାଆନ୍ତି ।

 

ଏହାଛଡ଼ା ଆଉ ଗୋଟିଏ ଅସତ୍ ଉପାୟରେ ସେ ଅର୍ଥ ସଂଗ୍ରହ କରନ୍ତି ଯେଉଁଗୁଡ଼ିକ ଅଡ଼ିଟ୍ ବେଳେ କାମରେ ଲାଗେ । ଏହି ଚାରିଟି ଫଣ୍ଡର ଗୋଟିଏ ଖର୍ଚ୍ଚ ଦିଗ ଅଛି, ସେଇଟାର ହେଡ଼ିଂ ହେଉଛି, ଆଡ଼୍ରେସ୍ ପର୍ ଚେଜିଂ । ଏହା ଏକ ଭୂଆ କାରବାର ।

 

ଏଥିପାଇଁ କଣ୍ଟ୍ରାକ୍ଟର ଅଛନ୍ତି । ସେମାନଙ୍କୁ ଖାମ୍ ଦିଆହୁଏ ।

 

ସେମାନେ ବିଭିନ୍ନ ଲୋକର ନାମ ଠିକଣା ସେଇ ଖାମ୍ ରେ ଲେଖି ଦିଅନ୍ତି । ସେ ନାମ ଠିକଣା ଲେଖା ଖାମ୍ ଗୁଡ଼ିକରେ, ଚାରିଟି ଫଣ୍ଡର ଫର୍ମ ପଠାଯାଏ । ତା’ର ଅର୍ଥ, ଫଣ୍ଡ ସେହି ସବୁ ଠିକଣାରୁ ସବୁ ସମୟରେ ଫର୍ମରେ ରିଟର୍ଣ୍ଣ ଆଶା କରନ୍ତି । କିନ୍ତୁ କଣ୍ଟ୍ରାକ୍ଟରମାନେ ଯେଉଁ ନାମ ଠିକଣା ଦିଅନ୍ତି, ସେ କଥା ଛାଡ଼ନ୍ତୁ, ତଦ୍ୱାରା କ’ଣ ରିଟର୍ଣ୍ଣ ଆସେ ନ ଆସେ ତାହା ଆମର ଦେଖିବାର କଥା ନୁହେଁ, କିନ୍ତୁ ନାମ ଠିକଣା ଲେଖା ଖାମ୍ ହଜାରଙ୍କ ପାଇଁ ହଜାରେ ଟଙ୍କା ହାରରେ ଚାରିଟି ଫଣ୍ଡ ତରଫରୁ କଣ୍ଟ୍ରାକ୍ଟରମାନଙ୍କୁ ପାରିଶ୍ରମିକ ଦିଆଯାଏ । ଏହି ନାମ ଠିକଣା ପ୍ରତି ସୁଇପ୍ ରେ ପ୍ରାୟ ଅଶି ନବେ ହଜାର କିଣା ହୁଏ ଏବଂ ଏଥିପାଇଁ ଅଶି ନବେ ହଜାର ଟଙ୍କା ବ୍ୟୟ କରାହୁଏ ।

 

ତା ଭିତରେ ପୁଣି ଆହୁରି ରହସ୍ୟ ଅଛି । ଯେଉଁ କଣ୍ଟ୍ରାକ୍ଟରମାନେ ଏହି ନାମ ଠିକଣା ଲେଖିବାର କଣ୍ଟ୍ରାକ୍ଟରୀ ନିଅନ୍ତି, ସେମାନେ ପ୍ରତି ହଜାରରେ ଖାମ୍‍ରୁ ପାଆନ୍ତି ଦୁଇଶରୁ ଅଢ଼େଇଶ ଟଙ୍କା । ମାତ୍ର ସେମାନେ ହଜାରେ ଟଙ୍କାରେ ବିଲ ଦେଇ ରେଭିନ୍ୟୁ ଷ୍ଟାମ୍ପ୍‍ ଉପରେ ହଜାରେ ଟଙ୍କା ପାଇଲୁ ବୋଲି ଦସ୍ତଖତ କରିଦିଅନ୍ତି ।

 

ଅବଶ୍ୟ ଏହିପରି ନାନା ପ୍ରକାର ଅତିରିକ୍ତ ଖର୍ଚ୍ଚ ମନେକରି ଅଡ଼ିଟ୍ ଥରେ ଦୁଇଥର ଚାରିଟି ଫଣ୍ଡକୁ ଧରିଥିଲେ । ଏପରି କି ସେଥିପାଇଁ ଥରେ ଡ୍ରଇଂ ମାସେ ଘୁଞ୍ଚି ଯାଇଥିଲା । ଏହି ଏକାଉଣ୍ଟ ପାଶ କରାଇବା ପାଇଁ ଚାରିଟି ଫଣ୍ଡର କର୍ମକର୍ତ୍ତା ଅର୍ଥାତ୍ ଶ୍ରୀଯୁକ୍ତ ବର୍ଦ୍ଧନ ସେମାନଙ୍କୁ କେତେ ଲକ୍ଷ ଟଙ୍କା ଦେଇଥଲେ, ଆମକୁ ସେ ହିସାବ ଠିକ୍ ଜଣାନାହିଁ ।

 

ଏହି ଚାରିଟି ଫଣ୍ଡର ପରିଚାଳନା ଦାୟିତ୍ୱ ଖୋଦ୍ ସରକାର ବହନ କରିବା ପାଇଁ ବହୁ ଆପତ୍ତି ଅଭିଯୋଗ ହୋଇଥିଲେ ମଧ୍ୟ, ସରକାର ତାହା ହାତକୁ ନେଇନାହାନ୍ତି ବା ଏଥିରୁ ଦୁର୍ନୀତି ଦମନ ପାଇଁ କୌଣସି ଚେଷ୍ଟା କରିନାହାନ୍ତି । ଏହା ମୂଳରେ ମଧ୍ୟ ଶ୍ରୀଯୁକ୍ତ ବର୍ଦ୍ଧନଙ୍କର ହାତ ସଫେଇ ରହିଛି । ତେବେ ଏଠାରେ ଆମର ସେ ସବୁ ଆଲୋଚ୍ୟ ନୁହେଁ ।

 

ଶ୍ରୀଯୁକ୍ତ ବର୍ଦ୍ଧନ ଜନସାଧାରଣଙ୍କର ପଇସାରେ କାହିଁକି ଏପରି ଆତ୍ମସାତ୍ କରିଛନ୍ତି, ଆମର ଅଭିଯୋଗ ହେଉଚି ସେଇୟା । ସେଥିପାଇଁ ତାଙ୍କୁ ଏହି ବିଚାରାଳୟକୁ ଅଣା ହୋଇଛି । ଆପଣ ଏହାର ବିଚାର କରିବେ ।

 

ରାମନାରାୟଣ ବର୍ଦ୍ଧନ ସମସ୍ତ ଅଭିଯୋଗ ମନ ଦେଇ ଶୁଣୁଥିଲେ । ବିଚାରପତିଙ୍କ ଆଡ଼କୁ ଚାହିଁ କହିଲେ, ମୋ ବିରୁଦ୍ଧରେ ହୋଇଥିବା ଅଭିଯୋଗ ମୂଳରେ କେତେକ ସତ୍ୟାସତ୍ୟ ଥିଲେ ମଧ୍ୟ, ସେଥିରେ କାହାରି ତ କୌଣସି କ୍ଷତି ବୃଦ୍ଧି ହେଉନାହିଁ । ଯେଉଁମାନେ ପ୍ରାଇଜ୍ ପାଇବା କଥା ସେମାନେ ଠିକ୍ ପାଉଛନ୍ତି ! ତା’ ଛଡ଼ା ବନ୍ୟା ସାହାଯ୍ୟ ପାଣ୍ଠି, ମୂକ ବଧୀର ବିଦ୍ୟାଳୟ, କୁଷ୍ଠାଶ୍ରମ ଏସବୁ ଖାତାରେ ବେଳେ ବେଳେ ମୁଁ ମୋଟା ଟଙ୍କା ଦାନ କରୁଛି, ଏଥିରେ ଜନସାଧାରଣଙ୍କର କ୍ଷତି ହେଉଛି କେଉଁଥିରେ ? ଆମେ ସମସ୍ତେ ଜଗତକୁ ଆସିଥାଇଁ କିଛି ନା କିଛି କରିବା ପାଇଁ । ଯିଏ ଯେତେ ବୁଦ୍ଧି ଖଟେଇ ପାରିବ, ସେ ଆଜି ସେତେ ଉନ୍ନତ ହେବ । ରୁସିଆ ନିଜ ବୁଦ୍ଧି ବଳରେ ମହାଶୂନ୍ୟରେ ବିଚରଣ କରୁଛି । ଜଗତକୁ ମୁହୂର୍ତ୍ତକରେ ଧ୍ୱଂସ କରି ଦେଇପାରେ କହି ନାଲି ଆଖି ଦେଖଉଚି । ବୁଦ୍ଧି ବଳରେ ଧନ ଅର୍ଜ୍ଜନ ଯେ, ମୋର ଗୋଟାଏ ବଡ଼ ଅପରାଧ, ଏହା କାହିଁକି ମୁଁ ଭାବି ପାରୁନାହିଁ ।

 

ବିଚାରକ ନୀରବରେ ଦୁଇ ପକ୍ଷର କଥା ଶୁଣିଲେ, ଏବଂ ମୃଦୁ ହସି କହିଲେ, ଆପଣଙ୍କୁ କେଉଁ ବିଚାରାଳୟକୁ ଅଣା ହୋଇଛି ଜାଣନ୍ତି ?

 

ଯେତେ ସବୁ ଗୁଣ୍ଡା ବଦମାସଙ୍କର କାରବାର । ରାମନାରାୟଣ ବର୍ଦ୍ଧନ ଗର୍ଜି ଉଠିଲେ ।

 

ବିଚାରକ ଶାନ୍ତ କଣ୍ଠରେ କହିଲେ, ଆପଣ ଆମ ବିଚାରାଳୟର ଅବମାନନା କରୁଛନ୍ତି । ସଂଯତ ହୋଇ କଥା କୁହନ୍ତୁ ।

 

ଏପରି ଭଣ୍ଡାମୀକୁ ମୁଁ ପରୁଆ କରେନା । ମନେ କରିଛନ୍ତି ଏହିପରି ଧମକାଇ ମୋ ଠାରୁ ଟଙ୍କା ଆଦାୟ କରିବେ । ଏତେ ସହଜ ନୁହେଁ ।

 

ବିଚାରପତି ସ୍ଥିର ଦୃଷ୍ଟିରେ ବର୍ଦ୍ଧନଙ୍କ ଆଡ଼େ ଚାହିଁଥିଲେ । କହିଲେ, ଏହାଙ୍କୁ ପାଞ୍ଚନମ୍ବର ରୁମ୍‍କୁ ନେଇଯାଅ । ଏହାଙ୍କ ବିଚାର ଦୁଇଦିନ ପରେ ହେବ । ତା’ ପୂର୍ବରୁ ଚିକିତ୍ସା ଆରମ୍ଭ କରିଦିଅ-

 

ଦୁଇଜଣ ଭୀମକାୟ ବ୍ୟକ୍ତି ଆସି ସତ୍ୟନାରାୟଣ ବର୍ଦ୍ଧନଙ୍କ ଦୁଇ କଡ଼ରେ ଠିଆ ହୋଇଗଲେ ।

 

ବିଚାରପତି ଆସନରୁ ହଟି ଧୀରେ ଧୀରେ ପ୍ରସ୍ଥାନ କଲେ ।

 

ସତ୍ୟବ୍ରତ ମହାପାତ୍ର ବିଛଣାରୁ ଉଠି ମୁହଁ ହାତ ଧୋଇବାକୁ ଯାଉ ଯାଉ ଦେଖିଲେ; ଡକ୍ଟର ଶର୍ମା ତାଙ୍କର ବାଡ଼ିଟିରେ ଭରା ଦେଇ ଦେଇ ଉପରକୁ ଉଠୁଛନ୍ତି ।

 

ସୁପ୍ରଭାତ ମି;ମହାପାତ୍ର ! ସକାଳୁ ଉଠି ମୋ ମୁହଁ ଚାହିଁଲେ, ଆପଣଙ୍କର କୌଣସି କ୍ଷତି ହେବ ନାହିଁ ।

 

ସତ୍ୟବ୍ରତ ସ୍ମିତ ହସି ଅଭିବାଦନ ଜଣାଇଲେ । କହିଲେ ବସନ୍ତୁ ମୁଁ ଏଇ ଆସୁଛି ।

 

ଡକ୍ଟର ଶର୍ମା ବୈଠକଖାନାରେ ବସିଲେ । ଟେବୁଲ ଉପରୁ ସିଗାରେଟ୍ କେସ୍ ଟି ଉଠାଇ ନେଇ, ଗୋଟିଏ ସିଗାରେଟ୍ ରେ ଅଗ୍ନିସଂଯୋଗ କଲେ ।

 

ସତ୍ୟବ୍ରତ ଅଳ୍ପ ସମୟ ମଧ୍ୟରେ ନିତ୍ୟକର୍ମ ଶେଷ କରି ଫେରିଆସିଲେ । ଦେଖିଲେ ଡକ୍ଟର ଶର୍ମା ଧ୍ୟାନମଗ୍ନ ହୋଇ ସିଗାରେଟ୍ ଟାଣୁଛନ୍ତି ଏବଂ ଟେବୁଲ ଉପରେ ଗୋଟିଏ ମମ୍‍ର କୁଣ୍ଢେଇ ରଖାହେଇଛି ।

 

ଏଇଟି କାଲି ରାତିରେ ପାଇଛନ୍ତି, ନା ଡକ୍ଟର ଶର୍ମା ?

 

ହଁ, କାଲି ରାତିରେ ଖାଲି ଏଇଟି ପାଇଥିଲେ ଏତେ ଚଞ୍ଚଳ ଏଠାକୁ ଆସି ନ ଥାନ୍ତି । ଗତ ରାତିରେ ଆଉ ଏକ ଅଦ୍ଭୁତ କାଣ୍ଡ ଘଟିଛି । ଯା’ ଫଳରେ……

 

ଡକ୍ଟର ଶର୍ମା କଥା ଅସମାପ୍ତ ରଖି, ସତ୍ୟବ୍ରତଙ୍କ ମୁହଁକୁ ଚାହିଁଲେ ।

 

ଅଦ୍ଭୁତ କାଣ୍ଡ ! କ’ଣ ଘଟିଛି କୁହନ୍ତୁ !!

 

ଗୋଟିଏ ରୋଗୀକୁ ଆଜି ସକାଳୁ, ଖୋଜି ପାଉ ନାହିଁ । ମୁଁ ଯାଇ ଦେଖିଲେ ବେଳକୁ ଘର ଖାଲି ।

 

ତା’ ମାନେ ? ରୋଗୀ କ'ଣ କୁଆଡ଼େ ପଳାଇ ଯାଇଛି ?

 

ନା’ ମୋର ମନେ ହେଉଛି କିଏ ଯେପରି ତାକୁ ଅପହରଣ କରି ନେଇଛି ।

 

କେଉଁ ରୋଗୀଟା ?

 

ଯାହାକୁ ଆପଣ ଚିତ୍କାର କରୁଥିବାର ଦେଖିଲେ । ସେହି ନୂତନ ରୋଗୀଟା ।

 

ତାକୁ ଯେ କେହି ଅପହରଣ କରି ନେଇଛି, ସେପରି ମନେ କରିବାର କାରଣ ?

 

ଡକ୍ଟର ଶର୍ମା ଟିକିଏ ଚିନ୍ତାକଲେ ଏବଂ କହିଲେ; ରୋଗୀଙ୍କର ପ୍ରତ୍ୟେକ ଘର ଗୁଡ଼ିକ ଆମେ ବାହାରୁ ତାଲା ଦେଇ ବନ୍ଦ କରିଥାଉ । ରୋଗୀ ନିଜ ଇଚ୍ଛାରେ ବାହାରି ଯିବାର କୌଣସି ସୁବିଧା ନ ଥାଏ ।

 

ଏ କ୍ଷେତ୍ରର କ’ଣ ତାଲା ଖୋଲା ହୋଇଥିଲା ?

 

ତାଲା ନିଶ୍ଚୟ ଖୋଲା ହୋଇଥିବ, ତା’ନ ହୋଇଥିଲେ ରୋଗୀ ଯାଇଥାଆନ୍ତା କିପରି ? କିନ୍ତୁ ସକାଳୁ ଆମେ ଯାଇ ଦେଖିଲୁ ତାଲା ଯେପରି ବନ୍ଦ ରହିବାର କଥା ସେହିପରି ରହିଛି, ହେଲେ ଘର ଶୂନ୍ୟ ।

 

ତା’ହେଲେ ଚିନ୍ତାର ବିଷୟ ଡକ୍ଟର ଶର୍ମା ! ଆପଣଙ୍କର କୌଣସି କର୍ମଚାରୀ ଏହା ସହିତ ସଂଶ୍ଳିଷ୍ଟ ନୁହନ୍ତି ତ ?

 

ଅସମ୍ଭବ ନୁହେଁ । ତେବେ ଆପଣ ଯଦି ପ୍ରଶ୍ନ କରନ୍ତି କାହାକୁ ସନ୍ଦେହ ହେଉଛି ? ମୁଁ କୌଣସି ସୁଚିନ୍ତିତ ଉତ୍ତର ଦେଇପାରିବି ନାହିଁ ।

 

ସତ୍ୟବ୍ରତ ଡକ୍ଟର ଶର୍ମାଙ୍କ ଆଡ଼କୁ ଗୋଟିଏ କପ୍ ଚା ବଢ଼ାଇ ଦେଇ, ନିଜେ ଅନ୍ୟ କପ୍‍ଟିରୁ ଦୁଇ ତିନି ଢୋକ ଖାଇଲେ । ନୀରବତା ଭଙ୍ଗ କରି ପ୍ରଶ୍ନ କଲେ, ଆଚ୍ଛା, ଆପଣ କାଲି କେତେ ରାତିରେ ଶୋଇଲେ ?

 

ମୁଁ !! ଡକ୍ଟର ଶର୍ମା କିପରି ଅସହାୟଙ୍କ ପରି ହସି ଉଠିଲେ । କହିଲେ, ମୋ ଶୋଇବା କଥା ଛାଡ଼ନ୍ତୁ ମି: ମହାପାତ୍ର ! କାରଣ ମୋତେ ଅଧିକାଂଶ ରାତ୍ରି ଅନିଦ୍ରା ରହିବାକୁ ହୋଇଥାଏ । ଯେଉଁ ସବୁ ପାଗଳମାନଙ୍କୁ ନେଇ ମୋର କାରବାର, କେତେବେଳେ ଯେ କାହା ସହିତ କେତେ ସମୟ କାଟିବାକୁ ହୋଇଥାଏ, ଆପଣ ବିଶ୍ୱାସ କରିପାରିବେ ନାହିଁ ।

 

ମୁଁ କିନ୍ତୁ ଆପଣଙ୍କୁ କାଲି ରାତି କଥା ପଚାରୁଚି । ସତ୍ୟବ୍ରତ ସ୍ୱର ସେହିପରି ଅବିଚଳିତ-

 

କାଲି ମୁଁ ଶେଷ ରାତିରେ ଶୋଇଛି ।

 

କାହିଁକି ? ସତ୍ୟବ୍ରତ ପଚାରିଲେ ।

 

ଆପଣ ଯଦି ଅନିଦ୍ରା ଥାଆନ୍ତେ, ତେବେ ଆପଣ ବି କାରଣଟା ଜାଣି ପାରିଥାଆନ୍ତେ । ଗୋଟାଏ ରୋଗୀ ଗତ ରାତ୍ରିରେ ଏପରି ଚିତ୍କାର ଆରମ୍ଭ କଲା ଯେ, ମନେହେଲା କିଏ ଯେପରି ତାକୁ ବେତ୍ରାଘାତ କରୁଛି । ଉଃ, ସେ କି ଚିତ୍କାର । ଶେଷଯାଏ ମୋତେ ତାକୁ ଇଞ୍ଜେକ୍ସନ ଦେଇ ଶୁଆଇବାକୁ ପଡ଼ିଲା ।

 

ହୁଁ, ସତ୍ୟବ୍ରତଙ୍କ ସ୍ୱର ଗମ୍ଭୀର ଶୁଣା ଯାଉଥିଲା । ସେ ସିଗାରେଟ୍ ରେ ଅଗ୍ନିସଂଯୋଗ କଲେ, ମମ୍ କୁଣ୍ଢେଇଟି ଟେବୁଲ ଉପରୁ ଉଠାଇ ନେଇ ଅନ୍ୟମନସ୍କ ଭାବରେ ଦେଖିବାକୁ ଲାଗିଲେ-। କହିଲେ, ଏହାକୁ ନେଇ ମୋଟ୍ ରେ ସାତଟା କୁଣ୍ଢେଇ ହେଲା, ନା ଡକ୍ଟର ଶର୍ମା !

 

ହଁ ।

 

ବେଶ ! ଆପଣ ବର୍ତ୍ତମାନ ଆସି ପାରନ୍ତି । ମୋର ଟିକିଏ ବାହାରକୁ ଯିବାର ଅଛି ।

 

ତା’ହେଲେ ? ଡକ୍ଟର ଶର୍ମା ଟେବୁଲ ଉପରୁ ବାଡ଼ିଟି ଉଠାଉ ଉଠାଉ କହିଲେ, ସେହି ରୋଗୀଟି କଥା କ’ଣ କରାଯିବ ?

 

ଆପଣ ପୋଲିସ୍ ରେ ଖବର ଦିଅନ୍ତୁ ।

 

ପୋଲିସ୍ ରେ ? ଡକ୍ଟର ଶର୍ମାଙ୍କ ଭ୍ରୂ କୁଞ୍ଚିତ ହୋଇ ଉଠିଲା ।

 

ହଁ । ଆପଣଙ୍କ ନିରାପତ୍ତା ଦୃଷ୍ଟିରୁ ମୁଁ କହୁଛି ।

 

ଡକ୍ଟର ଶର୍ମା ଆଉ କିଛି ନ କହି, ଧୀରେ ଧୀରେ ସେଠାରୁ ପ୍ରସ୍ଥାନ କଲେ ।

 

ସତ୍ୟବ୍ରତ ମହାପାତ୍ର ମମ୍‍ର କୁଣ୍ଢେଇ ଆଡ଼େ ଏକ ଦୃଷ୍ଟିରେ ଅନାଇ ରହି, ବାକି କୁଣ୍ଢେଇଗୁଡ଼ିକ ଆଣିବା ପାଇଁ ଉଠି ଚାଲିଗଲେ । କିନ୍ତୁ ଏ କ’ଣ ! ଆଲମିରା ଖୋଲା ପଡ଼ିଛି ଯେ ! କାଲି କ’ଣ ଚାବି ଦେବାକୁ ସେ ଭୁଲି ଯାଇଛନ୍ତି !! କ୍ଷିପ୍ର ହସ୍ତରେ ଆଲମିରାର ଦୁଆର ଖୋଲି, କୁଣ୍ଢେଇ ଗୁଡ଼ିକ ବାହାର କଲେ । କପାଳରେ ଚିନ୍ତାର ରେଖା ଫୁଟି ଉଠିଲା । ପାଞ୍ଚୋଟି ମମ୍ କୁଣ୍ଢେଇ ! ଆଉ ଗୋଟିଏ ଗଲା କେଉଁଆଡ଼େ ?

 

ସତ୍ୟବ୍ରତ ଅଭିମନ୍ୟୁକୁ ଡାକ ପକାଇଲେ । ସେ କହିଲା, ଗତକାଲି ସେ ଆଲମିରା ଖୋଲି ନ ଥିଲା, କୌଣସି କୁଣ୍ଢେଇ ବାହାର କରି ନ ଥିଲା । ତେବେ କ’ଣ…

 

ଫୋନ୍ ଆସିଲା । ଅଭିମନ୍ୟୁ ରିସିଭର କାନରେ ଦେଇ ସତ୍ୟବ୍ରତଙ୍କୁ କହିଲା, ଏସ୍. ପି. ସାହେବ ଡାକୁଛନ୍ତି ।

 

ସତ୍ୟବ୍ରତ ଅପର ପ୍ରାନ୍ତରୁ ଏସ୍. ପି. ସାହେବଙ୍କ ମୁହଁରୁ ଯାହା ଶୁଣିଲେ, ତାହା ସଂକ୍ଷେପରେ ହେଉଛି-ଆଜି ଭୋର୍‍ରୁ ଅପହୃତ ରାଧାମୋହନ ଦାସଙ୍କୁ ପୋଲିସ୍‍ ଆବିଷ୍କାର କରିଛି-। ଅବଶ୍ୟ ଗତ ରାତିରେ କେହି ତାଙ୍କୁ ମେଡିକାଲ୍ କଲେଜରେ ଏମାରଜେନ୍‍ସି ୱାର୍ଡ଼ ପାଖରେ ଛାଡ଼ିଦେଇ ଯାଇଥିଲା । ତାଙ୍କର ସମଗ୍ର ଦେହରେ କେହି ନିର୍ଘାତ ଚାବୁକ୍ ମାରିଚି ବୋଲି ଡାକ୍ତର କହୁଛନ୍ତି, ଏ ପର୍ଯ୍ୟନ୍ତ ରାଧାମୋହନ ଦାସଙ୍କର ଚେତା ହୋଇନାହିଁ । ଚେତା ଫେରିଲେ ତାଙ୍କ ମୁଖରୁ ଅନେକ କଥା ଜାଣି ହେବ ବୋଲି ମନେ ହେଉଛି ।

 

ସତ୍ୟବ୍ରତ ଚିନ୍ତିତ ମୁଖରେ ଆସି, ଚେଆର ଉପରେ ବସିଲେ, ଏ ରହସ୍ୟ ଯେପରି ଆରବ୍ୟ ଉପନ୍ୟାସକୁ ଟପିଯାଉଛି ।

 

ଆଜି ସକାଳୁ ସେ ସମ୍ବାଦ ପାଇଲେ, ସେବାସଦନରୁ ଗୋଟିଏ ରୋଗୀ ଅନ୍ତର୍ଦ୍ଧାନ ହୋଇଛି । ଡକ୍ଟର ଶର୍ମାଙ୍କୁ ଆଉ ଗୋଟିଏ ମମ୍‍ର କୁଣ୍ଢେଇ ଭେଟି ଦିଆହୋଇଛି । ତା’ପରେ ଜାଣିପାରିଲେ, ତାଙ୍କ ଆଲମିରାରେ ନିରାପଦରେ ଥିବା ମମ୍‍ର କୁଣ୍ଢେଇ ଭିତରୁ ଗୋଟିଏ ଅପସାରଣ କରାହୋଇଛି । ଏହା ପରେ ପୁଣି ଖବର ଆସିଲା ରାଧାମୋହନ ଦାସକୁ କ୍ଷତ ବିକ୍ଷତ ଅବସ୍ଥାରେ ମେଡିକାଲ କଲେଜରୁ ଆବିଷ୍କାର କରା ହୋଇଛି । କିନ୍ତୁ ସେ’ତ ପଚାରି ପାରିଲେ ନାହିଁ, ସେବାସଦନରେ ଆଉ କେହି ନୂତନ ଉନ୍ମାଦ ରୋଗୀ ଗତକାଲି ଆଡ଼ମିସନ ନେଇଛି ନା ନାହିଁ ।

 

ସତ୍ୟବ୍ରତ କୌତୂହଳୀ ହୋଇ ଡକ୍ଟର ଶର୍ମାଙ୍କୁ ଫୋନ କରି ପଚାରିଲେ ।

 

ଡକ୍ଟର ଶର୍ମା ଉତ୍ତର ଦେଲେ, ହଁ ଗତକାଲି ଆଉ ଗୋଟିଏ ଉନ୍ମାଦ ରୋଗୀ ସେବାସଦନରେ ଭର୍ତ୍ତି କରାହୋଇଛି ।

 

ତା’ହେଲେ ଜଣେ ଗଲା, ଜଣେ ଆସିଲା । ଯେଉଁ ଛଅକୁ ସେଇ ଛଅ ? ସତ୍ୟବ୍ରତ ପଚାରିଲେ ।

 

ହଁ ବର୍ତ୍ତମାନ ଉନ୍ମାଦ ରୋଗୀଙ୍କ ହିସାବ ସେହିପରି ।

 

ସତ୍ୟବ୍ରତ ରିସଭରଟା ରଖିଦେଇ ଟେବୁଲ ଉପରେ ମମ୍ କୁଣ୍ଢେଇ ଗୁଡ଼ିକ ଆଡ଼କୁ ଅନାଇଲେ । ଏ କ୍ଷେତ୍ରରେ ମଧ୍ୟ ଗୋଟିଏ ଗଲା, ଗୋଟିଏ ଆସିଲା, ଯେଉଁ ଛଅକୁ ସେଇ ଛଅ । ସେ ହୋ ହୋ ହୋଇ ହସି ଉଠିଲେ ।

 

ଅଭିମନ୍ୟୁ ସତ୍ୟବ୍ରତଙ୍କ ହସର କୌଣସି ଅର୍ଥ ବୁଝି ନ ପାରି ବହୁତ ବେଳଯାଏ ମନେ ମନେ କ'ଣ ଚିନ୍ତାକରି କହିଲା, ଗୋଟିଏ ମମ୍‍ର କୁଣ୍ଢେଇ ହୁଏତ ତରଳି ଯାଇଛି ।

 

ସତ୍ୟବ୍ରତ ଆହୁରି ଜୋର୍ ରେ ହସିଉଠି କହିଲେ, ତୁମେ ଠିକ୍ କହିଛି ଅଭି, ଗୋଟିଏ କୁଣ୍ଢେଇ ତରଳି ଯାଇଛି ଏବଂ ସେଇଁ ମମ୍‍ତକ ସତ୍ୟବ୍ରତ ମହାପାତ୍ରର ମଗଜରେ ବୋଳି ଦିଆ ହୋଇଛି । ଏହି ସତ୍ୟଟା ମୋତେ ବହୁତ ଦିନ ପୂର୍ବରୁ ଆବିଷ୍କାର କରିବାର ଥିଲା । ଯା’ ହେଉ ମୁଁ ଆଲୋକ ଦେଖିଚି ଅଭି, ଆଶା କରୁଚି, ଜମାଟ ବନ୍ଧା ରହସ୍ୟ ଏଥର ଗଳିତ ମମ୍ ପରି ତରଳ ହୋଇଯିବ ।

 

ଆପଣ ତା’ହେଲେ ଅପରାଧିର ସନ୍ଧାନ ପାଇଛନ୍ତି ?

 

ଆଶା ତ କରୁଛି, ଯେବେ ମୋର ଭୁଲ୍‍ ବି ହୋଇପାରେ !

 

ଆଉ ଏଇ ମମ୍‍ର କୁଣ୍ଢେଇ ! ଏ ଗୁଡ଼ିକର ରହସ୍ୟ କ'ଣ ?

 

ସବୁ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଅଭି ! ଆଶା କରୁଛି ଦୁଇ ତିନି ଦିନ ମଧ୍ୟରେ ସବୁ ରହସ୍ୟର ଉଦ୍‍ଘାଟନ ହୋଇଯିବ । ତୁମେ ଗୋଟାଏ କଥାକର । ଆଜି ପୁରୀ ଚାଲିଯାଅ । ସମରେଶ ମଦନରାୟଙ୍କ କନ୍ୟା ନୀଳିମାର କାର୍ଯ୍ୟକଳାପ ଉପରେ ଗଭୀର ଭାବରେ ଦୃଷ୍ଟି ରଖିବ । ମୋର ମନେ ହେଉଛି, ସେଇଠୁ ଆମେ.....

 

ସତ୍ୟବ୍ରତ ମହାପାତ୍ର କଥା ସମାପ୍ତ କରିପାରିଲେ ନାହିଁ । ଲୀଳାୟିତ ଛନ୍ଦରେ ତାଙ୍କ ଆଗରେ ଆସି ସ୍ୱୟଂ ନୀଳିମା ଉପସ୍ଥିତ ହେଲା, ପଛେ ପଛେ ସମରେଶ ମଦନରାୟ ।

 

ସତ୍ୟବ୍ରତ ମହାପାତ୍ର ଉଠି ଠିଆ ହୋଇ ପଡ଼ିଲେ । ମଦନରାୟଙ୍କୁ ଅଭିବାଦନ ଜଣାଇଲେ । ନୀଳିମାକୁ ପ୍ରତି ନମସ୍କାର ଜଣାଇଲେ ।

 

ଆପଣ ଏତେ ସକାଳୁ ? ସତ୍ୟବ୍ରତ ମଦନରାୟଙ୍କୁ ଉଦ୍ଦେଶ୍ୟ କରି ପଚାରିଲେ ।

 

ଆମେ କାଲିଠୁ ହୁଁ ଆସିଲୁଣି, ମଦନରାୟ ଉତ୍ତର ଦେଲେ । କାଲି ଆପଣଙ୍କ ସହିତ ଦେଖା କରିବାର ସୁଯୋଗ ପାଇଲୁ ନାହିଁ ।

 

ନୀଳିମା ନୀରବରେ ବସିଥିଲା ଏବଂ ବେଳେ ବେଳେ ସତ୍ୟବ୍ରତଙ୍କ ସହିତ ଆଖି ମିଶି ଯାଉଥିଲା । ଦୁହିଁଙ୍କ ଆଖିରୁ ରହସ୍ୟ ଝରି ପଡ଼ୁଥିଲା ।

 

ହଠାତ୍ ମୋ ପାଖକୁ ! କୌଣସି ଜରୁରୀ କାର୍ଯ୍ୟ ନୁହେଁ ତ ?

 

ନା ନା, ଖାଲି ଦେଖା କରିବା ପାଇଁ । ମୋର ଟିକିଏ ଡକ୍ଟର ସୁନୀତି କୁମାର ଶର୍ମାଙ୍କ ସହିତ ପରାମର୍ଶ କରିବାର ଅଛି । ନୀଳିମା କହୁଛି ସେ କୁଆଡ଼େ ଖୁବ୍ ଭଲ ଡାକ୍ତର । ଏ କେତେଦିନ ହେବ ମୋତେ ରଖିଥୋଇ ଦେଉନାହିଁ । ଶେଷରେ ବାଧ୍ୟ ହୋଇ ଆସିବାକୁ ପଡ଼ିଲା ।

 

ବେଶ୍ କରିଛନ୍ତି । ଡକ୍ଟର ଶର୍ମା ଭଲ ଡାକ୍ତର । ଆପଣଙ୍କର କୌଣସି କମ୍ପ୍‍ ଲେନ ଥିଲେ ଅନାୟାସରେ ଦେଖେଇ ପାରନ୍ତି ।

 

ମୋର ଇଚ୍ଛା ନ ଥିଲା, କିନ୍ତୁ ନୀଳିମାର ଅନୁରୋଧ ଏଡ଼େଇ ପାରିଲି ନାହିଁ । ଡକ୍ଟର ଶର୍ମାଙ୍କ ସହିତ ଆପଣଙ୍କର ବୋଧହୁଏ ପରିଚୟ ଥିବ ।

 

ତା’ ଅଛି, ତେବେ ଆଶା କରୁଛି, ମୋ ଅପେକ୍ଷା ନୀଳିମାଦେବୀଙ୍କର ତାଙ୍କ ସହିତ ବେଶୀ ପରିଚୟ ଥିବ । ସତ୍ୟବ୍ରତ ନୀଳିମା ଆଡ଼େ ଚାହିଁଲେ ।

 

ହଁ ଅଛି ବୋଧହୁଏ । କାରଣ ନୀଳିମା ମଝିରେ ମଝିରେ ଡକ୍ଟର ଶର୍ମାଙ୍କ ନିକଟକୁ ଆସେ । ମଦନରାୟ କହିଲେ ।

 

ସତ୍ୟବ୍ରତଙ୍କ ଆଖି ଦୁଇଟି ଉଜ୍ଜ୍ଵଳ ହୋଇଉଠିଲା । ସେ କଥାର ମୋଡ଼ ବଦଳେଇ ପଚାରିଲେ, ପ୍ରଫେସର ଦାସ ଆଉ ଅପାଙ୍କ ଘରକୁ ଯାଇଥିଲେ ?

 

ନା, ଭଦ୍ରଲୋକ ଆଉ ବୋଧହୁଏ ସମୟ କରିପାରିଲେ ନାହିଁ । ନୀଳିମା ଆଡ଼େ ଚାହିଁ ପଚାରିଲେ, ତୋ ସହିତ ଆଉ ଦେଖା ହୋଇଥିଲା ମା ?

 

ନୀଳିମା ଛୋଟ ‘ନାଁ’ ଟିଏ କରି ତଳକୁ ମୁହଁ ପୋତିଲା ।

 

ସେବାସଦନରେ ତାଙ୍କ ସହିତ ଆପଣଙ୍କର ସାକ୍ଷାତ ହୋଇପାରେ । ସତ୍ୟବ୍ରତ ରହସ୍ୟମୟ ସ୍ୱରରେ କହିଲେ ।

 

ସେ କ’ଣ ଚିକିତ୍ସା ହେଉଛନ୍ତି ? ମଦନାରୟ ପଚାରିଲେ ।

 

ଶୁଣିଥିଲି, ତେବେ ଠିକ୍ ଜାଣି ନାହିଁ । ନୀଳିମା ଦେବୀ ହୁଏତ ଜାଣିଥିବେ ।

 

ନୀଳିମା ହାତ ଘଡ଼ିକୁ ଚାହିଁ ଉଠି ଠିଆ ହେଲା । କହିଲା ଯିବା ଆସ । ସମୟ ହୋଇଗଲାଣି । ମଦନରାୟ ଉଠୁଥିଲେ । ସତ୍ୟବ୍ରତ ବାଧା ଦେଇ କହିଲେ, ସେ କିପରି କଥା । ଚା’କପେ ଅନ୍ତତଃ ଖାଇଯିବେ ତ !

 

ମଦନରାୟ କହିଲେ, ସେବାସଦନରୁ ଫେରି ଏଇବାଟେ ଆସିବି । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।

 

ନୀଳିମା କାନ୍ଧରେ ହାତ ରଖି, ମଦନରାୟ ଧୀରେ ଧୀରେ ତଳକୁ ଓହ୍ଲେଇ ଗଲେ । ସତ୍ୟବ୍ରତ ମହାପାତ୍ର ତୀକ୍ଷ୍‍ଣ ଚାହାଁଣୀରେ ତାଙ୍କରି ଆଡ଼େ ଚାହିଁ ଠିଆ ହୋଇଥିଲେ ।

 

ସେମାନେ ଦୃଷ୍ଟିର ଅନ୍ତରାଳରୁ ଅଦୃଶ୍ୟ ହୋଇଯିବା ପରେ ସତ୍ୟବ୍ରତ ପୁଣି ପୂର୍ବ ସ୍ଥାନକୁ ଫେରି ଆସିଲେ । ଟେବୁଲ ଉପରେ ମମ୍‍ର କୁଣ୍ଢେଇ ଗୁଡ଼ିକ ଥୁଆ ହୋଇଥିଲା । ସେ ସେଇଗୁଡ଼ିକ ଆଡ଼କୁ କିଛି ସମୟ ଏକ ଦୃଷ୍ଟିରେ ଅନାଇ ରହିଲେ ! ତା’ପରେ ଗୋଟି ଗୋଟି କରି ଉଠାଇ ନେଇ ଝରକା ବାଟେ ବାହାରକୁ ଫିଙ୍ଗିବାରେ ଲାଗିଲେ ।

 

ଅଭିମନ୍ୟୁ ସତ୍ୟବ୍ରତଙ୍କର ଏପରି ଆଚରଣରେ ଅବାକ୍‍ ହୋଇଯାଇଥିଲା । ପଚାରିଲା, ମମ୍ କୁଣ୍ଢେଇ ଗୁଡ଼ିକ ଫିଙ୍ଗି ଦେଉଁଛନ୍ତି ଯେ !

 

ଆଉ ପ୍ରୟୋଜନ ନାହିଁ ଅଭି । ସବୁ ସମସ୍ୟାର ସମାଧାନ ହୋଇଯାଇଛି । ମୋତେ କେବଳ ଅନ୍ଧକାରରେ ବୁଡ଼େଇ ରଖିବାପାଇଁ ଏ ଗୁଡ଼ିକର ଆବିର୍ଭାବ ହୋଇଥିଲା ।

 

ତା’ହେଲେ ସବୁ ରହସ୍ୟ କ’ଣ ଏଇ ସେବାସଦନ ଭିତରେ ଲୁଚି ରହିଛି ?

 

ସତ୍ୟବ୍ରତ ତାଙ୍କର ସ୍ୱଭାବ ସୁଲଭ ସ୍ମିତ ହସ ଟିକେ ହସି, ଗୋଟିଏ ସିଗାରେଟ୍ ରେ ଅଗ୍ନିସଂଯୋଗ କଲେ ।

 

ଏହା ଭିତରେ ଆହୁରି ଦୁଇ ତିନି ଦିନ ଅତିବାହିତ ହୋଇଯାଇଛି । ସତ୍ୟବ୍ରତ କେବଳ ନୀରବରେ ବସି ରହି ଚିନ୍ତା କରିଛନ୍ତି । ଅଭିମନ୍ୟୁ ତାଙ୍କୁ କେତେଥର କେତେ କଥା ପଚାରିଥିଲେ ମଧ୍ୟ କୌଣସିଟିର ସେ ଉତ୍ତର ଦେଇନାହାନ୍ତି ।

 

ଏସ୍.ପି. ସାହେବ ଖବର ଦେଇ ପଠାଇଛନ୍ତି ଯେ ଡକ୍ଟର ପ୍ରାଣନାଥ ଛୋଟରାୟ ଭୀଷଣ ଅସୁସ୍ଥତା ଘେନି ଫେରିଆସିଛନ୍ତି । ବହୁ ଚେଷ୍ଟା କରି ମଧ୍ୟ ତାଙ୍କଠାରୁ ସେ ଅନ୍ତର୍ଦ୍ଧାନର କାହାଣୀ ସମ୍ବନ୍ଧରେ କୌଣସି ତଥ୍ୟ ଆବିଷ୍କାର କରି ନାହାନ୍ତି । ପ୍ରାଣନାଥ ଛୋଟରାୟ କେବଳ କୁହନ୍ତି ଯେ, ମଧ୍ୟ ଏ କେତେଦିନ କେଉଁଠି କଟାଇଥିଲେ ନିଜେ ସେ କିଛି ଜାଣି ପାରିନାହାନ୍ତି ।

 

ଏସ୍. ପି. ସାହେବଙ୍କର ଏହି ସଂବାଦରେ ସତ୍ୟବ୍ରତ ଆଦୌ ଉତ୍ସାହିତ ହୋଇନାହାନ୍ତି । ବରଂ ଅଭିମନ୍ୟୁ ମାଧ୍ୟମରେ ଫୋନ କରାଇଛନ୍ତି ଏସ୍. ପି. ସାହେବଙ୍କୁ ତାଙ୍କର ଅନୁପସ୍ଥିତ ଜଣେଇବା ପାଇଁ ।

 

ସମରେଶ ମଦନରାୟ ‘ସେବାସଦନ’ ରେ ଆଡ଼ମିସନ ନେଇଛନ୍ତି । ତାଙ୍କ ଚିକିତ୍ସାର ଦାୟିତ୍ୱ ଡକ୍ଟର ଶର୍ମା ଗ୍ରହଣ କରିଛନ୍ତି । ନୀଳିମା ଦେବୀ ମଧ୍ୟ କିଛିଦିନ ପାଇଁ ସେବାସଦନରେ ମଦନରାୟଙ୍କ ତତ୍ତ୍ୱ ନେବା ପାଇଁ ରହିଛନ୍ତି ।

 

ସେଦିନ କଥାପ୍ରସଙ୍ଗରେ ସତ୍ୟବ୍ରତ ଡକ୍ଟର ଶର୍ମାଙ୍କ ଠାରୁ ଜାଣିଲେ ଯେ, ଆଜି ପୁରୀ ଏକ୍ସପ୍ରେସରେ ନୀଳିମା ଦେବୀ କଲିକତା ଯାଉଛନ୍ତି । ମଦନରାୟଙ୍କ ପାଇଁ କେତୋଟି ଦାମି ଔଷଧର ପ୍ରୟୋଜନ ଅଛି । ସେଗୁଡ଼ିକ ଏଠାରେ ମିଳୁନାହିଁ ।

 

କିନ୍ତୁ ଡକ୍ଟର ଶର୍ମା ସେବାସଦନରୁ ଚାଲି ଯାଇଥିବା ରୋଗୀଟି ପ୍ରସଙ୍ଗରେ ଆଉ କୌଣସି କଥା ଉଠାଉ ନାହାନ୍ତି । ସେଥିପାଇଁ ସେ ଯେପରି ଆଉ ଉଦ୍‍ବିଗ୍ନ ନୁହନ୍ତି ।

 

ସେଇଦିନ ରାତି ନଅଟା ବେଳେ ସତ୍ୟବ୍ରତ ଅଭିମନ୍ୟୁକୁ ଡାକି କହିଲେ, ବେଡ଼ିଂପତ୍ର ସଜାଡ଼ିଦେବା ପାଇଁ । ସେ ଆଜି ପୁରୀ ଏକ୍ସପ୍ରେସରେ କଲିକତା ଯିବେ ।

 

ରାତି ୧୦ ଟା ବେଳେ ଏସ୍.ପି. ସାହେବଙ୍କ ସହିତ ସତ୍ୟବ୍ରତଙ୍କର ମିଳିତ ହେବାର ଥିଲା । ସେଇକଥା ଅଭିମନ୍ୟୁ କହିଲା ।

 

ସତ୍ୟବ୍ରତ କିଛି ନ ଶୁଣିଲା ପରି କହିଲେ, ଡେରି କରନି ଅଭି । କଲିକତାରୁ ଫେରି ଏସ୍.ପି.ସାହେବଙ୍କୁ ଭେଟିବି । ତୁମେ ଫୋନ କରି ଜଣାଇଦେବ ।

 

ସେଇଦିନ ରାତି ଏକ୍ସପ୍ରେସ୍‍ ରେ ସତ୍ୟବ୍ରତ କଲିକତା ଯିବାପାଇଁ ପ୍ରସ୍ତୁତ ହୋଇ ଷ୍ଟେସନ ବାହାରିଗଲେ ।

 

କିନ୍ତୁ ନୀଳିମା ଯେ ଏକା ! ଗୋଟିଏ ଫାଷ୍ଟକ୍ଲାସ କମ୍ପାର୍ଟମେଣ୍ଟରେ ବସି ଝରକା ବାଟେ ବାହାରକୁ ଚାହିଁଥିଲା । ତା’ ହେଲେ ତାଙ୍କ ଅନୁମାନ କ’ଣ ଭୁଲ ହେଲା ?

 

ଧୀରେ ଧୀରେ ଗାଡ଼ି ଛାଡ଼ିଦେଲା । ନୀଳିମା ବାହାରକୁ ଚାହିଁ ବସିଥିଲା । ସତ୍ୟବ୍ରତ ପାଖ କମ୍ପାର୍ଟମେଣ୍ଟରେ ବସି ଲକ୍ଷ୍ୟ କରିଥିଲେ । କିଏ କାହିଁ ?

 

ଏକ୍ସପ୍ରେସ ହାବଡ଼ା ଷ୍ଟେସନରେ ପହୁଞ୍ଚିବା ପର୍ଯ୍ୟନ୍ତ ସତ୍ୟବ୍ରତ ଅନ୍ୟ କାହାକୁ ନୀଳିମାର କମ୍ପାର୍ଟମେଣ୍ଟରେ ଉଠିବାର ଦେଖିଲେ ନାହିଁ । ନୀଳିମା ପ୍ଲାଟ୍‍ଫର୍ମ ବାହାରକୁ ବାହାରିଗଲା । ସାମାନ୍ୟ ଦୂରତ୍ୱ ବଜାୟ ରଖି ସତ୍ୟବ୍ରତ ମଧ୍ୟ ଆଗେଇ ଥିଲେ । ନୀଳିମା ଯାଇ ଅପେକ୍ଷାମାନ ଗୋଟିଏ ମଟର ପାଖରେ ଠିଆହେଲା । ଡ୍ରାଇଭର ସାଲ୍ୟୁଟ ବଜାଇ ଗାଡ଼ିର ଦରଜା ଖୋଲିଦେଲା-। ନୀଳିମା ଗାଡ଼ିରେ ଉଠି ବସିଲା । ସତ୍ୟବ୍ରତ ସ୍ତବ୍‍ଧ ହୋଇ ଅନାଇଥିଲେ । ଡ୍ରାଇଭର ଗାଡ଼ିରେ ଷ୍ଟାର୍ଟ ଦେଲା । ଏହା ପରେ ?

 

କିଏ ଯେପରି ପଛଆଡ଼ୁ ସତ୍ୟବ୍ରତଙ୍କ ଆଖି ଦୁଇଟା ଚାପି ଧରିଲା । ଲଳିତ କଣ୍ଠରେ କହିଲା, ସୁପ୍ରଭାତ !

 

ନୀଳିମାର ଗାଡ଼ିଷ୍ଟାର୍ଟ ଦେଉ ଦେଉ ପୁଣି ଅଟକି ଗଲା । ସତ୍ୟବ୍ରତ ବୁଲି ଅନାଇଲେ । ଗୋଟିଏ ସୌମ୍ୟ, ଶାନ୍ତ ମୂର୍ତ୍ତି । ସର୍ବାଙ୍ଗ ଲଙ୍ଗ୍‍କୋଟରେ ଆବୃତ, ମୁଣ୍ଡରେ ଫେଲଟ ହ୍ୟାଟ୍ ପରିହିତ ଜଣେ ଯୁବକ ।

 

ସତ୍ୟବ୍ରତ କ୍ଷିପ୍ର ଦୃଷ୍ଟିରେ ଯୁବକଟି ଆଡ଼େ ଅନେଇ ଦେଇ, ଲଙ୍ଗ୍‍କୋର୍ଟଟାର ତୃତୀୟ ବୋତାମ ଉପରେ ଦୃଷ୍ଟି ନିବଦ୍ଧ କଲେ । ବୋତାମଟି ନାହିଁ ।

 

ଯୁବକଟି ସ୍ମିତ ହସି କହିଲା, ମୁଁ ଜାଣେ ମି. ମହାପାତ୍ର । ମୋର ଏହି ତୃତୀୟ ବୋତାମଟି ଆପଣଙ୍କ ପକେଟରେ ଅଛି । ଆସନ୍ତୁ ଗାଡ଼ିରେ ବସିବା । ତା’ ପରେ ଆପଣଙ୍କ ସହିତ ବହୁତ କଥାବାର୍ତ୍ତା ଅଛି ।

 

ନୀଳିମା ଯେଉଁ ଗାଡ଼ିରେ ବସିଥିଲା, ଯୁବକଟି ସେଇ ଗାଡ଼ି ଆଡ଼କୁ ଆଙ୍ଗୁଳି ଦେଖାଇଲେ । ସତ୍ୟବ୍ରତ ଯନ୍ତ୍ରଚାଳିତ ପରି ଯାଇ ଗାଡ଼ିରେ ଉଠିଲେ । ଗାଡ଼ି ଉଲ୍‍କା ବେଗରେ ଛୁଟି ଚାଲିଲା । ଯୁବକଟି ମୁଖରୁ ଧୀରେ ଧୀରେ ଛଦ୍ମ ଆବରଣଟି ଘୁଞ୍ଚାଇ ଦେଇ କହିଲେ, ଏଥର ଆପଣ ନିଶ୍ଚୟ ଚିହ୍ନି ପାରୁଛନ୍ତି ?

 

ଲାଲସିଂହ !! ସତ୍ୟବ୍ରତଙ୍କ ମୁହଁରୁ ଅଜାଣତରେ ବାହାରି ଆସିଲା ।

 

ନା, ନା, ଦସ୍ୟୁ ଲାଲସିଂହ କୁହନ୍ତୁ । ତା’ପରେ ଡକ୍ଟର ଶର୍ମାଙ୍କ ସେବାସଦନରେ ମୋତେ ଆପଣ ସିଗାରେଟ୍ ଦେଇ, ମୋର ଏହି ଲଙ୍ଗ୍‍କୋର୍ଟକୁ ସେଠାରେ ବହୁ ସମୟ ଅନାଇ ରହିଥିଲେ । ମୋର ଏଇ କୋର୍ଟର ବୋତାମଟି ଆପଣଙ୍କୁ ଯଥେଷ୍ଟ ସନ୍ଦେହରେ ପକାଇ ଦେଇଥିଲା, ନା ମି. ମହାପାତ୍ର !!

 

ଗାଡ଼ିଟା ତୀର ବେଗରେ ଛୁଟି ଚାଲିଥିଲା ।

 

ସତ୍ୟବ୍ରତ କହିଲେ, ସେଇଦିନ ମୁଁ ଅନୁମାନ କରିଥିଲି ସେବାସଦନ କାହା ଟଙ୍କାରେ ପରିଚାଳିତ ହେଉଛି ।

 

ତା’ପରେ ଆପଣ କ’ଣ ସ୍ଥିର କଲେ ?

 

ଅନ୍ତର୍ହିତ ହେଉଥିବା ଲୋକମାନଙ୍କର ସନ୍ଧାନ ମୁଁ ସେବାସଦନରେ କରିବାକୁ ଲାଗିଲି । ସତ୍ୟବ୍ରତ କହିଲେ ।

 

ସେମାନଙ୍କ ସନ୍ଧାନ ପାଇଲେ ?

 

ପାଇଲି, କିନ୍ତୁ ସେମାନଙ୍କର ଅସାଧୁତାରେ ମୋ ମନ ପ୍ରାଣ ଘୃଣାରେ ଭରି ଯାଇଥିଲା-। ମୋର ମନେ ହେଲା, ସେମାନେ ଏହିପରି ଶାସ୍ତି ନ ପାଇଲେ, ଅନ୍ୟମାନଙ୍କର ଚେତନା ହେବନାହିଁ-

 

ତା’ପରେ କ’ଣ କଲେ ?

 

ନୀରବ ରହିଲି ।

 

ମାନେ ଦଶ ହଜାର ଟଙ୍କା ପାଇବାର ଆଶା ତ୍ୟାଗ କଲେ ?

 

କଥାଟା ସତ୍ୟବ୍ରତ ମହାପାତ୍ରଙ୍କୁ ଖୁବ୍ ଆଘାତ ଦେଲା । ସେ ନୀରବ ହେଲେ । ଲାଲସିଂହ ବୁଝିପାରି ପ୍ରସଙ୍ଗ ବଦଳାଇଲେ ଓ କହିଲେ, ମମ୍‍ର କୁଣ୍ଢେଇ ଗୁଡ଼ିକ ପ୍ରତି ଆପଣଙ୍କର କ’ଣ ଧାରଣା ହୋଇଥିଲା ?

 

ପ୍ରଥମେ ମୁଁ ଭାବିଥିଲି, କୌଣସି ଏକ ରହସ୍ୟ ସେଗୁଡ଼ିକ ଭିତରେ ଲୁଚି ରହିଚି । କିନ୍ତୁ ଆପଣ ସେଗୁଡ଼ିକ କାହିଁକି ପଠାଉଥିଲେ ?

 

କେବଳ ଆପଣଙ୍କୁ ରହସ୍ୟରେ ବୁଡ଼ାଇ ରଖିବା ପାଇଁ ଏବଂ ସେଗୁଡ଼ିକର ମୂଳଭିତ୍ତି ହେଉଛି, କ୍ରାଇମ, ଜର୍ଣ୍ଣଲ । ମୁଁ ଜାଣିଥିଲି ଯେ, ଆପଣଙ୍କର ସେପରି ଜର୍ଣ୍ଣାଲ ସହିତ ସମ୍ପର୍କ ଥିବ ଏବଂ ଆପଣ ସେଇ ମୂର୍ତ୍ତିଗୁଡ଼ିକର ପୂର୍ବାଭାସ କ୍ରାଇମ ଜର୍ଣ୍ଣଲରୁ ପାଇଥିବେ ।

Image